Unknown

 

 

 

 

 

 

 

 

 

୫୫ତମ ସଂଖ୍ୟା କୋଣାର୍କ ୧୯୮୫

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚ଼ୀପତ୍ର

୧.

ତିବ୍ବତରେ ଓଡ଼ିୟାନ୍ ଧର୍ମକନ୍ଦଳ ଓ ଲାମା ତାରନାଥ

ଶ୍ରୀ ଗୋପୀନାଥ ମିଶ୍ର

୨.

ଆମ ସାହିତ୍ୟରେ ସମାଲୋଚନା

ଡକ୍ଟର ଜାନକୀବଲ୍ଲଭମହାନ୍ତି

୩.

କାମସ୍ତଦଗ୍ରେ ସମବର୍ତ୍ତତେ

ଶ୍ରୀ ବିନୋଦ ରାଉତରାୟ

୪.

ଓଡ଼ିଆ ଶିଶୁ ସାହିତ୍ୟ

ଶ୍ରୀ ରାମକୃଷ୍ଣ ନନ୍ଦ

୫.

ଓଡ଼ିଆ ଶିଶୁ ସାହିତ୍ୟର ସଂଜ୍ଞା, ସ୍ୱରୂପ ଓ ଉନ୍ୱେଷ

ଶ୍ରୀ ଉଦୟ ନାଥ ଷଡ଼ଙ୍ଗୀ

୬.

ସଂକୀର୍ତ୍ତନ ଏକ ବିବେଚନ

ଡକ୍ଟର ମନୀନ୍ଦ୍ର ମହାନ୍ତି

୭.

ଏଡ୍‌ମଣ୍ଡ ସ୍ପେନ୍‌ସାର ଓ ଉପେନ୍ଦ୍ର ଭଞ୍ଜ ଜୀବନାଦର୍ଶ

ଓ କାବ୍ୟାଦର୍ଶ

ଡକ୍ଟର ବନମାଳି ବାରିକ

୮.

ବଲ୍ଲଭାଚାର୍ଯ୍ୟ ଓ ଶ୍ରୀ ଜଗନ୍ନାଥ

ଶ୍ରୀ ଶଚ୍ଚିଦାନନ୍ଦ ମିଶ୍ର

୯.

ସାମ୍ବାଦିକ ଗୋପବନ୍ଧୁ

ଶ୍ରୀ ଚିନ୍ତାମଣି ମହାପାତ୍ର

୧୦.

ପ୍ରାପ୍ତେଷୁ ସଂକ୍ରାନ୍ତରେ ଏବଂ ଅନ୍ୟାନ୍ୟ

ଶ୍ରୀ ବେଣୁଧର ରାଉତ

୧୧.

ଏକାଡେମୀ ସମାଚାର

 

୧୨.

ସଂପାଦକୀୟ

 

 

 

ତିବ୍ବତରେ ଓଡ଼ିୟାନ୍‍ ଧର୍ମକନ୍ଦଳ ଓ ଲାମା ତାରନାଥ

ଶ୍ରୀ ଗୋପୀନାଥ ମିଶ୍ର

 

ଭାରତୀୟ ଇତିହାସର ପାଠକମାନଙ୍କ ନିକଟରେ ବିଶ୍ୱବିଶ୍ରୁତ ଲାମାତାରନାଥ ଅଚିହ୍ନା ବା ସ୍ୱଳ୍ପ ପରିଚିତ । ବିଶ୍ୱବିଶ୍ରୁତ କହିବାର ଉଦ୍ଦେଶ୍ୟ ହେଉଛି ଯେ ଫରାସୀ, ଜର୍ମାନ ଓ ଋଷୀୟ ପଣ୍ଡିତଗଣ ତାଙ୍କର ତିବ୍ଦତୀୟ ଭାଷାର ରଚିତ ‘ଭାରତରେ ବୌଦ୍ଧଧର୍ମର ଇତିହାସ’ ପାଠପୁର୍ବକ ବୌଦ୍ଧଧର୍ମର ଆଦ୍ୟନ୍ତ ପରିବର୍ତ୍ତନ. ପରିବର୍ଦ୍ଧନ, ରୂପାନ୍ତରୀକରଣ ବିଷୟରେ ଏପରି କେତେକ ଉପାଦାନ ପାଇଲେ, ଯେଉଁ ଗୁଡ଼ିକ କି ଯଥାର୍ଥରେ ଏକ ଧର୍ମୀୟ ଇତିହାସର ମୂଲ୍ୟବାନ ଆଧାର । ତାଙ୍କ ଇତିହାସରେ ଆଖ୍ୟାୟିକା, କିମ୍ୱଦନ୍ତୀ ଓ ଦନ୍ତକଥାର ସମୀକରଣ ଇତିହାସର କଳା-ଫର୍ମଟି ସୂଚାଇଦିଏ ଓ ବହୁ ଘଟଣାର ତଥ୍ୟସମ୍ମତ ପରିଚୟ ଏବଂ ଚରିତ୍ରମାନଙ୍କର ଏକ ବାସ୍ତବ ଓ ସତ୍ୟ ଶୋଭାଯାତ୍ରା ଏହାର ବିଜ୍ଞାନ-ଫର୍ମଟି ସୂଚାଇଦିଏ ।

 

ପ୍ରାଚୀନ ଇତିହାସ କହିଲେ ବୁଝାଯାଏ ଯୁଦ୍ଧ ଓ ଧର୍ମ ବିଜୟର କାହାଣୀ । କାଳରେ କେଉଁଠି ଧର୍ମ ବଳିଷ୍ଠ ତ କେଉଁଠି ରାଜପୁରୁଷ ବଳିଷ୍ଠ । ଧର୍ମର ପ୍ରଭାବ କେଉଁଠି ରାଜପୁରୁଷକୁ ଧର୍ମମତର ପ୍ରସାରାର୍ଥ ଅସାଧାରଣ କରାଇଛି ତ କେଉଁଠି ପୀତ, ଗୈରିକ ବସ୍ତ୍ର ଧାରଣ କରାଇଛି । ରାଜପୁତ୍ର, ରାଜଭ୍ରାତା, ରାଜମାତା, ରାଜକନ୍ୟା ଓ ବ୍ରାହ୍ମଣ ସେନାପତି ବି ଭାରତର ଏକପ୍ରାନ୍ତରୁ ଅନ୍ୟପ୍ରନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ବୌଦ୍ଧ, ଜୈନ ଓ ବ୍ରାହ୍ମଣ୍ୟ ଧର୍ମର-ପରିପ୍ରଚାଶର୍ଥ ରାଜନବରରୁ ବାହାରି ଧୂଳି ଧୂସରିତ ପଥଚାରୀ ହୋଇଛନ୍ତି । ତନ୍ତ୍ର ଯୁଗର ପ୍ରାରମ୍ଭ କାଳରେ ଉତ୍କଳର ବହୁ ରାଜପୁତ୍ର, ରାଜକନ୍ୟା ରାଜବଧୂ ଆଉ ଅସୀ ଓ ସାମ୍ରାଜ୍ୟର କଥା ନ କହି ଏକ ଧର୍ମ-ସାମ୍ରାଜ୍ୟର କଥା କହିଛନ୍ତି ବା ଏକ ନୂତନ ତତ୍ତ୍ୱ ପ୍ରଚାରର ଜିଗୀଷା ବହନ କରିଛନ୍ତି । ଲାମା ତାରାନାଥଙ୍କ ଇତିହାସ ପାଠକଲେ ମନେହୁଏ, ଏହି ରାଜନ୍ୟକୁଳ, ସାଧାରଣ ପ୍ରଜା, ସନ୍ୟାସୀ, ବ୍ରହ୍ମଚାରୀ, ଅର୍ହତ ଓ ଶ୍ରାବକଗଣ ସମସ୍ତେ ଯେପରି ନିଜର ସ୍ୱତନ୍ତ୍ର ଦର୍ଶନ, ସ୍ୱତନ୍ତ୍ର ଧର୍ମଧାରାର ପ୍ରବର୍ତ୍ତନ ପାଇଁ ଅସମ୍ଭବ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି । ଶ୍ରେଷ୍ଠ ପ୍ରତିଯୋଗୀର ଟୀକା ଲାଭ କରିବା ପାଇଁ ସେମାନେ ରାଜ୍ୟ ଛାଡ଼ି ସ୍ୱାର୍ଥକୁ ଆହୂତି ଦେଇ ବିଧୃତ ସତ୍ୟର ପ୍ରସାରାର୍ଥ ପରସ୍ପରକୁ ମତାସ୍ତ୍ର ଦ୍ୱାରା କାଟିଛନ୍ତି; ଗୁରୁ ଶିଷ୍ୟକୁ ବିରୋଧ କରି, ଶିଷ୍ୟ ଗୁରୁଙ୍କୁ ସମ୍ମାନ ସହ ପ୍ରତିବଚନ କହି ଦର୍ଶନ ଦିଗବାରିଣୀରେ ପହଞ୍ଚିଛନ୍ତି । ଭ୍ରତାଠାରୁ ଶିକ୍ଷିତା ଭଗ୍ନୀ ନୂତନ ପଥର ସଙ୍କେତ ପାଇ ନୂତନ ଧର୍ମମନ୍ତ୍ର ଗାଇଛନ୍ତି । ଏମିତି ଶତାବ୍ଦୀ ଶତାବ୍ଦୀ ଧରି ଧର୍ମର ଉନ୍ନତି, ଅବକ୍ଷୟ ସଂସାଧିତ ହୋଇଛି । ତାର ବାର୍ତ୍ତାବହ ହେଉଛନ୍ତି ଲାମା ତାରାନାଥ । ସନାତନ ଧର୍ମର ପାରଂପରିକ ଭିତ୍ତି ବିରୁଦ୍ଧରେ କଷୋଦ୍‌ଗାର, ଧର୍ମ ବିପ୍ଳବରୁ ବହୁ ପ୍ରମାଣିତ ଗ୍ରନ୍ଥ ରଚନା, ବହୁ ପହଳିକଟା ଦୋହା, ତନ୍ତ୍ରାଚାରର ବହୁ ଦିଗ୍‌ବିଦିଗ ପ୍ରତି ତଥା ରାଜପୁରୁଷମାନଙ୍କର ପୃଷ୍ଠପୋଷକତା ତାଙ୍କ ଇତିହାସରେ ଅତ୍ରତତ୍ର ଦେଖାଯାଏ । ଅସୀ ସର୍ବଶେଷରେ ମସୀର ସମର୍ଥକ ହୋଇଛି । ଧର୍ମର ମହାପ୍ଳାବନ ଚୀନ, ତିବ୍ବତ, ଜାପାନ, ମଙ୍ଗୋଲିଆ ପ୍ରଭୃତି ଦେଶକୁ ଭାରତସହ ଏକ କରିଦେଇଛି । ବିଚିତ୍ର ଏଇ ଭାରତଭୂମିର ଜିଜ୍ଞାସା, ତତ୍ତ୍ୱ ପ୍ରତିଷ୍ଠା ଓ ସୂକ୍ଷ୍ମ ସତ୍ୟ ଆହରଣର ଉଦଗ୍ର ଅଭିଳାଷ-ତାରନାଥ ଦୃଶ୍ୟ ପରେ ଦୃଶ୍ୟ ଏହାର ଖିନ୍‌ଭିନ୍‌ ଚିତ୍ର ଦେଇଛନ୍ତି । ତାଙ୍କର ଗ୍ରନ୍ଥ ବିଚିତ୍ର କିମାଶ୍ୱର୍ଯ୍ୟ ଭାବ ବହନ କରି ବୈଦେଶିକମାନଙ୍କର ଦୃଷ୍ଟି ପଥାରୁଢ଼ ହୋଇଛି ।

 

ତାରାନାଥଙ୍କ ପରିଚୟ ତାଙ୍କ ଇତିହାସ ବା ଅନ୍ୟ ଗ୍ରନ୍ଥରେ ନାହିଁ, ଅଛି କେବଳ ତଥାକଥିତ ଗୋପନୀୟ ତାଙ୍କର ଆତ୍ମ-ଚରିତ୍ରରେ, ଯାହା ତିବ୍ଦତୀୟ ଭାଷାରେ ରଚିତ ଓ ଏପର୍ଯନ୍ତ ଅନୁଦିତ ହୋଇନାହିଁ । ସେ ବା ତାଙ୍କଭଳି ସେ ଯୁଗର ଅନ୍ୟମାନେ ‘ମୁଁ କାର ବା’ ‘ଅହନ୍ତା’ ପରିତ୍ୟାଗ କରିଥିବାରୁ ଆମେ ସେମାନଙ୍କ ବିଷୟରେ କମ ଜାଣୁ । ଅଥଚ ଅଧୁନା ବହୁ ଆତ୍ମଚରିତ ଅତିରଞ୍ଜିତ ଓ ‘ଆଉ ଏକ ମୁଁ’ର ଅଭିବ୍ୟକ୍ତି ପରି ମନେହୁଏ । ସେଠି କର୍ତ୍ତା ଆତ୍ମଶ୍ଳାଘା ଦେଖି ଆମ୍ଭେମାନେ ଚକିତ ହେଉ । କିନ୍ତୁ ଲାମା ତାରାନାଥ କ୍ୱଚିତ୍‌ ସ୍ତୁତ, ଖୁବ୍‌ କମ୍‌ ପରିଚିତ । ଏହା ସକାରଣ, ଏପରି କହିବାର ହେତୁ ହେଉଛି ଯେ ଲାମା ତାରାନାଥ ତାଙ୍କ ପୂର୍ବରୁ ପ୍ରଚଳିତ ଲାମାଧର୍ମ ଓ ଏହାର ଅବକ୍ଷୟର ଘୋର ଭର୍ତ୍ସନାକାରୀ ଓ ସମାଲୋଚକ । ତେଣୁ ତାଙ୍କର ସ୍ତୁତିକାର କିଏ ରହିବ ? ଯେଉଁମାନେ ଥିଲେ, ସେମାନେ ନୀରବ ସାଧକ । ତେଣୁ ଗୁରୁଙ୍କ କଥାର ଜୟଢକ୍‌କା ବଜାଇନାହାନ୍ତି । ତାରାନାଥ ଯେଉଁ ଲାମାଧର୍ମର ବିରୁଦ୍ଧାଚରଣ କଲେ, ସେଇ ଲାମାଧର୍ମ ଏକଦା ଭାରତୀୟ ତନ୍ତ୍ର-ଆଚାର୍ଯ୍ୟ ଓ ଗୁରୁମାନଙ୍କ ଦ୍ୱାରା ତିବ୍ବତରେ ପ୍ରଚାରିତ ହୋଇଥିଲା । ତାଣୁ ତାହା ତିବ୍ବତର ନିଜସ୍ୱ ନୁହେଁ । ପୁଣି ତାରାନାଥ ଯେଉଁ କାଳଚକ୍ର ତନ୍ତ୍ର’ ବା ‘ଯୋନାନ୍‌’ ପନ୍ଥୀଥିଲେ ତାହା ବି ତିବ୍ବତର ନିଜସ୍ୱ ନୁହେଁ । ତାହା ଭାରତଭୂମିରେ ପୀତୋପାଦଙ୍କ ଦ୍ୱାରା ଉଡ଼୍‌ଡ଼ୀୟାନ ପୀଠ ରତ୍ନଗିରିରୁ ପ୍ରଚାରିତ । ତେଣୁ ଦୁଇ ଭାରତୀୟ ମତବାଦର ଲଢ଼େଇ ଏକ ବିଦେଶ ବିଭୁଇଁରେ କିପରି ହୋଇଥିଲା, ତାହା ପାଠକମାନଙ୍କର କୌତୁହଳ ଚରିତାର୍ଥ କରୁଛି ।

 

ତିବ୍ବତରେ ଲାମାଧର୍ମର ଆଜି ପ୍ରବର୍ତ୍ତକ ଜାହେର ବା କେନ୍ଦୁଝର ରାଜ୍ୟର ରାଜା ଶାନ୍ତରକ୍ଷିତ । ସେ ପ୍ରବର୍ଯ୍ୟା ଗ୍ରହଣ ପୁର୍ବକ ନାଳନ୍ଦା ମହାବିହାରରେ ପ୍ରଧାନଚାର୍ଯ୍ୟ ପଦରେ ଅଭିଷିକ୍ତ ହୋଇଥିଲେ । ସେଠାରୁ ତାଙ୍କର ତିବ୍ବତ ଯାତ୍ରା । ତାଙ୍କର ଶାଳକ ପଦ୍ମସମ୍ଭବ ସମ୍ବଳରାଜ ଇନ୍ଦ୍ରଭୁତିଙ୍କ ପାଳିତ ପୁତ୍ର । ପ୍ରଜାହତ୍ୟା ଅଭିଯୋଗରେ ଇନ୍ଦ୍ରଭୁତି ତାଙ୍କୁ ସମ୍ୱଲପୁରରୁ ବିତାଡ଼ିତ କରିଥିଲେ । କିନ୍ତୁ ପଦ୍ମସମ୍ଭବ ସେଇ ଯେ ଏକମୁହାଁ ହୋଇ ସମ୍ବଳ ଛାଡ଼ିଲେ, ଗଲେ କେନ୍ଦୁଝରକୁ । ଜାହେର ବା କେନ୍ଦୁଝରର ରାଜକନ୍ୟା ମନ୍ଦାରବାଙ୍କୁ ବିବାହ କଲେ । ତାଙ୍କର ଶ୍ୟାଳକ ଶାନ୍ତିରକ୍ଷିତ ମହାନ ବୌଦ୍ଧ ପଣ୍ଡିତ ଓ ଦାର୍ଶନିକ । ତେଙ୍ଗୁର ଗ୍ରନ୍ଥ ସୂଚୀରେ ଶାନ୍ତି ରକ୍ଷିତଙ୍କ ଅନ୍ୟ ନାମ ‘‘ଶାନ୍ତିଜୀବ’’ । ୧୧ ବା ୧୨ ଗୋଟି ଧର୍ମଦର୍ଶନ ଗ୍ରନ୍ଥର ସେ ପ୍ରଣେତା । ତାଙ୍କର ଅନ୍ୟ ଗ୍ରନ୍ଥ ଥାଇପାରେ ବା ପୂର୍ଣ୍ଣତଃ ଲୁପ୍ତ ହୋଇଥାଇପାରେ-କିନ୍ତୁ ଏ ସମସ୍ତ ଗ୍ରନ୍ଥ ତିବ୍ଦତୀୟ ଭାଷାରେ ଅନୁଦିତ ହୋଇଛି । ତାଙ୍କର ଗ୍ରନ୍ଥଗୁଡ଼ିକ ଟୀକା, କାରିକା, ସ୍ତୋତ୍ର, ପଞ୍ଜିକା, ଲେଖା ଓ ପ୍ରକରଣ ଭେଦରେ ବିଭକ୍ତ । ନାଳନ୍ଦାରେ ପ୍ରଧାନଚାର୍ଯ୍ୟ ଥିବା ଅବସ୍ଥାରେ ତାଙ୍କର ସୁଖ୍ୟାତି ଶୁଣି ତତ୍କାଳୀନ ତିବ୍ବତରାଜା ‘ଖ୍ରୀ-ସଂ-ଦିତ୍‌ସାନ୍‌’ ବୌଦ୍ଧ ଧର୍ମରେ ୧୫୦ ବର୍ଷ ଧରି ତିବ୍ବତରେ ଆତ୍ମପ୍ରକାଶ କଲାଣି-। କାରଣ ରାଜା ‘ସ୍ତୋନ-ସାନ୍‌-ଗାମ୍‌ପୋ’ଙ୍କ ସମୟରୁ ତାହା ତିବ୍ବତ ଦେଶକୁ ଯାଇଛି । ଠିକ୍‌ ଶାସ୍ତ୍ରସମ୍ମତ ବିଧିରେ ଆଚରିତ ନହୋଇ ବହୁ କର୍ମକାଣ୍ଡକୁ ଉପଜୀବୀ କରି ଏହା ଗଢ଼ି ଉଠୁଥିଲା । ତେଣୁ ଏହି ଧର୍ମାଚରଣରେ ବହୁ ଭିନ୍ନତା ସ୍ଥଳଭେଦରେ ଦେଖାଯାଉଥିଲା । ପ୍ରାୟ ୬୦୦ ଶତାବ୍ଦୀରୁ ତିବ୍ବତରେ ଏ ଧର୍ମ ଗୃହୀତ ହୋଇ ରାଜା ଖ୍ରୀ-ସଂ-ଦିତ୍‌ସାନ୍‌ଙ୍କ ବେଳକୁ ତାଙ୍କର (ରାଜପଣ ୭୫୫ ଖ୍ରୀଷ୍ଟାବ୍ଦରୁ ୭୯୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ) ଏହାର ନାମ ‘ବନ୍‌’ ଧର୍ମ । ଡାକିନୀ, ଶାକିନୀ, ହାକିନୀ ପୂଜା, ଭୁତ-ଡାହାଣି ବିଶ୍ୱାସ, ଗୁଣି-ଗାରେଡ଼ୀ ଆଡ଼କୁ ମୁହାଁଇ ,ଏହା ପ୍ରକୃତ ବୌଦ୍ଧ ଧର୍ମ-ଦର୍ଶନରୁ ବିଚ୍ୟୁତ ହୋଇ ଯାଇଥିଲା । ତେଣୁ ଧର୍ମ-ଦର୍ଶନବିତ୍‌ ପ୍ରଧାନଚାର୍ଯ୍ୟ ଶାନ୍ତି ଋକ୍ଷିତଙ୍କୁ ‘ଖ୍ରୀ-ସ୍ରଂ-ଦିତ୍‌ସାନ୍‌’ ତିବ୍ବତକୁ ନେଇ ଏହି ଧର୍ମର ସଂସ୍କାର ସାଧନରେ ପ୍ରୟାସୀ ହେଲେ । ପରିବର୍ତ୍ତିତ ପରିସ୍ଥିତିରେ ବୌଦ୍ଧଧର୍ମର ପୁନଃସଂସ୍କାର ସାଧନ କରିବାକୁ ସେ ବଦ୍ଧପରିକର-ତିବ୍ବତ ରାଜ ତାଙ୍କୁ ଅଶେଷ କ୍ଷମତାଯୁକ୍ତ କରି ଅଭୟ ଓ ଅନୁଗ୍ରହ ପ୍ରଦାନ ପୁର୍ବକପ୍ରଧାନ ଧର୍ମଯାଜକ ପଦରେ ଅଭିଷିକ୍ତ କରିଛନ୍ତି -କିନ୍ତୁ ‘ବନ’ ପୁଜକ ଓ ଗୁଣିଆମାନଙ୍କର ଲୋକଙ୍କ ଉପରେ ଯେଉଁ ଅସୀମ ପ୍ରଭାବ ରହିଛି, ସେଥିରୁ ସେ ଲୋକଙ୍କୁ ମୁକ୍ତ କରିବେ କିପରି ? ଓଡ୍‌ଡ଼ୀୟାନ ପରଂପରାରେ ଶାନ୍ତ ରକ୍ଷିତ ଦେଖିଲେ ଉତ୍କଳରେ ଯେମିତି ଗଜପତି ରାଜାଙ୍କୁ ଜଗନ୍ନାଥଙ୍କ ପରମସେବକ କରିବା ଦ୍ୱାରା ଓ ତାଙ୍କୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଉପାଧି ଦେବାଦ୍ୱାରା ପ୍ରଜାମାନେ ରାଜାନୁଗତ ଧର୍ମନ୍ୟାୟରେ ଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୁପେ ଗ୍ରହଣ କରିନେଲେ, ସେମିତି ‘ଖ୍ରୀ-ସ୍ରଂ-ଦିତ୍‌ସାନ’ଙ୍କୁ ବୁଦ୍ଧଙ୍କର ପରମ ସେବକ ଓ ଚଳନ୍ତି ପ୍ରତିମା ଭାବରେ ଗ୍ରହଣ କରାଯାଇପାରେ । ତାଙ୍କଦ୍ୱାରା ତିବ୍ବତରାଜ ‘ଖ୍ରୀ-ସ୍ରଂ-ଦିତ୍‌ସାନ୍‌’, ‘ବୋଧିସତ୍ତ୍ୱ ମଞ୍ଜୁଶ୍ରୀ’ ଉପାଧିରେ ଭୁଷିତ ହେଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ରାଜାନୁଗତ ଧର୍ମ ନ୍ୟାୟରେ ଅର୍ଥାତ୍‌ ରାଜା ସ୍ୱୟଂ ବୁଦ୍ଧ ଉପାଧି ଗ୍ରହଣ କରିବା ଦ୍ୱାରା ପ୍ରଜାଏ ରାଜାଙ୍କ ଆଚରିତ ଧର୍ମ ଆଡ଼କୁ ମୁହାଁଇବେ । କିନ୍ତୁ ସେତିକି ଯଥେଷ୍ଟ ନୁହେଁ । ଏହି ପ୍ରଚାର ଯଜ୍ଞର ହୋତା କିଏ ହେବ, ଯେ କି ନିମ୍ନ ମାନର ‘ବନ୍‌’ ଧର୍ମାଚରଣରୁ ଲୋକଙ୍କୁ ନୂତନ ଲାମାଧର୍ମ ଆଡ଼କୁ ଟାଣି ଆଣିବ ?

 

ଶ୍ରୀ ହଜୁର ‘ଖ୍ରୀ-ସ୍ରଂ-ଦିତ୍‌ସାନ୍‌’ ଓରଫ ବୋଧିସତ୍ତ୍ୱ ମଞ୍ଜୁଶ୍ରୀଙ୍କୁ ଅନୁରୋଧ କରାଗଲା ଯେ ଗୁରୁ ପଦ୍ମସମ୍ଭବଙ୍କୁ ସମ୍ମାନର ସହିତ ଆଣନ୍ତୁ । ଆଚାର୍ଯ୍ୟ ଶାନ୍ତରକ୍ଷିତ ଜାଣିଥିଲେ ଯେ ତନ୍ତ୍ରଦକ୍ଷ ପଦ୍ମସମ୍ଭବ ‘ବନ୍‌’ ପୁରୋହିତ ଓ ଉପାସକଙ୍କୁ ‘କଣ୍ଟକେନୈବ କଣ୍ଟକମ୍‌’ ନ୍ୟାୟରେ ବୌଦ୍ଧଧର୍ମ ପ୍ରତି ନିଶ୍ଚୟ ଆକୃଷ୍ଟ କରି ଆଣିବେ । କେନ୍ଦୁଝରର ଏହି ମହୀୟାନ୍‌ ବ୍ୟକ୍ତିତ୍ୱ, ନାଳନ୍ଦାର ପ୍ରଧାନ ଆଚାର୍ଯ୍ୟ ଓ ତିବ୍ବତର ପ୍ରଧାନ ଧର୍ମଯାଜକ ଶାନ୍ତରକ୍ଷିତ ନିଜର ସହକାରୀ ପ୍ରଯୋଜକ ରୁପେ ଭାରତରେ ଏକ ଏବଂ ଅଦ୍ୱିତୀୟ ବ୍ୟକ୍ତିତ୍ୱ ବୋଲି ସାବ୍ୟସ୍ତ ହୋଇଥିବା ଗୁରୁ ପଦ୍ମସମ୍ଭବଙ୍କୁ ପ୍ରାପ୍ତ ହେଲେ । ସେ ଉଡଡ଼ୀୟାନରୁ ଆସିଲେ ତିବ୍ବତକୁ । ରାଜାଙ୍କୁ ଶାନ୍ତରକ୍ଷିତ କହିଥିଲେ ଯେ ସେଇ ପଦ୍ମସମ୍ଭବ (ଯୋଗିନୀ ତନ୍ତ୍ର ପ୍ରବର୍ତ୍ତକ) ତାଙ୍କର ଯାଦୁକରୀ କ୍ଷମତାରେ ଭ୍ରଷ୍ଟବୌଦ୍ଧ ‘ବନ୍‌’ମାନଙ୍କୁ ଠିକ୍‌ ଆଚାରରେ ପ୍ରଯୁକ୍ତ କରିପାରିବେ । ତାହା ହିଁ ହେଲା । ତାନ୍ତ୍ରିକ ପଦ୍ମସମ୍ଭବ ଯୋଗିନୀ ତନ୍ତ୍ର ହାତରେ ଧରି ପରିବ୍ରାଜକ ଭାବରେ ତିବ୍ବତର ବହୁ ଅଂଶ ଭ୍ରମଣ କରି ଶ୍ୟାମଳ ଶାନ୍ତିରକ୍ଷିତଙ୍କ ପ୍ରସ୍ତୁତ ଲାମାଧର୍ମର ପ୍ରଚାର କରି ‘ବନ୍’ ଧର୍ମଧାରାକୁ କୁହୁକ ଭଳି ନାଶ କଲେ । ପଦ୍ମସମ୍ଭବଙ୍କୁ ଏଥିରେ ସାହାଯ୍ୟ କରିଥିଲେ କାଶ୍ମୀରର ବୌଦ୍ଧ ସନ୍ୟାସୀ ‘ଅନନ୍ତ’ ଓ ମଗଧର ଦାର୍ଶନିକ କମଳଶୀଳ’ । ତିବ୍ଦତୀୟ ଭାଷାରେ ଧର୍ମଗ୍ରନ୍ଥର ଅନୁବାଦ କରି ଜନମାନସ ନିକଟରେ ଥୋଇଲେ ‘ଅନନ୍ତ’ ଓ ଅତୀନ୍ଦ୍ରିୟ ଦର୍ଶନର ଦାକ୍ଷାଦାତା ହେଲେ ‘କମଳଶୀଳ’ । ଏହି ଅବସରରେ ଆଚାର୍ଯ୍ୟ ଶାନ୍ତିରକ୍ଷିତଙ୍କର ଦ୍ୱାଦଶ ଶାସ୍ତ୍ର ତିବ୍ଦତୀୟ ଭାଷାରେ ଅନୂଦିତ ହେଲା । କମ୍ୱଳପାଦଙ୍କର ହେ ବଜ୍ରତନ୍ତ୍ର, ଇନ୍ଦ୍ରଭୁତିଙ୍କ ବଜ୍ରଯାନ ସମ୍ପର୍କୀୟ ପ୍ରାୟ ୨୯ ଟି ଗ୍ରନ୍ଥ, ଓଡ଼୍‌ଡୀୟାନ ପୀଠରୁ କମ୍ବଳପାଦଙ୍କର ପ୍ରାପ୍ତ ‘ଯୋଗିନୀ ତନ୍ତ୍ର’, ଏହି ଲାମାଧର୍ମ ପ୍ରଚାର କାଳରେ ତିବ୍ଦତୀୟ ଭାଷାରେ ଅନୂଦିତ ହେଲା । ଏହି ଆଚାର୍ଯଗଣ ଉତ୍କଳୀୟ ପଣ୍ଡିତ ଓ ଦାର୍ଶନିକ ତଥା ନୂତନ ଧର୍ମଦର୍ଶନର ସ୍ରଷ୍ଟା ହୋଇଥିବାରୁ ଲାମାଧର୍ମ ଉପରେ ଏମାନଙ୍କର ଧର୍ମଦର୍ଶନର ପ୍ରଭୃତ ପ୍ରଭାବ ଉତ୍କଳୀୟ ପ୍ରଭାବକୁ ହିଁ ପରୋକ୍ଷରେ ସ୍ୱୀକାର କରେ ।

 

ରାଜା ବୋଧିସତ୍ତ୍ୱ ମଞ୍ଜୁଶ୍ରୀ-ଖ୍ରୀ-ସଂ-ଦିତ୍‌ସାନ୍‌ ଏମାନଙ୍କ ପାଇଁ ଲାସା ନଗରୀର ୩୫ ମାଇଲ ଦୂରରେ ‘ସାମ୍ ୟ’ (Bsam-yas) ମଠ ସ୍ଥାପନ କରିଦେଲେ । ତାହାହେଲା ଲାମାଧର୍ମ ପ୍ରଚାରକ କେନ୍ଦ୍ର । ଏ ଥିଲା ଉଡ୍‌ଡୀୟାନ ତାନ୍ତ୍ରିକ ବୌଦ୍ଧଧର୍ମର ଏକ ସାଂସ୍କୃତିକ ବିଜୟ । କ୍ରମଶଃ ଏହି ଲାମାଧର୍ମରେ ଭ୍ରଷ୍ଟାଚାର ପଶି ତାକୁ ଅକୁଳୀନ କରିଦେଲା । ଏହାହିଁ ଘଟିଥାଏ । ତାନ୍ତ୍ର ଉପରେ ଆଧାରିତ ଧର୍ମରେ ଗୃହ୍ୟ ସାଧନା ପ୍ରବେଶ କଲେ ସଦଗୁରୁ ଅଭାବରେ ତାହା ଯେପରି ଆଚରଣୀୟ ହୁଏ, ତାହା ନୀତି ଦୃଷ୍ଟିରୁ ପସନ୍ଦଯୋଗ୍ୟ ହୁଏନା । ଲାମାଧର୍ମର ଭ୍ରଷ୍ଟାଚାର ଦର୍ଶନରେ ପ୍ରଥମେ ‘ଦୀପଙ୍କର ଶ୍ରୀଜ୍ଞାନ’ (ନାମାନ୍ତରରେ ଅତୀଶ) ଏହାର କାଳସଞ୍ଚିତ କଳଙ୍କ ଦୂର କରିବାକୁ ଚାହିଁଥିଲେ । ଏକାକୀ ୧୩ ବର୍ଷକାଳ ତିବ୍‌ବତରେ ରହି,୨୦୦ ଗ୍ରନ୍ଥ ରଚନା କରି ତନ୍ତ୍ରଚାରକୁ ବୌଦ୍ଧଧର୍ମରୁ ନିଷ୍କ୍ରାନ୍ତ କରିବାକୁ ସେ ଯଥେଷ୍ଟ ଚେଷ୍ଟା କରିଥିଲେହେଁ ଗୁରୁ ପଦ୍ମସମ୍ଭବଙ୍କ ଦ୍ୱାରା ଏହି ତାନ୍ତ୍ରିକ ବୀଜ ତିବ୍‌ବତରେ ଏପରି ପୋଥିତ ହୋଇଥିଲା । ଯେ ସର୍ବଶେଷରେ ସେ ଏହାର ସଂସ୍କାର କରି ନପାରି ୧୦୫୩ ମସିହାରେ ପ୍ରାଣତ୍ୟାଗ କଲେ । ଦୀପଙ୍କର ଶ୍ରୀଜ୍ଞାନ ବା ଅତୀଶଙ୍କ ୫୫୦ ବର୍ଷ ପରେ ସଂସ୍କାରକ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେଲେ ଲାମା ତାରାନାଥ । ଲାମା ତାରାନାଥ ଜାଣିଥିଲେ ତାନ୍ତ୍ରିକୀରେ ପୂର୍ଣ୍ଣ ପରିବର୍ତ୍ତନ ଅସମ୍ଭବ । ଉତ୍କଳର ପ୍ରବର୍ଯ୍ୟା ଗ୍ରହଣକାରୀ ରାଜପୁତ୍ର, ରାଜକନ୍ୟା ଓ ରାଜବଧୂମାନଙ୍କ ଦ୍ୱାରା ଏହା ସୃଷ୍ଟି ହୋଇ ତିବ୍‌ବତରେ ରାଜାନୁଗତ ଧର୍ମ ରୂପେ ପ୍ରତିଷ୍ଠିତ ହୋଇଗଲାଣି । ସେ ଏକ ଉପାୟ ସ୍ଥିର କଲେ । ଯେଉଁ ‘କାଳଚକ୍ରଯାନ’ ମତ ଊତ୍କଳର ରତ୍ନଗିରିରୁ ଯୋଗ-ପ୍ରଧାନ ହୋଇ ପ୍ରଚାରିତ ହେଲା, ଅନତଃ ସେହି ‘କାଳଚକ୍ର ଯାନ’ର ଯୋଗ-ପ୍ରଧାନ୍ୟ ପ୍ରଚାର କରିବା ଦ୍ୱାରା ଲାମାଧର୍ମକୁ ସେ ସଂସ୍କୃତ କରିପାରିବେ । ଗୋଟିଏ ଉତ୍କଳୀୟ ଧାରାକୁ ଆଉ ଗୋଟିଏ ଉତ୍କଳୀୟ ଧାରାର ଧାରୁଆ ଅସ୍ତ୍ରରେ ହଟାଇ ଦିଆଯାଇ ପାରିବ । କିନ୍ତୁ ତନ୍ତ୍ରର ପ୍ରେୟ ଓ ଶ୍ରେୟ ଦିଗ ଅନୁଧ୍ୟାନ କରି ତିବ୍‌ବତୀୟ ଲାମାଧର୍ମଗ୍ରହଣକାରୀମାନେ ତାହା ପରିହାର କରିବାକୁ ବା କିଞ୍ଚିତ ସଂସ୍କାର ପୂର୍ବକ ଗ୍ରହଣ କରିବାକୁ ରାଜି ହେଲେ ନାହିଁ । ତଥାପି ୧୭ ଶତାବ୍ଦୀର ପ୍ରଥମ ଦଶକରେ ଲାମା ତାରାନାଥ ତାଙ୍କର ଧର୍ମଯୁଦ୍ଧ ଚାଲୁ ରଖିଲେ । ଜନ୍ମ ତାଙ୍କର ୧୫୭୫ ଖ୍ରୀଷ୍ଟାବ୍ଦରେ । ୧୬୦୮ ଖ୍ରୀଷ୍ଟାବ୍ଦରେ ତିବ୍‌ବତୀୟ ଭାଷାରେ ତାଙ୍କର ଏହି ଇତିହାସ ରଚନା । ଏହି ଇତିହାସ କ୍ରମଶଃ ବୌଦ୍ଧଧର୍ମର ଅବକ୍ଷୟ, ଅବମୂଲ୍ୟାୟନର ଗଭୀର କାରଣମାନ ସୂଚିତ । ତନ୍ତ୍ରାଚାରରେ ବୌଦ୍ଧଦର୍ଶନ କିପରି ତା’ର ଦର୍ଶନ ଓ ସର୍ଦ୍ଧମ ସଙ୍କେତ ହରାଇ ବସିଛି ତାହା ଭାବି ଭାବି ସେ ମ୍ରିୟମାଣ । କିନ୍ତୁ ସହଜ ତନ୍ତ୍ରାଚାରର ପ୍ରତି ଲୋମ ପ୍ରବାହରେ ଗତି କରି ସେହି ଉତ୍କଳୀୟ କାଳଚକ୍ରଯାନ ଆଶ୍ରିତ ଯୋଗମାର୍ଗ ଓ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱକୁ କିପରି ସେ ପ୍ରତିଷ୍ଠା କରିବେ ? ସେ ନିଜ ଉପରେ ବିଶ୍ୱାସ କଲେ । ସେ ନିଜେ ‘କାଳଚକ୍ର’ ମତର ପୃଷ୍ଠପୋଷକ-। ଲାମାଧର୍ମ ନାବକୁ ପ୍ରତିକୂଳ ପ୍ରବାହରେ ଟାଣି ଟାଣି ତାଙ୍କୁ ହିଁ କାଳଚକ୍ର ଘାଟରେ ଭିଡ଼ିବାକୁ ପଡ଼ିବ-। ତାଙ୍କର ଦୃଷ୍ଟିକୋଣ ଏକ ବାସ୍ତବବାଦୀ ସଂସ୍କାରକର ଦୃଷ୍ଟିକୋଣ । ସେ ଜାଣି ପାରିଥିଲେ ଯେ ବସ୍ତୁତଃ ତନ୍ତ୍ରାଶ୍ରିତ ଏହି ଲାମାଧର୍ମକୁ (ଖୁବ୍‌ ବେଶୀ ହେଲେ ଯୋଗର କାର୍ଯକାରିତା ଓ ତତ୍ତ୍ୱ ଦେଖାଇ) କିଞ୍ଚିତ ସଂସ୍କାରଯୁକ୍ତ କରିପାରିବେ, କିନ୍ତୁ କେବେହେଁ ମହାଯାନ ଧର୍ମର ଆଦିକାଳର ଶୂନ୍ୟତତ୍ତ୍ୱ ଓ ଆଚରଣ ତତ୍ତ୍ୱ ଆଡ଼କୁ ସେ ଧର୍ମକୁ ପଶ୍ଚାତ୍‌ବର୍ତ୍ତୀ କରି ଫେରାଇ ପାରିବେ ନାହିଁ । ବୁଦ୍ଧ ପ୍ରଚାରିତ ଧର୍ମର ‘ସଦଧର୍ମ’ ନାମ ଆଉ ସତ୍‌ ଆଶ୍ରିତ ହୋଇ ରହିନାହିଁ- ତଥାପି କାଳଚକ୍ର ମତରେ ଏହି ଲାମାଧର୍ମର ସଂସ୍କାର ହେଲେହେଁ ଯଥେଷ୍ଟ ହେବ । ଏହା ଭାବି ସେ ସଂସ୍କାରବ୍ରତୀ ହେଲେ । କିନ୍ତୁ ତାଙ୍କର ପରିପନ୍ଥୀ ଅନେକ ଥିବାରୁ ତାଙ୍କର ବିପ୍ଳବଶକ୍ତି କ୍ଷୀଣ ପ୍ରତୀୟମାନ ହୁଏ ।

 

ସପ୍ତଦଶ ଶତାବ୍ଦୀର ତିବ୍‌ବତୀୟ ବ୍ୟକ୍ତିମାନସ ସେତେବଳକୁ ରାଜନୈତିକ ଉତ୍‌ଥାନ ପତନ ସ୍ପନ୍ଦିତ । ଧର୍ମଚେତନା, ସଂସ୍କାରଲିପ୍‌ସା ଜନମାନସରେ ଗୌଣ ସ୍ଥାନ ଅଧିକାର କରି ବସିଲାଣି । ଧର୍ମକୁ ଆଦର୍ଶ ସରଣୀରେ ସ୍ଥାପନ କରିବା ସେତେବେଳେ ଆଉ ବଡ଼ କଥା ହୋଇ ଗଣା ହେଲାନି । କୁରୁକୁଲ୍ଲା, ପ୍ରଜ୍ଞା ପାରମିତା, ଡାକିନୀ ହାକିନୀ, ଶାକିନୀ, ଲାକିନୀ ମାରୀଚି ବଜ୍ରବାରାହି ବା ତାରା ଯେକୌଣସି ଦେବୀ ହୁଅନ୍ତୁ ପଛକେ ଲୋକେ ତାଙ୍କୁ ଆଶ୍ରାକରି ନିଜର ଆଧ୍ୟାତ୍ମିକ ପ୍ରବଣତାକୁ ସନ୍ତୁଷ୍ଟ କରିପାରନ୍ତି । ଧର୍ମ ଯୋଗପ୍ରଧାନ ନ ହୋଇ ଯୌନପ୍ରଧାନ ହୋଇଗଲେ ବି ତନ୍ତ୍ରବାଦୀମାନେ ସର୍ବଶେଷରେ ଯୋଗବାଦୀଙ୍କ ସାଧ୍ୟ ବସ୍ତୁରେ ପହଞ୍ଚିଛନ୍ତି ବୋଲି କହୁଛନ୍ତି । ତେଣୁ ତାରାନାଥଙ୍କ ସଂସ୍କାର ଲିପ୍‌ସାର କାରଣ ବ୍ୟଷ୍ଟି ଭାବଯୁକ୍ତ, ରାଜନୀତିସଚେତନ ତିବ୍‌ବତ ବୁଝି ପାରିଲା ନାହିଁ । ସାମଜିକ ଜୀବନର ଅବକ୍ଷୟ ତନ୍ତ୍ରପ୍ରାଧାନ୍ୟ ହେତୁ ଯେ ଆସି ଯାଉଛି ଖାଲି ତାରାନାଥ ଓ ତାଙ୍କ ‘ଯୋନାନ୍‌’ ପନ୍ଥୀ ତାହା ବୁଝିଲେ ବା ଲାଭ କ’ଣ ? ଲୋକେ ବୁଝିବା ଆବଶ୍ୟକ ଯେ ତାଙ୍କ ପକ୍ଷରେ ସଂସ୍କାରର ଆଉ ଏକ ଘୋର ପ୍ରତ୍ୟବାୟ ହେଲା ‘ସଂଘର ଦୁର୍ବଳତା । ‘ସଂଘ’ ଯେତେଦିନ ସବଳ ବ୍ୟକ୍ତି ସଂଘୀୟ ଧାରଣାରୁ ଭିନ୍ନମତ ପୋଷଣ କରିପାର ପାଇଯିବା କଷ୍ଟକର । କିନ୍ତୁ ବହୁ ସଂଘ, ବହୁ ମତ ସୃଷ୍ଟି ସଂଘକୁ ଦୁର୍ବଳ କରିସାରିଲାଣି । କେଉଁ ଗଣସଭା ସାହାଯ୍ୟରେ ସେ; ତନ୍ତ୍ରାଚାରକୁ ଆବର୍ତ୍ତିତ କରି ସୂଆଦର୍ଶଧୃତ ସଂଘୀୟ ଭାବନାନ୍ତର୍ଗତ କରିପାରିବେ ? ତେଣୁ କାଳଚନ୍ତ୍ର ଦର୍ଶନ ପ୍ରଭାବିତ, ଯୋଗଚରଣଯୁକ୍ତ ନିଜ ଧର୍ମ ବିଶ୍ୱାସର ଢାଞ୍ଚାରେ, ଏକ ଦୁର୍ବଳ ସଂଘର ଅନୁଶାସନ ମଧ୍ୟରେ ସେ ଲାମାଧର୍ମର କ୍ଷୀଣ ସଂସ୍କାରବ୍ରତୀ ହେଲେ ସିନା, ଅଭିମନ୍ୟୁ ଭଳି ଅଳ୍ପ ଅନୁଚର ସହଯୋଗରେ ଏହା ସାଧନ କରିବାକୁ ଯାଇ ସପ୍ତରଥୀଙ୍କ ଅସ୍ତ୍ରାଘାତରେ ଆପାଂକ୍ତେୟ ହୋଇ ଜଣେ ବିଶିଷ୍ଟ ଲାମାର ସ୍ୱୀକୃତି ପାଇ ପାରିଲେ ନାହିଁ ।

 

ଏ ପ୍ରସଙ୍ଗରେ କିଞ୍ଚିତ ତୀର୍ଯ୍ୟକ ଗତି କରି କାଳଚକ୍ର ଧର୍ମମତ କଥା ବିଚାର କରିବା । କାରଣ ଉପରେ ପ୍ରତିପାଦିତ ହୋଇଛି ଯେ ସେ କାଳଚକ୍ର ମତବାଦୀ ଓ ସେହି କାଳଚକ୍ର ଆୟୁଧ ତାଙ୍କର ସଂଗ୍ରାମ ପାଇଁ ଯଥେଷ୍ଟ ହେଲା ନାହିଁ । ବଜ୍ରଯାନୀ ସାଧନ ପଦ୍ଧତିର ପନ୍ଥା ବିଶେଷ ହିଁ ‘‘କାଳଚକ୍ରଯାନ’’ ନାମରେ ପ୍ରସିଦ୍ଧ । ଅନେକେ ‘କାଳଚକ୍ର’ ଶବ୍ଦ ମଧ୍ୟରେ ବହୁ ରୂପକାର୍ଥ ସନ୍ଧାନ କରନ୍ତି । ସେମାନେ କହନ୍ତି ‘କା’ ଅର୍ଥ କାରଣ, ‘ଳ’ ଅର୍ଥ ଲୟ, ‘ଚ’ ଅର୍ଥ ଚିତ୍ତ ଏବଂ ‘ତ୍ର’ ଅର୍ଥ କ୍ରମବନ୍ଧନ । କ୍ରମଶଃ ଚିତ୍ତକୁ ଲୟ ବା ଧ୍ୟାନ ସାହାଯ୍ୟରେ କ୍ରମବନ୍ଧନ କରିବା ଅର୍ଥ ଏଇ ବର୍ଣ୍ଣ ବ୍ୟାଖ୍ୟାରୁ ସୂଚିତ ହେଉଛି । କିନ୍ତୁ ବଜ୍ରଯାନଠାରୁ କାଳଚକ୍ରର ସ୍ୱତନ୍ତ୍ରମାର୍ଗ କିପରି ଥିଲା ଓ ଏହାର ସାଧନ ପରମ୍ପରାର ଧାରା କ’ଣ ? -ଏହା ଜାଣିବା ପାଇଁ ଏଇ ବର୍ଣ୍ଣ ବ୍ୟାଖ୍ୟ ଯଥେଷ୍ଟ ନୁହେଁ । ‘କାଳଚକ୍ରଯାନ’ ମତର ଅର୍ଥ ହେଉଛି ‘କାଳ’ ଓ ‘ଚକ୍ର’ ସାହାଯ୍ୟରେ ପ୍ରଜ୍ଞା ଓ ଉପାୟର ମିଳନ ଓ ତଜ୍ମନିତ ଏକ ‘ଅଦ୍ୱୟ ଶୂନ୍ୟତାବୋଧ’ । ତେଣୁ ଏହା ପୁର୍ଣ୍ଣତଃ ଏକ ସାଧନାର କଥା । ବଜ୍ରଯାନରେ ବଜ୍ର ଓ ପଦ୍ମର ମିଳନ ବିଶ୍ଳେଷଣ କଲେ ଏହା ଏକ ଦେହିକ ବା ଲେଙ୍ଗିକ ବ୍ୟାପାର ଅର୍ଥାତ୍‌ ନରନାରୀର ଦେହିକ ମିଳନଜନିତ ଏକ ସୁଖାନୁଭାବ । ଏହାର ପ୍ରମାଣ ଦୋହା, ଗୀତି ଓ ବଜ୍ରଯାନର ତାନ୍ତ୍ରିକ ଦର୍ଶନ ବ୍ୟାଖ୍ୟାରୁ ଆମ୍ଭେମାନେ ଜାଣିପାରୁ । ବଜ୍ର ଓ ପଦ୍ମ ନରନାରୀଙ୍କର ଲିଙ୍ଗର ରୁପକାଥ । ଏଥିର ରହସ୍ୟାର୍ଥ ମହାସୁଖଜାତ ଓ ମିଳନ ଜନିତ ଏକ ଅଦୈତ ସୁଖପ୍ରାପ୍ତି । କିନ୍ତୁ ଏହି ସୁଖର ସମପର୍ଯ୍ୟାୟୋକ୍ତ ଯେଉଁ ବଜ୍ର, ପଦ୍ମର ମିଳନଜନିତ ସୁଖକଥା କୁହାଯାଇଛି, ତାହା ପାର୍ଥିବ, ପରମାର୍ଥିକ ନୁହେ । ତେଣୁ କାଳଚକ୍ରଯାନରେ ବଜ୍ର ଓ ପଦ୍ମ ସ୍ଥଳରେ ପ୍ରଜ୍ଞା ଓ ଉପାୟର ମିଳନ ଓ ଶରୀରର ବିଭିନ୍ନ ଚକ୍ରବନ୍ଧ ଦେଇ ସାଧନରେ କଥା ଅର୍ଥାତ୍‌ ‘ଯୋଗ’ର କଥା କୁହାଯାଇଛି-ଯାହା ପାର୍ଥିବ ନ ହୋଇ ପରମାର୍ଥିକ । ବଜ୍ରଯାନର ତିନୋଟି ଶାଖା-ତ୍ରୟାତନ୍ତ୍ରଯାନ, ଚର୍ଯ୍ୟାତନ୍ତ୍ରଯାନ ଓ ଯୋଗତନ୍ତ୍ରଯାନ ମଧ୍ୟରୁ ଏହା ଯୋଗତନ୍ତ୍ରଯାନର ଅଧିକ ନିକଟବର୍ତ୍ତୀ । ମନେହୁଏ ଏହି ଯୋଗତନ୍ତ୍ର ଯାନରେ ଯୋଗର ଆନୁପାତିକ ଅନୁସଙ୍ଗ ଓ ସାନ୍ଦ୍ର ମିଶ୍ରଣ ଏହାର ପୁଣି ଯେଉଁ ତିନୋଟି ପ୍ରକାର ଭେଦ ସୃଷ୍ଟି କରିଛି (ମହାଯୋଗତନ୍ତ୍ର, ଅନୁତ୍ତର ଯୋଗତନ୍ତ୍ର, ଅତିଯୋଗତନ୍ତ୍ର) ତାହା ହିଁ କାଳଚକ୍ରଯାନର ‘ଅଦ୍ୱୟ ଶୂନ୍ୟତାବୋଧ’ ର ତିନିଫଳି ସିଡ଼ି । ଯାହାହେଉ କାଳଚକ୍ରଯାନ, ବିଶେଷ ଯୋଗଭିତ୍ତିକ କାୟାସାଧନା ଓ ପିଣ୍ଡବ୍ରହ୍ମାଣ୍ଡ ସାଧନା । ଏହାଦ୍ୱାରା ମହାସୁଖ’ (ମହାସୁହ) ବିକଳ୍ପେ ‘ଅଦ୍ୱୟଶୂନ୍ୟତା’ ଲାଭ ହୁଏ । ସୁଖକୁ ଏଠି ଶୂନ୍ୟ ପର୍ଯ୍ୟାୟକୁ ନେଇ ଅଧିକତର ଆଧ୍ୟାତ୍ମିକ ଅର୍ଥ ପ୍ରଦାନ କରାଯାଇଛି । ବଜ୍ରଯାନୀ ତନ୍ତ୍ରର ସାମାନ୍ୟ ଶରୀରଭିତ୍ତିକ ସାଧନାକୁ ଏଠି ଉର୍ଦ୍ଧ୍ୱକୁ ନିଆ ଯାଇଛି ।

 

କେହି କେହି କହନ୍ତି କାଳର ଭେଦଜ୍ଞାନ ଲୋପ ପାଇଲେ ଯେଉଁ ଅଦ୍ୱୟଶୂନ୍ୟତାର ଉପଲବ୍‌ଧ ଘଟେ, କାଳଚକ୍ର ମତରେ ତାହା ହିଁ ସାଧ୍ୟବସ୍ତୁ । ଅନ୍ୟ କେହି ମନେ କରନ୍ତି ‘କାଳଚକ୍ର’ ସାଧକ ପକ୍ଷରେ ବୁଦ୍ଧଦେବଙ୍କର ତ୍ରିକାୟ (ନିର୍ମାଣକାୟ, ସମ୍ଭୋଗକାୟ ଓ ଧର୍ମକାୟ)ର ପାର୍ଥକ୍ୟ ଦୂରିଭୂତ ହୁଏ । କେହି କେହି ଗୁଢ଼ ଯୋଗତାନ୍ତ୍ରିକ କାରଣକୁ ହିଁ କାଳଚକ୍ର ସାଧନର ବୈଶିଷ୍ଟ୍ୟ ବୋଲି ନିର୍ଦ୍ଦେଶ କରନ୍ତି । ଏ ସମସ୍ତ ଅର୍ଥକୁ ଏକତ୍ର କରି ଏହାର ଏକମାତ୍ର ନିର୍ଯ୍ୟାସ ଗ୍ରହଣ କରାଯାଇପାରେ ଯେ କାଳଚକ୍ରଯାନ ବଜ୍ରଯାନର ଏକ ସଂସ୍କାର । ଶରୀର ମିଳାନାନନ୍ଦ ଅପେକ୍ଷା ଯୋଗ ସାହାଯ୍ୟରେ ଚକ୍ର ପରେ ଚକ୍ର ଚକ୍ରମଣ କରି ଏକ ଶୂନ୍ୟାନୁଭୂତି ଲାଭ କରିବା, ସାଧନ ଓ ସାଧ୍ୟ (ଜ୍ଞା, ଉପାୟ-ବୌଦ୍ଧମତେ)କୁ ମିଳାଇ ଅଦ୍ୱୟ ଶୂନ୍ୟତାବୋଧ ଆଣିବା, ଏହି କାଳଚକ୍ର ମତବାଦର ଊଦ୍ଦେଶ୍ୟ-ବଜ୍ରଯାନକୁ ଏକ ଆଧ୍ୟାତ୍ମିକ ଆଭିମୁଖ୍ୟ ଦେଇ ସଂସ୍କୃତ କରିବା ଏହାର ଲକ୍ଷ୍ୟ । ଲାମା ତାରାନାଥ ଲାମାଧର୍ମର ସହଜ ତାନ୍ତ୍ରିକତାର ପ୍ରତିବାଦ ପକ୍ଷେ ଏହି କାଳଚକ୍ରଯାନର ପୁନଃ ପ୍ରବର୍ତ୍ତନର ଚେଷ୍ଟା କରିଥିଲେ । ତନ୍ତ୍ରର ଯଥେଚ୍ଛା ଭ୍ରଷ୍ଟାଚାରକୁ ଭଙ୍ଗ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ତାଙ୍କର ଚେଷ୍ଟା ମହତ୍‌ ହେଲେ ହେଁ ପ୍ରଭାବ କ୍ଷୀଣ । କାରଣ ଭ୍ରଷ୍ଟ ତନ୍ତ୍ରାଚାର ଦର୍ଶନର ମସ୍‌ନଦରୁ ଓହ୍ଲାଇ ଆସି ପ୍ରେୟର ତୁଳିତଳ୍ପରେ ‘ମହାସୁହ’ ପ୍ରାପ୍ତ ହେଉଥିଲାବେଳେ ‘ଶ୍ରେୟ’ ସେଠି ସାଧକ ପକ୍ଷରେ ‘ବୋବା ଗୁରୁର କାଲ ଶିଷ୍ୟ’ ଉପାଖ୍ୟାନ ଭଳି ଏକ ଅଗ୍ରହଣୀୟ ବ୍ୟାପାର ହୋଇପଡ଼େ । ଜଣେ ଲାମା ଇତିହାସ ଲେଖିବାର ଆବଶ୍ୟକ ଏଇଠି । ସେ ତାଙ୍କ ଇତିହାସ ଗୋଟିକଯାକ ଏହି ଅବକ୍ଷୟ ଓ ସଂସ୍କାରର ଜୟ ପରାଜୟ ଉପାଖ୍ୟାନ ଶୁଣାଯାଇଛନ୍ତି । ନନ୍ଦ, ପାଳ ଓ ମୌର୍ଯ୍ୟରାଜାଙ୍କୁ ଧରି ଅଶେଷ ପୃଷ୍ଠପୋଷକତା ଲାଭ କରି ଏ ଧର୍ମ କାହିଁକି ନିଜର ଔଜଲ୍ୟ ରକ୍ଷା କରି ପାରିଲା ନାହିଁ ? ପ୍ରକାରାନ୍ତରେ ତାଙ୍କର ଇତିହାସରେ ଏହି କ୍ରମଅପସୃୟମାନ ଔଜଲ୍ୟର ଶେଷ ସନ୍ଧ୍ୟା ଗାୟତ୍ରୀ ଧ୍ୱନିତ । ତାଙ୍କର ବେଦନାରୁ ଏ ଇତିହାସ ସୃଷ୍ଟି ।

 

ତାଙ୍କର ଜୀବନୀ ଓ ଧର୍ମ ସଂଘର୍ଷର କଥା ଏଣିକି ଶୁଣିବା । ଊନବିଂଶ ଶତାବ୍ଦୀରେ ଜର୍ମାନୀ ଓ ଋଷଦେଶୀୟ ପୁରାତତ୍ତ୍ୱବିଦଗଣ ତାଙ୍କର ମୂଳଗ୍ରନ୍ଥ ପାଠକରି ତାଙ୍କ ପରିଚୟ ଆହରଣ କରିବାକୁ ଚାହିଁଲେ । କିନ୍ତୁ ସମସାମୟିକ ଲାମା ମଠମାନଙ୍କଠାରୁ ତାଙ୍କର କୌଣସି ପରିଚୟ ଆହରଣ ମିଳିପାରିଲା ନାହିଁ । ଅବଜ୍ଞା ଜର୍ଜରିତ ତାଙ୍କର ‘ଯୋ ନାନ୍‌’ ଧର୍ମଗତ ପ୍ରାୟଶଃ ଶଙ୍ଖ-ପା (ଶଙ୍ଖପାଦ)ଙ୍କ ପୀତଟୋପି ଦଳର ପ୍ରାବଲ୍ୟ ବିରୁଦ୍ଧରେ ମୁଣ୍ଡଟେକି ପାରି ନଥିଲା । ପୀତଟୋପି ସଂପ୍ରଦାୟର ନାମ ‘ଜେ-ଲୁଗସ୍‌-ପା’ ଥିଲା । ଏହି ଜେ-ଲୁଗସ୍‌-ପା’ ଲାମାଧର୍ଭର (ସଂପ୍ରଦାୟର) ତିବ୍ଦତୀୟ ଜନସାଧାରଣଙ୍କ ମଧ୍ୟରେ ଅଦ୍ଭୁତ ପ୍ରଭାବ ଥିଲା । କାରଣ ଏମାନଙ୍କର ଦର୍ଶନ ଲୋକମାନଙ୍କର ପ୍ରେୟ ଥିଲା । ଏକାଦଶ ଶତାବ୍ଦୀରେ ‘ଜେ-ଲୁଗସ୍‌-ପା’ (ଲାମାପନ୍ଥୀ)ମାନଙ୍କ ଧର୍ମରୁ ତନ୍ତ୍ରର ବ୍ୟଭିଚାରକୁ ବହିଷ୍କାର କରିବାକୁ ଦୀପଙ୍କର ଶ୍ରୀଜ୍ଞାନ ଚେଷ୍ଟା କରି ବି ପାରି ନଥିଲେ-। ସେଇ ଦୁର୍ଭାଗ୍ୟ ଘଟିଲା ‘ଯୋନାନ୍‌’ ପନ୍ଥୀ ତାରାନାଥଙ୍କର ।

 

ତାରାନାଥଙ୍କର ଅବତାର ଭାବରେ ପରିଚିତ ‘ଭର୍ଜିନ-ଯୈବସୁନ୍‌-ଡାମ୍ପା-ଖୁଟ୍‌କୁ’ଙ୍କ ସନ୍ଧାନ ମିଳିଲା ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ । ‘ଯୋନାନ୍‌’ ଲାମାସଂପ୍ରଦାୟର ଗୁରୁ ଓ ଲାମା ତାରାନାଥଙ୍କ ଅବତାର ଭାବରେ ସେ ନିଜକୁ ଅତି ସନ୍ତର୍ପଣରେ ପ୍ରକାଶ କଲେ । କିନ୍ତୁ ଏହାଙ୍କ ଠାରୁ ଆଜି ଖୁଟ୍‌କୁ ତାରାନାଥଙ୍କର ସନ୍ତୋଷଯୁକ୍ତ ବିବରଣୀ ପ୍ରାୟଶଃ ମିଳିଲା ନାହିଁ । ତାରାନାଥଙ୍କ ଲେଖାରୁ ତାଙ୍କର କାଳଗଣନା କରି ବିଶେଷଜ୍ଞମାନେ ‘ଭୁ-ମର୍କଟ’ ବର୍ଷ (ତିବ୍‌ବତୀୟ ପଞ୍ଜିକା ଗଣନା ଅନୁଯାୟୀ)ରେ ଅର୍ଥାତ୍‌ ୧୬୦୮ ଖ୍ରୀଷ୍ଟାବ୍ଦରେ ସେ ତାଙ୍କର ଇତିହାସ ସମ୍ପାଦନା ଶେଷ କରିଥିବା କଥା ସାବ୍ୟସ୍ତ କଲେ । ସେଉଠୁ ପଛୁଆଣି ଗଣିଆସିଲେ ତାଙ୍କର ଲେଖା ଅନୁଯାୟୀ ସେ ‘କାଷ୍ଠ-ଶୂକର’ ବର୍ଷରେ ଭୁମିଷ୍ଠ ହୋଇଥିବାର ଅର୍ଥାତ୍‌ ୧୫୭୫ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରଥିବାର ଜାଣିହେଲା । ତାଙ୍କର ତିବ୍‌ବତୀୟ ନାମ ‘କୁନ୍‌-ଗା-ନିନ୍‌-ଗୋ’ ଥିଲା । ‘ଯୋନ-ନାନ୍‌’ ଶାଖାର ଲାମାଗୁରୁ ହେବା ପରେ ତାଙ୍କ ନାମ ‘ଯୈ-ବସୁନ-ତାମ୍‌-ପା’ ନାମରେ ନାମିତ ହେଲା । ତେଣୁ ତାଙ୍କ ମୂଳ ନାମ ଓ ଦୀକ୍ଷାନାମ ତିବ୍‌ବତୀୟ ଭାଷାରେ ରହିଛି । ତାଙ୍କର ପରବର୍ତ୍ତୀ ‘ଯୋନ-ନାନ୍‌’ ପନ୍ଥୀ ଅବତାରଗଣ ଏହି ଦୀକ୍ଷା ନାମରେ ନାମିତ ହୋଇଛନ୍ତି । ତାଙ୍କର ଗୁରୁ ବୁଦ୍ଧଗୁପ୍ତ ତଥାଗତନାଗ ଓଡ଼ିୟାନ ପୀଠକୁ ଆସିଥିଲେ । ନଗେନ୍ଦ୍ରନାଥ ବସୁ ଲେଖିଛନ୍ତି- ‘‘Even When Tibetan pilgrim Buddagupta Tathagotanath visited Utkal towords the later half of the 17th century, he found old chaitayas, stupas and various other relics of the faith which once had so strong a hold upon the minds of the people residing there. He also met some living priests of athe Dharma cult-’’ ତିବ୍‌ବତୀୟ ଗ୍ରନ୍ଥସୂଚୀ ‘ତେଙ୍ଗୁର’ ‘ଆଦିରେ ଓ ପାଗ୍‌-ସାମ୍‌-ଜନ୍‌-ଯାମ୍‌’ ଗ୍ରନ୍ଥରେ ସିଦ୍ଧାଚାର୍ଯ୍ୟମାନଙ୍କର ପରିଚୟ ପାଇ ସେ ନିଶ୍ଚିନ୍ତ ଭାବରେ ତାଙ୍କର ପରିଣତ ବୟସରେ ଓଡ଼ିୟାନ ପୀଠକୁ ତୀର୍ଥ କରି ଆସିଛନ୍ତି, ବିଶେଷତଃ ତାଙ୍କର ‘ଯୋ-ନାନ୍‌’ ପନ୍ଥା କାଳଚକ୍ରଯାନ ଆଶ୍ରିତ ଥିବାରୁ ଓ ଏହି କାଳଚକ୍ରଯାନ ପୀତୋପାଦଙ୍କର ଅଦ୍ୱୟଶୂନ୍ୟତା ତତ୍ତ୍ୱ ଉପରେ ଆଧାରିତ ହୋଇ ‘ରତ୍ନଗିରିରୁ ପ୍ରଚାରିତ ହୋଇଥିବାରୁ ଏ ପୀଠକୁ ତୀର୍ଥ ବୋଲି ମନେକରି ସେ ଦର୍ଶନ କରି ଆସିଥିବା ଅତ୍ୟନ୍ତ ସମୀଚୀନ । ଲାମାତାରାନାଥ ତେଣୁ ନିଜଗୁରୁଙ୍କଠାରୁ ଓଡ଼ିୟାନ୍‌ ପୀଠ ଓ କାଳଚକ୍ରଯାନ ସମ୍ୱନ୍ଧରେ ସ୍ୱସନ୍ଦେହର ନିରସନ କରିଥିବେ । ତାଙ୍କ ଧର୍ମ ସର୍ମ୍ପକିତ ମାତ୍ର ଦୁଇଟି ଗ୍ରନ୍ଥ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିଛି । କିନ୍ତୁ ତାଙ୍କର ସଂଗୃହୀତ ତିବ୍‌ବତି ଭାଷାର ଲେଖାମାନ ପ୍ରାୟ ୧୬ଗୋଟି ଖଣ୍ଡରେ ଋଷି ଦେଶର ଲେନିନ୍‌ ଗ୍ରେଡ଼ ଠାରେ ଅବସ୍ଥିତ ପ୍ରାଚ୍ୟ ବିଦ୍ୟାନୁଷ୍ଠାନର ସିବିକୋଉ ସଂଗ୍ରାହଶାଳାରେ ରହିଛି । ଷଷ୍ଠଦଶ ଖଣ୍ଡରେ ତାଙ୍କର ଏହି ଇତିହାସ ସ୍ଥାନ ପାଇଛି । ଏହା ଛଡ଼ା ଅନ୍ୟାନ୍ୟ ଖଣ୍ଡମାନଙ୍କରେ ତାଙ୍କର ଆତ୍ମଜୀବନୀ, ଯମାନ୍ତକତନ୍ତ୍ର, କାଳଚକ୍ର ତତ୍ତ୍ୱ ଓ ତାରାତତ୍ତ୍ୱ ଭଳି ଉପାଦେୟ ରଚନାମାନ ରହିଛି । ତାହା ଅନ୍ୟ ଭାଷାରେ ଅନୁବାଦିତ ହୋଇ ପ୍ରକାଶିତ ହେଲେ ଭାରତର ପରବର୍ତ୍ତୀ ବୌଦ୍ଧଧର୍ମ ସମ୍ୱଦ୍ଧରେ ଅନେକ କଥା ଜଣାଯିବ । ବିଶେଷତଃ ତାଙ୍କର ଆତ୍ମଜୀବନୀରୁ ଅନ୍ୟାନ୍ୟ ବହୁ କଥା ତଥା ଧର୍ମସଂଘର୍ଷର ଚିତ୍ର ମିଳିପାରେ ଓ ନଗେନ୍ଦ୍ରନାଥ ବସୁଙ୍କ ତଥାଗତନାଥ ବା ତାରାନାଥଙ୍କ ଭାରତଭ୍ରମଣର ସତ୍ୟତା ପରୀକ୍ଷିତ ହୋଇପାରେ । ସେ ଯାହା ହେଉ, ଏହି ମହୀୟାନ ବ୍ୟକ୍ତିତ୍ୱ ତଥା ଭାରତ ଇତିହାସ, ଧର୍ମ, ବୌଦ୍ଧତତ୍ତ୍ୱ ଦର୍ଶନବିଦ୍‌ ତାରାନାଥଙ୍କ ମୂଳ ନାମର ଅର୍ଥ ଭାରତୀୟ ଭାଷାରେ ‘ଆନନ୍ଦଗର୍ଭ’ (କୁନ-ଗା-ନିନ୍‌-ପୋ) ଥିଲା । ତାହାଛଡ଼ା ତାଙ୍କୁ କେତେବେଳେ ଯୋ-ନାନ-ତାରାନାଥ ‘ଯେ ବସୁନ-ତାରାନାଥ’ ବା ଭଟ୍ଟାରକ ତାରାନାଥ ବୋଲି ତିବ୍‌ବତରେ କୁହାଯାଉଥିଲା । ଯୋ-ନାନ୍‌ ନାମକ ସ୍ଥଳ ଏହି ‘ଯୋନାନ୍‌ ପନ୍ଥୀଙ୍କର ଆଦି ସାଧନାସ୍ଥଳ । ଏଠାରେ ଗୋଟିଏ ଚୈତ୍ୟ ରହିଛି ଓ ଏହା ‘ତାସି-ଲିନ୍‌-ପୋ’ର ଉତର-ପଶ୍ଚିମରେ ପ୍ରାୟ ୧୦୦ ମାଇଲି ବ୍ୟବଧାନରେ ଅବସ୍ଥିତ। ଏହି ଯୋନାନ୍‌- ପା, ସଂପ୍ରଦାୟର ଆଦିପ୍ରତିଷ୍ଠାତା ଦିଗ୍‌ବିଜୟୀ ନାମକ ଜଣେ ସିଦ୍ଧ । ସେ ୧୩୦୬ ଖ୍ରୀଷ୍ଟାବ୍ଦରେ ଏହି ସଂପ୍ରଦାୟ ପ୍ରତିଷ୍ଠା କରିଥିଲେ । ଗୁରୁ ପରମ୍ପରା ଦିଗ୍‌ବିଜୟୀ ଓ ତାରାନାଥ ଉତ୍କଳଠାରେ ଋଣୀ-। ଓଡ଼ିଶାର କଟକ ଜିଲ୍ଲାର ରତ୍ନଗିରିଠାରେ ଏହି କାଳଚକ୍ରଯାନର ଜନ୍ମ ଯାହା କି ’ଯୋ-ନାନ୍‌-ପା’ ସଂପ୍ରଦାୟ ଗ୍ରହଣ କରିଛନ୍ତି । ଯୋଗିନୀତନ୍ତ୍ର ପ୍ରବର୍ତ୍ତକ ପଦ୍ମସମ୍ଭବ ଓଡ଼ିୟାନ ପୀଠରୁ ଯାଇ ତିବ୍‌ବତରେ ବଳଶାଳୀ ଲାମାଧର୍ମର ପ୍ରବର୍ତ୍ତକ । ସେମିତି ରତ୍ନଗିରିର କାଳଚକ୍ରଯାନ କାଳକ୍ରମେ ‘ଯୋନାନ’ ସଂପ୍ରଦାୟର ଆଚରିତ ଧର୍ମଭାବେ ତିବ୍‌ବତ ଭୁଇଁରେ ଯାଇ ପହଞ୍ଚିଛି । ମନେହୁଏ ତିବ୍‌ବତୀୟ ଧର୍ମ ଆନ୍ଦୋଳନରେ, ଧର୍ମ ବିପ୍ଳବ ତଥା ସଂସ୍କାରରେ ପଦେ ପଦେ ଉତ୍କଳୀୟ ନେତୃତ୍ୱ ଯେତେବେଳେ ଦରକାର ପଡ଼ିଛି ସେତେବେଳେ ସେଠାକୁ ତାହା ପ୍ରେରିତ ହୋଇଛି ।

 

ଆଚାର୍ଯ୍ୟ ‘ପୀତୋପାଦ’ ଏହି କାଳଚକ୍ରଯାନର ପ୍ରବର୍ତ୍ତକ । ତାଙ୍କର ଗୁରୁ ଦୀପଙ୍କର ଶ୍ରୀ-ଜ୍ଞାନ ବା ଅତୀଶ କିପରି ଏକଦା ଲାମାଧର୍ମର ସଂସ୍କାରାର୍ଥେ ଜୀବନଦାନ କରିଥିଲେ, ତାହା ଆଗରୁ କୁହାଯାଇଛି । ଗୁରୁଋଣ ପରିଶୋଧ କରିବା ବୋଧହୁଏ ଆଚାର୍ଯ୍ୟ ପୀତୋପାଦଙ୍କର ଉଦ୍ଦେଶ୍ୟ ଥିଲା, ତେଣୁ ସେ ଅନ୍ତରରେ ଚାହିଁଥିଲେ । ତାଙ୍କ ପ୍ରତିପାଦିତ ଧର୍ମମତ ଗୁରୁଙ୍କର ଉଦ୍ଦେଶ୍ୟ ପରିପୂରଣାର୍ଥେ ପୁଣି ତିବ୍ବତରେ ପ୍ରବେଶ କରୁ । ତାହା ହିଁ ହୋଇଛି । ‘ଦିଗ୍‌ ବିଜୟୀ’ ଓ ‘ତାରାନାଥ’ କାଳଚକ୍ରଯାନ’ ଅସୀ ଧରି ଏହି ଲାମାଧର୍ମର ସଂସ୍କାର ସାଧନରେ ପ୍ରୟାସୀ ହୋଇଛନ୍ତି । ପୀତୋପାଦ ଯଥାର୍ଥ ଗୁରୁଙ୍କର ଶିଷ୍ୟ ଭାବରେ ଯଥାର୍ଥ ଗୁରୁ ଦକ୍ଷିଣା ଦେଇଛନ୍ତି ଗୁରୁଙ୍କର ସ୍ୱର୍ଗବାସର ୩୦୦ ଓ ୫୦୦ ବର୍ଷ ପରେ । ଅବଶ୍ୟ ପୀତୋପାଦଙ୍କର କେଉଁ ପ୍ରଶିକ୍ଷ୍ୟ ପ୍ରଥମେ ତିବ୍ବତକୁ ତାହା ବହନ କରି ନେଇଛନ୍ତି ତାର ସତ୍ର ଭିନ୍ନ । କିନ୍ତୁ ୧୩୦୦ ଖ୍ରୀଷ୍ଟାବ୍ଦ ବେଳକୁ ‘ଦିଗ୍‌ ବିଜୟୀ’ ଯୋନାନ୍‌ (କାଳଚକ୍ର) ମତକୁ ସେଠି ପ୍ରଚାର କଲେଣି, ଏକଥା ଆମେ ଜାଣୁ ।

 

‘ଯୋନାନ୍‌ପା’ ପନ୍ଥୀମାନେ ହଳଦିଆ ଟୋପି ଧରି ‘ଜେ ଲୁଗ୍‌ସ-ପା’ମାନଙ୍କର ବିରୁଦ୍ଧରେ ଠିଆ ହୋଇ ଯୋଗତାନ୍ତ୍ରିକତାକୁ ପ୍ରବେଶ କରାଇବାକୁ ଚାହିଁଲେ । କିନ୍ତୁ ଦଲାଇଲାମାଙ୍କ ଅନୁଗ୍ରହପ୍ରାପ୍ତ ‘ଜେ ଲୁଗ୍‌ସ-ପା’ ଦଳ ପଦେ ପଦେ ତାଙ୍କର ବିରୋଧ କଲେ । କାରଣ ଜନଧର୍ମରେ ପ୍ରେୟର ପନ୍ଥା ସହଜରେ ଗୃହୀତ । ଶ୍ରେୟକୁ ବୁଝନ୍ତି ଖୁବ୍‌ କମ୍‌ ଲୋକ । ଭାରତବର୍ଷରେ ମଧ୍ୟ ସେଇୟା ହୋଇଛି । ପାତୋପାଦ ଶିଷ୍ୟ ଅବଧୂତୀ, ବୋଧିଶ୍ରୀ ଓ ନରୋ ତାନ୍ତ୍ରିକତାର ପ୍ରେୟାଦର୍ଶକୁ, ଚେଷ୍ଟାକରି ମଧ୍ୟ, ଭାରତ ଭୂମିରୁ ଦୁର କରିପାରି ନଥିଲେ । ହଳଦିଆ ଟୋପିବାଲା ‘ଜେ ଲୁଗ୍‌ସ-ପା’ ସଂଘ ଶାନ୍ତରକ୍ଷିତ ଓ ଗୁରୁ ପଦ୍ମସମ୍ଭବଙ୍କ ପ୍ରବର୍ତ୍ତିତ ତନ୍ତ୍ରାଚାର ପ୍ରଯୁକ୍ତ ଲାମାଧର୍ମର ନିକଟତର ରୂପ । ତେଣୁ ତିବ୍ବତରେ ଏ ଦୁଇ ମତବାଦର ଲଢ଼େଇ ଓଡ଼ିୟାନ ପୀଠଜାତ ବଜ୍ରଯାନ ଓ କାଳଚକ୍ରଯାନ ଲଢ଼େଇ ବ୍ୟତୀତ ଆଉ କିଛି ନୁହେଁ । ଲାମା ତାରାନାଥ ‘ଯୋ-ନାନ୍‌ପା’ ମତବାଦର ଶେଷ ଲଢ଼ୁଆ ସୈନିକ । କାରଣ, ତାଙ୍କର ପରବର୍ତ୍ତୀ ଅବତାରଗଣ ପ୍ରାୟଶଃ ଅନାମଧେୟ, ଅପାଙ୍‌କ୍ତେୟ ହୋଇରହିଛନ୍ତି, ଯେମିତିକି ଓଡ଼ିୟାନ ପୀଠରେ କାଳଚକ୍ରମତ ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ ଓ ତା’ର ପରବର୍ତ୍ତୀ ଆଚାର୍ଯ୍ୟଗଣ ମଧ୍ୟ ଅପ୍ରକଟ ଓ ଅପ୍ରସିଦ୍ଧ ରହିଗଲେ । ଏହାର ଏକମାତ୍ର କାରଣ ବଜ୍ରଯାନ ଓ ସହଜଯାନର ହେୟ ଓ ସହଜ ଆଚରଣଧାରା ଲୋକମାନଙ୍କ ଦ୍ୱାରା ସହଜରେ ଆଦୃତ ହୋଇଯାଇଛି । ‘ପୀତଟୋପିଧାରୀ’ ‘ଜୋ-ଲୁଗ୍‌ ସ-ପା’ ଦଳ ଏକଦା ତାଙ୍କର ପ୍ରଧାନ ପୁରୋହିତ ‘ଶଙ୍ଖପା’ଙ୍କ ମୃତ୍ୟୁପରେ ଲାମାତାରାନାଥଙ୍କୁ ଲୋକଲୋଚନ ଆକର୍ଷଣ କରୁଥିବା ଦେଖି ତାଙ୍କ ମତରେ କିଛି ନୂତନତା ନାହିଁ ବୋଲି ଦୁଆ ଉଠାଇଥିଲେ । ତାରାନାଥ ଏ ସୁଯୋଗରେ ମଠ ପରେ ମଠ ସ୍ଥାପନ କରି ଚାଲିଥାନ୍ତି । ତିବ୍ବତର ଜଣେ ରାଜା ‘ରିନ୍‌ସ୍ପୁନ୍‌’ଙ୍କର ପୃଷ୍ଠପୋଷକତା ସେ ବି ଲାଭ କରିଗଲେ । କିନ୍ତୁ ତିବ୍ବତର ଧର୍ମଗୁରୁ ଦଲାଇଲାମା ତିବ୍ବତରେ ସର୍ବବୃହତ୍‌ ହଳଦିଆ ଟୋପିବାଲା ‘ଜେ ଲୁଗ୍‌ସ-ପା’ମାନଙ୍କର ସମର୍ଥକ ଥିଲେ । ‘ରିନ୍‌ସ୍ପୁନ୍‌’ଙ୍କ ମୃତ୍ୟୁପରେ ୫ମ ଦଲାଇଲାମାଙ୍କ ପକ୍ଷରୁ ‘ଯୋନାନ୍‌’ ସଂପ୍ରଦାୟ ପ୍ରତି ଧର୍ଷଣ ଆରମ୍ଭ ହେଲା । ଯୋନାନ୍‌ ସଂପ୍ରଦାୟର ଗ୍ରନ୍ଥଗୁଡ଼ିକ ଯେଉଁ ମଠରୁ ପ୍ରକାଶିତ ହେଉଥିଲା, ଦିନେ ୫ମ ଦଲାଇଲାମା ସେ ମଠକୁ ଅଧିକାର କରି ପୀତଟୋପିବାଲାଙ୍କ ହାତକୁ ଟେକିଦେଲେ ଓ ଛାପାହେବାପାଇଁ ଯେଉଁ ସହସ୍ର ସହସ୍ର ବ୍ଳକ୍‌ ତିବ୍ବତୀୟ ଭାଷାରେ ତିଆରି କରାଯାଇଥିଲା, ତାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲେ । ତାରାନାଥଙ୍କ ମସୀ ଯୁଦ୍ଧ ଭୟଙ୍କର ବାଧାପ୍ରାପ୍ତ ହେଲା । ତାଙ୍କର ଶିଷ୍ୟ ଓ ଅବତାରବର୍ଗ ଅନ୍ତରୀଣ ହେଲେ ଓ ସ୍ୱେଚ୍ଛାକୃତ ନିର୍ବାସନ ଗ୍ରହଣ କରି ନିର୍ଜନ ଗୋପନୀୟତା ରକ୍ଷାକରି ଏହି ଧର୍ମଦୀପର ସ୍ତିମିତ ଆଲୋକ-ବର୍ତ୍ତିକା ଅତି ସନ୍ତର୍ପଣରେ ଜାଳି ରଖିଥିଲେ ମାତ୍ର । ଲାମା ତାରାନାଥଙ୍କ ପରବର୍ତ୍ତୀ ଅବତାର ‘ଖୁଟକ୍‌ଟ’ ନାମଧାରୀ ଥିଲେ । ସେମାନେ ଦୈବକ୍ରମେ ରହିଯାଇଥିବା ତାଙ୍କର କେତେକ ଗ୍ରନ୍ଥର ଗୋପନ ପାରାୟଣ କରୁଥାନ୍ତି ମାତ୍ର । ୧୮୪୦ ରୁ ୧୮୪୨ ମସିହା ମଧ୍ୟରେ ଲାମାତାରନାଥଙ୍କ ଜଣେ ଅବତାର ‘ମିଞ୍ଜନିଲଖୁଟ୍‌କୁ’ ଚୀନରେ ବିଦ୍ୟମାନ ଥିଲେ । କିନ୍ତୁ ଅଯାଚିତ ଭାବରେ ନିଜର ପରିଚୟ ଦେବାକୁ ସେ ବୀତସ୍ପୃହ ଥିଲେ । ତାଙ୍କର ସମ୍ପର୍କରେ ଆସି ମଧ୍ୟ ତାଙ୍କର ଗୁରୁପରମ୍ପରା ଜାଣି ନଥିବାରୁ ପ୍ରଫେସର କୋଭାଲେଗସ୍କି ଲାମା ତାରନାଥଙ୍କ ବିଷୟରେ ଗବେଷଣାରତ ରହି ମଧ୍ୟ ‘ମିଞ୍ଜନିଲ୍‍ଖୁଟ୍‍କୁ’ ଇହଧାମରେ ନାହାନ୍ତି । ସେଥିପାଇଁ ଭାସିଲେଭଙ୍କ ଦୁଃଖ କହିଲେ ନ ସରେ । ଲାମା ତାରାନାଥଙ୍କ ଶେଷ ଦୀପଶିଖାଟି ସହ ତାଙ୍କର ଥରେ ମାତ୍ର ଯଦି ସାକ୍ଷାତ ହୋଇଥାନ୍ତା, ସେ ହୁଏତ ନିସ୍ତେଜ, ନିଷ୍ପ୍ରଭ ଏହି ଦୀପଶିଖାର ବହ୍ନିରେ ଏକଦା ବହ୍ନିମାନ୍‌ ଲାମାତାରାନାଥଙ୍କୁ ଆହୁରି ଥରେ ଦେଖି ନେଇଥାନ୍ତେ । ପୁଣି ତାରାନାଥଙ୍କ ଶେଷ ଅବତାରର ପରିଚୟ ଭାସିଲେଭ ପାଇଲେ ୧୮୬୯ ମସିହାରେ । ଆଦି ମଙ୍ଗୋଲିଆରେ ତାଙ୍କର ଆବିର୍ଭାବ ହୋଇଥିଲା । ତାଙ୍କର ନାମ ଥିଲା ‘ତୁଷିଏତ୍‌ ଖାନ୍‌’ । ସେ ରାଜା ‘ଉସୁଟାଇ’ଙ୍କ ଅଣନାତି ଥିଲେ । ମାଞ୍ଚୁରିଆ ରାଜା ‘କାଙ୍ଗ୍‌ ହି’ଙ୍କ ଠାରୁ ସେ ‘ଖାଲ୍‌ଖାର ରତ୍ନ’ ଉପାଧି ପାଇଥିଲେ । ଉତ୍ତର ମଙ୍ଗୋଳିଆର ‘ଉର୍ଗା’ଠାରେ ସେ ଏକ ତାରାନାଥପନ୍ଥୀ ମଠ ସ୍ଥାପନ କରି ଯୋନାନ୍‌ ପା, ମତର ଉଦ୍ଧାର କରିଥିଲେ । ଏଥିରୁ ଜଣାଯାଏ ତାରାନାଥଙ୍କର ମୃତ୍ୟୁ ନାହିଁ । ହୁଏତ ପୁଣି ତାଙ୍କର ଅବତାରମାନେ ଧର୍ମଗ୍ଳାନିରେ ଜାଗରୁକ ହୋଇପାରନ୍ତି । ଭାସିଲେଭ୍‌ ନୀରବ ଯୋଦ୍ଧା ଏହି ଲାମାତାରନାଥଙ୍କୁ କେଉଁ ଦୃଷ୍ଟିରେ ଦେଖିଥିଲେ ଓ ତାଙ୍କ ପ୍ରତି କିପରି ମୋହଗ୍ରସ୍ତ ଥିଲେ (ଗବେଷକ ଦୃଷ୍ଟିରୁ) ତାହା ଜାଣି ଆଜି ଆମେ ସେଇ ଐତିହାସିକ ଧର୍ମ ପ୍ରବର୍ତ୍ତକ ଓ ବୌଦ୍ଧଧର୍ମକୁ ଶେଷପତନରୁ ରକ୍ଷା କରିବାକୁ ଇଚ୍ଛା କରିଥିବା ଜଣେ ନୀରବ ସୈନିକ ତାରାନାଥଙ୍କ ପ୍ରତି ଆମର ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

ଡେପୁଟି ଡ଼ିରେକ୍ଟର (ସ୍ୱତନ୍ତ୍ର ଶିକ୍ଷା)

ଡ଼ି.ପି.ଆଇ.ଅଫିସ୍‌, ଭୁବନେଶ୍ୱର

***

 

ଆମ ସାହିତ୍ୟରେ ସମାଲୋଚନା

ଡକ୍‌ଟର ଜାନକୀ ବଲ୍ଲଭ ମହାନ୍ତି

 

କଳା ବା ସାହିତ୍ୟ ସୃଷ୍ଟି ସହ ସମାଲୋଚନାର ସମ୍ପର୍କ ଘନିଷ୍ଟ । ସାହିତ୍ୟ-କୃତିର ସମ୍ୟକ ବ୍ୟାଖ୍ୟା, ମୂଲ୍ୟାଙ୍କନ, ପରୀକ୍ଷା ପ୍ରଭୃତିକୁ ସମାଲୋଚନା କୁହାଯାଇଥାଏ । ବ୍ୟୁତ୍ପତ୍ତିଗତ ଅର୍ଥ ଦୃଷ୍ଟିରୁ ବସ୍ତୁ ବା କଳାକୃତିକୁ ବିଚାର ପୂର୍ବକ ଦେଖିବା ପାଇଁ (ଲୁଚ୍ ଧାତୁର ଅର୍ଥ ଦେଖିବା ଓ ପରୀକ୍ଷାର ଅର୍ଥ ଚାରିପଟରୁ ଦେଖିବା) ଯଥାର୍ଥ ସମାଲୋଚନା । ଏହା ଦ୍ୱିବିଧ ଉପାୟରେ ସଂପାଦିତ ହୋଇଥାଏ-ଆପଣାର ଅଭିରୁଚି ଓ ଶିକ୍ଷାର ମାନଦଣ୍ଡରେ ଅଥବା ଏକ ସ୍ୱୀକୃତ ନାନ୍ଦନିକ ଆଦର୍ଶର ମାନଦଣ୍ଡରେ । ସମାଲୋଚନା ଦ୍ୱାରା ଏକ କଳାତ୍ମକ ବିଷୟର ମୂଲ୍ୟାଙ୍କନ ବା ମହତ୍ତ୍ୱ ନିରୂପିତ ହୋଇଥାଏ । ତାହାର ଦୋଷତ୍ରୁଟି ଯେପରି ପ୍ରଦର୍ଶିତ ହୋଇଥାଏ, ସେହିପରି ସୌନ୍ଦର୍ଯ୍ୟ ମଧ୍ୟ ପ୍ରକଟିତ ହୋଇଥାଏ । ଏହି ଦୃଷ୍ଟିରୁ ସମାଲୋଚକର ଭୁମିକାକୁ ବିଚାରକର ଭୁମିକା ସହ ତୁଳନା କରାଯାଇପାରେ । ଅର୍ଥାତ୍‌ ଆଦର୍ଶ ସମାଲୋଚକକୁ ନିରକ୍ଷେପ ଭାବରେ ସାହିତ୍ୟ-କୃତିର ମୂଲ୍ୟାଙ୍କନ କରିବାକୁ ହୁଏ ।

 

ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସାଧାରଣତଃ ତିନିଗୋଟି ବିଷୟର ଉପସ୍ଥାପନା କରାଯାଏ । ପ୍ରଥମତଃ ସାହିତ୍ୟ କୃତିର ମର୍ମୋଦ୍‌ଘାଟନ ବା ଲେଖକ କ’ଣ ପ୍ରକାଶ କରିବାକୁ ଚାହିଁଛନ୍ତି ତାହାର ଉପସ୍ଥାପନା । ଦ୍ୱିତୀୟତଃ, ଲେଖକ ଯାହା ପ୍ରକାଶ କରିବାକୁ ଚାହିଁଛନ୍ତି ତାହାର ଉପସ୍ଥାପନା । ଦ୍ୱିତୀୟତଃ, ଲେଖକ ଯାହା ପ୍ରକାଶ କରିବାକୁ ଚାହିଁଛନ୍ତି ତହିଁରେ ସେ କିପରି କୃତିତ୍ୱ ଅର୍ଜନ କରି ଅଛନ୍ତି ତାହାର ବିଚାର । ତୃତୀୟତଃ, ଲେଖକଙ୍କ ସାହିତ୍ୟ କୃତିର ସାମାଜିକ ଉପଯୋଗିତା ବା ପ୍ରକାଶଯୋଗ୍ୟତାର ବିଚାର । ସାହିତ୍ୟ ସମାଲୋଚନାର ଅର୍ଥ ଦର୍ଶାଇବାକୁ ଯାଇ ଏଣୁ ଯଥାର୍ଥତଃ କୁହାଯାଇଛି ଯେ ‘‘ଏହା ମାଧ୍ୟମରେ ସାହିତ୍ୟ କୃତିର ବର୍ଣ୍ଣନା, ବିଶ୍ଳେଷଣାତ୍ମକ ବ୍ୟାଖା ଓ ମୂଲ୍ୟାଙ୍କନ ହୋଇଥାଏ । ଏହାଦ୍ୱାରା ସାହିତ୍ୟ କୃତିର ସୃଷ୍ଟି ପଛରେ ବିଦ୍ୟମାନ ମୌଳିକ ନୀତି ଓ ମତବାଦର ଉପସ୍ଥାପନ କରାଯାଏ ଏବଂ ସେହି ନୀତିନିୟମ ଓ ଅନ୍ୟାନ୍ୟ ବିଚାରଧାରାର ପ୍ରୟୋଗ କରାଯାଇ ସାହିତ୍ୟ କୃତିର ମୂଲ୍ୟାଙ୍କନ ଓ ସ୍ୱାତନ୍ତ୍ର୍ୟ ନିରୁପିତ ହୋଇଥାଏ । (୧)

 

(୧)

‘‘The description, interpretation and evaluation of literary works, The presentation of principles and theories underlying such works and application of these or other considerations to the judgement of such works and their discrimination.’’

—A Dictionary of World Literary Terms.

 

ସ୍ଥୂଳତଃ, ସାହିତ୍ୟ କୃତିର ଉତ୍କର୍ଷ ଅପକର୍ଷ ବିଚାର କଲାବେଳେ ଆଲୋଚକକୁ ଆଲୋଚ୍ୟ ସାହିତ୍ୟ କୃତିର ଭାବ, କଥାବସ୍ତୁ, ରଚନା ରୀତି, ଅଳଂକାର ଓ ରଚୟିତାଙ୍କ ସୃଷ୍ଟିମାନସ ଓ ଦୃଷ୍ଟିକୋଣ ପ୍ରଭୃତିର ସାମଗ୍ରିକ ଆଲୋଚନା କରିବାକୁ ହୁଏ ।

 

ଏଣୁ ସମାଲୋଚନା ଏକ କଠିନ ଓ ଦାୟିତ୍ୱପୂର୍ଣ୍ଣ ବିଷୟ । ବ୍ୟାପକ ଅଧ୍ୟୟନ, କଳ୍ପନା ଶକ୍ତି, ଅନ୍ତର୍ଦୃଷ୍ଟି, ଶିଷ୍ଟତା ଓ ସହୃଦୟତା ବ୍ୟତୀତ ଏହା ସୁସଂପାଦିତ ହେବା ସମ୍ଭବ ନୁହେଁ । ତଥାପି ସାହିତ୍ୟ ସମାଲୋଚନା କ୍ଷେତ୍ରରେ ମତପାର୍ଥ୍ୟକ୍ୟର ସମ୍ଭାବନା ଓ ଦୃଷ୍ଟାନ୍ତ ପ୍ରଚୁର । ଏହାର କାରଣ ଆଲୋଚକଙ୍କ ରୁଚିର ପାର୍ଥକ୍ୟ ଓ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଅନୁସୃତ ହେଉଥିବା ବହୁବିଧ ପଦ୍ଧତି । ଶିକ୍ଷା ଓ ଜ୍ଞାନରେ ସମତା ଥିଲେହେଁ ରୁଚିର ପାର୍ଥକ୍ୟ ଯୋଗୁଁ ଦୁଇଜଣ ପଣ୍ଡିତଙ୍କ ବିଚାରଧାରା ଓ ନିଷ୍ପତ୍ତିରେ ପାର୍ଥକ୍ୟ ପରିଦୃଷ୍ଟ ହେବା ବିଚିତ୍ର ନୁହେ ।

 

ସାହିତ୍ୟ କୃତିର ବିଚାର ସମ୍ପର୍କରେ ପ୍ରାଚୀନ ଭାରତୀୟ ବା ସଂସ୍କୃତ ସାହିତ୍ୟ କ୍ଷେତ୍ରରେ ମୁଖ୍ୟତଃ ଛଅଗୋଟି ସଂପ୍ରଦାୟ ବା ବିଚାରଧାରା କାଳକ୍ରମେ ଗଢ଼ି ଉଠିଥିଲା । ସେଗୁଡ଼ିକ ହେଉଛି-

 

(୧)      ଭରତ, ବିଶ୍ୱନାଥ, ଜଗନ୍ନାଥ ପ୍ରଭୃତିଙ୍କ ସମର୍ଥିତ ରସବାଦ,

(୨)      ଭାମହ, ଉଦ୍‌ଭଟ, ରୁଦ୍ରଟଙ୍କ ସମର୍ଥିତ ଅଳଙ୍କାରବାଦ,

(୩)      ଦଣ୍ଡୀ, ବାମନଙ୍କ ପ୍ରତିପାଦିତ ଗୁଣବାଦ,

(୪)      କୁନ୍ତକଙ୍କ ପ୍ରତିପାଦିତ ବକ୍ରୋକ୍ତିବାଦ,

(୫)      ଆନନ୍ଦବର୍ଦ୍ଧନ, ଅଭିନବଗୁପ୍ତଙ୍କ ପ୍ରତିପାଦିତ ଧ୍ୱନିବାଦ ଓ

(୬)      କ୍ଷେମେନ୍ଦ୍ରଙ୍କ ପ୍ରତିପାଦିତ ଔଚିତ୍ୟବାଦ ।

 

ଭାରତରେ ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀରୁ ଅର୍ଥାତ୍‌ ଭରତଙ୍କ କାବ୍ୟ ଓ ନାଟକ ସମ୍ପର୍କୀୟ ଆଲୋଚନାଗ୍ରନ୍ଥ ‘ନାଟ୍ୟଶାସ୍ତ୍ର’ ପ୍ରଣୀତ ହେବା ସମୟରୁ ତ୍ରୟୋଦଶ ଶତାବ୍ଦୀର ‘ସାହିତ୍ୟ ଦର୍ପଣ’ ପ୍ରଣେତା ବିଶ୍ୱନାଥ କବିରାଜଙ୍କ ପର୍ଯ୍ୟନ୍ତ ସାହିତ୍ୟର ଉପାଦାନ, ଉଦ୍ଦେଶ୍ୟ, ଗୁଣଦୋଷ ସମ୍ପର୍କୀୟ ଆଲୋଚନା ଲାଗି ବିଧିବଦ୍ଧ ଭାବେ ବହୁ ଅଳଙ୍କାର ଗ୍ରନ୍ଥ ପ୍ରଣୀତ ହୋଇଅଛି ।

 

ସାହିତ୍ୟ ସମାଲୋଚନା ସାହିତ୍ୟ ସ୍ରଷ୍ଟାଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇଥାଏ । ସେମାନଙ୍କ ରଚନାର ଦୋଷତ୍ରୁଟି ଦର୍ଶାଇବା ସଙ୍ଗେ ସଙ୍ଗେ ଉନ୍ନତ ସୃଷ୍ଟିର ସନ୍ଧାନ ଦିଏ । ଏହା ମଧ୍ୟ ସାହିତ୍ୟ ପାଠକର ରୁଚିକୁ ମାର୍ଜିତ ଓ ତାହାର ଦୃଷ୍ଟି ଭଙ୍ଗୀକୁ ପ୍ରସାରିତ, ଶାଣିତ କରିଥାଏ ଓ ପାଠକର ଅନୁଭୂତି ପ୍ରବଣତାକୁ ଜାଗ୍ରତ ଓ ମାର୍ଜିତ କରିଥାଏ । ଏହା ଲେଖକର ମନ ସହ ପାଠକର ମନକୁ ସଂଯୋଜିତ ଓ ପରିଚିତ କରାଏ । ଏହି ଦୃଷ୍ଟିରୁ ସାହିତ୍ୟ ସମାଲୋଚକର ଭୁମିକା ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ସାହିତ୍ୟ କ୍ଷେତ୍ରରେ ସମାଲୋଚନାର ଗୁରୁତ୍ୱ ସ୍ୱୀକୃତ । ଅନେକେ ସମାଲୋଚନାକୁ ମଧ୍ୟ ଏକ ସୃଷ୍ଟି କର୍ମ ଭାବେ ଗ୍ରହଣ କରିଅଛନ୍ତି । ସାହିତ୍ୟ ସମାଲୋଚନା ମାଧ୍ୟମରେ ମଧ୍ୟ ସମାଲୋଚକ ଆପଣାର ବ୍ୟକ୍ତିତ୍ୱ, ପାଣ୍ଡିତ୍ୟ, ଦୃଷ୍ଟିଭଙ୍ଗୀ ଓ ବିଚାରଧାରାକୁ ପ୍ରକାଶ କରିଥାଏ । ତଥାପି ସମାଲୋଚକକୁ ବ୍ୟକ୍ତି-ନିରପେକ୍ଷ ଦୃଷ୍ଟିସମ୍ପନ୍ନ ହେବାକୁ ପଡ଼େ ଓ ସର୍ବଜନ ଅନୁଭବ୍ୟ ରୀତି ଅନୁସରଣ କରିବାକୁ ପଡ଼ିଥାଏ ।

 

ଆଧୁନିକ ସାହିତ୍ୟ କ୍ଷେତ୍ରରେ ବହୁବିଧ ସମାଲୋଚନା ପଦ୍ଧତିର ପ୍ରଚଳନ ଦେଖିବାକୁ ମିଳେ । ବିଭିନ୍ନ ଆଲୋଚକ ସେମାନଙ୍କ ଆଲୋଚନା ଗ୍ରନ୍ଥରେ ତାହାକୁ ବିବିଧ ଭାବରେ ନାମିତ କରି ଅଛନ୍ତି । ମୋଟାମୋଟି ସେସବୁ ହେଉଛି (୧) ଆଳଙ୍କାରିକ ପଦ୍ଧତି । (୨) ଐତିହାସିକ ପଦ୍ଧତି । (୩) ଶାସ୍ତ୍ରୀୟ ପଦ୍ଧତି । (୪) ମନସ୍ତାତ୍ତ୍ୱିକ ପଦ୍ଧତି । (୫) ତତ୍ତ୍ୱସଂଧନୀ ବା ଦାର୍ଶନିକ ପଦ୍ଧତି । (୬) ତୁଳନାତ୍ମକ ପନ୍ଧତି । (୭) ପରିସଂଖ୍ୟାନ ପଦ୍ଧତି, (୮) ବସ୍ତୁନିଷ୍ଠ (Objective) ପଦ୍ଧତି । (୯) ବ୍ୟାଖାତ୍ମକ (Inter-Pretation) ପଦ୍ଧତି, (୧୦) ବିଚାରତ୍ମକ (Judicial) ପଦ୍ଧତି । (୧୧) ମାର୍କସ୍‌ବାଦୀ ବା ପ୍ରଗତିବାଦୀ ପଦ୍ଧତି ।

 

ସାହିତ୍ୟ ଆଲୋଚନା ଦୃଷ୍ଟିରୁ ପ୍ରତ୍ୟେକ ପଦ୍ଧତିର ଉପାଦେୟତା ଥିଲେହେଁ କୌଣସି ଗୋଟିଏ ପଦ୍ଧତି ସ୍ୱୟଂସମ୍ପୂର୍ଣ୍ଣ ନୁହେଁ । ପ୍ରତ୍ୟକ ପଦ୍ଧତିରେ କେତେକ ପରିମାଣରେ ଅପୂର୍ଣ୍ଣତା ନିହିତ-। ଏଠାରେ ତାହାର ଏକ ସଂକ୍ଷିପ୍ତ ପରିଚୟାତ୍ମକ ବିବରଣୀ ଉପସ୍ଥାପନ କରାଯାଇ ପାରେ ।

 

୧.

ଆଳଙ୍କାରିକ ପଦ୍ଧତି:-

ସାହିତ୍ୟରେ ବିନିଯୁକ୍ତ ଅଳଙ୍କାରକୁ ଭିତ୍ତିକରି କେହି କେହି ଆଲୋଚକ ସାହିତ୍ୟରେ ଉତ୍କର୍ଷ ନିରୁପଣ କରିବାକୁ ମତ ପ୍ରକାଶ କରିଥାଆନ୍ତି । ସଂସ୍କୃତ ଆଳଙ୍କାରିକଙ୍କ ଉକ୍ତି ଅନୁଯାୟୀ ‘‘କାବ୍ୟଂ ଗ୍ରାହ୍ୟମଳଙ୍କାରାତ୍‌ ।’’ ମାତ୍ର ଅଳଙ୍କାର କାବ୍ୟର ଶୋଭା ବିଧାୟକ ଏକମାତ୍ର ଉପାଦାନ ନୁହେଁ । ଅଳଙ୍କାର ବ୍ୟତୀତ ଅନ୍ୟ ବହୁ ଉପାଦାନ ଯୋଗୁ କାବ୍ୟର ଉତ୍କର୍ଷ ସମ୍ପାଦିତ ହୋଇଥାଏ ।

୨.

ଐତିହାସିକ ପଦ୍ଧତି:-

କେତେକ ଆଲୋଚକ ସାହିତ୍ୟକୁ ସମାଜର ଯଥାର୍ଥ ପ୍ରତିଫଳନ ବିବେଚନା କରି, ରଚୟିତାଙ୍କ ସମକାଳୀନ ଓ ପୁର୍ବବର୍ତ୍ତୀ ସମୟର ଇତିହାସକୁ ଭିତ୍ତି କରି ସାହିତ୍ୟର ମୂଲ୍ୟାଙ୍କନକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ସେମାନଙ୍କ ମତରେ ଯୁଗଚେତନା ଦ୍ୱାରା ଲେଖକ ପ୍ରଭାବିତ ହୋଇଥାନ୍ତି । ମାତ୍ର ସମକାଳୀନ ରାଜନୀତି, ଦର୍ଶନ, ଆର୍ଥିକ ଜୀବନ, ପରମ୍ପରା, ଶିକ୍ଷା, ପରିବେଶ ବ୍ୟତୀତ ମନୁଷ୍ୟର ଯେ ବ୍ୟକ୍ତିଗତ ବୈଶିଷ୍ଟ ରହିଛି ଏହା ଅନସ୍ୱୀକାର୍ଯ୍ୟ । ସମକାଳୀନ ଘଟଣା ପ୍ରବାହ ଓ ପରିବେଶ ଦ୍ୱାରା ଲେଖକ ପ୍ରଭାବିତ ହେଲେ ହେଁ ସେ ସମସ୍ତଙ୍କୁ ସମନ୍ୱିତ କରି ଦେଶକାଳାତୀତ ସାହିତ୍ୟକୃତି ରଚନା କରିବାକୁ ମଧ୍ୟ ସମର୍ଥ । ବିଶ୍ୱ ସାହିତ୍ୟରୁ ଏହାର ବହୁ ଦୃଷ୍ଟାନ୍ତ ମିଳିଥାଏ ।

୩.

ଶାସ୍ତ୍ରୀୟ ପଦ୍ଧତି:-

ପ୍ରାଚ୍ୟ ପାଶ୍ଚାତ୍ୟ ଉଭୟ ସାହିତ୍ୟ କ୍ଷେତ୍ରରେ ଏହି ପଦ୍ଧତିର ମାନ୍ୟତା ପରିପୃଷ୍ଟ ହୁଏ-। ସାହିତ୍ୟ ସମ୍ପର୍କରେ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟଟଲ ତାହାଙ୍କ ‘ପୋଏଟିକ୍‌ସ’ ଗ୍ରନ୍ଥରେ ଯେଉଁସବୁ ସିଦ୍ଧାନ୍ତ ରଚନା କରି ଯାଇଥିଲେ, ତାହାକୁ ଯୁରୋପୀୟ ସାହିତ୍ୟଲୋଚନା କ୍ଷେତ୍ରରେ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଆଦର୍ଶ ଓ ସାହିତ୍ୟ ବିଚାରର ମାନଦଣ୍ଡ ଭାବେ ଗ୍ରହଣ କରାଯାଉଥିଲା । ଏହି ପଦ୍ଧତି ଅନୁସାରେ ସାହିତ୍ୟକ ରଚନାରେ ଶବ୍ଦ-ଯୋଜନାର ଚମତ୍‌କାରିତା, ପଦବିନ୍ୟାସ, ଛନ୍ଦ, ଔଚିତ୍ୟ ପ୍ରଭୃତି ବହିଃରଙ୍ଗ ଉପାଦାନରୁ ସାହିତ୍ୟର ଉତ୍କର୍ଷ ନିରୁପଣକୁ ବିଚାର ଦୃଷ୍ଟିରୁ ପ୍ରଧାନ୍ୟ ଦିଆଯାଏ ।

 

ଭାରତୀୟ ସାହିତ୍ୟ କ୍ଷେତ୍ରରେ ଭରତ, ଭାମହ, ଦଣ୍ଡୀ କୁନ୍ତକ, ଆନନ୍ଦ-ବର୍ଦ୍ଧନ ଓ କ୍ଷେମେନ୍ଦ୍ର ପ୍ରଭୃତିଙ୍କ ପ୍ରତିପାଦିତ ସିଦ୍ଧାନ୍ତ ଓ ସାହିତ୍ୟ ସମ୍ପର୍କୀୟ ନିୟମକୁ ଅନୁସରଣ କରି ପ୍ରାଚୀନ ଓ ମଧ୍ୟଯୁଗର କବିମାନେ ଯେପରି କାବ୍ୟ ରଚନା କରୁଥିଲେ, ସେହିପରି ଆଲୋଚକମାନେ କାବ୍ୟର ଉତ୍‌କର୍ଷ-ଅପକର୍ଷ ନିରୁପଣ ଲାଗି ତାହାକୁ ଆଦର୍ଶ ଭାବେ ଗ୍ରହଣ କରି ନେଇଥିଲେ । ସେହି ନିୟମାନୁସରଣର ମାନଦଣ୍ଡରେ ସାହିତ୍ୟକୃତିର ମୂଲ୍ୟାଙ୍କନ ହେଉଥିଲା ।

 

ଏତଦ୍ୱାରା ସାହିତ୍ୟିକ ରଚନାରେ କେତେକ ବାହ୍ୟ ଉପାଦାନକୁ ହିଁ ଗୁରୁତ୍ୱ ଦିଆଯାଏ । କଳ୍ପନା, ସମାଜତତ୍ତ୍ୱ, ମନସ୍ତତ୍ତ୍ୱ, ତୁଳନାତ୍ମକ ବିଚାର ପଦ୍ଧତି ପ୍ରଭୃତି ବିଷୟ ପରିବର୍ଜିତ ହୋଇଥାଏ । ରକ୍ଷଣଶୀଳତାକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଏହା ସାହିତ୍ୟ ସୃଷ୍ଟିର ସ୍ୱଚ୍ଛନ୍ଦ, ସ୍ୱାଭାବିକ ଅଭିବ୍ୟକ୍ତି କ୍ଷେତ୍ରରେ ଅନ୍ତରାୟ ମଧ୍ୟ ସୃଷ୍ଟି କରିଥାଏ ।

୪.

ମନସ୍ଥାତ୍ତ୍ୱିକ ପଦ୍ଧତି:-

ଚଳିତ ଶତାବ୍ଦୀରେ ମନୋବୈଜ୍ଞାନିକ ସିଦ୍ଧାନ୍ତର ପ୍ରସାର ଫଳରେ ସାହିତ୍ୟ ଆଲୋଚନା କ୍ଷେତ୍ରରେ ଏହି ପଦ୍ଧତିର ସୁତ୍ରପାତ ହୋଇଅଛି । ଏହି ମତବାଦର ସିଦ୍ଧାନ୍ତ ଅନୁଯାୟୀ କଳା ଓ ସାହିତ୍ୟ ହେଉଛି କଳାକାରର ମାନସିକ ପ୍ରବୃତ୍ତିର ପ୍ରତିଫଳନ । ମନସ୍ତତ୍ତ୍ୱବିତ୍‌ ସିଗ୍‌ମଣ୍ଡ ଫ୍ରୟେଡ୍‌ଙ୍କ ମତାନୁଯାୟୀ ସାହିତ୍ୟ ହେଉଛି ସାହିତ୍ୟିକର ଅତୃପ୍ତ ବାସନାରେ ଏକ କାଳ୍ପନିକ ପରିତୃପ୍ତି । ମଣିଷର ସମସ୍ତ ସହଜାତ ପ୍ରବୃତ୍ତି ମଧ୍ୟରେ ଲିବିଡୋ (Libido) ବା କାମ ପ୍ରବୃତ୍ତି ହେଉଛି ଉଗ୍ରତମ । ଏଣୁ ସାହିତ୍ୟଲୋଚନା ଲାଗି ରଚୟିତାଙ୍କ ବ୍ୟକ୍ତିଗତ ଜୀବନ ବା ତାହାଙ୍କ ଅବଚେତନ ମନର ପ୍ରଭାବ କିପରି ତାହାଙ୍କ ରଚନାରେ ଅଭିବ୍ୟକ୍ତି ଲାଭ କରିଛି, ତାହାର ବିଚାର ଏକାନ୍ତ ଆବଶ୍ୟକ । ମାତ୍ର ଏହି ପଦ୍ଧତି ମନୁଷ୍ୟର ସୂକ୍ଷ୍ମ ସୌନ୍ଦର୍ଯ୍ୟାନୁଭୂତି ବିଷୟରେ ଅନବହିତ । ଜୀବନରେ ଭୋଗ ସହ ସଂଯମ ଓ ବୈରାଗ୍ୟର ଆଦର୍ଶ ମଧ୍ୟ ସ୍ୱୀକୃତ । ଜୀବନରେ କାମ ପ୍ରବୃତ୍ତିର ପ୍ରଚଣ୍ଡତା ସ୍ୱୀକାର୍ଯ୍ୟ ହେଲେ ହେଁ, ମନୁଷ୍ୟର ରମ୍ୟବୋଧ, ଲଳିତ ସୁକୁମାର ରସାନୁଭୂତି ଓ ବହୁ ବିଚିତ୍ର ରହସ୍ୟାନୁଭବକୁ ଅସ୍ୱୀକାର କରାଯାଇ ନପାରେ । ସାହିତ୍ୟ ସୃଷ୍ଟିର ବିଚାର ପରିବର୍ତ୍ତେ ଏହି ପଦ୍ଧତି ସାହିତ୍ୟ ସ୍ରଷ୍ଟାର ବ୍ୟକ୍ତିଗତ ଜୀବନ ଓ ଚରିତ୍ରର ସମାଲୋଚନା ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏହି ପଦ୍ଧତିକୁ ସ୍ୱୟଂସମ୍ପୂର୍ଣ୍ଣ କୁହାଯାଇ ନପାରେ ।

୫.

ତତ୍ତ୍ୱସନ୍ଧାନୀ ବା ଦାର୍ଶନିକ ପଦ୍ଧତି:-

କେହି କେହି ଆଲୋଚକଙ୍କ ମତରେ ସାହିତ୍ୟ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ ସତ୍ୟ ଓ ଶିବର ପ୍ରତିଷ୍ଠା ବର୍ଣ୍ଣିତ ହେବା ବିଧେୟ । ଏହା ପାଠକର ସୌନ୍ଦର୍ଯ୍ୟବୋଧ ଓ ରସବୋଧକୁ ଊର୍ଦ୍ଧ୍ୱାଭିମୁଖୀ କରିବା ମଧ୍ୟ ଆବଶ୍ୟକ । ମାତ୍ର ସାହିତ୍ୟରେ ସତ୍ୟ, ଶିବ, ସୁନ୍ଦରର ଉପସ୍ଥାପନ ହେଉଥିଲେ ହେଁ, ଏହାକୁ ସାହିତ୍ୟର ସର୍ବସ୍ୱ କୁହାଯାଇ ନପାରେ । ଏହା ସାହିତ୍ୟର କେତେକ ଉପାଦାନ ଓ ଆନୁଷଙ୍ଗିକ ଭାବେ ସାହିତ୍ୟରେ ଉପସ୍ଥାପିତ ହୋଇଥାଏ । ଏହାକୁ ସାହିତ୍ୟର ଲକ୍ଷ୍ୟ ଭାବରେ ଗ୍ରହଣ କଲେ ସାହିତ୍ୟ ନୀତି ଓ ଉପଦେଶସର୍ବସ୍ୱ ହୋଇପଡ଼େ । ସାହିତ୍ୟ ଯେ ଏକ ମନୋଜ୍ଞ କଳାକୃତି, ଏହାର ଯେ ଏକ କଳାତ୍ମକ ଦିଗ ଅଛି, ସେ ବିଷୟରେ ଏହି ପଦ୍ଧତି ଉପଯୁକ୍ତ ଗୁରୁତ୍ୱ ଦିଏ ନାହିଁ ।

୬.

ତୁଳନାତ୍ମକ ପଦ୍ଧତି:-

ଏହି ପଦ୍ଧତିର ସମର୍ଥକମାନଙ୍କ ମତରେ କବିଙ୍କ ରଚନାର ବୈଶିଷ୍ଟ୍ୟ ବା ମହତ୍ତ୍ୱ ଅନ୍ୟ କବିଙ୍କ ରଚନା ସହ ତୁଳନା ଦ୍ୱାରା ହିଁ ନିର୍ଣ୍ଣିତ ହୋଇ ପାରିବ, ଅଥବା ଏକ କବିଙ୍କ ଆଲୋଚ୍ୟ ଗ୍ରନ୍ଥକୁ ତାହାଙ୍କ ବିଭିନ୍ନ ରଚନା ସହ ତୁଳନା କଲେ ହେଁ ଉକ୍ତ ଗ୍ରନ୍ଥର ବୈଶିଷ୍ଟ୍ୟ ଦର୍ଶାଯାଇ ପାରିବ । ମାତ୍ର ଏହାର ସମ୍ପାଦନା ଅତୀବ କଠିନ ଓ ଜଟିଳ । କାରଣ ତୁଳନାଯୋଗ୍ୟ ବିଷୟ ନିର୍ବାଚନ କଷ୍ଟସାଧ୍ୟ ଓ ତାହା ସୂକ୍ଷ୍ମ ରସବୋଧ ଓ ବିଚାରସାପେକ୍ଷ । ଏତଦ୍‌ ବ୍ୟତୀତ ଦୁଇଟି ଗ୍ରନ୍ଥର କେତେକ ପଙ୍‌କ୍ତି ବା ଉପାଦାନର ତୁଳନା ସମଗ୍ର ରଚନାର ସୌନ୍ଦର୍ଯ୍ୟ-ପରିମାପକ ହେବା ସମ୍ଭବ ନୁହେ । ସେହିପରି ତୁଳନୀୟ ଗ୍ରନ୍ଥ ଦୁଇଟି ସର୍ବଦା ସମଭାବାପନ୍ନ ଅଥବା ସମଗୁଣ-ସମ୍ପନ୍ନ ମଧ୍ୟ ହୋଇ ନ ଥାଏ । ଏପରି କ୍ଷେତ୍ରରେ ଦୁଇଟି ଗ୍ରନ୍ଥର ତୁଳନା ଅଯୌକ୍ତିକ ହେବା ସ୍ୱାଭାବିକ ।

୭.

ପରିସଂଖ୍ୟାନ ପଦ୍ଧତି:-

ଏହି ପଦ୍ଧତି ଅନୁସାରେ ସାହିତ୍ୟିକ ରଚନାରେ ବ୍ୟବହୃତ ନିର୍ଦ୍ଦିଷ୍ଟ ଶବ୍ଦର ସଂଖ୍ୟା, ରଚନାର କାଳ ନିରୂପଣ ପ୍ରଭୃତି ଆନୁଷଙ୍ଗିକ ଓ ବାହ୍ୟ ବିଷୟକୁ ଆଶ୍ରୟ କରି ସାହିତ୍ୟର ମୂଲ୍ୟାଙ୍କନ ହୋଇଥାଏ । ରଚନାର ଭାବ ସମ୍ପଦ ଓ କଳାତ୍ମକ ବିଭାବର ଆଲୋଚନା ଏଥିରେ ସମୁଚିତ ଗୁରୁତ୍ୱ ଲାଭକରି ପାରୁ ନଥିବାରୁ ଏହି ଆଲୋଚନା ଅସଂପୂର୍ଣ୍ଣ ଓ ଏକଦେଶଦର୍ଶୀ ।

୮.

ବସ୍ତୁନିଷ୍ଠ ପଦ୍ଧତି:-

ଏହା ବ୍ୟାଖ୍ୟାତ୍ମକ ପଦ୍ଧତି ସଦୃଶ କେବଳ ଏକ ନିର୍ଦ୍ଦିଷ୍ଟ ଗ୍ରନ୍ଥର ଆଲୋଚନା । ଏଥିରେ ତୁଳନାତ୍ମକ, ଐତିହାସିକ, ମନସ୍ତାତ୍ତ୍ୱିକ ବା ବିଚାରାତ୍ମକ ପ୍ରକ୍ରିୟା ଅନୁସୃତ ହୋଇ ନ ଥାଏ । ଏଣୁ ଏହାକୁ ମଧ୍ୟ ଏକଦେଶଦର୍ଶୀ ଆଲୋଚନା ପର୍ଯ୍ୟାୟଭୁକ୍ତ କରାଯାଇପାରେ ।

୯.

ବ୍ୟାଖ୍ୟାତ୍ମକ ପଦ୍ଧତି:-

ଏହି ପଦ୍ଧତି ଅନୁଯାୟୀ ଆଲୋଚ୍ୟ ଗ୍ରନ୍ଥର ବିଷୟକୁ ସହଜ ଭାବରେ ଉପସ୍ଥାପନ କରାଯାଇ ତାହାର ସ୍ପଷ୍ଟୀକରଣ ଓ ବର୍ଗୀକରଣ ହୋଇଥାଏ । ମାତ୍ର ଏତଦ୍ୱାରା ରଚନାର ଉତ୍କର୍ଷ ଅପକର୍ଷ ନିର୍ଣ୍ଣୟ ବା ମୂଲ୍ୟ ନିର୍ଦ୍ଧାରଣ ଯଥାର୍ଥତଃ ହୋଇପାରେ ନାହିଁ ।

୧୦.

ବିଚାରାତ୍ମକ ପଦ୍ଧତି:-

ଏହି ପଦ୍ଧତି ଲେଖକର ସାହିତ୍ୟ କ୍ଷେତ୍ରରେ ସ୍ଥାନ ନିର୍ଣ୍ଣୟ ଉପରେ ହିଁ କେବଳ ଗୁରୁତ୍ୱ ଦେଇଥାଏ । ଏତଦ୍ୱାରା ସାହିତ୍ୟ କୃତିର ଅନ୍ୟାନ୍ୟ ଉପାଦାନ ସମ୍ପର୍କରେ ଆଲୋଚନା ହୋଇ ପାରୁ ନ ଥିବାରୁ ଏହି ପଦ୍ଧତିର ଅପୂର୍ଣ୍ଣତା ସ୍ୱୀକାର୍ଯ୍ୟ ।

୧୧.

ମାର୍କସବାଦୀ ବା ପ୍ରଗତିବାଦୀ –

ଏହି ଆଲୋଚନାତ୍ମକ ପଦ୍ଧତି ସମାଜବାଦୀ ବାସ୍ତବବାଦ ଉପରେ ପ୍ରତିଷ୍ଠିତ । କଥାଶିଳ୍ପୀ ମାକ୍‌ସିମ୍‌ ଗର୍କୀଙ୍କୁ ଏହାର ପ୍ରବର୍ତ୍ତକ ଭାବେ ଗ୍ରହଣ କରାଯାଏ । ଶ୍ରେଣୀ ସଂଘର୍ଷର ଚିତ୍ରଣ ହିଁ କଳାକାରର ଏକମାତ୍ର ଲକ୍ଷ୍ୟ ହେବା ଉଚିତ - ଯେଉଁ ସାହିତ୍ୟରେ ଏହା ସମ୍ପାଦିତ ହୋଇ ପାରି ନାହିଁ, ତାହା ନିକୃଷ୍ଟ ସାହିତ୍ୟ ଓ ତାହାର କୌଣସି ସାମାଜିକ ଉପାଦେୟତା ନାହିଁ - ଏହା ହିଁ ଏହି ପଦ୍ଧତି ସମର୍ଥକଙ୍କ ମତ । ମାତ୍ର ଏହାକୁ ସ୍ୱୀକାର କଲେ ପୃଥିବୀର ବହୁ ଶ୍ରେଷ୍ଠ କଳାକୃତି ଓ ସାହିତ୍ୟିକ ରଚନାର ମୂଲ୍ୟହାନି ଘଟିବ ।

 

ଆଧୁନିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସମାଲୋଚନା ସାହିତ୍ୟର ସମୁଚିତ ବିକାଶ ହୋଇପାରି ନାହିଁ । ଏଣୁ ପ୍ରତିଷ୍ଠାପନ୍ନ ସାହିତ୍ୟରେ ପରିଦୃଷ୍ଟ ହେଉଥିବା ବିବିଧ ସମାଲୋଚନା ପଦ୍ଧତିର ପରମ୍ପରା ଏଠାରେ ବିରଳ କୁହାଯାଇ ପାରେ । ବିଗତ ପ୍ରାୟ ଏକଶହ ବର୍ଷ ମଧ୍ୟରେ ସେ ଦିଗରେ ଯତ୍‌ସାମାନ୍ୟ ପ୍ରୟାସ ମାତ୍ର ହୋଇଅଛି । ଓଡ଼ିଶାର ପ୍ରାଚୀନ ଓ ମଧ୍ୟକାଳୀନ ସାହିତ୍ୟିକଗଣ ପାରମ୍ପରିକ ରୀତିରେ ନୂତନ ସୃଷ୍ଟିରେ ନିୟୋଜିତ ଥିଲେ ହେଁ ସାହିତ୍ୟର ସମାଲୋଚନା ସମ୍ପର୍କରେ ବୀତସ୍ପୃହ ଥିଲେ । ଅଷ୍ଟାଦଶ ଶତକରେ କବି ଉପେନ୍ଦ୍ରଭଞ୍ଜ ସାହିତ୍ୟରେ ରସ, ନାୟକ, ନାୟିକା ଲକ୍ଷଣ ପ୍ରଭୃତି ସମ୍ପର୍କରେ ପଦ୍ୟରେ ‘ରସ ପଞ୍ଚକ’ ନାମକ ଏକ ଗ୍ରନ୍ଥ ପ୍ରଣୟନ କରିଥିଲେ । ଏହାକୁ ଓଡ଼ିଆ ସାହିତ୍ୟର ପ୍ରଥମ ଅଳଙ୍କାର ଗ୍ରନ୍ଥ କୁହାଯାଇପାରେ । କେହି କେହି ୧୬ଶ ଶତାବ୍ଦୀର କବି ନରସିଂହ ସେଣଙ୍କ ‘ଢଗ ମୁକ୍ତାବଳୀ’କୁ ଓଡ଼ିଆ ସାହିତ୍ୟର ପ୍ରଥମ ଅଳଙ୍କାର ଗ୍ରନ୍ଥ ଭାବେ ଗ୍ରହଣ କରିଅଛନ୍ତି । ଏହି ଗ୍ରନ୍ଥରେ କବି ନାୟକ-ନାୟିକାଙ୍କ ବିଭିନ୍ନ ଲକ୍ଷଣ ଓ ପ୍ରକୃତି ସମ୍ପର୍କୀୟ ୧୭ଗୋଟି ପଞ୍ଚକ ବା ପାଞ୍ଚପଦବିଶିଷ୍ଟ କବିତା ସନ୍ନିବିଷ୍ଟ କରିଛନ୍ତି । ଗ୍ରନ୍ଥଟି ଏ ପର୍ଯ୍ୟନ୍ତ ଅପ୍ରକାଶିତ (୧) କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ମଧ୍ୟ ଓଡ଼ିଆ ଛନ୍ଦ ସମ୍ପର୍କରେ ଏକ ଗ୍ରନ୍ଥ ରଚନା କରିଥିବାର ପ୍ରମାଣ ମିଳିଅଛି । ମାତ୍ର ତାହା ମଧ୍ୟ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନାହିଁ ।

 

ଏହି ସମ୍ପର୍କରେ ଓଡ଼ିଶାରେ ପ୍ରଚଳିତ ‘ପାଲା’ ପ୍ରସଙ୍ଗ ସ୍ମରଣୀୟ । ପାଲାକାରମାନେ ପାଲା ପରିବେଷଣ ବେଳେ ପ୍ରାଚୀନ କାବ୍ୟ-କବିତାରୁ ରସ, ଅଳଙ୍କାର, ବର୍ଣ୍ଣନା କୁଶଳତାମୂଳକ କେତେକ ନିର୍ବାଚିତ ଅଂଶ ଦୃଷ୍ଟାନ୍ତ ସ୍ୱରୂପ ଓ ତୁଳନାତ୍ମକ ରୂପେ ଉପସ୍ଥାପନ କରିଥାଆନ୍ତି । ମାତ୍ର ସାହିତ୍ୟିକ ରଚନାର ମୂଲ୍ୟାଙ୍କନ ସେମାନଙ୍କର ଲକ୍ଷ୍ୟ ହୋଇନଥାଏ । ଯାହାହେଉ ଏହି ପାଲା ମାଧ୍ୟମରେ ସାହିତ୍ୟର ଯତ୍‌ସାମାନ୍ୟ ବ୍ୟାଖ୍ୟାତ୍ମକ ଆଲୋଚନାର ଏକ ମୌଖିକ ପରମ୍ପରା, ଇଂରାଜୀ ସାହିତ୍ୟ ସମାଲୋଚନା ପଦ୍ଧତି ପ୍ରବର୍ତ୍ତିତ ହେବା ପୂର୍ବରୁ, ପ୍ରଚଳିତ ଥିଲା ।

 

ବିଗତ ଶତାବ୍ଦୀର ଶେଷ ପାଦରେ ହିଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସମାଲୋଚନାର ସୂତ୍ରପାତ ହୋଇଅଛି । ସର୍ବାଦୌ ନବ ପ୍ରକାଶିତ ପୁସ୍ତକର ପରିଚୟାତ୍ମକ ବିବରଣୀ ପ୍ରଦାନ ରୂପରେ ସମ୍ବାଦପତ୍ର ମାଧ୍ୟମରେ ଏହା ଅଭିବ୍ୟକ୍ତି ଲାଭ କରିଥିଲା । ପରର୍ବତ୍ତୀ କାଳରେ ନୂତନ ରୀତିରେ ଲିଖିତ ରାଧାନାଥଙ୍କ କାବ୍ୟ ଓ ଭଞ୍ଜୀୟ କାବ୍ୟର ଉତ୍‌କର୍ଷ-ଅପକର୍ଷ ନିର୍ଣ୍ଣୟ ଲାଗି ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ନାମକ ଦୁଇଟି ପତ୍ରିକା ମାଧ୍ୟମରେ କେତେକ ଲେଖକ ସାହିତ୍ୟ ଆଲୋଚନାରେ ବ୍ରତୀ ହୋଇଥିଲେ । ସେତେବେଳେ କେହି କେହି ପଦ୍ୟାକାରରେ ମଧ୍ୟ ସାହିତ୍ୟଲୋଚନା ଲେଖୁଥିଲେ । ଦୃଷ୍ଟାନ୍ତ ସ୍ୱରୂପ ଏଠାରେ ‘ଶ୍ରୀ ସାରଳା ଦାସ’ଙ୍କ ‘ମହାଯାତ୍ରା’ ସମ୍ପର୍କୀୟ ପଦ୍ୟାଲୋଚନାରୁ କିୟଦଂଶ ଏଠାରେ ଉଦ୍ଧାର କରାଗଲା (୨) ।

 

‘‘କାଳଦର୍ପହାରୀ ଦେବ ଦୀନବନ୍ଧୁ’ ବୋଲି

ପୁଣି କବି ଭାଷିଛନ୍ତି ଯୁଧିଷ୍ଠିର ମୁଖେ

ସୁଭଦ୍ରା ସମୀପେ ପରୀକ୍ଷିତଙ୍କୁ ଅନାଇଁ

ଏ ବଡ଼ ସଂଶୟ କଥା, ଜିଜ୍ଞାସ୍ୟ କବିଙ୍କି

କିଏ ବଡ଼ ଦୀନବନ୍ଧୁ, କାଳ ବେନି ମଧ୍ୟେଁ ?

ଦୀନବନ୍ଧୁ ଅନୁମତି ବିନା କାହାରିକି

କାଳ କି ନିଅଇ କେବେ ପାଶରେ ଓଟାରି !

କାଳର କି ଦର୍ପ ଅଛି ? ସେ ଦର୍ପ-ଗଞ୍ଜନ

ଅଟନ୍ତି କି ଦୀନବନ୍ଧୁ ? କେମନ୍ତ ପ୍ରକାରେ

ଦର୍ପହାରୀ ହେଲେ ଦେବ ସେ ଦୁଷ୍ଟମତିର ?’’

 

୧.

ଆଳଙ୍କାରିକ ନରସିଂହ ସେଣ- ‘ପ୍ରାଚୀନ’ ୨ୟ ସଂଖ୍ୟା

 

 

୨.

ମହାଯାତ୍ରା ସମାଲୋଚନା (ପୃ ୨୨) - ଶ୍ରୀ ସାରଳା ଦାସ । ବାଲେଶ୍ୱର, ୧୮୯୭ ଏହାର ଉତ୍ସର୍ଗ ପତ୍ରରେ ଲେଖାଥିଲା - ‘‘ଆପଣମାନେ ଶ୍ରୀ ବାବୁ ରାଧାନାଥ ରାୟଙ୍କ ବିରଚିତ ମହାଯାତ୍ରାର ପ୍ରଥମ ଖଣ୍ଡ ଆମୂଳ ପାଠକରି ଅଛନ୍ତି । ତାହାର ବିଶଦ ଆଲୋଚନା ଏପର୍ଯ୍ୟନ୍ତ କେହି ଉତ୍କଳବାସୀ କରିନଥିବାରୁ ମୁଁ X X ଅମିତ୍ରାକ୍ଷର ଛନ୍ଦରେ ମହାଯାତ୍ରାର ସମାଲୋଚନା ପୁସ୍ତକକାରରେ ପ୍ରକାଶ କଲି ।

 

ଓଡ଼ିଆ ସାହିତ୍ୟ ସମାଲୋଚନାର ଇତିବୃତ୍ତ ମାତ୍ର ଅର୍ଦ୍ଧଶତାବ୍ଦୀରୁ କିଞ୍ଚିତ ଅଧିକ । ଆଲୋଚନାର ସୁବିଧା ଦୃଷ୍ଟିରୁ ଏହାକୁ ତିନିଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇ ପାରେ । ଖ୍ରୀ ୧୮୯୦ରୁ ୧୯୨୦ ପର୍ଯ୍ୟନ୍ତ ସମୟକୁ ଏହାର ପ୍ରଥମ ପର୍ଯ୍ୟାୟ ଭାବେ ଗ୍ରହଣ କରାଯାଇ ପାରେ-। ଏହି ସମୟର ଆଲୋଚକମାନେ ମୁଖ୍ୟତଃ ଓଡ଼ିଶାର ପ୍ରାଚୀନ କବି, ଛନ୍ଦ, ସାହିତ୍ୟ ଇତିହାସ ସଂକଳନ, ଭାଷାତତ୍ତ୍ୱ ସମ୍ପର୍କୀୟ ଆଲୋଚନାରେ ମନୋନିବେଶ କରିଥିଲେ । ଏହି ସମୟର ଆଲୋଚକମାନଙ୍କ ମଧ୍ୟରୁ ଶ୍ୟାମସୁନ୍ଦର ରାଜଗୁରୁଙ୍କ ନାମ ସର୍ବାଦୌ ଉଲ୍ଲେଖନୀୟ ।

 

ତାହାଙ୍କ ‘ପ୍ରବନ୍ଧାବଳୀ’ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ବିଧିବଦ୍ଧ ଆଲୋଚନା ଗ୍ରନ୍ଥ ଭାବେ ସ୍ମରଣୀୟ । ଏତଦ୍‌ବ୍ୟତୀତ ଗୋପୀନାଥ ନନ୍ଦ ଶର୍ମା (୧୮୮୬-୧୯୨୭) ତାରିଣୀ ଚରଣ ରଥ, ମୃତ୍ୟୁଞ୍ଜୟ ରଥ (୧୮୮୨-୧୯୨୪) ବାସୁଦେବ ସୁଢ଼ଳ ଦେବ, ବ୍ରଜବନ୍ଧୁ ଦେବ ଶର୍ମା, ଅପନ୍ନା ପଣ୍ଡା ପ୍ରଭୃତି ଏହି ପର୍ଯ୍ୟାୟର ଅନ୍ୟାନ୍ୟ ଆଲୋଚକଗଣ ଓଡ଼ିଶାର ପ୍ରାଚୀନ ଓ ମଧ୍ୟକାଳୀନ କବି, ପୁରାଣକାରମାନଙ୍କ ଜୀବନ ଓ କୃତି ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଛନ୍ଦ, ଭାଷାତତ୍ତ୍ୱ ଓ ସାହିତ୍ୟ ଇତିହାସ ସଂକଳନ ଲାଗି ପ୍ରଶଂସନୀୟ ଉଦ୍ୟମ କରିଥିଲେ ।

 

ଓଡ଼ିଆ ଛନ୍ଦ ସମ୍ପର୍କରେ ଶ୍ୟାମସୁନ୍ଦର ରାଜଗୁରୁ ସର୍ବପ୍ରଥମେ ଆଲୋଚନା କରିଥିଲେ । ଅନ୍ୟାନ୍ୟ କବିମାନଙ୍କ ସମ୍ପର୍କୀୟ ତାହାଙ୍କ ଆଲୋଚନା ମୁଖ୍ୟତଃ ବ୍ୟାଖ୍ୟାତ୍ମକ ଓ ବସ୍ତୁନିଷ୍ଠ । ଓଡ଼ିଆ ଭାଷାତତ୍ତ୍ୱ ଓ ସାରଳା ସାହିତ୍ୟର ଆଦି ଆଲୋଚକ ଭାବେ ଗୋପୀନାଥ ନନ୍ଦ ଶର୍ମା ଚିର ସ୍ମରଣୀୟ-। ତାହାଙ୍କ ଭାଷାତାତ୍ତ୍ୱିକ ଆଲୋଚନା ବର୍ଣ୍ଣନାତ୍ମକ ହେଲେହେଁ ଏହା ତାହାଙ୍କ ଗଭୀର ପାଣ୍ଡିତ୍ୟ, ଅଧ୍ୟବସାୟ ଓ ମନନଶୀଳତାର ପରିଚାୟକ । ସାରଳା ଦାସଙ୍କ ସମ୍ପର୍କୀୟ ଆଲୋଚନାରୁ ତାହାଙ୍କ ବୈଜ୍ଞାନିକ ବିଶ୍ଳେଷଣ ଚାତୁର୍ଯ୍ୟ ଓ ସୂକ୍ଷ୍ମ ବିଚାରବୋଧର ପରିଚୟ ମିଳେ । ମାତ୍ର ତାହାଙ୍କ ଆଲୋଚନାର ଭାଷା ଅତୀବ ପାଣ୍ଡିତ୍ୟପୂର୍ଣ୍ଣ, କ୍ଲିଷ୍ଟ ଓ ଜଟିଳ । ପ୍ରସଙ୍ଗକ୍ରମେ ଏଠାରେ ତାହାର ଏକ ଉଦାହରଣ ଦିଆଯାଇ ପାରେ - ‘‘ବେଦାଚାର୍ଯ୍ୟ ଆର୍ଯ୍ୟବର୍ଯ୍ୟ ପାରାଶର୍ଯ୍ୟ ଋକ୍‌, ଯଦୁଃ, ସାମ ଓ ଅଥର୍ବ ନାମକ ଆର୍ଯ୍ୟ, ସର୍ବସ୍ୱଭୂତ ବେଦ ଭାଗକୁ ଯଥାକ୍ରମେ ଧନଳ୍ପପ୍ରଜ୍ଞ ସମସ୍ତ ଶାସ୍ତ୍ରରେ ତ୍ୟଗୋନ୍ନୁଖ ମନୀଷ ପୈଳ, ବେଶମ୍ପାୟନ, ଜେମିନି ଓ ସୁମନ୍ତ ନାମକ ଶିଷ୍ୟମାନଙ୍କୁ ପ୍ରଦାନ କଲାପରେ ବିଚାର କଲେ ଯେ, ବେଦର ଅନଧିକାରୀ ଓ ଅନୁପଯୁକ୍ତ ଦ୍ୱିଜେତରମାନଙ୍କର ଉପଯୋଗାର୍ଥ ଅଥଚ ଦ୍ୱିଜାତିମାନଙ୍କର ବେଦାର୍ଥ ବିବରଣ ଜ୍ଞାନର ସୌଗମାର୍ଥ ଏବଂ ସର୍ବଜନ ସାଧାରଣଙ୍କର ନିର୍ବିଶେଷ ଐହିକା ମୁଷ୍କିକ ଧର୍ମ ବିଚାରରେ ସମର୍ଥତା ପ୍ରତିପାଦନାର୍ଥ ବେଦାର୍ଥ ବୃହତ ଗୋଟିଏ ଗ୍ରନ୍ଥ ରଚନା କରିବୁ ।’’

 

ଶ୍ରୀ ଭାରତ ଦର୍ପଣ - ପୃ ୨୮୯-୯୦

(ପ୍ର. ପ୍ର. ୧୯୨୮)

 

ସୁଢ଼ଳ ଦେବ ଓ ବ୍ରଜବନ୍ଧୁ ଦେବଶର୍ମା (ଉପଧା ବିଚାର, ଉପଧା ଅନିଷ୍ଟ ଚିନ୍ତା ଓଡ଼ିଆ ଛନ୍ଦ ସମ୍ପର୍କରେ ଏବଂ ତାରିଣୀ ଚରଣ ରଥ ଓ ଅପନ୍ନା ପଣ୍ଡା (କବି ଜୀବନୀ) ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣୟନରେ ସର୍ବାଦୌ ମନୋନିବେଶ କରିଥିଲେ ।

 

ଓଡ଼ିଆ ସମାଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ୧୯୨୦ରୁ ୧୯୫୦ ମଧ୍ୟରେ ଯେଉଁମାନଙ୍କ ଦାନରେ ବିଭିନ୍ନ ବିଭାବରେ ସମୃଦ୍ଧ ହୋଇଥିଲା, ସେମାନଙ୍କ ମଧ୍ୟରୁ ବିଶ୍ୱନାଥ କର, ଆର୍ତ୍ତବଲ୍ଲଭ ମହାନ୍ତି, ବିନାୟକ ମିଶ୍ର, ନୀଳକଣ୍ଠ ଦାସ, ଗିରିଜା ଶଙ୍କର ରାୟ, ମାୟାଧର ମାନସିଂହ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟର ବିବିଧ ପଦ୍ଧତି ଅନୁସରଣରେ ଏହି ସମୟ ମଧ୍ୟରେ ଓଡ଼ିଆ ସମାଲୋଚନା ସାହିତ୍ୟ ଅଧିକ ବିକାଶଲାଭ କରିଥିଲା ଓ ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ ସମ୍ବଳିତ କେତେକ ଗ୍ରନ୍ଥ ଓ ରଚନା ପ୍ରକାଶ ପାଇଥିଲା । ଇତିହାସ, ସମାଜ, ସଂସ୍କୃତି ଓ ଧର୍ମଧାରାକୁ ଭିତ୍ତି କରି ନୂତନ ସମାଲୋଚନାରୀତି ମଧ୍ୟ ଏହି ସମୟରେ ପ୍ରବର୍ତ୍ତିତ ହୋଇଥିଲା । ତୁଳନାତ୍ମକ ଆଲୋଚନା ପଦ୍ଧତିର ପ୍ରୟୋଗ ଏହି ସମୟର ଅନ୍ୟତମ କୃତିତ୍ୱ ।

 

ଓଡ଼ିଆ ସାହିତ୍ୟ ଆଲୋଚନା କ୍ଷେତ୍ରରେ ଏହି ସମୟର ଅନ୍ୟତମ ମହତ୍ୱପୂର୍ଣ୍ଣ ଘଟଣା ହେଉଛି ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଉଦ୍ୟମରେ ‘ପ୍ରାଚୀ ସମିତି’ର ପ୍ରତିଷ୍ଠା । ତାଳପତ୍ର ପୋଥିରେ ଲିଖିତ ପ୍ରାଚୀନ ସାହିତ୍ୟର ଲୁପ୍ତୋନ୍ମୁଖୀ ଗ୍ରନ୍ଥର ପୁନରୁଦ୍ଧାର, ତାହାର ଶୁଦ୍ଧପାଠ ପ୍ରସ୍ତୁତି, କବି ଓ କାବ୍ୟ ସମ୍ପର୍କୀୟ ଆଲୋଚନା ଥିଲା ଏହାର ଲକ୍ଷ୍ୟ ।

 

ଏହି ସମିତି ଆନୁକୂଲ୍ୟରେ ପ୍ରାଚୀନ ଓ ମଧ୍ୟକାଳୀନ ବହୁ ଅଜ୍ଞାତ କବି ଏବଂ ସେମାନଙ୍କ କୃତି ଲୋକଲୋଚନକୁ ଆସିପାରିଥିଲା, ଓ ସେମାନଙ୍କ କୃତିର ସାହିତ୍ୟିକ ମୂଲ୍ୟାଙ୍କନ ହେବା ସମ୍ଭବ ହୋଇଥିଲା । କହିବା ଅନାବଶ୍ୟକ, ଏହା ଫଳରେ ଓଡ଼ିଆ ସାହିତ୍ୟର ଗବେଷଣା ପଥ ପ୍ରଶସ୍ତ ହୋଇପାରିଥିଲା ।

 

କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଉଚ୍ଚତମ ଶିକ୍ଷା ପାଇଁ (ଏମ. ଏ.) ଓଡ଼ିଆ ବିଭାଗ ଖୋଲିବା ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟ ଅଧ୍ୟୟନ ପ୍ରୋତ୍ସାହିତ ହୋଇଥିଲା । ବିନାୟକ ମିଶ୍ରଙ୍କ ‘ଓଡ଼ିଆ ଭାଷାର ଇତିହାସ’ ଓ ‘ଓଡ଼ିଆ ସାହିତ୍ୟର ଇତିହାସ’ ଏହାର ଫଳଶ୍ରୁତି । ପାଶ୍ଚାତ୍ୟ ସାହିତ୍ୟତତ୍ତ୍ୱ ଏବଂ ତାହାକୁ ଭିତ୍ତିକରି ଉପାଦେୟ ଆଲୋଚନା-ଗ୍ରନ୍ଥରଚୟିତା ଭାବେ ଗିରିଜାଶଙ୍କର ରାୟଙ୍କ କୃତିତ୍ୱ ଉଲ୍ଲେଖଯୋଗ୍ୟ । ତାହାଙ୍କ ରଚନା ବିଚାର, ଓଡ଼ିଆ ନାଟକ, ସରଳ ଭାଷାତତ୍ତ୍ୱ ପ୍ରଭୃତି ଗ୍ରନ୍ଥର ଉପାଦେୟତା ଅନସ୍ୱୀକାର୍ଯ୍ୟ । ଏହି ପରମ୍ପରା କ୍ରମରେ କାଳିନ୍ଦୀଚରଣ ‘ସାହିତ୍ୟିକା’, ‘ଭକ୍ତକବି ମଧୁସୂଦନ’ ଓ ମାୟାଧର ମାନସିଂହ (୧୯୦୬-୧୯୭୩) ‘କବି ଓ କବିତା’, ‘ଓଡ଼ିଆ ସାହିତ୍ୟର ଇତିହାସ’ ରଚନା କରିଥିଲେ ।

 

ଏ ଯୁଗର ଅନନ୍ୟ ବିଶିଷ୍ଟ ଆଲୋଚକ ଭାବେ ନୀଳକଣ୍ଠ ଦାସ ସ୍ୱନାମଧନ୍ୟ । ଇତିହାସ, ସମାଜ, ସଂସ୍କୃତି ଓ ଧର୍ମ ଭିତ୍ତିକ ସାହିତ୍ୟାଲୋଚନା ତାହାଙ୍କ ରଚନାର ବୈଶିଷ୍ଟ୍ୟ । ପୂର୍ଣ୍ଣାଙ୍ଗ ନ ହୋଇ ଥିଲେହେଁ ଓଡ଼ିଆ ସାହିତ୍ୟର ଏକ ବୃହତ୍‌ ଇତିହାସ ସଂକଳୟିତା ଭାବେ ସୂର୍ଯ୍ୟନାରାୟଣ ଦାସଙ୍କ କୃତିତ୍ୱ ମଧ୍ୟ ପ୍ରଶଂସନୀୟ ।

 

ସ୍ୱାଧୀନତା ପରର୍ବତ୍ତୀ ତ୍ରିଦଶକକୁ (୧୯୫୦-୮୦) ଓଡ଼ିଆ ସାହିତ୍ୟ ସମାଲୋଚନାର ସମୃଦ୍ଧିର ଯୁଗ କୁହାଯାଇ ପାରେ । କଲେଜରେ ବାଧ୍ୟତାମୂଳକ ବିଷୟ ଭାବେ ଓଡ଼ିଆ ସାହିତ୍ୟ ପଠିତ ହେବା ଫଳରେ ଓ ଶାନ୍ତିନିକେତନ ଏବଂ ଓଡ଼ିଶାର ତିନିଗୋଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ବିଭାଗ ଖୋଲିବା ଫଳରେ ଓଡ଼ିଆ ସାହିତ୍ୟ ଅନୁଶୀଳନ ଓ ଗବେଷଣାର ମାର୍ଗ ପ୍ରଶସ୍ତ ହୋଇଅଛି ।

 

ବହୁ ଓଡ଼ିଆ ଅଧ୍ୟାପକ ଓଡ଼ିଆ ଲିପି, ଭାଷା, ଧ୍ୱନିତତ୍ତ୍ୱ, ଭାଷାତତ୍ତ୍ୱ, ଲୋକ-ସାହିତ୍ୟ, ଗୀତକାବ୍ୟ, ନାଟକ, ଉପନ୍ୟାସ, ସାରଳା ସାହିତ୍ୟ, ଭଞ୍ଜ ସାହିତ୍ୟ, ପଞ୍ଚସଖା ସାହିତ୍ୟ ଆଧୁନିକ ସାହିତ୍ୟ ପ୍ରଭୃତି ବିଭିନ୍ନ ବିଭାବରେ ଗବେଷଣା କରି ସଫଳତା ଅର୍ଜନ କରିଅଛନ୍ତି ଓ ସେମାନଙ୍କ ରଚନା ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରକୁ ସମୃଦ୍ଧ କରିଅଛି । ଏହି ଆଲୋଚକମାନଙ୍କ ମଧ୍ୟରୁ ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, କୁଞ୍ଜବିହାରୀ ଦାଶ, ଗୋଲକ ବିହାରୀ ଧଳ, ନଟବର ସାମନ୍ତରାୟ, ଗୌରୀକୁମାର ବ୍ରହ୍ମା, ବେଣୀ ମାଧବ ପାଢ଼ୀ, ଡଃ କାହ୍ନୁଚରଣ ମିଶ୍ର, ସର୍ବେଶ୍ୱର ଦାସ, ଜାନକୀ ବଲ୍ଲଭ ମହାନ୍ତି, ବଂଶୀଧର ମହାନ୍ତି, ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା, ଶ୍ରୀନିବାସ ମିଶ୍ର, ଚିନ୍ତାମଣି ବେହେରା, ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ଏତଦ୍‌ ବ୍ୟତୀତ ପ୍ରଗତିବାଦୀ ପଦ୍ଧତିର ଆଲୋଚକ ଭାବେ ସଚ୍ଚିଦାନନ୍ଦ ରାଉତରାୟ, ପ୍ରାଣନାଥ ପଟ୍ଟନାୟକଙ୍କ ସାହିତ୍ୟାଲୋଚନାର ବୈଶିଷ୍ଟ୍ୟ ଏବଂ ନୂତନ ଦୃଷ୍ଟିଭଙ୍ଗୀ ଓ ବିଚାରଧାରାର ପ୍ରୟୋଗକାରୀ ଭାବେ ସୁରେନ୍ଦ୍ର ମହାନ୍ତି ଓ ଚିତ୍ତରଞ୍ଜନ ଦାସଙ୍କ ଆଲୋଚନାର ସ୍ୱାତନ୍ତ୍ର୍ୟ ମଧ୍ୟ ସ୍ୱୀକାର୍ଯ୍ୟ । ସଂପ୍ରତି ବହୁ ସୁଲେଖକ ସମାଲୋଚନା ରଚନାରେ ଆତ୍ମନିୟୋଗ କରି ଅଛନ୍ତି ଓ ସାହିତ୍ୟ ଆଲୋଚନା ନୂତନ ବିଭାବରେ ସମୃଦ୍ଧି ଲାଭ କରୁଅଛି । ତଥାପି ସମାଲୋଚନା ଯେ ନୂତନ ସୃଷ୍ଟିର ଅପେକ୍ଷା ରଖେ, ଏକଥା ଆମକୁ ସର୍ବଦା ସ୍ମରଣ କରିବାକୁ ହେବ ।

ଜୟଦେବ ନଗର

ଭୁବନେଶ୍ୱର-୨

***

 

କାମସ୍ତଦଗ୍ରେ ସମବର୍ତ୍ତତେ

ଶ୍ରୀ ବିନୋଦ ରାଉତରାୟ

 

ଭାରତର ପ୍ରାଚୀନତମ ଓ ପବିତ୍ରତମ ଗ୍ରନ୍ଥ ହେଉଛି ବେଦ । ପ୍ରଥମେ ଏହାକୁ ଶୁଣି ଶୁଣି ମନେ ରଖୁଥିବାରୁ ଏହାର ନାମ ଥିଲା ଶ୍ରୁତି । ଶ୍ରୁତି କିମ୍ବା ବେଦ କେବଳ ଧର୍ମଶାସ୍ତ୍ର ନୁହେଁ; ଏହା ସାହିତ୍ୟ ମଧ୍ୟ । ବୈଦିକ ଯୁଗରେ ବେଦ କିମ୍ବା ଉପନିଷଦ୍‌ ଭିନ୍ନ ଅନ୍ୟ ସାହିତ୍ୟ ଗ୍ରନ୍ଥ ନଥିଲା । କିନ୍ତୁ ଏହି ବୈଦିକ ଯୁଗର ପୂର୍ବରୁ, ଅର୍ଥାତ୍‌ ଅଥର୍ବ ବେଦ ଓ ବୃହଦାରଣ୍ୟକ ଉପନିଷଦ୍‌ ଆଦି ପ୍ରଣୀତ ହେବା ପୂର୍ବରୁ ଭାରତୀୟମାନଙ୍କର ବିଶ୍ୱାସ ଥିଲା ଯେ ପ୍ରକୃତି ଓ ପୁରୁଷର ମିଳନ ଦ୍ୱାରା ଏହି ନିଖିଳ ବ୍ରହ୍ମାଣ୍ଡର ସୃଷ୍ଟି । ଋଗ୍‍ବେଦରେ ଦ୍ୟାବ୍ୟା-ପୃଥିବୀର ବନ୍ଦନା ଗାନ କରାଯାଇଛି । ଦ୍ୟାବ୍ୟା-ପୃଥିବୀର ମିଳନକୁ ଆନନ୍ଦର ଉତ୍ସ, କର୍ମର ପ୍ରତୀକ ଓ ସୃଷ୍ଟିର ପ୍ରେରଣା ରୂପେ ପୂଜା କରାଯାଇଛି । ବୃହଦାରଣ୍ୟକର କବି ଏହି ଆଦି ମିଳନର ପ୍ରତିଚ୍ଛବି ଦେଖିଛନ୍ତି ନରନାରୀଙ୍କର ମିଳନ ମାଧୁରୀ ମଧ୍ୟରେ । ଉପନିଷଦ୍‌କାର ଋଷିପୁତ୍ର ମଧ୍ୟ କହିଛନ୍ତି ଯେ ମିଳନ ହିଁ ହେଉଛି ଶ୍ରେଷ୍ଠବୋଧ ବା ସର୍ବଶ୍ରେଷ୍ଠ ଅନୁଭୂତି । ଏହି ମିଳନ ଦ୍ୱାରା ଆତ୍ମାର ଘଟିଥାଏ ବ୍ରହ୍ମୋପଲବ୍‌ଧି । ଗୀତାରେ ମହାତ୍ମା ଶ୍ରୀକୃଷ୍ଣ କହିଛନ୍ତି ଯେ, ମୁଁ କନ୍ଦର୍ପ ପୁରୁଷ । ମୁଁ ପ୍ରକୃତିର ଗର୍ଭକୋଷରେ ନୂତନ ଜୀବନ ସଞ୍ଚାର କରାଏ - ‘‘ପ୍ରଜନଚାସ୍ମି କନ୍ଦର୍ପଃ !’’ ଏଣୁ ବୈଦିକ ପରବର୍ତ୍ତୀ ଯୁଗରେ ମହାଭାରତର ମଧ୍ୟମ ପାଣ୍ଡବ ସ୍ମରଣ କରାଇ ଦେଇଛନ୍ତି ଯେ କାମହିଁ ହେଉଛି ସୃଷ୍ଟିର ଶ୍ରେଷ୍ଠତମ କର୍ମ । କାମନାର ପରିତୃପ୍ତି ହିଁ ପୁରୁଷାର୍ଥର ପରିତୃପ୍ତି । କାମନାର ବ୍ୟର୍ଥତା ହିଁ ସମସ୍ତ ପ୍ରକାର ବେଦନାର ହେତୁ । କାମରୁ ନିଃସୃତ ହୋଇଛି ଆଦିକାବ୍ୟ ରାମାୟଣର ଉତ୍ସ । କାମମୋହିତ କ୍ରୌଞ୍ଚବଧୂର ବିରହ ବିଲାପ ବେଦନାପୁତ କରି ରଖିଛି ଆଦିକବି ମହର୍ଷି ବାଲ୍ମିକୀଙ୍କର ଅନ୍ତରକୁ । ସେଠାକୁ ଝରି ଝରି ଆସିଛି ଅନୁପମ ମହାକାବ୍ୟର ଉତ୍ସ । ପରର୍ବତ୍ତୀ କାଳରେ ଭାରତୀୟ ମନିଷୀମାନେ କାମଶାସ୍ତ୍ର ପ୍ରଣୟନ କରିଛନ୍ତି, ଯାହା ନିର୍ବିବାଦୀୟ ବିଷୟ ସମ୍ବଳିତ ଓଜନର ଗ୍ରନ୍ଥ ହୋଇଛି । ପ୍ରାଚୀନ କାବ୍ୟାବଳୀରେ ମହାକବି କାଳିଦାସ, ଭବଭୂତି, ଅମରୁ, ଭର୍ତ୍ତୃହରି ପ୍ରଭୃତି ବିଷଦ ଭାବରେ ଆନନ୍ଦ-ପୁଲକ-ଭରା କାମଶାସ୍ତ୍ରର ଆଲୋଚନା କରିଛନ୍ତି ଶବ୍ଦ ଓ ଉଚ୍ଚାରଣ ପଟୁତା ମଧ୍ୟରେ ଯାହା ଯଥାର୍ଥରେ ସ୍ୱାଦ୍ୟ ଓ ଅଭିନ୍ଦନୀୟ । ସୁତରାଂ ଭାରତର ବୈଦିକ ସାହିତ୍ୟ, ପୌରାଣିକ ସାହିତ୍ୟ, ଚିରନ୍ତନ ସଂସ୍କୃତ ସାହିତ୍ୟ ପ୍ରଭୃତିରେ ନରନାରୀମାନଙ୍କର ଯୌନାଙ୍ଗ ଓ ଯୌନକ୍ରିୟା ସମ୍ବନ୍ଧୀୟ ବର୍ଣ୍ଣନାର ନିରବଚ୍ଛିନ୍ନ ଓ ସାଗ୍ରହ ପରିବେଷଣ ଘଟିଛି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ । କାରଣ, ଏହା ଗୋପନୀୟ ନୁହେଁ । ପ୍ରାଚୀନ ଧର୍ମଗ୍ରନ୍ଥ, ସମାଜ ବ୍ୟବସ୍ଥା, ସାହିତ୍ୟ, ଶିଳ୍ପ ଓ ସଂସ୍କୃତିରେ ନର-ନାରୀର ଦୈହିକ ଆକର୍ଷଣ ଓ ସଂସର୍ଗ ସମ୍ପର୍କରେ ଅନେକ ପରିମାଣରେ ସ୍ପଷ୍ଟ ଓ ଲଜ୍ଜାତୀତ ସଂକେତ ବିଦ୍ୟମାନ ।

 

ତଟସ୍ଥ ଓ ନିରପେକ୍ଷ ଦୃଷ୍ଟିରେ ବିଚାର କଲେ ଦୈହିକ କାମନା ପ୍ରତ୍ୟେକ ପ୍ରାଣୀର ଅଛି । ଏଣୁ ମଣିଷର ମଧ୍ୟ ଅଛି । ସବୁ ଅନୁଭୂତି ଭଳି ଯୌନ ଅନୁଭୂତି ଗୋଟିଏ । ଏଣୁ ନରନାରୀଙ୍କର ଯୌନ-ଜୀବନ ଓ ମିଳନ-କାମନା ବହୁଳାଂଶରେ ଭ୍ରମଣଶୀଳ ବା ଆନ୍ତର୍ଜାତିକ । ଡକ୍‌ଟର ମାଲିନୋସ୍କି (Dr. Malinowski)ଙ୍କର ବର୍ଣ୍ଣନାନୁସାରେ ଜଣାଯାଏ ଯେ ଟ୍ରୋବ୍ରିୟାଣ୍ଡ ଉପଦ୍ୱୀପର ଅଧିବାସୀମାନେ ଉତ୍ସବ ଇତ୍ୟାଦିରେ ମିଳିତ ଭାବେ ଯୌନକ୍ରିୟା ସମ୍ପନ୍ନ କରନ୍ତି । ଡକଟର ଫ୍ରିଚ (Dr. Frich) ମଧ୍ୟ ବର୍ଣ୍ଣନା କରିଛନ୍ତି ଯେ ନାମସ୍ ନାମକ ଏକ ଜାତି ମୈଥୁନକୁ ପୁଣ୍ୟକର୍ମ ମଧ୍ୟରେ ଗ୍ରହଣ କରିଛନ୍ତି । ପ୍ରାଚୀନ ବ୍ୟାବିଲୋନିୟାର ପ୍ରତ୍ୟେକ ନାରୀ ନିଜର ଜୀବଦ୍ଦଶାରେ କାମଦେବଙ୍କ ମନ୍ଦିରକୁ ଯାଇଁ (Temple of Aphrodite) ପୂଜା ଅର୍ପଣ ପରେ ଜଣେ ଅପରିଚିତ ବ୍ୟକ୍ତି ସହିତ ଥରେ ମାତ୍ର ମୈଥୁନକ୍ରିୟା ସମ୍ପନ୍ନ କରିବା ଏକାନ୍ତ ଆବଶ୍ୟକ-। ଏହି ବ୍ୟକ୍ତି ତାହାଙ୍କର ସ୍ୱାମୀ ଭିନ୍ନ ଅନ୍ୟ ଯେକୌଣସି ଜଣେ ପୁରୁଷକୁ ବୁଝାଉଥିଲା । ଆମ ଦେଶରେ ନାଗକନ୍ୟା ଚିତ୍ରାଙ୍ଗଦା ମଦନ ଦେବତାଙ୍କୁ ପୂଜା କରି ବୀରଶ୍ରେଷ୍ଠ ଅର୍ଜ୍ଜୁନଙ୍କୁ ପତି ରୂପେ ଲାଭ କରିଥିବା କାହାଣୀ ପୁରାଣରେ ବର୍ଣ୍ଣିତ ହୋଇଛି । ଆମ ଦେଶରେ କନ୍ୟା ପ୍ରଥମେ ପୁଷ୍ପିତା ହେଲା ପରେ ଯେଉଁ ଉତ୍ସବ ପାଳନ କରାଯାଏ କିମ୍ବା ପିଲା ଜନ୍ମ ହେଲାପରେ ଷଷ୍ଠଦିନ କଉଡ଼ି ଦ୍ୱାରା କାନ୍ଥରେ ଯେଉଁ ଷଷ୍ଠୀଘର ନିର୍ମାଣ କରାଯାଏ ଓ ତାହା ନିକଟରେ ପୂଜା ଦିଆଯାଏ, ତାହା ପ୍ରାଚୀନ ପ୍ରଜନନତନ୍ତ୍ର ଆଚାରର (Fertility cult) ଅନ୍ତର୍ଗତ । ଏଣୁ ନରନାରୀମାନଙ୍କର ବିହଳ ମିଥୁନା ଶକ୍ତିର ଗଭୀରତମ ରହସ୍ୟକୁ ସଂଭ୍ରମର ସହିତ ସ୍ୱୀକାର କରି ପ୍ରାଚୀନ କାଳରୁ ଉଚିତ ମର୍ଯ୍ୟାଦା ଦିଆଯାଇଛି । ଅତଏବ୍, କାମ (Sex) ଶବ୍ଦ ଓ ତତ୍‌ଜନିତ ଲଜ୍ଜା, ଭୟ, ପୁଲକ, ଚାଞ୍ଚଲ୍ୟ କିମ୍ବା ହୃଷ୍ଟତାର ନଗ୍ନ ପ୍ରକାଶ କେବେହେଲେ ଅଶ୍ଲୀଳ (Obscene) ନୁହେଁ । ତାହା ଚିରକାଳ ଗଙ୍ଗାସ୍ରୋତ ଭଳି ପ୍ରବହମାନା । ଗଙ୍ଗାର ଜଳ ଯେଉଁ ପରି କେବେହେଲେ ଅପବିତ୍ର ହୁଏ ନାହିଁ, ସେହିପରି କାମକର୍ମ ଅଶ୍ଲୀଳ ହୋଇପାରେ ନାହିଁ । ଯୁଗ ଯୁଗ ଧରି ଜୀବନ ଓ ଅବଚେତନ ଉପରେ ଏହାର ସର୍ବମୟ ପ୍ରଭାବ ଓ ପ୍ରାଧନ୍ୟ ପରିଲକ୍ଷିତ । ଏଣୁ ହ୍ୟାମଲେଟଙ୍କ ଭାଷାରେ କହିବାକୁ ଗଲେ, କୌଣସି ବିଷୟ ଭଲ ନୁହେଁ କିମ୍ବା ମନ୍ଦ ନୁହେଁ । ମନର ଚିନ୍ତା ହିଁ ତାହାକୁ ଭଲ ଓ ମନ୍ଦରେ ପରିଣତ କରିଦିଏ (There is nothing either good or bad, but thinking makes it so) ।

 

ଜୀବନ ନଶ୍ୱର, କିନ୍ତୁ ଅନିତ୍ୟ ନୁହେଁ । ଜୀବନ-ଦେବତା ଚିରନ୍ତନ ଆନନ୍ଦର ଉତ୍ସ ଓ କର୍ମର ପ୍ରତୀକ । ଏହି କାରଣରୁ ବିଶ୍ୱ ପ୍ରକୃତିର କୌଣସି ଜୀବ ଯୁଗ୍ମ ନ ହୋଇ ରହିପାରେ ନାହିଁ । ବରଂ ପ୍ରତ୍ୟେକ୍ୟ ଯୁଗ୍ମ ଜୀବନଯାପନ ନିମନ୍ତେ ଆପଣା ସଙ୍ଗୀ ସହ ବାରମ୍ବାର ମିଳିତ ହୁଅନ୍ତି । ଏହା ହେଉଛି ଶାଶ୍ୱତ ସତ୍ୟ ! ୧୮୫୯ ମସିହାରେ ପାଶ୍ଚାତ୍ୟ ବୈଜ୍ଞାନିକ ଡାରଉଇନ୍‌ଙ୍କ ଅରିଜିନ୍ ଅଫ୍ ସ୍ପେସିଜ (The Origin of Species) ପୁସ୍ତକ ପ୍ରକାଶିତ ହେଲାପରେ ଏହି ଶାଶ୍ୱତ ସତ୍ୟ ସମ୍ପର୍କରେ ଧାରଣା ଦୃଢ଼ ହେଲା । ଡାରାଉଇନ୍ ଘୋଷଣା କଲେ ଯେ ପ୍ରତ୍ୟେକ ଜୀବର ଦୁର୍ବାର ଲକ୍ଷ୍ୟ ହେଉଛି ଆତ୍ମସଂରକ୍ଷଣ ଓ ଆତ୍ମପ୍ରସାରଣ । ଆତ୍ମସଂରକ୍ଷଣ ନିମନ୍ତେ ପ୍ରତ୍ୟେକ ଜୀବ ଅହରହ ଜୀବନ ସଂଗ୍ରାମରେ ଲିପ୍ତ ହେଉଛି ଓ ଏହି ସଂଗ୍ରାମ ମଧ୍ୟରେ ଯିଏ ବିଜୟୀ ହେଉଛି, ତାହାର କେବଳ ବଞ୍ଚି ରହିବାର ଅଧିକାର (Survival of the fittest) ରହିଛି । ଆତ୍ମସଂରକ୍ଷଣ ଘଟିଲା ପରେ ଆତ୍ମପ୍ରସାର ବା ବଂଶବୃଦ୍ଧି ନିମନ୍ତେ ଯୌନ ସଂଯୋଗ ଦୁର୍ବାର ହୋଇ ପଡ଼ୁଛି ‘‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’’ । ଏଣୁ ସୁସ୍ଥ ସବଳ ଜୀବର ପ୍ରତ୍ୟେକ କର୍ମ ମଧ୍ୟରେ ହୁଏତ ରହିଛି, ଜୀବନେଚ୍ଛା କିମ୍ବା ଯୌନ ସଂଭୋଗର ପ୍ରଚୋଦନା, ଯାହା ଫଳରେ ପାରିବାରିକ ଜୀବନ ସୁଖମୟ ହେବା ସଙ୍ଗେ ସଙ୍ଗେ ଆନନ୍ଦମୟ ମଧ୍ୟ ହୋଇଥାଏ । ଏହା ଯେଉଁପରି ଯୁକ୍ତିସମ୍ମତ, ସେହିପରି ମଧ୍ୟ ବିଚାରସିଦ୍ଧ । ଡାରଉଇନ୍‌ଙ୍କ ଜନ୍ମର ବହୁପୂର୍ବରୁ ସାଧାରଣ ଭାରତୀୟ ଗୃହସ୍ଥର ଆଠ ପହରିଆ ଅକାବ୍ୟିକ ଦୈନନ୍ଦିନ ଜୀବନ ମଧ୍ୟରେ ରହିଛି ଏହି ନିଗୂଢ଼ ନିଷ୍ଠାର ଜୀବନ-ଦର୍ଶନକୁ ଗଭୀର ଭାବେ ଉପଲବ୍‌ଧି କରିବା ଭଳି ଦୃଷ୍ଟିଭଙ୍ଗୀ । ଏଣୁ ବେଦ ବନ୍ଦିତ ଋଦ୍ରଦେବ ଓ ବେଦ ନିନ୍ଦିତ ଶିଶ୍ନଦେବ ବା ମୂଳଦେବ ଏକ ହୋଇ ଧର୍ମାଚରଣ ମଧ୍ୟରେ ଶିବତ୍ୱ ପ୍ରାପ୍ତ ହୋଇଛନ୍ତି । ବିନ୍ଦୁ ସ୍ୱରୁପ ଶିବ ଓ ରଜଃ ସ୍ୱରୁପା ଶକ୍ତିଙ୍କର ମିଳନରେ ଜଡ଼ ପୃଥିବୀରେ ଜୀବର ଉତ୍ପତ୍ତି ଘଟିଛି-

 

‘‘ବିନ୍ଦୁଃଶିବୋ ରଜଃ ଶକ୍ତିରୁଭୟୋର୍ମେଳନାତ୍‍ ସ୍ୱୟମ୍

ସ୍ୱପ୍ରଭୁତାନି ଦାୟନ୍ତେ ସ୍ୱ-ଶକ୍ତ୍ୟା ଜଡ଼ରୂପୟା ।’’

(ଶିବ ସଂହିତା)

ଏହି ଶିବ ସହିତ ଶକ୍ତିର, ଭଗବାନ ସହିତ ଭଗବତୀର ସମ୍ମିଳିତ ସ୍ଥୂଳ ରୂପ ପ୍ରକଟିତ ହୋଇଛି ରୂପମାଧୁର୍ଯ୍ୟ ପରିସ୍ଫୃତ ଅର୍ଦ୍ଧିନାରୀଶ୍ୱର ମୂର୍ତ୍ତିର ପରିକଳ୍ପନା ମଧ୍ୟରେ । ଏହି କ୍ଷେତ୍ରରେ କୌଣସି ପ୍ରକାର ଅଶ୍ଳୀଳତାର ଇଙ୍ଗିତ ନାହିଁ । ଏହି ଆଦର୍ଶରେ ଅନୁପ୍ରାଣିତା ଭାରତୀୟ ନାରୀ ହୋଇଛି ପୁରୁଷର ଅର୍ଦ୍ଧାଙ୍ଗିନୀ । ସେ ବିମୋହିତ ହୃଦୟର ତୃପ୍ତି ବିଧାନ କିମ୍ବା ଅମଳିନ ଆନନ୍ଦ ପରିବେଷଣ ପାଇଁ କେବଳ ଶଯ୍ୟା ସଙ୍ଗିନୀ ହୋଇ ରହିନାହିଁ, ସମସ୍ତପ୍ରକାରର କର୍ମ ଓ ଧର୍ମ ମୂଳରେ ଆନନ୍ଦ ବିଧାୟିନୀ ପ୍ରିୟା ଓ ଅମୃତ ନିର୍ଝରିଣୀ ଜନନୀର ସ୍ଥାନ ଅଧିକାର କରିଛି । ଏହିଠାରେ ଅଲୌକିକ ପାରିବାରିକ ସୁଖର ଅଭିଷେଚନ । କାଶ୍ମୀରଠାରୁ ଆରମ୍ଭକରି କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଗୋଟିଏ ପ୍ରକାର ଜୀବନ-ଦର୍ଶନ । ଏହି ଗୋଟିଏ ଚିନ୍ତା ସରିଲେ ପ୍ରବାହ। ସେହି କାରଣରୁ ଆମର ଧର୍ମ ଓ ସାହିତ୍ୟର କୁକ୍ଷିଗତ ହୋଇ ରହିଛି ଶିବ-ଶକ୍ତି, ହର-ଗୌରୀ, ରାଧା-କୃଷ୍ଣ, ରାମ-ସୀତାଙ୍କର ନିତ୍ୟଲଗ୍ନମୂର୍ତ୍ତିର ସ୍ଥୂଳ ପ୍ରକାଶ । ଶିବ ଓ ଶକ୍ତିଙ୍କର ଅନିର୍ବଚନୀୟ ଦାମ୍ପତ୍ୟ ପ୍ରେମଲୀଳାରେ ଅଶ୍ଲୀଳତାର ରଙ୍ଗ ଫିକା ପଡ଼ିଯାଇଛି, ଯେତେବେଳେ ତାହା ଲିଙ୍ଗ ଓ ଯୌନର ପ୍ରଚଣ୍ଡ ସ୍ଥୂଳ ରୂପକୁ ଅତିକ୍ରମ କରି ପ୍ରକଟିତ ହୋଇଛି କୁମାର ସମ୍ଭବ କାବ୍ୟ ଅଷ୍ଟମ ସର୍ଗରେ-

 

‘‘ଶୂଳିନଃ କରତଳ ଦ୍ୱୟେନ ସାସଂନିରୁଧ୍ୟ ନୟନେ ହୃତାଂଶୁକା

ତସ୍ୟ ପଶ୍ୟତି ଲଲାଟଲୋଚନେ ମୋଘନାୟ ବିଧୁରା ରହସ୍ୟଭୂତ ।’’

(କୁମାର ସମ୍ଭବମମ-୮ମ ସର୍ଗ/୭)

ମହାକବି କାଳିଦାସଙ୍କ ବର୍ଣ୍ଣିତ ଏହି ଅସାଧାରଣ ଚାତୁର୍ଯ୍ୟପୂର୍ଣ୍ଣ ରତିକ୍ରୀଡ଼ା ସମ୍ବନ୍ଧରେ ଆଳଙ୍କାରିକ ମମ୍ମଟ ଭଟ୍ଟ ମନ୍ତବ୍ୟ ପ୍ରକାଶ କରିବାକୁ ଯାଇ ଲେଖିଛନ୍ତି ଯେ, ଦେବଦେବ ମହାଦେବଙ୍କର ରତି ସମ୍ଭୋଗ ବର୍ଣ୍ଣନା ଅତ୍ୟନ୍ତ ଅନୁଚିତ । କାରଣ ଏହାଦ୍ୱାରା ଆମର ଚିରାଚରିତ ଭକ୍ତିଭାବ କ୍ଷୁର୍ଣ୍ଣ ହେଉଛି । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏହା ଯଦି ଦେବଦମ୍ପତ୍ତିଙ୍କର ସମ୍ବନ୍ଧୀୟ ବର୍ଣ୍ଣନା ନହୋଇ ଶ୍ରେଷ୍ଠ ନରପତି କିମ୍ବା ଶ୍ରେଷ୍ଠୀଙ୍କ ସମ୍ବନ୍ଧୀୟ ବର୍ଣ୍ଣନା ହୋଇଥାନ୍ତା, ହୁଏତ ମମ୍ମଟଙ୍କର ରସୋପଲବ୍‌ଧି ବ୍ୟାହତ ହୋଇନଥାନ୍ତା ? ତିବ୍ବତୀୟ ପତାକାଚିତ୍ର (Banner) ଦେହରେ କବିଶ୍ରେଷ୍ଠଙ୍କର ଉପରୋକ୍ତ କାବ୍ୟାଂଶର ସଫଳ ରୂପାୟନ ଆଦୌ ଦୁର୍ଲ୍ଲଭ ନୁହେଁ । ଶିବଙ୍କର ମୁଖରେ ପରମଯୋଗୀର ଭଙ୍ଗୀ । ତୃତୀୟ ନେତ୍ର ଉନ୍ମୋଚିତ । କ୍ରୋଡ଼ଦେଶରେ ବିପରୀତ ଦିଗକୁ ମୁଖ କରି ଉପବିଷ୍ଟା ଅତୁଳ ରୂପଶାଳିନୀ ଆଦ୍ୟାଶକ୍ତି ଉମାଙ୍କର ସୁତୀକ୍ଷ୍ମ ଶାଣିତ ଅଙ୍ଗରେଖା । ଘନସନ୍ନିବିଷ୍ଟ ପୁରୁଷ ଓ ପ୍ରକୃତିଙ୍କର କ୍ଷୁଧିତ ସ୍ନାୟୁତନ୍ତ୍ରୀ ନବଜୀବର ପୁଲକରେ ପୁଲକିତ । ବକ୍ଷଦେଶରେ କ୍ରୀଡ଼ା-କୁଣ୍ଠିତା ପ୍ରକୃତି ସଂଶ୍ଲିଷ୍ଟ ରହି ପୁରୁଷ ମୁଖର ନେତ୍ର ଦୁଇଟିକୁ କର-ପଲ୍ଲବାବୃତ ରଖି ଅଧର ପାନରେ ପ୍ରମତ୍ତ ।

 

ରସୋପଲବ୍‌ଧି ଦୃଷ୍ଟିରୁ ବିଶ୍ଲେଷଣ କଲେ ଜଣାଯାଏ ଯେ ଶୃଙ୍ଗାର ହେଉଛି ଦେହ ଓ ମନର ପରମତମ କାମନା, ଆଦି ରସ । ଏହା ଚିରନ୍ତନ କଳାର ପ୍ରାଣ ସ୍ୱରୁପ । ଭରତମୁନିଙ୍କ ପ୍ରଣୀତ ନାଟ୍ୟ ଶାସ୍ତ୍ରରେ ଯେଉଁ ଆଠପ୍ରକାର ସାରସ୍ୱତ ରସର ଉଦ୍‌ବୋଧନ କରାଯାଇଛି, ତାହା ନିମ୍ନ ପ୍ରକାରର-

 

‘‘ଶୃଙ୍ଗାରହସ୍ୟ କରୁଣା ରୌଦ୍ରବୀର ଭୟାକୋଃ ।

ବୀଭତ୍ସାଭୁତଜ୍ଞୌ ଚେତ୍ୟଷ୍ଟୈନାଟ୍ୟ ରସାଃସ୍ମୃତାଃ ।’’

 

ଶୃଙ୍ଗାର ଭାବାନୁସାରୀ ରସର ବର୍ଣ୍ଣ ହେଉଛି ଶ୍ୟାମଳ-ଶ୍ୟାମୋଭବତି ଶୃଙ୍ଗାରଃ । ଦେବତା ‘‘ବିଷ୍ଣୁ ଶୃଙ୍ଗାରୋ ବିଷ୍ଣୁ ଦୈବତ୍ୟୋ ।’’ ଗୀତାରେ କଥିତ ‘‘ପ୍ରଜଚୋସ୍ମି କନ୍ଦର୍ପଃ’’ ଉକ୍ତିର ସାମ୍ୟ ଏହି କ୍ଷେତ୍ରରେ ହିଁ ପରିଲକ୍ଷିତ ହୁଏ । ଯେଉଁପରି ମଞ୍ଜିରୁ ଗଛ, ଗଛରୁ ଫୁଲ ଓ ଫୁଲରୁ ଫଳ ଉତ୍ପନ୍ନ ହୁଏ, ସେହିପରି ମୂଳ ରସରୁ ଭାବମାନଙ୍କର ଉତ୍ପତ୍ତି ଘଟେ ବୋଲି ମହାତ୍ମା ଭରତ ନିର୍ଦ୍ଦେଶ କରିଛନ୍ତି । ଏହି ଅନୁସାରେ ମୂଳ ଶୃଙ୍ଗାର ରସରୁ ଉତ୍ପନ୍ନ ସ୍ଥାୟୀ ଭାବର ନାମ ହେଉଛି ରତି । ପୁଣି ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ପୌରାଣିକ-ସାମାଜିକ ପରମ୍ପରାକ୍ରମେ ରତି ଦେବୀ କନ୍ଦର୍ପଙ୍କର ପତ୍ନୀ । କନ୍ଦର୍ପ ପୁଣି ମହାଦେବଙ୍କର ନୟନାଗ୍ନିର ହୋମାନଳରେ ପବିତ୍ରୀକୃତ । କନ୍ଦର୍ପ ଓ ରତି ବା ପୁରୁଷ ଓ ପ୍ରକୃତିର ମିଳନରେ ଅନନ୍ତ ବୈଚିତ୍ର୍ୟମୟ ଶୃଙ୍ଗାର ରସର ପରିପ୍ରକାଶ । ଗତାନୁଗତିକ ଭାବେ ତ୍ରିବିଧ ଶୃଙ୍ଗାର ଦେଖାଯାଏ; ଯଥା ବାକ୍‌ଶୃଙ୍ଗାର, ବେପଥ୍ ଶୃଙ୍ଗାର ଓ କ୍ରିୟା ଶୃଙ୍ଗାର । କବିଶ୍ରେଷ୍ଠ କାଳିଦାସଙ୍କ ବର୍ଣ୍ଣିତ କୁମାର ସମ୍ଭବର ଅଷ୍ଟମ ସର୍ଗଟିରେ ସଂପୂର୍ଣ୍ଣଭାବେ କ୍ରିୟା ଶୃଙ୍ଗାରର ବିବିଧ ବିକାଶ ଘଟିଛି । ନାଟ୍ୟଶାସ୍ତ୍ରାନୁସାରେ ଗ୍ଲାନି, ଶଙ୍କା, ଅସୂୟା, ଶ୍ରମ, ଚାପଲ୍ୟ, ସ୍ୱପ୍ନ (ଶୁପ୍ତ), ନିଦ୍ରା, ଅବହିତ୍‌ଥ (ଆକାରଗୁପ୍ତି) ଓ ବେପଥୁ ପ୍ରଭୃତି ଶୃଙ୍ଗାର ରସର ପରିପୂରକ । ଏହି ମାଧ୍ୟମରେ ହିଁ ଉକ୍ତ ରସ ବ୍ୟକ୍ତ ହୋଇଥାଏ-

 

‘‘ଶଙ୍କା ବ୍ୟାଧିସ୍ତଥା ଗ୍ଲାନିଶ୍ଚିନ୍ତାସୂୟା ଭୟଂତଥା,

ବିସ୍ମୟଶ୍ଚ ବିତର୍କଶ୍ଚ ସ୍ତମ୍ଭଶ୍ଚ ଚପଳତା ତଥା

ରୋମାଞ୍ଚହର୍ଷୋ ନିଦ୍ରାଚ ତଥୋନ୍ମାଦ ମଦାବପି

ସ୍ପେଦଶ୍ଚେ ବାବହିତ୍‌ଅଂଚ ପ୍ରଳୟୋବେପଥୁସ୍ତଥା ।’’

 

ଭୋଜରାଜଙ୍କକୃତ ‘ଶୃଙ୍ଗାର ପ୍ରକାଶ’ ଗ୍ରନ୍ଥରେ ଲିଖିତ ଅଛି - ଶୃଙ୍ଗଯେନନୀୟତେ ସଶୃଙ୍ଗାରଃ । ଏଥିରୁ ଅନୁମାନ କରାଯାଏ ଯେ ଏହି ରସ ଆତ୍ମାକୁ ଚରମ ସୁଖ ବା ମହାସୁଖର ପ୍ରାନ୍ତ ଭାଗରେ ପହଞ୍ଚାଇଦିଏ । ଯାହାକୁ ଅବଲମ୍ବନ କରି ରସସୃଷ୍ଟି ହୁଏ, ତାହା ହେଉଛି ଉଦ୍ଦୀପନ ବିଭାଗ । ଏଣୁ ଶୃଙ୍ଗାର ରସରେ ହିଁ ନାରୀ ଓ ପୁରୁଷ ପରସ୍ପର ପ୍ରତି ଆବଲମ୍ବନ । ନାରୀ ଉଦ୍ଦୀପନା ସୃଷ୍ଟି କରି ପୁରୁଷର ଅନ୍ତର୍ନିହିତ କାମଲିପ୍‌ସାକୁ ଜାଗ୍ରତ କରାଏ ନୂତନ ସୃଷ୍ଟିର ସଙ୍କେତ ସ୍ୱରୂପ ବୀର୍ଯ୍ୟ ଗ୍ରହଣ କରେ । କୁମାର ସମ୍ଭବ କାବ୍ୟ ମଧ୍ୟରେ ଏହି ପ୍ରକାର ଆବଲମ୍ବନ ବିଭାବ ଓ ଉଦ୍ଦୀପନ ବିଭାବର ବିକାଶ ପରିଲକ୍ଷିତ ହୋଇଥାଏ । ହୃଦୟରେ ଆଦିରସର ସ୍ଫୂରଣ ଘଟିଲେ ବାହାରେ ଯେଉଁ ପ୍ରକାଶ ଘଟେ, ତାହା ଅନୁଭବ, ଆନନ୍ଦ, ଲଜ୍ଜା, ସଂଶୟ ପ୍ରଭୃତି ସଂଚାରୀ ଭାବଦ୍ୱାରା ରୁପାୟିତ ହୁଏ ବା ପ୍ରତ୍ୟକ୍ଷୀଭୁତ ହୁଏ । ଉପରୋକ୍ତ ପ୍ରତ୍ୟେକ ସଂଚାରୀଭାବମୂଳକ ସ୍ଥାୟୀଭାବ ରତିକୁ ଆଶ୍ରା କରିଥିବାରୁ କଳା, ଶିଳ୍ପ, ସାହିତ୍ୟ କ୍ଷେତ୍ରରେ ଯେକୌଣସି ସଂଚାରୀଭାବର ପରିପ୍ରକାଶ ଘଟିଲେ ତାହାକୁ ଆଦିରସ ବା ଶୃଙ୍ଗାରରସ କୁହାଯାଇଥାଏ । ଏହି କାରଣରୁ ଖ୍ରୀଷ୍ଟୀୟ ସପ୍ତମ ଶତକର ଶୃଙ୍ଗାର ଶତକର କବି ଭର୍ତ୍ତୃହରି ସ୍ପଷ୍ଟ ଭାଷାରେ କହିଛନ୍ତି ଯେ ମୃଦୁ ହାସ୍ୟ, ଭାବ ବିଳାସ, ଲଜ୍ଜା, ଭୟ, କଟାକ୍ଷ, ଲୀଳାୟିତ ବାକ୍‌ଭଙ୍ଗୀ, ଈର୍ଷା, କଳହ ଅଥବା ସମ୍ଭୋଗଲୀଳା - ଏହିଗୁଡ଼ିକ ପୁରୁଷକୁ ମୁଗ୍‌ଧ କରେ ଓ ଏହା ନାରୀମାନଙ୍କର ଭୂଷଣ-

 

‘‘ଭ୍ରୂଚାତୁର୍ଯା କୁଞ୍ଚିତାକ୍ଷାଃ କଟାକ୍ଷଃ

ସ୍ନିଗ୍‌ଧାବାଚୋ ଲଜ୍ଜିତା ଶ୍ଚୈବହା ସାଃ ।

ଲୀଳାମନ୍ଦଂ ପ୍ରସ୍ଥିତଞ୍ଚ ସ୍ଥିତଞ୍ଚ

ସ୍ତ୍ରୀଣାମେ ତଦ୍ ଭୂଷଣଞ୍ଚାୟୁଧଞ୍ଚ ।।’’

 

ଦେଖିବାକୁ ଗଲେ କାମଜନିତ ଯେତେ ପ୍ରକାର ଲଜ୍ଜା, ଭୟ, ପୁଲକ, ଚାଞ୍ଚଲ୍ୟ ଓ ଯନ୍ତ୍ରଣା ସୃଷ୍ଟି ହୋଇଛି ଓ ସେ ସମ୍ପର୍କୀୟ ନିଷିଦ୍ଧତା ଦେଖାଯାଇଛି, ତାହା ପ୍ରାଚୀନ ଭାରତରେ ନ ଥିଲା । ଲୋକ ଓ ଲୋକାଚାର କିମ୍ବା ସମାଜ ଓ ସାମାଜିକତା ମଧ୍ୟରେ ତାହାକୁ ଅଭଦ୍ର ଆଚରଣ (Vulgarity) ରୂପେ ଗଣା ଯାଇଥିଲା । ସେକାଳରେ ମୈଥୁନ ଶବ୍ଦର ଅର୍ଥ ଥିଲା ବ୍ୟାପକ । କାମ ପ୍ରବୃତ୍ତି ସହକାରେ ସ୍ମରଣ, କୀର୍ତ୍ତନ, କେଳି ଦର୍ଶନ, ଗୁହ୍ୟକଥନ, ମନେ ମନେ ସଂକଳ୍ପ, ଉଦ୍‌ଯୋଗ ଓ କ୍ରିୟା ନିଷ୍ପତ୍ତିକୁ ମୈଥୁନରେ ଅଷ୍ଟାଙ୍ଗ ରୂପେ ଗ୍ରହଣ କରାଯାଉଥିଲା । କଳାର ଅଭିବ୍ୟକ୍ତି ଦୃଷ୍ଟିରୁ ଜୈବ ବିଷୟକୁ ଅବତାରଣା କରିବାରେ ଦୋଷ ନ ଥିଲା, ଯଦି ସେହି ବିଷୟ ବୈଦଗ୍‌ଧ ଦ୍ୱାରା ତାତ୍‌ପର୍ଯ୍ୟମଣ୍ଡିତ ହୋଇ ପାରୁଥିଲା । ଭାରତୀୟ ଭାବରେ ଆମେ ବିପୁଳ ସାଂସ୍କୃତିକ ଐଶ୍ୱର୍ଯ୍ୟାରେ ଉତ୍ତରାଧିକାର ପାଇଛୁ । ବିଶ୍ୱଜନୀତ ଓ ସର୍ବକାଳୀନ ମହାକବି କାଳିଦାସଙ୍କର ‘କୁମାର ସମ୍ଭବ’ର ଅଷ୍ଟମ ସର୍ଗରେ, ରଘୁବଂଶର ଊନବିଂଶ ସର୍ଗରେ, ଭର୍ତ୍ତୃହରିଙ୍କର ଶୃଙ୍ଗାର ଶତକରେ, ଭାରବୀଙ୍କର କିରାତାର୍ଜ୍ଜୁନୀୟ ମହାକାବ୍ୟର ସପ୍ତମରୁ ନବମ ସର୍ଗରେ, ମାଘଙ୍କର ଶିଶୁପାଳ କାବ୍ୟର ଅଷ୍ଟମରୁ ଦଶମ ସର୍ଗ ମଧ୍ୟରେ ଯେଉଁପରି ଅନନ୍ତ ଆକାଙକ୍ଷାର ପରିପୁରଣ ନିମନ୍ତେ ନଗ୍ନର ରତିକ୍ରୀଡ଼ାର ବର୍ଣ୍ଣନା କରାଯାଇଛି, ତାହାର ସ୍ଥୂଳ ପ୍ରକାଶକୁ ବାଦ ଦେଲେ ଅର୍ଥର ସୂକ୍ଷ୍ମତା ଶିଳ୍ପୀର ଅନ୍ତରକୁ ସର୍ବଦାସ୍ୱନ୍ଦିତ କରିଥାଏ । ଏ ସବୁ କ୍ଷେତ୍ରରେ ପୁଲକ ଓ ଆନନ୍ଦ ଦାନ କଲାଭଳି ରସ ଓ ରସିକତା (Aesthetic delight)ର ଊଣା ପ୍ରୟୋଗ ଘଟି ନାହିଁ । ପଶ୍ଚାଦ୍ଦାବଲୋକନ କଲେ ପ୍ରାକ୍ ଗୁପ୍ତଯୁଗୀୟ ନାରୀମାନେ ମଧ୍ୟ ବର୍ତ୍ତମାନର ତୁଳନାରେ ଅନେକ ପରିମାଣରେ ସ୍ୱଚ୍ଛନ୍ଦ ଥିଲେ ଓ ସେମାନଙ୍କର ଦେହ ଅନେକ ପରିମାଣରେ ସ୍ୱଳ୍ପାବୃତ୍ତ ଥିଲା-। ଏହାକୁ ତତ୍‌କାଳୀନ ସଭ୍ୟ ଓ ଶୁଭଦ ସମାଜ ଅପ୍ରକାଶ୍ୟ (Obscene) କମ୍ବା ଅଭଦ୍ରତାଚରଣ (Valgarity) ବୋଲି ଗ୍ରହଣ କରୁ ନ ଥିଲା । ଅଜନ୍ତା ଓ ବାଗ୍ ଗୁମ୍ଫାର ଚିତ୍ରାବଳୀ କିମ୍ବା ପ୍ରାକ୍ ଗୁପ୍ତ ଯୁଗୀୟ ମୂର୍ତ୍ତି ଗୁଡ଼ିକରେ ନାରୀର ପୀବର ମଞ୍ଜୂଳ କୁଚ, କବରୀ ଓ ନିତମ୍ବରେଖା ମୁପ୍ରକଟିତ ହୋଇଛି । ଏପରି କି ଖ୍ରୀଷ୍ଟାପୂର୍ବ ଦ୍ୱିତୀୟ ଶତକରେ ନିର୍ମିତ ସାଞ୍ଚିସ୍ତୂପର ପୂର୍ବ ତୋରଣରେ ଥିବା ବୃକ୍ଷଦେବତା ବା ବୃକ୍ଷାନ୍ତ (ଗ୍ରୀକମାନଙ୍କର Dryad) ନାରୀର ମଦନ ମନ୍ଦିର ପର୍ଯ୍ୟନ୍ତ ଉତ୍‌କୀର୍ଣ୍ଣ କରାଯାଇଛି । ସେହିପରି ଦୃଷ୍ଟାନ୍ତ ଏହି ସମୟରେ ଖୋଦିତ ନାଗାର୍ଜ୍ଜୁନ-କୋଣ୍ଡାର ଦମ୍ପତି ମୁର୍ତ୍ତିଗୁଡ଼ିକରେ ଦେଖାଯାଇଥାଏ । ବାଦାମୀ ଗୁମ୍ଫାରେ ଓ ଏଲୋରାର ରମେଶ୍ୱରମ୍ ମନ୍ଦିରର ଅଳିନ୍ଦରେ ମଧ୍ୟ ନିବର୍ସନା ନାରୀମୂର୍ତ୍ତି ରହିଛି । ଅବିକଳ ଏହି ସମଯରେ ଗ୍ରୀକ୍ ଦେଶରେ ମଧ୍ୟ ନଗ୍ନ ନାରୀରୁପର ଚିତ୍ର ଅଙ୍କନ କରାଯାଇଥିଲା । ଲୁଭାରର ଚିନ୍ତ୍ରଶାଳାରେ ଥିବା ଗ୍ରୀସ୍ ଦେଶରୁ ପ୍ରାପ୍ତ ଦର୍ପଣର ପୃଷ୍ଠପଟରେ ଅଙ୍କିତ ନାରୀଚିତ୍ର ହିଁ ଏହାର ପ୍ରକୃଷ୍ଟତମ ଉଦାହରଣ ।

 

ଗ୍ରୀସ୍‌ର ଏଥେନ୍‌ସ ଅଧିବାସୀ ଡିୟୋଜିନିସ (Diogenes) ଉନ୍ମୁକ୍ତ ସ୍ଥାନରେ ଓ ବିପୁଳ ଜନତା ସମ୍ମୁଖରେ ମୈଥୁନକ୍ରିୟା ପ୍ରଦର୍ଶନ କରିଥିଲେ । କଥିତ ଅଛି ଯେ ତାଙ୍କର ବନ୍ଧୁ ଦାର୍ଶନିକ କ୍ରିସିପସ୍ (Chrysippus) ତାହାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜଣାଇଲେ, କେବଳ ସେ ସାହାସର ସହିତ ଲୋକଚକ୍ଷୁରେ ଉକ୍ତ କର୍ମ ସମ୍ପନ୍ନ କରିଥିଲେ ବୋଲି ପ୍ରାଚୀନ ଗ୍ରୀକ୍ ସାହିତ୍ୟରେ ମୈଥୁନ କ୍ରିୟା ସମ୍ୱନ୍ଧୀୟ ବହୁ ବିଷୟ ଯେପରି ଜୀବନ୍ତ ଭାବରେ ବର୍ଣ୍ଣନା କରାଯାଇଛି, ତାହା ଯର୍ଥାଥରେ ସ୍ୱାଦ୍ୟ ଓ ଅଭିନନ୍ଦନୀୟ । କିନ୍ତୁ ଅଖଣ୍ଡ-ପରିପୂର୍ଣ୍ଣ ଚିରନ୍ତନ ଆଦିରସ କେବଳ ନର-ନାରୀଙ୍କ ଦୈହିକ ମିଳନ ବାସନା ବା ବାହ୍ୟ ଭୋଗଲାଳସା ମଧ୍ୟରେ ସୀମିତ ନୁହେଁ । ଦେହସୁଖ ଉପଭୋଗର ଲାଳସା ଚରିତାର୍ଥ ମହାସୁଖର ହେତୁ ହୋଇପାରେ; କିନ୍ତୁ ତାହା ଦେହୋତ୍ତର ମହାସୁଖ ନୁହେଁ । ଚିନ୍ତାରେ ଓ କର୍ମରେ ପ୍ରାଣର ଆଗ୍ରହ ଘେନି ଜଣକ ସହିତ ଅନ୍ୟ ଜଣେ ସର୍ବାଙ୍ଗୀନ ଭାବରେ ଏକାତ୍ମ ହୋଇ ପାରିଲେ ଇନ୍ଦ୍ରିୟ ମଧ୍ୟ ଦେଇ ଅନ୍ତର୍ଲୋକରେ ଅତୀନ୍ଦ୍ରିୟର ସ୍ପର୍ଶ ମିଳେ ଓ ଚରମ ପୀତି ସୁଖ ଉତ୍ପନ୍ନ ହୁଏ । ପ୍ରେମିକ କବି ମାୟାଧର ମାନସିଂହଙ୍କ ଭାଷାରେ ଯାହା, ଭକ୍ତକବି ଚଣ୍ଡିଦାସଙ୍କ ଭାଷାରେ ହିଁ ତାହା-

 

‘‘ରଜକିନୀ ରୁପ କିଶୋରୀ ସ୍ୱରୁପ

 

କାମଗନ୍ଧ ନାହିଁ ତାୟ

ରଜକିନୀ ପ୍ରେମ ନିକଷିତ ହେମ

 

ଦ୍ୱିଜ ଚଣ୍ଡି ଦାସ ଗାୟ ।’’

ଏବଂ

‘‘ପ୍ରେମ ନୁହେଁ ଦେହ ନୁହୁ ଭୋଗ ଅନ୍ୱେଷଣ

ପ୍ରେମ ଏକ ଆତ୍ମା ପ୍ରତି ଅନ୍ୟର ବନ୍ଧନ ।

ପ୍ରେମ ପୂର୍ଣ୍ଣ ସମର୍ପଣ ଏକ ଅନ୍ୟ ପାଇଁ

ପ୍ରେମ ଆନ ପାଇଁ ଦେବା ନିଜକୁ ହଜାଇ ।’’

(କମଳାୟନ-ମାନସିଂହ)

କାମଗନ୍ଧହୀନ ନିକଷିତ ହେମ ସଦୃଶ୍ୟ ନିଷ୍ପାପ ପ୍ରେମ ସମ୍ୱନ୍ଧରେ ବାରମ୍ୱାର ଭାରତୀୟ ମନିଷୀମାନେ ଚେତାଇ ଦେଇଛନ୍ତି । ବୃହଦାରଶ୍ୟକ ଉପନିଷଦରେ ଋଷିପୁତ୍ର କହିଛନ୍ତି ଯେ ପୁରୁଷ ତାହାର କାମ୍ୟ ପ୍ରକୃତିକୁ କୋଳାଗ୍ରତ କରିବା ଦ୍ୱାରା ବାହ୍ୟ ସତ୍ତା ଓ ଅନ୍ତଃସତ୍ତାକୁ ଭୁଲିଯାଏ । ସେହି ଠାରେ ତା’ର ସମସ୍ତ କାମନାର ପରିପୁରଣ ଘଟେ । ଠିକ୍ ଏହି ପ୍ରକାର ଉପନିଷଦୀୟ ଚିନ୍ତାଧାରାର ଯେଉଁ ପରିପ୍ରକାଶ ଘଟିଛି, ଅମରୁ ଶତକରେ ତାହା ହୋଇ ଉଠିଛି ଗ୍ରାହ୍ୟ ଓ ସ୍ପୃହଣୀୟ । ସିଦ୍ଧଯୋଗୀ ଶଙ୍କରାଚାର୍ଯ୍ୟ ଅମରୁଙ୍କ କଣ୍ଠରେ କହିଛନ୍ତି ଯେ ହରିହର, ବ୍ରହ୍ମାଙ୍କ ଆରାଧନାର ଫଳ କ’ଣ ? ସମ୍ଭୋଗ ଲାଞ୍ଛିତା ନାୟିକାର ମୁଖ ଦର୍ଶନରେ ସେହି ଫଳ ମିଳି ପାରେ-

 

‘‘ତନ୍ୱାଯତ୍‌ ସରତାନ୍ତତାନ୍ତ ନୟନଂ ବକ୍ତ୍ରଂ ରତିବ୍ୟତ୍ୟୟେ

ତତ୍ ତ୍ୱାଂ ପାତୁ ଚିରାୟକିଂ ହରିହର ବ୍ରହ୍ମା ଦିଭିଦୈବାଂତୈଃ ।’’

 

ଅନୁରୁପ ଚିନ୍ତାଧାରାର ପରିପ୍ରକାଶ ଦେଖିବାକୁ ମିଳେ ଅସାଧାରଣ ସାଫଳାମଣ୍ଡିତ ପ୍ରତିଭାଧର ରୀତିଯୁଗୀୟ କବି ଉପେନ୍ଦ୍ର ଭଞ୍ଜଙ୍କ ଲେଖାରେ-

 

‘‘କି ବଡ଼ ହେବା ନୃପତି କି ବଡ଼ ଇନ୍ଦ୍ର-ସମ୍ପତ୍ତି

ସବୁ ସୁଖ ଉତ୍‌ପତ୍ତି ସ୍ଥାନ ଦମ୍ପତ୍ତି

ପାଣ୍ଡବେ ଘେନି ଦୌପଦୀ ସୀତା ଘେନି ରଘୁପତି

ମାନୁ ନ ଥିଲେ ବିପତ୍ତି ହେଲେ ପ୍ରାପତି,

ନାଶଇ ବିରହ-ତପତି

ମାରଶରକୁ ସେ ବାଳା ବଜ୍ରଗୁପତି ।

ପରମ ଦ୍ରବ୍ୟ ପୀରତି ପରମ ସୁଖରତି

ରତିରୁ ଜାତ ପୀରତି, ପ୍ରୀତିରୁ ରତି

ରାମାରୁ ରମ୍ୟ ମୂରତି ନାହିଁ ଏ ତାର କୀରତି

ଏହି ତିନିହେ ହରନ୍ତି ଚିତ୍ତ ଧୁରତି,

କାମଯମ-ମତି କରତି

ଯା’ ଲୋକନେ ଲୋକେ କି ପାରିବେ ବରତି ।’’

(ପ୍ରେମ ସୁଧାନିଧି-୭ମ ଛନ୍ଦ)

କେବଳ ଭାରତୀୟ ଚିନ୍ତାଧାରା କିମ୍ୱା ଭାରତୀୟ ଜୀବନ ଦର୍ଶନରେ ନାରୀକୁ ଘେନି ସ୍ୱର୍ଗୀୟ ସୁଖକୁ ତୁଚ୍ଛ ମଣିବା ପାଇଁ କୁହାଯାଇ ନାହିଁ, ଭାରତ ବାହାରେ ମଧ୍ୟ ଏହିଭଳି ଦୃଷ୍ଟି ଭଙ୍ଗୀକୁ ପ୍ରକାଶ କରିବା ପାଇଁ ସଚେତନ ପ୍ରୟାସ କରାଯାଇଛି –

 

‘‘A Book of verses underneath the Bough

A flask of wine, a Loaf of Bread and Thou

Beside me singing in the wilderness

Oh, Wilderness were Paradise enow !’’

(Rubaiyat of Omar Khayyam)

କାର୍ଯ୍ୟକରଣ ସମ୍ୱନ୍ଧ ପରମ୍ପରାର ସୂତ୍ର ଧରି ଆମର ସାହିତ୍ୟ ସହିତ ଶିଳ୍ପକଳା ସମାନ୍ତରାଳ ଭାବରେ ଚାଲିନଥିଲେ ମଧ୍ୟ ସେଥିରେ କିଞ୍ଚିତ ସାମଞ୍ଜସ୍ୟ ପରିଲିକ୍ଷିତ ହୋଇଥାଏ । ଏହା ସାହିତ୍ୟର ଶିଳ୍ପକଳା ଉପରେ ଠିକ୍ ଦାର୍ପଣିକ ପ୍ରତିଫଳନ ନୁହେଁ । ବରଂ ଏହାକୁ ସାହିତ୍ୟ-ଅନୁସାରୀ ଅନୁକମ୍ପନ କୁହାଯାଇ ପାରିବ । ଗ୍ରୀକ୍‌ବୀର ଆଲେକଜାଣ୍ଡର ଭାରତକୁ ଆସିଥିଲେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବେଳକୁ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀକ୍ ସାମ୍ରାଜ୍ୟର ସତ୍ତା ବିଦ୍ୟମାନ ଥିଲା । ଏହାପରେ ସୁଙ୍ଗ, ଶତବାହନ ଓ କୁଶାଣମାନଙ୍କ ରାଜତ୍ୱ ଚାଲିଲା ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀ ପର୍ଯ୍ୟନ୍ତ । ଏଣୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀଠାରୁ ଭାରତୀୟ ଭାସ୍କର୍ଯ୍ୟଶୀଳ୍ପ ମଧ୍ୟରେ ଯେଁଉ ଗ୍ରୀକ୍‌-ରୋମକ୍ ଶିଳ୍ପଦୃଷ୍ଟିର ଅନୁପ୍ରବେଶ ଘଟିଛି, ତାହାହିଁ ତାହାକୁ ଦେଇଛି ଅପୂର୍ବ ସଂହତି ଶକ୍ତି । ଗ୍ରୀକ୍‌-ରୋମକ୍ ଶିଳ୍ପର ନଗ୍ନରୂପ ସହିତ ଭାରତର ଲୋକାଚାର, ବୈଦିକ ମତ ଓ ତାନ୍ତ୍ରିକ ଭାବନା-ଅନୁଷ୍ଠାନ ଆଚାରର ସଂଯୋଗ ଫଳରେ ମିଥୁନ ମୂର୍ତ୍ତିଗୁଡ଼ିକ ସମ୍ଭବ ହୋଇଛି ବୋଲି ପଣ୍ଡିତମାନେ ଅନୁମାନ କରନ୍ତି । ପଞ୍ଚମ ଓ ଷଷ୍ଠ ଶତାବ୍ଦୀରେ ଖୋଦିତ ଅଜନ୍ତା ଗୁମ୍ଫାର ମୂର୍ତ୍ତିଠାରୁ ଆରମ୍ଭ କରି ବାଦାମୀ, ଆଇହୋଲେ ଦେଓଘର, ପଟ୍ଟକଦଲର ମନ୍ଦିରମାନଙ୍କରେ ମିଥୁନ ମୂର୍ତ୍ତି ଓ ଦମ୍ପତି ମୂର୍ତ୍ତିମାନ ଦେଖିବାକୁ ମିଳେ । ସେଗୁଡ଼ିକ ମଧ୍ୟରୁ କେତେକ ଚୁମ୍ବନରତା ବିଶିଷ୍ଟ ପୟୋଧରା, ମୋହାଚ୍ଛନ୍ନା ଓ ଆଲିଙ୍ଗନବନ୍ଧା । ମହର୍ଷି ବାତ୍ସାୟନଙ୍କ ପ୍ରଣୀତ କାମସୂତ୍ରରେ ଆଲିଙ୍ଗନ ଚତୁଷ୍ଟୟର ବର୍ଣ୍ଣନା ରହିଛି । ସେଗୁଡ଼ିକର ନାମ ହେଉଛି ସ୍ପୃଷ୍ଟକ, ବିନ୍ଧକ, ଉଦ୍‌ଘୃଷ୍ଟକ ଓ ପୀଡ଼ିତ । ଅଭିଳଷିତ ନାରୀ ସମ୍ମୁଖକୁ ଆସିଲେ ପୁରୁଷ ଆପଣା ଅଙ୍ଗ ସାହାଯ୍ୟରେ ତାହାର ଅଙ୍ଗକୁ ସ୍ପର୍ଶ କରେ ଓ ଆଲିଙ୍ଗନ ସୁଖ ଲାଭ କରେ । ଭାରତୀୟ ସାହିତ୍ୟରେ ଯେପରି ଏହି ଆଲିଙ୍ଗନ ଚତୁଷ୍ଟୟର ସାଧାରଣ ବର୍ଣ୍ଣନା ପରିବ୍ୟାପ୍ତ, ସେହିପରି ମଧ୍ୟ ଶିଳ୍ପରେ ।

 

ଏହାର ପରବର୍ତ୍ତୀ କାଳରେ ନିର୍ମିତ ମୂର୍ତ୍ତିଗୁଡ଼ିକ କେବଳ ଚୁମ୍ବନ କିମ୍ୱା ଆଲିଙ୍ଗନରେ ଆବଦ୍ଧ ନାହାନ୍ତି, କାମ ସମ୍ପୂରଣ ନିମନ୍ତେ ସକଳ ପ୍ରକାର ବାସନାଲଂକୃତ ସମ୍ଭୋଗ ବିଳାସ ମଧ୍ୟରେ ହିଁ ଯେମିତି ଯୁଗ୍ମ ମୂର୍ତ୍ତିଗୁଡ଼ିକର ନିର୍ମୁକ୍ତ ସମାବେଶ ମନ୍ଦିରଗାତ୍ରରେ ଘଟିଛି । ଏହା ସାଧାରଣ ଗୃହସ୍ଥର ଆଠପହରିଆ ଜୀବନ ମଧ୍ୟରେ ସାଂସାରିକ ଗୋପନସୁଖର ଅକଳ୍ପନୀୟ ଭାବରେ ବ୍ୟକ୍ତ ପ୍ରକାଶ । ଲୋକଚକ୍ଷୁର ଅନ୍ତରାଳରେ ଗୋପନରେ ଦୈନିକ ଯେଉଁ ନୈଶବିଳାସ ପ୍ରତ୍ୟେକ ପରିବାରର ପରିସର ମଧ୍ୟରେ ଅନୁଷ୍ଠିତ ହେଉଛି, ଏହା ହୁଏତ ତାହର ସ୍ୱଚ୍ଛନ୍ଦ ଅଭିବ୍ୟକ୍ତି । ଭଦ୍ର ବିଚାରରେ ଏହାକୁ ଲୁଚାଇ ରଖାଯାଇଥାଏ । ମଣିଷ ଚରିତ୍ରର ବୈଚିତ୍ର୍ୟ ସଙ୍ଗେ ସଙ୍ଗେ, ମନର ବୈଚିତ୍ର୍ୟ, ରୁଚିର ବୈଚିତ୍ର୍ୟକୁ ନାନା ଧ୍ୟାନରେ, ନାନା ଛନ୍ଦରେ, ନାନା ରୂପରେ ପ୍ରକାଶ କରିବା ପାଇଁ ଶିଳ୍ପୀ ସର୍ବଦା ମତୁଆଲା ହୋଇଉଠୁଛି । ଏଣୁ ଦେଖାଯାଇଥିବା ବହୁ ବିଚିତ୍ର ଲିଙ୍ଗବନ୍ଧନ ମଧ୍ୟରୁ କେତେକ ସ୍ୱାଭାବିକ ଭାବେ ଅନୁସୃତ ଆସନ ଓ ଅନ୍ୟ କେତେକ ଅସ୍ୱାଭାବିକ ଭାବେ ଦିବ୍ୟୋନ୍ମାଦ ଅବସ୍ଥା । ସେ ସୂଚନାତ୍ମକ ଭାବେ କୁହାଯାଇ ପାରେ ଯେ ଅସ୍ୱାଭାବିକ ମିଥୁନ ଆସନ ମଧ୍ୟରୁ ବିପରୀତ ରତି ଗୋଟିଏ । ଏହି ଧରଣର ମୂର୍ତ୍ତି ଖଜୁରାହୋର ଲକ୍ଷ୍ମଣ ମନ୍ଦିର, ବିଶ୍ୱନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ପ୍ରଭୃତିରେ ଦେଖାଯାଏ । ଏହା ଶାସ୍ତ୍ରସମ୍ମତ । ବିବିଧ ଲୀଳାରେ, ବିବିଧ ଭଙ୍ଗୀରେ, ରୂପଲାବଣ୍ୟର ବିବିଧ ତରଙ୍ଗ-ଉଚ୍ଛଳତାରେ ଏହା ପ୍ରକଟିତ । ବିପିରୀତ ବା ପୁରୁଷାୟିତ ରତିସୁଖର ପ୍ରୟୋଜନୀୟତା ଦର୍ଶାଇ ମହର୍ଷି ବାତ୍ସାୟନ ଲେଖିଛନ୍ତି –

 

‘‘ନାୟକସ୍ୟ ସନ୍ତତାଭ୍ୟାସାତ୍ ପରିଶ୍ରମମୁପଲଭ୍ୟରାଗସ୍ୟ ଚାପଶମଂ

ଅନୁମତାତେନ ତମଧୋଽବ ପାଚ୍ୟ ପୁରୁଷାୟିତେନ ସାହାଯ୍ୟଂଦଦ୍ୟାତ୍‌

ସ୍ୱାଭିପ୍ରୟାଦ ବା ବିକଳ୍ପ ଯୋଜନାର୍ଥିନୀ, ନାୟକକୁତୂହଳାଦ୍‍ ବା ।।’’

(କାମସୂତ୍ର-୨-୮/୧,୨ ଓ ୩)

      ସଂଯମଧର୍ମୀ ନାୟକ ବ୍ୟତୀତ ଅସଂଯତ ପୁରୁଷ ପକ୍ଷରେ ପୁରୁଷାୟିତ ବନ୍ଧସୁଖ ଉପଭୋଗର ପ୍ରଶ୍ନ ନ ଥାଏ । ସଂଯମୀ, ଚରିତ୍ରବାନ୍, ଧୀରୋଦାତ୍ତଗୁଣବିଶିଷ୍ଟ ଯୁବକ ସଂପ୍ରଦାୟର ଜୀବନ-ଚର୍ଯ୍ୟା ହିଁ ଆମର ଜାତୀୟ ଆଦର୍ଶ । ସେହି ଦୃଷ୍ଟିରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ମଧ୍ୟ ଏହାର ବିଷଦ ବର୍ଣ୍ଣନା ଦେଖିବାକୁ ମିଳେ । ସେ ରାଜକନ୍ୟା ଲାବଣ୍ୟବତୀ ଓ ରାଜକୁମାର ଚନ୍ଦ୍ରଭାନୁଙ୍କ ରତିଲୀଳା ବର୍ଣ୍ଣନା କରିବାକୁ ଯାଇ ପ୍ରକାଶ କରିଛନ୍ତି –

 

‘‘ଏମନ୍ତ ଯେ ଦର୍ପଣ ଚାନ୍ଦୁଆପୁରେ ଥିଲା

ନାଗରୀ ଚାହିଁଲା ଯୋଗେ ଉଲଟ ନାଶିଲା ।

ଲାଜେ ବୁଜି ନେତ୍ର ମହା ବ୍ୟାକୁଳତା ମତି

ସତେହେଁ ଆରମ୍ଭ କଲେ ବିପରୀତ ରତି ଯେ ।

ପୁଣି ଚକ୍ଷୁ ଫେଡ଼ି ଦେଉଁ ଆରତ ହୋଇଲା

ଆସିବା ବେଳକୁ କାନ୍ତ ମୋ ଆନ ବୋଇଲା ;

ରହିଲା ଅଣ ଆୟତ୍ତେ ସେ ସେହି ଠାଣିରେ

ନତ୍ୟ ଅଧିକାର ଦେଲା ନାସିକ ମଣିରେ ଯେ ।’’

(ଲାବଣ୍ୟବତୀ, ୩୩ଶ ଛନ୍ଦ)

ବିପରୀତ ରତିବନ୍ଧ ବ୍ୟତୀତ ଖଜୁରାହୋର କାଣ୍ଡାରିୟା ମହାଦେବ ମନ୍ଦିର ଓ ଆନ୍ଧ୍ର ପ୍ରଦେଶର ରଙ୍ଗନାୟକୁଲୁ ମନ୍ଦିରଗାତ୍ରରେ ଏଭଳି କେତେକ ମୈଥୁନ ଆସନ ରହିଛି ଯାହା ବିନାଦ୍ୱିଧାରେ ତାନ୍ତ୍ରିକମାନଙ୍କ ଯୌଗିକ ଆସନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କାଣ୍ଡାରିୟା ମହାଦେବ ମନ୍ଦିରର ଗାତ୍ରରେ ଥିବା ପୁରୁଷ ର୍ଶୀର୍ଷାସନରେ ରହିଛି ଓ ଉପରେ ନାରୀ ଆରୋହଣ କରିବା ଦ୍ୱାରା ଯୌନ ସଂଯୋଗ ଘଟିଛି । ଅପରଦିଗରୁ ଦେଖିବାକୁ ଗଲେ ରଙ୍ଗନାୟକୁଲୁ ମନ୍ଦିରଗାତ୍ରରେ ଥିବା ନାରୀ ଶୀର୍ଷାସନରେ ରହିଛି ଓ ପୁରୁଷ ଉପରେ ଆରୋହଣପୂର୍ବକ ଯୌନ ସଂଯୋଗ କରାଇଛି । ଏ ଗୁଡ଼ିକୁ ପୁରୁଷ ଓ ନାରୀର ଲୌକିକ ମିଳନର ଅତୀନ୍ଦ୍ରିୟ ଯୋଗରୂପର ଆସନମୂର୍ତ୍ତି କୁହାଯାଇ ପାରିବ । କେତେକ ଶିଳ୍ପ-ସମାଲୋଚକଙ୍କ ଦୃଷ୍ଟିରେ ଏହା ଗୋପନ କୌଳ-କାପାଳିକ ପ୍ରିକ୍ରିୟାର ଚିତ୍ର । ପୁରୁଷ ଓ ନାରୀ ଉଭୟଙ୍କ ମୁଖମଣ୍ଡକରେ ଦୈହିକ ବାସନା-କାମନାର ପରିପୁରଣ ଚିହ୍ନି ନାହିଁ । ସତେ ଯେପରି ସେମାନେ ସ୍ରୋତହୀନ ଶାନ୍ତ ସରସୀ । ତାପସ ତପସ୍ୱିନୀର ନିମୀଳିତ ଚକ୍ଷୁ ଓ ଭାବ-ଗମ୍ଭୀର ମୁଖରେ ପୁର୍ଣ୍ଣାନନ୍ଦ ଉପଲବ୍‌ଧିର ମୃଦୁ ହାସ୍ୟରେଖା । ଇନ୍ଦ୍ରୟଗ୍ରାହ୍ୟତାକୁ ପରିହାର କରି ଉଭୟ ସଂପୂର୍ଣ୍ଣ ଅଭିଳାଷହୀନ, ନିଶ୍ଚଳ ଓ ଗମ୍ଭୀର । ଶୃଙ୍ଗାର ସାଧନାରତ ତାପସ ଓ ତପସ୍ୱିନୀ ଶୂତ୍ରପରିପାକ ନିମନ୍ତେ ଆଗ୍ରହୀ । ଯେଉଁପରି ଆଖୁରସ ଅଗ୍ନିସନ୍ତାପରେ ପ୍ରେମ-ସନ୍ତାନ ହୋଇ କ୍ରମଶଃ ଗାଢ଼ ଓ କାମସମ୍ବନ୍ଧଶୂନ୍ୟ ନିର୍ମଳ ଓ ଦୁର୍ଲଭ ଦେହୋତ୍ତର ମହାସୁଖରେ ପରିଣତ ହୁଏ ।

 

ଇନ୍ଦ୍ରିୟ ସୁଖ-ସମ୍ଭୋଗରୁ ବିରତିଲାଭ କରି ଶୃଙ୍ଗାର ରସାତ୍ମକ ସେବା ଦ୍ୱାରା ସେମାନେ ଚରମଧାତୁ ରକ୍ଷା ନିମନ୍ତେ ସମର୍ଥ ହୁଅନ୍ତି । ଏଥିରେ ପ୍ରକୃତ କାମ ବଶୀଭୁତ ହେବା ସଙ୍ଗେ ସଙ୍ଗେ ଚିତ୍ତର ସ୍ଥୈର୍ଯ୍ୟ ସମ୍ଭବ ହୁଏ –

 

‘‘ପରସ୍ପରାନୁ କଥନଂ ପାବନଂ ଭଗବଦ୍‌ଯଶଃ ।

ମିଥୋରତର୍ମିଥସ୍ତୁଷ୍ଟିର୍ନିବୃତ୍ତିର୍ମିଥ ଆତ୍ମନଃ ।।’’

(ଶ୍ରୀମଦ୍ ଭଗବତ୍‌, ୧୧/୨)

ଏହି ପ୍ରସଙ୍ଗରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଗାତ୍ରରେ ଥିବା ଯୋଗୀ ଓ କନ୍ୟା ମୂର୍ତ୍ତି ପ୍ରତି ସ୍ୱତଃ ଦୃଷ୍ଟି ଆକର୍ଷିତ ହୋଇଥାଏ । ଏଥିରେ କଟାକୁଟ ବିମଣ୍ଡିତ ଉତ୍ପଥିତଲିଙ୍ଗ ଯୋଗୀବରଙ୍କୁ ପଶୁପତି ଶିବ ଓ ବିଭ୍ରାନ୍ତ ବିହ୍ୱଳବସନା ମୁଗ୍‌ଧା କନ୍ୟାଙ୍କୁ ଅଦ୍ରି ନନ୍ଦିନୀ କୁମାରୀ ପାର୍ବତୀ କୁହାଯାଇଥାଏ । ସତେ ଯିମିତ କବି କାଳିଦାସଙ୍କ ଲେଖନୀ ବର୍ଣ୍ଣିତ –

 

‘‘ତଂବୀକ୍ଷ୍ୟ ବେପଥୁମତୀ ସରସାଙ୍ଗ ଯଷ୍ଟି

ର୍ନିକ୍ଷେପଣାୟ ପଦମୁଦ୍ଧୃତ ମୁଦ୍ୱହନ୍ତୀ,

ମାର୍ଗାଚଳ-ବ୍ୟତିକରାକୁଳିତେବ ସିନ୍ଧୁଃ

ଶୈଲାଧିରାଜତନୟ ନଯଯୌ ନତସ୍ଥୌ ।’’

(କୁମାର ସମ୍ଭବମ୍‌-୫/୮୫)

ଏହା ସର୍ବଜନବିଦିତ ଯେ ପରମ ଗୌରବାବହ ତନ୍ତ୍ର ସାଧନା କ୍ରମଶଃ ନିମ୍ନଗାମୀ ହୋଇ ଦିନେ ହିନ୍ଦୁ ଓ ବୌଦ୍ଧ ଉଭୟ ସଂପ୍ରଦାୟର ସାଧକମାନଙ୍କ ଦ୍ୱାରା ପଞ୍ଚମକାର ସେବା ଓ ଭ୍ରଷ୍ଟାଚାରରେ ପରିଣତ ହୋଇଥିଲା । ମତ୍ସ୍ୟ, ମୁଦ୍ରା, ମାଂସ, ମୈଥୁନ ଓ ମଦ୍ୟ ସାଧନା ଦ୍ୱାରା ବାରମ୍ୱାର କୁଣ୍ଡଳିନୀ ଶକ୍ତିକୁ ଦିବ୍ୟକୁଳାମୃତ ପାନ କରାଇବା ଦ୍ୱାରା ଆଉ ପୁନର୍ଜନ୍ମ ହେବ ବୋଲି କଥିତ ଅଛି-

 

‘‘ପୀତ୍ୱା ପୀତ୍ୱା ପୁନଃ ପୀତ୍ୱା ପତିତୋଧରଣୀ ତଳେ

ଉତ୍‌ଥାୟଚ ପୁନଃପୀତ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।।’’

(କୁଲାବର୍ଣ୍ଣ ତନ୍ତ୍ର)

‘‘ପୁଂଲିଙ୍ଗ ସର୍ବମୀଶାନ୍ ସ୍ତ୍ରୀ ଲିଙ୍ଗ ଭବତ୍ୟୁମା’’ କିମ୍ୱା ‘‘ଚିଦ୍‍ଚିଲ୍ଲକ୍ଷଣ ସର୍ବଂ ରାଧାକୃଷ୍ଣମୟଂ ଜଗତ୍‌’’ କହିବା ଦ୍ୱାରା ସଂସାରର ପ୍ରତ୍ୟେକ ପୁରୁଷକୁ ଶିବ କିମ୍ୱା କୃଷ୍ଣ ଓ ପ୍ରତ୍ୟେକ ନାରୀକୁ ଉମା କିମ୍ୱା ରାଧା ରୂପେ ବିଚାର କରିବା ସଙ୍ଗେ ସଙ୍ଗେ ମହାପୁରୁଷମାନେ ଅତି ସହଜ କଣ୍ଠରେ ସ୍ୱୀକାର କଲେ- ‘ଏକ ବୀଜ ବେନିଫାଳ ଯୁଗଳ ଅଙ୍ଗରେ’ । ବୀଜର ପରିପୂର୍ଣ୍ଣ ପ୍ରକାଶ ନିମନ୍ତେ ଉଭୟ ଅଙ୍ଗଯୁକ୍ତ ହେବାରେ କୌଣସି ପ୍ରକାର ବାଧା କିମ୍ୱା ବିରୋଧ ରହିବା ସମୀଚୀନ ନୁହେଁ । ଏହି କଥାଟି ଯମ ନିକଟରେ ତଦୀୟ ଭଗ୍ନୀ ଯମୀର ରତି ଭିକ୍ଷା କରିବା ଉପାଖ୍ୟାନଟି ସାମାଜିକ ଶୃଙ୍ଖଳାକୁ ଦୋହଲାଇ ଦେଲା । ବଙ୍ଗ ପ୍ରଦେଶରେ ଏହି ଉପାଖ୍ୟାନକୁ ଭିତ୍ତି କରି କାଳୀପୂଜା ପରେ ଭ୍ରାତ ଦ୍ୱିତୀୟ ପାଳିତ ହେଲା ମହାଗୌରବର ସହିତ । ଆଉ ମଧ୍ୟ ଚତୁର୍ଦ୍ଦଶ ଶତାବ୍ଦୀରେ ରଚିତ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ପ୍ରଥମେ ଲେଖାଗଲା- ‘‘ତସ୍ୟ ଶକ୍ତି ସ୍ୱରୂପେୟଂ ଭଗିନି ସ୍ତ୍ରୀ ପ୍ରବର୍ତ୍ତିକା’’ କିମ୍ୱା ପ୍ରେମ ଭକ୍ତି ବ୍ରହ୍ମଗୀତାରେ ପ୍ରକାଶ ପାଇଲା- ‘‘ସୁଭଦ୍ରା ଅଙ୍ଗରାଧା ପୁଣି, ନିତ୍ୟରେ କିରୂପେ ବଖାଣି ।’’ ତାନ୍ତ୍ରିକମାନେ ଏହାର ସହଜ ତତ୍ତ୍ୱଗୁଡ଼ିକ ଅନାୟାସରେ ଗ୍ରହଣ ରକି ଯୋଗିନୀ ସାଧନାରେ ମଗ୍ନ କହିବାକୁ ଶ୍ରେୟ ମନେ କଲେ । ସମସ୍ତ ପ୍ରକାର ଶୋଧ, ସଂଯମ, ଓ ଅଭ୍ୟାସର ଅନୁଶୀଳନ ମଧ୍ୟରୁ ଚରମ ଲକ୍ଷ୍ୟ ହୋଇ ଉଠିଲା ନାରୀ ଓ ପରମ ସୁଖ ମିଳିଲା କେବଳ ରତି ସୁଖରୁ । ଏଣୁ ଶୋଧ-ସଂଯମ-ବିଚାରହୀନ ଗତାନୁଗତିକ ଧାରା ସମାଜର ମେରୁହାଡ଼କୁ ଦୋହଲାଇବାକୁ ଲାଗିଲା । ସାଧକବର୍ଗ ଅଷ୍ଟ ପ୍ରଧାନ ଯୋଗିନୀଙ୍କୁ ଆପଣା ସାଧନା ଦ୍ୱାରା ସନ୍ତୁଷ୍ଟ କରି ଅଶେଷ ସୁଖ ଓ ସମ୍ପତ୍ତିର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଖ୍ୟାତି ପ୍ରତିପତ୍ତି ସହ ଦୀର୍ଘକାଳ ସଂସାର ଯାତ୍ରା ନିର୍ବାହ କରିବା ଅପେକ୍ଷାକୃତ ସ୍ପୃହଣୀୟ ମନେ ହେଲା । ଯୋଗିନୀ ପ୍ରତ୍ୟେକ ରାତ୍ରିରେ ସାଧନ ନିକଟକୁ ଆସି ତାହାକୁ ରତି, ‘ବିବିଧ ରତ୍ନ ଭୂଷଣ ଓ ଭୋଜନଦ୍ରବ୍ୟ ଦ୍ୱାରା ପରିତୋଷିତ କଲେ । ଏଭଳି ସହଜ ପଥ ଥାଉଁ ଥାଉଁ ତନ୍ତ୍ରାନ୍ୱେଷୀମାନେ ଅନ୍ୟ ପଥପ୍ରତି ଆକୃଷ୍ଟ ହେବା ସମ୍ଭବ ନ ଥିଲା ।

 

ତନ୍ତ୍ର ମତରେ ତ୍ରିବିଧ ମଣିଷ ଘେନି ଏହି ସଂସାରର ସ୍ଥିତି । ସେମାନେ ହେଲେ ପଶୁବୃତ୍ତିଧାରୀ, ବୀର ବୃତ୍ତିଧାରୀ ଓ ଦେବବୃତ୍ତିଧାରୀ । ସେମାନଙ୍କୁ କୁହାଯାଇଥାଏ ଯଥା କ୍ରମରେ ତମଶ୍ଚର, ରାଜଶ୍ଚର ଓ ଦେବଶ୍ଚର । ମନ୍ଦିର-ଗାତ୍ରରେ ପରିପୂର୍ଣ୍ଣ ସାମାଜିକ ଜୀବନର ଚିତ୍ର ଦେବାକୁ ଯାଇ ଶିଳ୍ପୀ ଏହି ତ୍ରିବିଧ ପ୍ରକୃତିବିଶିଷ୍ଟ ବ୍ୟକ୍ତିଙ୍କର ରତିକ୍ରିୟାର ମୁର୍ତ୍ତି ଖୋଦନ କରିଛି । ଏପର୍ଯ୍ୟନ୍ତ ଆମେ ଊଣା ଅଧିକ ଦେବବୃତ୍ତିଧାରୀ ବ୍ୟକ୍ତିଙ୍କର ମହାସୁଖ ଲାଭ ସମ୍ୱନ୍ଧରେ ଆଲୋଚେନା କଲେ । ବର୍ତ୍ତମାନ ତମଶ୍ଚର ବା ପଶୁବୃତ୍ତିଧାରୀ ମଣିଷ ବିଷୟ ଦୃଷ୍ଟିକୁ ଅଣାଯାଇପାରେ । ଭିକ୍ଟୋରିୟା ଯୁଗର କଥାଶିଳ୍ପୀ ମେରିଭେଥ୍‌ଙ୍କ ଭାଷାରେ କୁହାଯାଇପାରେ ଯେ ମଣିଷର ପାଶବିକ ପ୍ରବୃତ୍ତିକୁ ଅସ୍ୱୀକାର କରାଯାଇ ପାରିବ ନାହିଁ (There is no greater error than refusing to recognise man’s animal nature) । ଏହା କାରଣରୁ ଦେବ-ଦେଉଲର ଗାତ୍ରରେ ଅତିଶୟ ବିଚିତ୍ରଭଙ୍ଗୀର କଷ୍ଟପ୍ରଦ ରତିକ୍ରିୟା ପ୍ରଦର୍ଶିତ ହେବା ସଙ୍ଗେ ସଙ୍ଗେ ଆଉ କେତେକ ଅପ୍ରାକୃତ ରତିରଙ୍ଗର ଚିହ୍ନ ମଧ୍ୟ ରହିଛି, ଯାହା ଅତ୍ୟନ୍ତ ଅରୁଚିକର । ତନ୍ମଧ୍ୟରୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ରାମଗଡ଼ ମନ୍ଦିର-ଗାତ୍ରରେ ଏକ କ୍ଷୁଦ୍ର ପରିସର ମଧ୍ୟରେ କାମୁକା ରମଣୀ ଅପ୍ରାକୃତ ମୈଥୁନ ଦ୍ୱାରା ଆତ୍ମେନ୍ଦ୍ରିୟ କରାଇ ଯୌନସୁଖ ଉପଭୋଗ କରୁଥିବାର ମୂର୍ତ୍ତି ଗୋଟିଏ । ଯୌନତତ୍ତ୍ୱବିଦ୍‌ମାନଙ୍କ ମତରେ କେତେକ ରମଣୀ ମୈଥୁନ ପାଇଁ ଲିଙ୍ଗ ଅନୁରୂପ ସହଜଲଭ୍ୟ ପଦାର୍ଥର ଆଶ୍ରୟ ନେଇଥାନ୍ତି । ଜର୍ମାନରେ ବର୍ଲିନ ସହରର sexological Instituteରେ ଏହିପରି ବ୍ୟବହାର ପାଇଁ ଉଦ୍ଦିଷ୍ଟ ନାନାବିଧ ଉପାଦାନ ସୁରକ୍ଷିତ ହୋଇ ରହିଛି । ଏହିସବୁ ରୋମାଞ୍ଚକର ଉପାଦାନ ବ୍ୟବହାର କରି ସେମାନେ ଜୀବନକୁ ସୁଖମୟ ଓ ଆନନ୍ଦମୟ କରିପାରୁଛନ୍ତି ।
 

ଅପ୍ରାକୃତ ମୈଥୁନ ମଧ୍ୟରୁ ପଶୁ ମୈଥୁନ ଗୋଟିଏ । ପ୍ରାଚୀନ କାଳାରୁ ସ୍ୱଳ୍ପବୁଦ୍ଧିସମ୍ପନ୍ନ ଅନୁନ୍ନତ ମାନସିକ ଚିନ୍ତାଧାରାବିଶିଷ୍ଟ ମୋହାଚ୍ଛନ୍ନ ମଣିଷ ଇତର ପ୍ରାଣୀମାନଙ୍କ ସହିତ ଯୌନସଂପର୍କ ସ୍ଥାପନ କରି ଅବଦମିତ କାମ ପ୍ରବୃତ୍ତିର ଚରିତାର୍ଥ କରିଛି । ହେବ୍ରୁସ (Hebrews)ଙ୍କ ଯୁଗର ସ୍ତ୍ରୀଲୋକମାକେ ଛାଗଳକୁ ନିଜର ଯୌନସଙ୍ଗୀ ରୂପେ ପ୍ରାୟଶଃ ବ୍ୟବହାର କରୁଥିଲେ । ଆଫ୍ରିକାର କେତେକ ଅନୁନ୍ନତ ଅଞ୍ଚଳରେ ପଶୁ ସହିତ ଯୌନ କ୍ରୀଡ଼ାରେ ଲିପ୍ତ ରହିବା ଦେଶାଚାର ରୂପେ ବିବେଚିତ ହୋଇଛି । ସାଧାରଣତଃ ଏଥି ନିମନ୍ତେ କୁକୁର, ଛାଗଳ, ଶୁକର, ଗୋମେଷାଦି ଗୃହପାଳିତ ଜୀବଗୁଡ଼ିକ ବ୍ୟବହୃତ ହୋଇଥାନ୍ତି । ସର୍ବାଧୁନିକତାର ଭୂଷଣରେ ଯେଉଁ ପାଶ୍ଚାତ୍ୟ ସଭ୍ୟତା ପରିପୁଷ୍ଟ, ସେଠାରେ (Supressed desire) ଅବଦମିତ କାମପ୍ରବୃତ୍ତିର ଚରିତାର୍ଥ ନିମନ୍ତେ ମହିଳାମାନେ କୁକୁରକୁ ଶଯ୍ୟାସଙ୍ଗୀ କରାଇଥାନ୍ତି ଓ ଏହା କାରଣରୁ ଯୌନ ବ୍ୟାଧିର ଶରବ୍ୟ ହୋଇଥାନ୍ତି । ମହିଶୂରର ତିରୂକେଶ ମନ୍ଦିରରେ ଧେନୁ ଓ ଶୁକର ସହିତ ରତି, ଖଜୁରାହୋର ଲକ୍ଷ୍ମଣ ମନ୍ଦିରରେ ଅଶ୍ୱିନୀ ସହିତ ରତି, ରଣକପୁରର ଚୌମୁଖ ମନ୍ଦିରରେ ଛାଗଳୀ ସହିତ ରତି, ରାଜସ୍ଥାନର ରାମଗଡ଼ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ କେତେକ ପଶୁ ରତିର ମୂର୍ତ୍ତି ଖୋଦିତ ହୋଇଛି । ପଶୁ ବନ୍ଧରେ ଯୌନ ସଂଯୋଗର ମୂର୍ତ୍ତି ପ୍ରାୟ ସର୍ବତ୍ର ବିଦ୍ୟମାନ । ଏହି ସମସ୍ତ ମନ୍ଦିର ପଞ୍ଚଦଶ ଶତକ ମଧ୍ୟରେ ହିଁ ନିର୍ମିତ । ଗୋଟିଏ ମୂର୍ତ୍ତରୁ ଅନ୍ୟ ମୂର୍ତ୍ତି ମଧ୍ୟରେ ଥିବା ବିଭେଦରେଖା ଅତି ଅସ୍ପଷ୍ଟ । ତମଶ୍ୱର ଓ ଦେବଶ୍ୱର ରତିକ୍ରୀଡ଼ା ବ୍ୟତୀତ ସହଜାତ ପ୍ରବୃତ୍ତି ଘେନି ଅନ୍ୟ ଯେତେ ଯେତେ ଶାଳୀନ ସରସତାପୂର୍ଣ୍ଣ ମିଥୁନମୂର୍ତ୍ତି ଦେବ-ଦେଉଳର ଗାତ୍ରରେ ଉତ୍‌କୀର୍ଣ୍ଣ ହୋଇଛି, ସେଗୁଡ଼ିକୁ ରାଜଶ୍ୱର ରତିକର୍ମ ମଧ୍ୟରେ ଗ୍ରହଣ କରାଯାଇ ପାରେ ।

 

କେଉଁ ଉଦ୍ଦେଶ୍ୟ ପ୍ରଣୋଦିତ ବା ପ୍ରଚୋଦିତ ହୋଇ ମନ୍ଦିରର ନିର୍ମାତାମାନେ ଦେବ ମନ୍ଦିର ଗାତ୍ରରେ ନିର୍ବାଧରେ ଉପରୋକ୍ତ ଯୌନକ୍ରୀଡ଼ାର ମୂର୍ତ୍ତିମାନ ଖୋଦନ କରାଇଥିଲେ, ସେ ସମ୍ୱନ୍ଧରେ କୌଣସି ପ୍ରକାର ସଠିକ୍ ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନାହିଁ । କିନ୍ତୁ ଦେଖିବାକୁ ଗଲେ ଭାରତର ପ୍ରତ୍ୟେକ ଅଞ୍ଚଳରେ ପ୍ରସିଦ୍ଧ ମନ୍ଦିର-ଗାତ୍ରରେ ଏହା ଖୋଦିତ ହୋଇଛି । କେଉଁଠି ବହୁଳାଂଶରେ ଖୋଦିତ ହୋଇଛି, ଆଉ କେଉଁଠି ହୁଏତ ଊଣା ପଡ଼ିଯାଇଛି । ଏହି କ୍ଷୁଦ୍ର ପ୍ରବନ୍ଧର ସଂକ୍ଷିପ୍ତ ପରିସର ମଧ୍ୟରେ ସେଗୁଡ଼ିକର ପୂର୍ଣ୍ଣାଙ୍ଗ ଓ ପର୍ଯ୍ୟାପ୍ତ ଆଲୋଚନା ସମ୍ଭବ ନୁହେଁ । ସର୍ବୋତ୍ତମ ଭାବରେ ଦେଖିବାକୁ ଗଲେ ଅନଙ୍ଗ ଦେବତାର ରଙ୍ଗଶାଳା ହୋଇଛି କୋଣାର୍କ ଓ ଖଜୁରାହୋର ମନ୍ଦିରାବଳୀ । ଓଡ଼ିଶା ଇତିହାସ ଓ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ ଦେବ ଦେଉଳ କ୍ରୟ (ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର) ବ୍ରୀଡ଼ାହୀନ ରତିମୂତକ ମୂର୍ତ୍ତିର ସନ୍ତକରେ ଉଜ୍ଜ୍ୱଳତର ଓ ସମୃଦ୍ଧତର । ଏହା ମଧ୍ୟରେ କେତେ ବା ଆବରଣ, କେତେ ବା ନଗ୍ନତା ! ଗଠନ କୌଶଳ, ରସ ସଷ୍ଟି ଓ ଭାବଭିବ୍ୟକ୍ତି ଦୃଷ୍ଟିରୁ ପ୍ରତ୍ୟେକଟି ଅତୁଳନୀୟ ହେଲେ ମଧ୍ୟ ଚିତ୍ତାକର୍ଷକ ଭାବେ ଗୋଟିକର ଅନ୍ୟ ସହିତ କ୍ଷୀର-ନୀର ସମ୍ବନ୍ଧ ରହିଛି । ସାରଲ୍ୟ ଓ ସତେଜତା ହେତୁ ସେଗୁଡ଼ିକ ଯେଉଁପରି ଆଦରଣୀୟ, ଚଟୁଳତା ଓ ଚମତ୍କାରିତା ହେତୁ ସେହିପରି ସାର୍ବଜନୀନ ହୋଇଛି । କେତେକ କହନ୍ତି ଯେ ପ୍ରାଚୀନ ଶିଳ୍ପ–ଶାସ୍ତ୍ରରେ ବଜ୍ରଭୟ ନିବାରଣ ନିମନ୍ତେ ରକ୍ଷାକବଚ ରୂପେ ଉଚ୍ଚତମ ପ୍ରାସାଦ ଓ ମହାର୍ଘ ମନ୍ଦିରର ଗାତ୍ରରେ ମିଥୁନାତ୍ମକ ରୂପ ସଂସ୍ଥାପନର ବ୍ୟବସ୍ଥା ଥିଲା । ତାହା ମୂର୍ତ୍ତିରେ କରାଯାଉଥିଲା କିମ୍ବା ଚିତ୍ରରେ କରାଯାଉ ଥିଲା-। ରତିଲୀଳା ସଂଦର୍ଶନରେ ଇନ୍ଦ୍ରଦେବ ମୁଗ୍‌ଧ ହୋଇ ବଜ୍ରାହତରୁ ନିବୃତ୍ତ ରହୁଥିଲେ । କିନ୍ତୁ ଏହା କେତେଦୂର ବୈଜ୍ଞାନିକ ମତ ସମ୍ମତ ଓ ଯଥାର୍ଥ ବିଚାରର ଅନ୍ତର୍ଭୁକ୍ତ, ତାହା ଗବେଷଣାର ବିଷୟ । ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ତଥାକଥିତ ଯୁକ୍ତି କ୍ରମେ ଖତରା ହୋଇଗଲାଣି ।

 

ଆଉ କେତେକ ସମାଜତାତ୍ତ୍ୱିକ ସମସ୍ୟାଟିକୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ଭାରତୀୟ ଶିଳ୍ପୀମାନେ ସେମାନଙ୍କର ସୃଷ୍ଟି ମଧ୍ୟରେ ଯେଉଁପରି ସମାଜକୁ ଶିକ୍ଷା ଦେବାକୁ ଇଚ୍ଛା କରୁଥିଲେ, ସେହିପରି ଭାବରେ ମଧ୍ୟ ସମାଜ-ଜୀବନର ସର୍ବଙ୍ଗୀନ ଚିତ୍ର ଦେବ-ଦେଉଳର ଗାତ୍ରରେ ଉତ୍‌କୀର୍ଣ୍ଣ କରି ରଖିବାକୁ ଆଗ୍ରହୀ ଥିଲେ । ନିଜ ଦୃଷ୍ଟି-ଭୂମିର ସ୍ତର ପରେ ସ୍ତର ଅତିକ୍ରମ କରି ଜୀବନ ଓ ତତ୍‌ସମ୍ବନ୍ଧୀୟ ବିଚାରକୁ ବିରାଟ ବୋଲି ଆବିଷ୍କାର କରୁଥିଲେ । ସେମାନଙ୍କ ଚକ୍ଷୁ ସମ୍ମୁଖରେ ସମାଜର ବିବର୍ତ୍ତିତ ରୂପ ବାରମ୍ବାର ଉନ୍ମୋଚିତ ହେଉଥିଲା । ସୁତରାଂ ଲିଙ୍ଗ-ଯୋନୀ-ମୈଥୁନ-ସୁଖ ତନ୍ମୟତାର ପରିଣତି ସ୍ୱରୂପ ଯେଉଁ ନୂତନ ଜୀବନର ପ୍ରକାଶ ଘଟେ, ସେ ସମ୍ବନ୍ଧୀୟ ମନୋଗତ ଚିନ୍ତାରାଜିକୁ ସେମାନେ ବାଦ୍ ଦେବେ କିପରି ? ସମାଜ ଜୀବନରେ ଏହା ଏକ ମୂଲ୍ୟବାନ ସମ୍ପତ୍ତି । ଦେବ ଦିବାକର ସୃଷ୍ଟିର ଦେବତା ! ସୂର୍ଯ୍ୟ ଉପାସନାହିଁ ପ୍ରକାରନ୍ତରେ ସୃଷ୍ଟିର ଉପାସନା । ଅନ୍ଧକାରର ଗର୍ଭ ଗହ୍ୱରରୁ ପ୍ରାଣସତ୍ତା ସ୍ୱରୂପ ଆଲୋକରଶ୍ମି ନିତ୍ୟ ପ୍ରଭାତରେ ସଂପ୍ରସାରିତ ହୋଇଥାଏ । ସେଥିପାଇଁ କୋଣାର୍କସ୍ଥ ସୂର୍ଯ୍ୟମନ୍ଦିର ଗାତ୍ରରେ ପ୍ରାଣୋତ୍ସବରେ ଉଚ୍ଛଳ ବହୁ ନର-ନାରୀଙ୍କ ଯୁଗ୍ମ ମୂର୍ତ୍ତି ଖୋଦନ କରାଯାଇଛି, ଯେଉଁଠି ଜାନ୍ତବ ଲାଳସାର ଚିହ୍ନ ନାହିଁ । ପ୍ରେମିକର କ୍ରୋଡ଼ଲଗ୍ନା ନାରୀର ମୂର୍ତ୍ତିମାନ ନୂତନ ସୃଷ୍ଟିର ପ୍ରେରଣାରେ କର୍ମ-ନିମଗ୍ନ । ଏଣୁ ଏହା କଳାସୃଷ୍ଟି ଦୃଷ୍ଟିରୁ ‘‘ନିୟତିକୃତ ନିୟମରହିତ’’, ‘‘ନିୟତକୃତ ନିୟମରହିତ’’ ଓ ‘‘ହ୍ଲାଦୈକମୟୀ ।’’

 

ଅନ୍ୟ ଦିଗରୁ ବିଚାର କଲେ ମନେହୁଏ ମଧ୍ୟଯୁଗୀୟ ଉଚ୍ଚତମ ସମାଜ ମଧ୍ୟରେ ଯେଉଁ ପ୍ରକାର ଯୌନବିକୃତି ଦାନାବାନ୍ଧି ରହିଥିଲା ତାହାର ସାମୟିକ ତୃପ୍ତି ଓ ସନ୍ତୋଷଲାଭ ନିମନ୍ତେ ସାହିତ୍ୟ ଓ ଶିଳ୍ପ ମାଧ୍ୟମରେ କାମଭାବର ସଙ୍କୋଚହୀନ ପରିପ୍ରକାଶ ଘଟିଛି । ଏହା ବହୁଳାଂଶରେ ସେ ଯୁଗୀୟ ଅବଦମିତ ମାନସିକ ଓ ସାମାଜିକ କଳୁଷ ଭାବନାର ନିର୍ଲଜ୍ଜ ଉଦ୍‌ଗତି ତଥା ଲିବିଡ଼େ-।’ ଅକର୍ମାର କର୍ମ !

 

ସୁପ୍ରାଚୀନ ଐତିହ୍ୟଦୀପ୍ତ ଭଗବତ୍‌ପ୍ରେମୀ ଭକ୍ତବୃନ୍ଦଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର । ସେମାନଙ୍କ ମତରେ ଦେବ ଦେଉଳର ନିମ୍ନ ଭାଗରେ ସମସ୍ତ ପ୍ରକାରର କାମମୂର୍ତ୍ତି ରହିଛି । କିନ୍ତୁ ତାହାର ଉପର ଅଂଶରେ ଦେବମୂର୍ତ୍ତି ଅପ୍‌ସରା ଓ ଦେବକନ୍ୟାମାନଙ୍କ ସମାବେଶ । ଏହାର ହେତୁ ହେଉଛି ଯେ ସୃଷ୍ଟିର ନିମ୍ନତମ ସ୍ତରରେ ନିର୍ବସନା କାମ-କାନ୍ତିମୟୀ ନାରୀକୁ କେନ୍ଦ୍ର କରି ସାମାଜିକ ଓ ଜାଗତିକ ଘଟଣାବଳୀ ଅବସ୍ଥିତ । ତାହାଠାରୁ ଉପରକୁ ଉଠିଲେ ଚାରିତ୍ରିକ ଉତ୍‌କର୍ଷ ସାଧନ ନିମନ୍ତେ ବନ୍ଧନହୀନ ପ୍ରମୁକ୍ତ ମନର ତୀବ୍ର ଆକର୍ଷଣର ଉପଯୋଗିତା ଓ ପ୍ରାସଙ୍ଗିକତା ରହିଛି । ଏହା ଫଳରେ ଦେବଭାବର ପ୍ରେରଣା ଜାଗ୍ରତ ହୁଏ । ସର୍ବୋପରି ଅସୀମ ଅନନ୍ତ ଆକାଶରେ ଭୂମାର ନିତ୍ୟ ଲୀଳା-ବିଳାସର ସ୍ପର୍ଶ ମିଳେ । ଦେହର ଆସକ୍ତି ଦୂର ହୋଇଗଲା ପରେ ଦେହାତୀତର ସ୍ପର୍ଶସୁଖ ଲାଭ ହୁଏ । ତୃଷ୍ଣାରୋଧ କରି ପାରିଲେ ତୃଷ୍ଣାତୀତ ଅମୃତର ଆସ୍ୱାଦ ମିଳେ । ଏଣୁ ଦେବଦେଉଳର ବାହାରେ ଯେଉଁ ସମସ୍ତ କାମଲୀଳା ଖୋଦିତ ହୋଇଛି, ତା’ର କାଣିଚାଏ ସୁଦ୍ଧା ମନ୍ଦିରର ଅଭ୍ୟନ୍ତରରେ ନାହିଁ । ଯେଉଁମାନେ ବାହ୍ୟକାମପ୍ରମତ୍ତ ସଂସାରରୁ ନିବୃତ୍ତ ହୋଇ ଅଲୌକିକ ପରମାର୍ଥିକ ଆନନ୍ଦଲାଭ ନିମନ୍ତେ ଗର୍ଭଗୃହରେ ପ୍ରବେଶ କରନ୍ତି, ସେମାନଙ୍କର ସତ୍ୟସନ୍ଧ, ସଂସ୍କାରଶୀଳ ଓ ଯୁକ୍ତିବାଦୀ ଚିତ୍ତର ତ୍ରିସୀମା ସୁଦ୍ଧା ସ୍ପର୍ଶ କରିପାରେ ନାହିଁ ତ୍ୱଚ୍ଛ କାମନାର ଲେଲିହାନ ଶିଖା-

 

‘‘ଦ୍ୱନ୍ଦ୍ୱାରାମେଷୁ ଭୂତେଷୁ ଯାଏକୋ ରମତେ ମୁନିଃ ।

ବିଦ୍ଧି ପ୍ରଜ୍ଞାନ ତୃପ୍ତଂତଂ ଜ୍ଞାନତୃପ୍ତୋନ ଶୋଚତି ।।

ଦ୍ୱନ୍ଦାରାମେଷୁ ସର୍ବେଷୁ ନା ଏକୋରମତେ ବୁଧଃ ।

ପରେଷାମନୁ ପିବାୟଂସ୍ତଂ ଦେବାବ୍ରାହ୍ମଣଂ ବିଦୁଃ ।।’’

(ମହାଭାରତମ୍)

ଯେଉଁ ବ୍ୟକ୍ତି ନିଜ ଚତୁର୍ଦ୍ଦିଗରେ ଦାମ୍ପତ୍ୟ ସୁଖ ପରିତୃପ୍ତ ବା ଅନୁରକ୍ତ ଅସଂଖ୍ୟ ବ୍ୟକ୍ତିକୁ ଦେଖି ଲୋଷ୍ଟ୍ରବତ୍ ପରିତ୍ୟାଗ କରି ଏକାକୀ ବିହାର କରେ, ସେହି ହେଉଛି ଜ୍ଞାନତୃପ୍ତ । ଦେବତାମାନେ ତାହାକୁ ବ୍ରହ୍ମଜ୍ଞ ବୋଲି କହିଥାନ୍ତି । ତା’ର ଦୃଷ୍ଟି ହୁଏ ଅନାଶକ୍ତ ଋଷିର ଦୃଷ୍ଟି, ସତ୍ୟନିଷ୍ଠ ବିଶାଳ ଦୃଷ୍ଟି ! ସେ ଭକ୍ତ ଓ ସେ ସାଧକ । ମହାଭାରତର ଏହି ଚିନ୍ତା କ୍ରମେ କ୍ରମେ ପୋଥିଗତ ବିଦ୍ୟାରେ ପରିଣତ ହୋଇଛି; କହିବାକୁ ଗଲେ ଆତ୍ମାହୀନ ଶରୀର ରୂପେ ପରିଗଣିତ ହେଉଛି ।

 

କଳା ଦୃଷ୍ଟିରୁ ଯାହା ସାରାଗର୍ଭକ ହୋଇ ପାରିଲା, ତାହାହିଁ ସାର୍ଥକ ଶିଳ୍ପ ପର୍ଯ୍ୟାୟରେ ପଡ଼ିଲା । ଏଣୁ କ୍ରାନ୍ତଦର୍ଶୀ ଶିଳ୍ପୀର ଦୃଷ୍ଟି ମହତୀ ଅନୁଭୂତି ଓ ବିରାଟ ପରିପ୍ରକ୍ଷୀରେ ତାହା ଦୂଷଣୀୟ ନୁହେଁ । ସମ୍ପୂର୍ଣ୍ଣ ସଂସ୍କାରମୁକ୍ତ ଚିନ୍ତା ଓ ସତ୍ୟ ବିତରଣର ଦୁର୍ବାର ଉତ୍ସାହ ଘେନି ମୋହମୁକ୍ତ ଓ ନିର୍ଭୀକ ଭାବେ ସଂସାରର ମହାହର୍ଷରୋଳ ମଧ୍ୟରେ ଉତ୍ସାହ, ଉଚ୍ଛ୍ୱାସ, କର୍ମ ପ୍ରବଣତା, ଶକ୍ତି ଓ ସାମର୍ଥ୍ୟ ଯୋଗାଇଲା ଭଳି ଉପାଦାନର ଅବତାରଣା କରିବାକୁ ଯାଇ ସେ ଚିରଞ୍ଜୟୀ ଆଶା ଓ ଚିର ଅମ୍ଳାନ ଯୌବନର କୁସୁମକୁ ପ୍ରସ୍‌ଫୁଟିତ କରାଏ । ଏଠାରେ ବିଧିନିଷେଧ ନାହିଁ । ସେ ସାହିତ୍ୟିକ । ତାର ଦୃଷ୍ଟି ସଦା ଉନ୍ମୁକ୍ତ, ସଦା ଗ୍ରହଣଶୀଳ ଓ ସଦା ଗତିଶୀଳ । ସେ ଜୀବନର ଅଧିକରୁ ଅଧିକ ଗଭୀରକୁ ଭେଦକରେ । ସେଠାରେ ସୁନୀତି ଓ ଦୁର୍ନୀତିର ପାଚେରୀ ବସାଇ ଦିଆଯାଇ ପାରିବ ନାହିଁ । ସାମାଜିକ ମର୍ଯ୍ୟାଦାବନ୍ତ ଭାବନା ମଧ୍ୟରେ ଯାହା ନିନ୍ଦିତ, ତାହା ସିଦ୍ଧିବନ୍ତ ବିଦଗ୍‌ଧ ରସସ୍ରଷ୍ଟା ନିକଟରେ ନିନ୍ଦିତ ହେବାରେ କୌଣସି ଅସ୍ୱାଭାବିକତା ନାହିଁ । ଆଖି ଓ ମସ୍ତିଷ୍କର ଝରକା ଖୋଲା ଥିଲେ ଯେକୌଣସି ପ୍ରଖର ବୁଦ୍ଧିସମ୍ପନ୍ନ ବ୍ୟକ୍ତି ଏହି ତତ୍ତ୍ୱ ହୃଦୟଙ୍ଗମ କରିପାରିବ । ବିଶ୍ୱତୋଚକ୍ଷୁ, ବିଶ୍ୱତୋଶ୍ରୁତି ପ୍ରତିଭା ସହଜାତ ସର୍ଜନଶୀଳତା ଯୋଗୁଁ ବିଶ୍ୱଜନୀନ ଓ ସର୍ବକାଳୀନ ବିଶୁଦ୍ଧ ରସୋପଲବ୍‌ଧି ସେ ନିର୍ଦ୍ଦେଶ ଦେଇଥାଏ-

 

‘‘ରସାରେ ସାର ସୁରସ ସରସୀ

ସଂସାର ସିରୀ ସୁରସ ସରସୀ ।’’

(ଚିତ୍ରକାବ୍ୟ ବନ୍ଧୋଦୟ-ଉପେନ୍ଦ୍ର)

ଅଧ୍ୟାପକ,

ସରକାରୀ ଚିତ୍ରକଳା ମହାବିଦ୍ୟାଳୟ

ଖଲ୍ଲିକୋଟ, ଗଞ୍ଜାମ

***

 

ଓଡ଼ିଆ ଶିଶୁ ସାହିତ୍ୟ

ଶ୍ରୀ ରାମକୃଷ୍ଣ ନନ୍ଦ

 

ମାନନୀୟ ସଭାପତି ଶ୍ରୀ ଗଡ଼ନାୟକ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଂପାଦକ ଅଧ୍ୟାପକ ଶ୍ରୀ ବେହେରା, ପ୍ରାବନ୍ଧିକ ଶ୍ରୀ ଷଡ଼ଙ୍ଗୀ ଓ ସମବେତ ସୁଧୀବୃନ୍ଦ,

 

ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓଡ଼ିଆ ଶିଶୁ ସାହିତ୍ୟ ସମ୍ପର୍କରେ ଏକ ଦୁଇଦିନିଆ ଆଲୋଚନା ଚକ୍ର ପାଇଁ ଓଡ଼ିଶାର ପ୍ରାୟ କେନ୍ଦ୍ରସ୍ଥଳରେ ଅବସ୍ଥିତ, ମନୋରମ ଅରଣ୍ୟ ପରିବେଷ୍ଟିତ ଏବଂ ମୁକ୍ତି ସଂଗ୍ରାମର ସ୍ମାରକ ସ୍ଥଳୀ ଏହି ଅନୁଗୁଳକୁ ନିର୍ବାଚନ କରିଅଛନ୍ତି । ପ୍ରାୟ ତିନିବର୍ଷ ତଳେ ପୂଜ୍ୟ ନବକୃଷ୍ଣ ଚୌଧୁରୀ ଏବଂ ଶ୍ରୀମତୀ ମାଳତୀ ଦେବୀଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସର ବାର୍ଷିକ ଉତ୍ସବରେ ଯୋଗ ଦେବାପାଇଁ ମୁଁ ଏଠାକୁ ଆସିଥିଲି । ପୁଣି ଥରେ ଆସିବାକୁ ସୁଯୋଗ ମିଳିବ, ଏ କଳ୍ପନା ମୋର ନ ଥିଲା । ଯାହା ହେଉ, ଆଜି ଏ ସାରସ୍ୱତ ସମାରୋହ ଉପଲକ୍ଷେ ଆପଣମାନଙ୍କ ଗହଣରେ ଏହି ଉତ୍ସବ ଉଦ୍‌ଘାଟନ କରିବାକୁ ମୋତେ ସୁଯୋଗ ଦେଇଥିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡ଼େମୀର କର୍ତ୍ତୃପକ୍ଷଙ୍କୁ ମୋର ଅନ୍ତରର କୃତଜ୍ଞତା ଜଣାଉଅଛି ।

 

ପୃଷ୍ଠଭୂମି :

ଏହି ଅଳ୍ପ କେତେ ବର୍ଷ ହେଲା ଶିଶୁକଲ୍ୟାଣ କାର୍ଯ୍ୟକ୍ରମମାନ ଦେଶ-ବିଦେଶରେ ଅନୁଷ୍ଠିତ ହେଉଥିବାର ଆପଣମାନେ ଲକ୍ଷ୍ୟ କରୁଥିବେ । ମୋ’ ପିଲାଦିନେ ଏ ସବୁର ନାମଗନ୍ଧ ନ ଥିଲା । ଆନ୍ତର୍ଜାତିକ ସ୍ତରରେ ଶିଶୁ ସମ୍ବତ୍ସର ପାଳନ, ଆମ ଭାରତରେ ବାର୍ଷିକ ଶିଶୁଦିବସ, ଶିଶୁମେଳା ଓ ପ୍ରତିଯୋଗିତା ପ୍ରଭୃତି କାହିଁକି ଏବେ ଏତେ ଅନୁଷ୍ଠିତ ହେଉଛି ? ଏଥିମଧ୍ୟରେ କି ପରିବର୍ତ୍ତନ ଘଟିଲା ଯେ ଏ ସବୁର ଆବଶ୍ୟକତା ଅନୁଭୂତ ହେଲା ? ଏହାର ଉତ୍ତର ପାଇବା ପାଇଁ ଆମକୁ ଦୁଇଶହ ବର୍ଷ ତଳକୁ ଫେରିଯିବାକୁ ହେବ, ଯେତେବେଳେ ସମାଜରେ ଶିଶୁର ଗୁରୁତ୍ୱ କେହି ଉପଲବ୍‌ଧି କରୁ ନ ଥିଲେ । ପଶୁପକ୍ଷୀ ଶାବକଙ୍କ ପରି ସେ ଥିଲା ଜଣେ ଛୋଟିଆ ମଣିଷ ମାତ୍ର । ତା’ ପିଛା ଧନ ବା ମୁଣ୍ଡ ଖଟାଇଲେ ଭବିଷ୍ୟତରେ କିଛି ଲାଭ ମିଳିବ, ଏ କଥା କେହି ଭାବୁ ନ ଥିଲେ ।

 

ଦେଶ ଆବିଷ୍କାର, ଶିଳ୍ପ ବିପ୍ଲବ, ବିଜ୍ଞାନର ଦ୍ରୁତ ଅଗ୍ରଗତି ଏବଂ ଦେଶ-ଦେଶ ମଧ୍ୟରେ କ୍ଷମତାଲାଗି ବିବାଦ ଡାକିଆଣିଲା ଦୁଇଟି ବିଶ୍ୱଯୁଦ୍ଧ । ଏହା ପରେ ସଭ୍ୟ ମାନବ ମନରେ ଆସିଲା ଚେତନା । ଶିଶୁମାନଙ୍କୁ ଉତ୍ତମ ନାଗରିକ ରୂପେ ଗଢ଼ିବା ପାଇଁ ମିଳିତ ଜାତିସଂଘ ୧୯୫୯ରେ ଶିଶୁର ଅଧିକାର ବିଷୟକ ଘୋଷଣାନାମା ପ୍ରଚାର କଲା । ଏହା ଫଳରେ ସମସ୍ତ ସଭ୍ୟ ଦେଶରେ ଶିଶୁ ପାଇଁ ସ୍ୱତନ୍ତ୍ର ବିଚାର ଉପରେ ଗୁରୁତ୍ୱ ଦିଆଯାଉଛି । ଶିଶୁ ସାହିତ୍ୟର ବିକାଶ ପାଇଁ ଆମର ଏହି ଯେଉଁ ଉଦ୍ୟମ, ତାହା ସେହି କାର୍ଯ୍ୟକ୍ରମର ଏକ ଅଙ୍ଗ ।

 

ଓଡ଼ିଆ ଶିଶୁ-ସାହିତ୍ୟର ଅତୀତ ଓ ବର୍ତ୍ତମାନ :

ଆଧୁନିକ ଶିଶୁ-ସାହିତ୍ୟ ବୋଲି ଆମେ ଯାହାକୁ କହୁଛୁ, ତା’ର ମୂଳ ଉତ୍ସ ହେଲା ଦୁଇଟି ପ୍ରାଚୀନ କାଳର ଅଲିଖିତ ଲୋକସାହିତ୍ୟ ଏବଂ ଇଂରେଜ ଶାସନ କାଳର ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ବ୍ୟବହୃତ ସାହିତ୍ୟ ପାଠ୍ୟପୁସ୍ତକ । ଏ ଦୁଇଟି ପୃଥିବୀର ସବୁ ଦେଶରେ ଆଧୁନିକ ଶିଶୁ-ସାହିତ୍ୟର ଜନକ ।

 

ଲୋକଗୀତ, ଲୋକ-କାହାଣୀ ଏବଂ ଛାନ୍ଦ, ଚଉତିଶା, କୋଇଲି ପ୍ରଭୃତି ପ୍ରକୃତରେ ଶିଶୁ–ସାହିତ୍ୟ ନୁହେଁ । ତା’ର ସାହିତ୍ୟିକ ଓ ସାଙ୍ଗୀତିକ ମୂଲ୍ୟ ସତ୍ତ୍ୱେ ଶିଶୁର ମାନସିକ ବିକାଶରେ ତାହା ବିଶେଷ ସାହଯ୍ୟ କରୁ ନ ଥିଲା ।

 

କୋକବାୟା ନନା ରେ ବାଡ଼ି ପନ୍ଦାଡ଼େ ଥା

କୁନିଆ କନା ମୋଚିମୋଚିକା ପୁନିଆ କାନ ଖା ।

 

ଶିଶୁକୁ କୋକମିନାର ଭୟ ଦେଖାଇ ଣୁଆଇ ପକାଇବା ଆଦୌ ବିଜ୍ଞାନସମ୍ମତ ନୁହେଁ । ସେଥିପାଇଁ ଇଂରାଜୀ, ଋଷୀୟ ପ୍ରଭୃତି ଉନ୍ନତ ଭାଷାରେ ପୂର୍ବକାଳର Nursery Song ଗୁଡ଼ିକୁ ବାଛି ଏବଂ ନୂଆ ଛାଞ୍ଚରେ ପକାଇ ନର୍ସରୀ ଓ କିଣ୍ଡରଗାର୍ଟନ ସ୍କୁଲମାନଙ୍କରେ ଆବୃତି କରାଯାଊଛି । କାହାଣିରେ ଥିବା ଅସୁର-ଅସୁରୁଣୀ କଥା ଦେବତା ଓ ରାକ୍ଷସମାନଙ୍କ କଳି ଏବଂ ଷଡ଼ଯନ୍ତ୍ର ବିଷୟ, ଭୂତ ପ୍ରେତାଦିର ଗଳ୍ପ ଆଧୁନିକ ଶିକ୍ଷାନୀତି ଦ୍ୱାରା ଅନୁମୋଦିତ ନୁହେଁ । ଛାନ୍ଦ, ଚଉତିଶା, କୋଇଲି ସେହିପରି ରଚିତ ହୋଇଥିଲା ବୟସ୍କମାନଙ୍କ ପାଇଁ । ଅନ୍ୟ କିଛି ନ ଥିବାରୁ ପିଲାମାନେ ତାକୁ ଆବୃତ୍ତି କରୁଥିଲେ ।

 

ଏହାର ପରବର୍ତ୍ତୀ କାଳରେ ଯେତେବେଳେ ଇଂରେଜମାନେ ଆସି ନୂଆ ଧରଣର ପାଠଶାଳାମାନ ବସାଇଲେ ଏବଂ ଛାପାକଳ ଦ୍ୱାରା ବହି ଛପାହେଲେ, ସେତେବେଳେ ବିଭିନ୍ନ ବୟସର ଶିଶୁମାନଙ୍କ ପାଇଁ ନୂଆ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଗଲା । ମୋ ପିଲାଦିନେ ଏହାହିଁ ଥିଲା ଆମ ସାହିତ୍ୟ ଅଧ୍ୟୟନର ସର୍ବସ୍ୱ । ପାଠ୍ୟପୁସ୍ତକ ବାହାରେ ଅଳ୍ପ ଯେଉଁ କେତେଖଣ୍ଡ ଶିଶୁପୁସ୍ତକ ସେତେବେଳେ ମିଳୁଥିଲା, ତାକୁ ଆଧୁନିକ ବିଚାରର ମାପକାଠିରେ ଶିଶୁ ଉପଯୋଗୀ କୁହାଯାଇ ପାରିବ ନାହିଁ ।

 

ଶିଶୁ-ସାହିତ୍ୟର ଏହି ମାପକାଠିଟି କ’ଣ, ସେ ବିଷୟରେ କୌଣସି ତାତ୍ତ୍ୱିକ ଆଲୋଚନା କରିବାକୁ ମୁଁ ଇଚ୍ଛା କରୁନାହିଁ, କାରଣ ଆପଣମାନଙ୍କ ଭିତରୁ ଅଧିକାଂଶ ଶିକ୍ଷାବିତ୍ ଓ ସାହିତ୍ୟିକ; ତେଣୁ ସେ ବିଷୟରେ ଊଣା ଅଧିକେ ନିଶ୍ଚୟ ଅବହିତ ଥିବେ । ତେବେ ଠିକେ ଠିକେ ଏ ପ୍ରସଙ୍ଗରେ ଦୁଇ ଚାରି କଥା କହିଲେ ଅପ୍ରାସଙ୍ଗିତ ହେବ ନାହିଁ ।

 

ଆଙ୍ଗିକ ଓ ଆତ୍ମିକ – ବହିର ଚେହେରା ଓ ବିଷୟବସ୍ତୁ ଏ ଦୁଇଟିଯାକ ଶିଶୁ-ସାହିତ୍ୟ ସମ୍ପର୍କରେ ବିଚାର୍ଯ୍ୟ । ଛୋଟ ପିଲାମାନେ ପ୍ରଥମେ ରୂପରେ ଆକୃଷ୍ଟ ହୁଅନ୍ତି । ତେଣୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବହିକୁ ରଙ୍ଗୀନ ଛବି, ଚକଚକିଆ ମଲାଟ, ଭଲ କାଗଜ, ଶୁଦ୍ଧ ଓ ପରିଷ୍କାର ମୁଦ୍ରଣ ଏବଂ ଦୃଢ଼ ବନ୍ଧେଇ ଦ୍ୱାରା ଆକର୍ଷଣୀୟ କରାଯିବା ଉଚିତ । ଉପରି ବୟସ ସୀମା ପାଇଁ ଅର୍ଥାତ୍ କିଶୋରମାନଙ୍କ ପାଇଁ ଆଙ୍ଗିକର ଚାକଚକ୍ୟ ସେତେ ଆବଶ୍ୟକ ନୁହେଁ । କିନ୍ତୁ ଶୁଦ୍ଧ ଓ ପରିଷ୍କାର ମୁଦ୍ରଣ ସବୁ ସ୍ତରରେ ଅପରିହାର୍ଯ୍ୟ, କାରଣ ତାହା ସୁରୁଚି ଓ ସୌନ୍ଦର୍ଯ୍ୟବୋଧର ସହାୟକ । ଶୁଦ୍ଧ ଭାଷା ସେହିପରି ସୁସାହିତ୍ୟର ପରିଚ୍ଛଦ ।

 

ଶିଶୁ ପୁସ୍ତକର ବିଷୟବସ୍ତୁ ବାଛିବା ପାଇଁ ବ୍ୟାପକ କ୍ଷେତ୍ର ରହିଛି । ଶିଶୁ ତା’ ଚାରିପଟେ ଦେଖୁଛି ବୈଚିତ୍ରମୟ ପୃଥିବୀକୁ ଏବଂ ତାକୁ ବୁଝିବାକୁ ଚେଷ୍ଟା କରୁଛି । ସାହିତ୍ୟ ତାକୁ ସେଦିଗରେ ସାହଯ୍ୟ କରିବା ଉଚିତ୍ । ଜୀବଜନ୍ତୁ, ତରୁଲତା, ଆକାଶରେ ମେଘ, ସୂର୍ଯ୍ୟ, ଚନ୍ଦ୍ର, ତାରା ପ୍ରଭୃତି ପ୍ରକୃତିର ଅନନ୍ତ ବିଭବକୁ ସହଜ ଗଳ୍ପଛଳରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଦେଇ ପିଲାମାନଙ୍କ ନିକଟରେ ପରିଚିତ କରାଇବା ଆବଶ୍ୟକ । ଏହାକୁ ଇଂରାଜୀରେ Nature Stories ବା ପ୍ରକୃତି ଗଳ୍ପ ଆଖ୍ୟା ଦିଆଯାଇଛି । ଦୁଃଖର କଥା, ଓଡ଼ିଆ ଶିଶୁ-ସାହିତ୍ୟରେ ଏ ଜାତୀୟ ଗଳ୍ପର ବିଶେଷ ଅଭାବ ଦେଖାଯାଏ ।

 

ଅଧୁନା ପ୍ରକାଶିତ ଶିଶୁପୁସ୍ତକର ବିଷୟବସ୍ତୁ ଉପରେ ଆଖି ବୁଲାଇଲେ ଦେଖାଯିବ ପୁରାଣ, ଜାତକ, ପଞ୍ଚତନ୍ତ୍ର ଆଦି ନୀତି କଥା, ଦେଶବିଦେଶର ଲୋକ-କାହାଣୀ ଓ କିମ୍ବଦନ୍ତୀରୁ ଗୃହୀତ ଗଳ୍ପ, ମହାପୁରୁଷ ଜୀବନୀ, ଆବିଷ୍କାର ଓ ଉଦ୍ଭାବନ ଗଳ୍ପ, ଗୁଇନ୍ଦା ଗଳ୍ପ ଏବଂ କେତେକ କବିତା ଅଧିକାଂଶ ପୁସ୍ତକର ସାମଗ୍ରୀ । ଯେଉଁ ନିତ୍ୟ ପରିବର୍ତ୍ତନଶୀଳ ପରିବେଶରେ ଆଜିର ଶିଶୁ ଚଳପ୍ରଚଳ ହେଉଛି, ତା’ର ନିତିଦିନିଆ ଅନୁଭୂତି ତା ମନରେ ଯେଉଁ ଆନନ୍ଦ, ଦୁଃଖ ବା ସମସ୍ୟା ସୃଷ୍ଟି କରୁଛି, ତାକୁ ଆଧାର କରି କୌଣସି ମୌଳିକ ରଚନା ଉପରେ ଆମର ଲେଖକମାନେ ଏପର୍ଯ୍ୟନ୍ତ ଲେଖନୀ ଚଳାଇ ନାହାନ୍ତି । ତା’ର ପିତାମାତା, ସାଙ୍ଗ-ସାଥୀ ଓ ସମାଜର ଲୋକମାନଙ୍କ ଆଚରଣ ସମ୍ପର୍କରେ ତା’ ମନରେ ଯେଉଁ ପ୍ରତିକ୍ରିୟା ଜାତ ହେଉଛି, ସାହିତ୍ୟରୁ ସେ ତା’ର ଉତ୍ତର ପାଇବା ଆବଶ୍ୟକ । ସବୁ କ୍ଷେତ୍ରରେ ସୁକର୍ମର ପୁରସ୍କାର ଏବଂ ଦୁଷ୍କର୍ମର ଶାସ୍ତି ତା’ ଆଖିରେ ସେ ତଦନୁଯାରେ ନିଜ ଆଚରଣକୁ ସଂଶୋଧନ କରିବାକୁ ଚେଷ୍ଟା କରିବ । ରବୀନ୍ଦ୍ରନାଥଙ୍କ କାବୁଲିଓ୍ୱାଲା, Home Coming ପ୍ରଭୃତି ଗଳ୍ପ ଏହାର ସୁନ୍ଦର ଦୃଷ୍ଟାନ୍ତ । ଏ ପ୍ରକାର ଗଳ୍ପ ଲେଖିବା ଅପେକ୍ଷାକୃତ କଷ୍ଟକର ହେଲେହେଁ ବର୍ତ୍ତମାନ ଯୁଗରେ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି ।

 

ଓଡ଼ିଆ ଶିଶୁସାହିତ୍ୟରେ ଅନୁବାଦ ସାହିତ୍ୟର ବିଶେଷ ଅଭାବ ଦେଖାଯାଏ । ଗୋଟିଏ ଭାଷାରେ ଯେଉଁ ବହିଟି ପିଲାଙ୍କ ପାଇଁ ଭଲ, ତାହା ସବୁ ଦେଶର ପିଲାଙ୍କ ପାଇଁ ଭଲ । ସେଥିପାଇଁ ପଞ୍ଚତନ୍ତ୍ର ଗଳ୍ପ ଓ Aesop’s Fables ପୃଥିବୀର ସବୁ ଉନ୍ନତ ଭାଷାରେ ଅନୂଦିତ ହୋଇଛି । ଲେଖକର ଅଧ୍ୟୟନ ଓ ଉଭୟ ଭାଷା ଉପରେ ଦକ୍ଷତା ନ ଥିଲେ ଅନୁବାଦ ସୁପାଠ୍ୟ ହୋଇପାରେ ନାହିଁ । ନେହେରୁ ବାଳ ପୁସ୍ତକାଳୟ ଖଣ୍ଡିଏ ଖଣ୍ଡିଏ ମୂଳ ବହି ପ୍ରସ୍ତୁତ କରି ତାକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଊଛନ୍ତି । ଏ ପ୍ରଚେଷ୍ଠା ସ୍ୱାଗତଯୋଗ୍ୟ ନିଶ୍ଚୟ । କିନ୍ତୁ ମୁ ଯାହା ଦେଖିଛି, ସଂପାଦନା ଦୋଷରୁ ଅଧିକାଂଶ ଓଡ଼ିଆ ଅନୁବାଦ ସଫଳ ହୋଇ ପାରିନାହିଁ ଲେଖକ ଓ ପ୍ରକାଶକମାନେ ଉତ୍ତମ ଶିଶୁ ପୁସ୍ତକର ଅନୁବାଦ ଉପରେ ଧ୍ୟାନ ଦେବା ଆବଶ୍ୟକ ।

 

ଓଡ଼ିଶା ବାହାରୁ ଅନୁବାଦିତ ହୋଇ ଆସୁଥିବା ଏକମାତ୍ର ଓଡ଼ିଆ ଶିଶୁପତ୍ରିକା ‘ଚାନ୍ଦମାମା’ ବା ‘ଜହ୍ନମାମୁଁ’ କଥା ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ । ଏହା ୧୩ଟି ଭାରତୀୟ ଭାଷାରେ ଅନୂଦିତ ହୋଇ ପ୍ରକାଶିତ ହୁଏ । ଓଡ଼ିଶାରେ ଏହାର କାଟ୍‌ତି ବହୁତ ବେଶି । ମାତ୍ର ଏହାର ଉପଯୋଗୀତା ବିଷୟ କେହି ଭାବନ୍ତି କି ? ଲେଖିକା ଇନ୍ଦିରା ଅନାଥକ୍ରିଷ୍ଣନ୍ ତାମିଲ ଶିଶୁ ପତ୍ରିକାଗୁଡ଼ିକର ସମୀକ୍ଷା କରି Writers & Illustrators for Children ନାମକ ପତ୍ରିକାର ୧୯୮୨ ଅକ୍ଟୋବର-ଡିସେମ୍ବର ସଂଖ୍ୟାରେ ‘ଚାନ୍ଦମାମା’ ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ପ୍ରଣିଧାନଯୋଗ୍ୟ । ସେ ଲେଖିଛନ୍ତି – ଏହାର ବିଷୟବସ୍ତୁରେ ନୂତନତ୍ୱ ନାହିଁ । ପ୍ରଧାନତଃ ଭାରତୀୟ ପୁରାଣ କାହାଣୀ ଓ ଲୋକକଥାରୁ ସଂଗୃହୀତ କେତେକ ଗଳ୍ପ ସେଥିରେ ଥାଏ । ଏହା ଜଣାଶୁଣା କଥା ଯେ ଏ ଜାତୀୟ ସମସ୍ତ ଗପ ପିଲାଙ୍କ ଉପଯୋଗୀ ନୁହେଁ । ଏହାଛଡ଼ା ସେଥିରେ ଥାଏ ଗୋଟାଏ ଅଧେ ଭ୍ରମଣ କାହାଣୀ, କେତେକ ଶ୍ଲୋକ । ଫଟୋଚିତ୍ର ପ୍ରତିଯୋଗିତା, ବ୍ୟଙ୍ଗଚିତ୍ର – ଏଇ ହେଲା ତା’ର ସମସ୍ତ ବିଷୟ । ମାସ ମାସ, ବର୍ଷ ବର୍ଷ ଧରି ଏହିପରି ଚାଲିଛି; ତେଣୁ ତା’ର ବିଷୟ – ସୂଚୀ ସମୀକ୍ଷା କଷ୍ଟକର ନୁହେଁ ।...ତା’ପରେ ସେ କହିଛନ୍ତି, This magagine makes light reading with nothing much to be remembered or reproduced ଅର୍ଥାତ୍ ‘ଏଥିରେ ଥିବା ସାମଗ୍ରୀ ସବୁ ହାଲୁକା, ମନେ ରଖି ଭବିଷ୍ୟତରେ ବ୍ୟବହାର କଲାଭଳି ଏଥିରେ ବିଶେଷ କିଛି ନାହିଁ ।’ ଏହାର ଓଡ଼ିଆ ଭାଷା ବିଷୟରେ ସେ ଅବଶ୍ୟ କିଛି କହିନାହାନ୍ତି । ତେବେ ସେ ଅନୁବାଦ କେତେଦୂର ସ୍ୱାଭାବିକ ହେଉଛି, ଆପଣମାନେ ତା’ର ଭାଷାକୁ ପରୀକ୍ଷା କଲେ ନିଜେ ଜାଣିପାରିବେ ।

 

ଦୀର୍ଘକାଳର ଅଜ୍ଞତା ଆମ ସମାଜକୁ କୁସଂସ୍କାର, ଜାତିଆଣ ବିଭେଦ ଓ ଧର୍ମାନ୍ଧତାରେ ବୁଡ଼ାଇ ରଖିଛି । ଅଶିକ୍ଷିତ ପିତାମାତାଙ୍କ ଠାରୁ ଶିଶୁ ଏହି ବ୍ୟାଧିଗୁଡ଼ିକ ଗ୍ରହଣ କରିବା ସ୍ୱାଭାବିକ । ମାର୍ଜିତ ବିଚାର ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଜାଗ୍ରତ କରାଇଲା ଭଳି ଲେଖା ଶିଶୁ ପୁସ୍ତକ ଓ ପତ୍ରିକାଦିରେ ପ୍ରକାଶ ପାଇବା ଉଚିତ । ବର୍ତ୍ତମାନ ଯୁଗର ପରିପ୍ରେକ୍ଷୀରେ ଏହା ଅତ୍ୟନ୍ତ ଜରୁରୀ ମନେ ହୁଏ ।

 

ଶିଶୁ ସାହିତ୍ୟର ଗୁରୁତ୍ୱ ବୁଝି ତାକୁ ସାହିତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗରୂପୀ ସ୍ୱୀକୃତି ଦେବା ଏବଂ କୃତୀ ସାହିତ୍ୟକମାନଙ୍କୁ ସମ୍ମାନିତ କରିବା ଏକ ଉତ୍ତମ ପରମ୍ପରା । ବୁଦ୍ଧିଜୀବୀ ଓ ଜନନାୟକମାନେ ଆଉ କେଉଁ ଦିନ ବୁଝିବେ – ଶିଶୁମାନଙ୍କ ଉପରେ ଧ୍ୟାନ ଦେବା ଅର୍ଥ ଦେଶର ଭବିଷ୍ୟତ ଉପରେ ଧ୍ୟାନ ଦେବା ? ଏବେ ମଧ୍ୟ ଶିଶୁ ସାହିତ୍ୟକ ତା’ର ସାମାଜିକ ମର୍ଯ୍ୟାଦା ପାଇ ନାହିଁ । ଏଇ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଁ ଆଉ ଗୋଟିଏ କଥା ସୂଚାଇଥିଲି । ଏ ଅବସରରେ ମୁଁ ତା’ର ପୁରନାବୃତ୍ତି କରିବାକୁ ଇଚ୍ଛା କରୁଛି । କ୍ଷେତରୁ ଅଧିକ ଫସଲ ପାଇବା ପାଇଁ ଆମେ ଏବେ ସାର ପ୍ରୟୋଗ କରୁଛୁ ଏବଂ ତା’ ସଙ୍ଗେ ସଙ୍ଗେ କୀଟନାଶକ ଔଷଧ ମଧ୍ୟ ଆବଶ୍ୟକ ସ୍ଥଳେ ପ୍ରୟୋଗ କରୁଛୁ । ପୁରସ୍କାର ସମ୍ମାନ, ସମ୍ବର୍ଦ୍ଧନା ସାରସଦୃଶ ଲେଖକମାନଙ୍କୁ ନିଶ୍ଚୟ ଉତ୍ସାହିତ କରିବ । ଏହା ଅବଶ୍ୟ କରଣୀୟ । କିନ୍ତୁ ଯେଉଁ ସବୁ କାରଣରୁ ଶିଶୁ-ସାହିତ୍ୟ ଆଶାନୁରୂପ ଉନ୍ନତି କରିପାରୁ ନାହିଁ, ନିମ୍ନମାନର ହୋଇଯାଇଛି, ତା’ର ନିରାକାରଣ ଦିଗରେ ଦୃଷ୍ଟି ନ ଦେଲେ ଆମର ଏ ସମସ୍ତ ଉଦ୍ୟମ କେବଳ ତାତ୍ତ୍ୱିକ ଆଲୋଚନାରେ ହିଁ ପର୍ଯ୍ୟବସିତ ରହିବ । ତେଣୁ ମୁଁ ଆପଣମାନଙ୍କ ଆଗରେ ଶିଶୁ-ସାହିତ୍ୟର ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କେତେକ ବିଷୟ ଉପସ୍ଥାପିତ କରୁଛି । ମୋର ଅନୁରୋଧ, ଆପଣମାନେ ଏହାକୁ ଆଲୋଚନାଚକ୍ରରେ ପରିସରରେ ସ୍ଥାନ ଦେବେ ।

 

ଛାତ୍ର ସମାଜରେ ବିଶୃଙ୍ଖଳା ବଢ଼ୁଥିବା କଥା ଆଜି ଆମେ ସବୁଠାରେ ଶୁଣିବାକୁ ପାଉଛୁ । ପିଲାମାନଙ୍କ ଚରିତ୍ର ଗଠନରେ ସାହିତ୍ୟର ଭୂମିକା କ’ଣ, ତାହା ସଫଳ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ, ଯଦି ନ ହେଉଛି କାହିଁକି ହୋଇ ପାରୁନାହିଁ, ଲେଖକମାନେ ସେ ଦିଗରେ କ’ଣ କରିପାରିବେ ତାହା ଆମର ବିଚାର୍ଯ୍ୟ ।

 

ସାଧାରଣତଃ ପିତାମାତା ଓ ପରିବେଶ ଶିଶୁ ଜୀବନକୁ ପ୍ରଭାବିତ କରନ୍ତି । ସ୍କୁଲକୁ ଯାଉଥିବା ପିଲାମାନଙ୍କ ଉପରେ ଆଉ ଦୁଇଟିର ପ୍ରଭାବ ମଧ୍ୟ ପଡ଼େ । ସେ ଦୁଇଟି ହେଲା - ବିଦ୍ୟାଳୟ ଏବଂ ଶିଶୁସାହିତ୍ୟ, ଅର୍ଥାତ୍‌ ସେମାନେ ପଢ଼ୁଥିବା ପୁସ୍ତକ ଓ ପତ୍ରପତ୍ରିକା । ଏହି ଶେଷୋକ୍ତି ବିଷୟଟି ଆମର ଆଲୋଚ୍ୟ ବିଷୟ ଥିଲେ ହେଁ ଅନ୍ୟଗୁଡ଼ିକ ମଧ୍ୟ ଏଥି ସହ ସଂପ୍ତୃକ୍ତ ଥିବା ହେତୁ ତାହାକୁ ବିଚାର ପରିସରରୁ ପୁରାପୂରି ବାଦ୍‌ ଦିଆଯାଇ ନ ପାରେ ।

 

ଉଦାହରଣ ଦେଲେ କଥାଟି ସ୍ପଷ୍ଟତର ହେବ । ଧରନ୍ତୁ ଉପାଦେୟ ଶିଶୁପୁସ୍ତକଗୁଡ଼ିଏ ପ୍ରସ୍ତୁତ କରାଗଲା । କିନ୍ତୁ ପିତାମାତା ତାହାକୁ କିଣି ପିଲାଙ୍କ ହାତରେ ନ ଦେଲେ ଲାଭ କ’ଣ ? ଓଡ଼ିଆରେ ଯେଉଁ କେତୋଟି ଭଲ ବହି ଓ ପତ୍ରିକା ପିଲାଙ୍କ ପାଇଁ ପ୍ରକାଶ ପାଉଛି, କେତେଜଣ ପିତାମାତା ତାକୁ କିଣିବାକୁ ଆଗ୍ରହୀ ? ବିବାହ, ବ୍ରତ ଆଦି ଉତ୍ସବମାନଙ୍କରେ ମୁଦି, ଜାମାପ୍ୟାଣ୍ଟ ଓ ପ୍ଲାଷ୍ଟିକ ଜିନିଷ ବଦଳରେ ପୁସ୍ତକ ଉପହାର ଦେବାକୁ କେତେଜଣ ପିତାମାତା ପସନ୍ଦ କରନ୍ତି ?

 

ମୋ ମତରେ ଶିକ୍ଷିତ ଓଡ଼ିଆ ପିତାମାତାମାନେ ଏ ଦୋଷରେ ବେଶି ଦୋଷୀ । ଇଂରାଜୀ ଭାଷା ଓ ଚାଲିଚଳନର ମୋହ ସେମାନଙ୍କୁ ଏବେ ମଧ୍ୟ ଗ୍ରାସ କରି ରହିଛି । ଥିଲାବାଲାଙ୍କୁ ପିଲାମାନେ Public Schoolରେ ମାତୃଭାଷା ନ ଶିଖୁଣୁ ‘Jack and Jill went up the hill’ ପ୍ରଥମେ ଆବୃତ୍ତି କରୁଛନ୍ତି, ଘରେ Daddy Mummy ଡାକିଲେ ବାପ ମାଆ ଆନନ୍ଦ ପାଉଛନ୍ତି । ଯେଉଁମାନଙ୍କର ଶିଶୁପୁସ୍ତକ କିଣିବାର ସାମର୍ଥ୍ୟ ଅଛି, ସେମାନଙ୍କର ତ ଏ ଅବସ୍ଥା, ଅନ୍ୟମାନଙ୍କ କଥା କ’ଣ କହିବା ? ପୃଥିବୀର କେଉଁ ସଭ୍ୟ ଦେଶର ଶିଶୁମାନେ ପ୍ରଥମେ ମାତୃଭାଷାର ଲେଖିପଢ଼ି ନ ଶିଖୁଣୁ ବିଦେଶୀ ଭାଷାର ବର୍ଣ୍ଣମାଳା ଶିଖନ୍ତି ?

 

ତା’ପରେ ବିଦ୍ୟାଳୟ କଥା । ସେଠାକୁ ଚାଲନ୍ତୁ, ଦେଖିବେ ଲାଇବ୍ରେରୀ ଅଛି ତ ବହି ନାହିଁ । ବହି ଥିଲେ ଲାଇବ୍ରେରୀ ନାହିଁ; ଯେଉଁଠି ଏ ଦୁଇଟି ଅଛି, ସେଠି ନାମକୁ ମାତ୍ର ଜଣେ ଶିକ୍ଷକ ଦାୟିତ୍ୱରେ ଅଛନ୍ତି । କି କି ବହି କିଣାଯିବ ବା କି ପତ୍ରପତ୍ରିକା କମନ୍‌ରୁମ୍‌କୁ ଆସିବ, ତାକୁ ବାଛିବାରେ ତାଙ୍କର ହାତ ନାହିଁ । ବହୁ ଉପରୁ ସେ ବିଷୟରେ ନିର୍ଦ୍ଦେଶ ଆସୁଛି । ସରକାରୀ ହାକିମ ଜାଣନ୍ତି ନାହିଁ କି ସ୍କୁଲର ପ୍ରଧାନଶିକ୍ଷକ ଜାଣନ୍ତି ନାହିଁ । ମଝିରେ ବହୁ କାରସାଦି ଚାଲେ । ପ୍ରଧାନଶିକ୍ଷକ କେବଳ ବାର୍ଷିକ ବିବରଣୀରେ ପଢ଼ନ୍ତି - ଆମ ଲାଇବ୍ରେରୀରେ ବହି ସଂଖ୍ୟା ଏତେ । ତେଣୁ ସ୍କୁଲ ଲାଇବ୍ରେରୀ କଥା ଭାବିଲେ ମନରେ ପ୍ରଶ୍ନ ଉଠେ - ପିଲାଙ୍କର ଯାହା ଦରକାର ଆମେ ସେ ବହି ପଢ଼ିବାକୁ ଦେଉଛୁ ନା ଆମେ ଯାହା ଦେଉଛୁ , ତାକୁ ଇ ସେମାନେ ପଢ଼ୁଛନ୍ତି ?

 

ପରିବେଶ :

ଶିଶୁ ପରିବେଶ କଥା ବର୍ତ୍ତମାନ ବିଚାର କରାଯାଉ । ଶିଶୁ ସାହିତ୍ୟର ପ୍ରସାର ମୁଖ୍ୟତଃ ପିଲାଙ୍କ ପଢ଼ିବା ଅଭ୍ୟାସ ଉପରେ ନିର୍ଭର କରେ । ପିଲାମାନେ ଯେ ପଢ଼ିବାକୁ ଭଲପାନ୍ତି, ଏଥିରେ ସନ୍ଦେହ ନାହିଁ । ମୁଁ ପାଠ୍ୟପୁସ୍ତକ କଥା କହୁନାହିଁ । ପାଠ୍ୟପୁସ୍ତକ ପଠନସ୍ପୃହା ବଢ଼ାଇବାରେ ବିଶେଷ ସାହାଯ୍ୟ କରେ ନାହିଁ । ଅନ୍ୟାନ୍ୟ ଶିଶୁପୁସ୍ତକ ଓ ଶିଶୁପତ୍ରିକା କଥା କହୁଛି । କିନ୍ତୁ ତା ମଧ୍ୟ ପରିବେଶ ଦ୍ୱାରା ଭୀଷଣଭାବରେ ବାଧାପ୍ରାପ୍ତ ହେବାକୁ ବସିଲାଣି । ବିଜ୍ଞାନର ସଦ୍ୟତମ ଅବଦାନ ଟି.ଭି., ଭିଡ଼ିଓ ଏବଂ Comics ଆସିବାଫଳରେ ଶିଶୁର ପଠନସ୍ପୃହା ଦିନକୁଦିନ କମିଯାଉଛି । ପଢ଼ିକରି ଜାଣିବା ଅପେକ୍ଷା ଦେଖିକରି ଜାଣିବା ସହଜ । କିନ୍ତୁ ସେମାନେ ଜାଣୁଛନ୍ତି କ’ଣ ? ଟି.ଭି.ରେ ଶିକ୍ଷଣୀୟ ବିଷୟ କେତେ ଘଣ୍ଟା ପ୍ରଦର୍ଶିତ ହେଉଛି ଶିଶୁ କାର୍ଯ୍ୟକ୍ରମ ସେଥିରୁ କେତେ ଭାଗ ? ପ୍ରତି ସପ୍ତାହରେ ଦିଲ୍ଲୀରୁ ୩ଟି ସମ୍ପୂର୍ଣ୍ଣ ଚିତ୍ର ସାଙ୍ଗକୁ ୨ଟି ଚିତ୍ରହାର ଏବଂ ଗୋଟିଏ ଚିତ୍ରମାଳା ଘଣ୍ଟା ଘଣ୍ଟା ଧରି ପ୍ରଦର୍ଶିତ ହେଉଛି । କୋମଳମତି ବାଳକବାଳିକାମାନଙ୍କୁ ଏହି ଦୂରଦର୍ଶନ ଯନ୍ତ୍ର ଏତେ ପାଗଳ କରିଛି ଯେ ଚିତ୍ରହାର ସରିଲେ ସେମାନେ ଟି.ଭି. ବନ୍ଦ କରିଦେଉଛନ୍ତି ।

 

ଦିଲ୍ଲୀ ଦୂରଦର୍ଶନ ବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ସର୍ଭେରୁ ଜଣାଯାଇଛି ଯେ କେବଳ ମାତ୍ର ଶତକଡ଼ା ୩୮ ପିଲା ଏହା ଦେଖନ୍ତି । ଶସ୍ତା ଫିଲ୍‌ମ ବଦଳରେ ଶିକ୍ଷାମୂଳକ ଚିତ୍ର ଅଧିକ ଦେଖାଇଲେ କ’ଣ କ୍ଷତି ହୁଅନ୍ତା ? ଇଂଲଣ୍ଡ, ଡେନମାର୍କ, ସୁଇଡ଼େନ ପ୍ରଭୃତି ଦେଶରେ ଟି.ଭି.ର ବିକଳ୍ପ ରୂପେ ରେଡ଼ିଓଭିଜନ ପ୍ରବର୍ତ୍ତନ କରାଯାଇଛି । ପିଲାମାନେ ରେଡ଼ିଓରୁ ଯାହା ଶୁଣୁଛନ୍ତି ଫ୍ଲାର୍ସ କାର୍ଡ଼, ପୋଷ୍ଟର, ରଙ୍ଗୀନ ଚିତ୍ର ଇତ୍ୟାଦି Visuals ବା ଦୃଶ୍ୟଚିତ୍ର ମାଧ୍ୟମରେ ତାହା ଦେଖୁଛନ୍ତି । ତେଣୁ ଏହା ଅଧିକ ଉପଭୋଗ୍ୟ ଏବଂ ଫଳପ୍ରଦ ହେଉଛି ।

 

ଟି.ଭି. ଓ ସିନେମାର ପ୍ରଭାବ ପିଲାଙ୍କ ମନ ଉପରେ ଗଭୀର ରେଖାପାତ କରେ । ଜଣେ ଆମେରିକାନ ଶିକ୍ଷାବିତ୍‌ ଏକ ସମୀକ୍ଷାର ରିପୋର୍ଟ ଉଦ୍ଧାର କରି କହିଛନ୍ତି - ଅର୍ଦ୍ଧେକ ବାଳ-ଅପରାଧୀ ଗୁଣ୍ଡାମି ଏବଂ ଅକାର୍ଯ୍ୟ କରିବାକୁ ସିନେମାରୁ ପ୍ରେରଣା ପାଆନ୍ତି ।

 

ବର୍ତ୍ତମାନ ଇଂରାଜୀ ପଢ଼ୁଆ ପିଲାଙ୍କର ଆଉ ଏକ ନିଶା କମିକ୍‌ ପଢ଼ିବା । ଓଡ଼ିଆରେ ଏଭଳି ବହି ତିଆରି ହୋଇ ନ ଥିଲେ ହେଁ ବଜାରରେ ଇଂରାଜୀ କମିକ୍‌ ଯଥେଷ୍ଟ ମିଳୁଛି । ଅଳ୍ପଦିନ ତଳେ କଟକରେ ଅନୁଷ୍ଠିତ ହୋଇଥିବା । ଏକ ପୁସ୍ତକ ପ୍ରଦର୍ଶନୀରୁ ଜଣେ ବାରବର୍ଷର ଛାତ୍ର ୨୨ଟଙ୍କା ମୂଲ୍ୟର ଖଣ୍ଡେ ଆମେରିକାନ୍‌ କମିକ୍‌ କିଣିବାର ମୁଁ ସ୍ୱଚକ୍ଷୁରେ ଦେଖିଛି । ଅପ୍‌ସେଟ୍‌ ମୁଦ୍ରଣ ପଦ୍ଧତିର ପ୍ରସାର ଏହି କମିକ୍‌ ପ୍ରକାଶନକୁ ଜନ୍ମ ଦେଇଛି । ଏ ଗୁଡ଼ିକରେ ଥାଏ ଶତକଡ଼ା ୯୦ ଭାଗ ରଙ୍ଗୀନ ଚିତ୍ର ଏବଂ ଗପର ଖିଅ ଧରିବାପାଇଁ ଦୁଇ ଚାରିପଦ ପାଠ । ତେଣୁ ପଢ଼ିବା ଅପେକ୍ଷା ଦେଖିବା ବେଶି । କମିକ୍‌ ବହି ସାହିତ୍ୟ ନୁହେଁ । ଏହା ମୁଖ୍ୟତଃ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ । ଏଗୁଡ଼ିକ ଶିକ୍ଷାମୂଳକ ହେବା ଉଚିତ । ଅଧିକ ବିକ୍ରି ଆଶାରେ ବ୍ୟବସାୟୀମାନେ ଅର୍ଦ୍ଧନଗ୍ନ ନରନାରୀ ଓ ବୀଭିତ୍ସ ଚିତ୍ରରେ ଏହାର ପୃଷ୍ଠା ପୂର୍ଣ୍ଣ କରୁଛନ୍ତି । ଏହି କମିକ୍‌ଗୁଡ଼ିକର ଅନିଷ୍ଟକାରିତା ହୃଦୟଙ୍ଗମ କରି ଆମେରିକା ସରକାର Comic Authority Code ପ୍ରଣୟନ କରିବାକୁ ବାଧ୍ୟ ହେଲେ । ଆମ ସରକାର ଏଇଦିନୁ ଅବାଞ୍ଛନୀୟ କମିକ୍‌ ପ୍ରକାଶନ ଉପରେ କଟକଣା ପ୍ରୟୋଗ କରିବା ଉଚିତ ନୁହେଁ କି ?

 

ପରିବେଶର କୁପ୍ରଭାବ ସମ୍ପର୍କରେ ସବୁକଥା ଏଠାରେ ବେଳ ନାହିଁ । ଖଜୁରୀ ଗଛର କିସ ବାହୁନିବି... ? ଯେଉଁସବୁ କାରଣରୁ ଶିଶୁର ପଠନ ସ୍ପୃହା ବ୍ୟାହତ ହେଉଛି, ମୁଁ କେବଳ ଏଠାରେ ସେଇ କେତୋଟି ବିଷୟର ଅବତାରଣା କରିଛି । ମୁଁ କହୁନାହିଁ ଯେ ସିନେମା, ଟି.ଭି., କମିକ ବହିଗୁଡ଼ିକୁ ପୂରାପୂରି ନିଷିଦ୍ଧ କରି ଦିଆଯାଉ । ସେଗୁଡ଼ିକର ନିୟନ୍ତ୍ରିତ ବ୍ୟବହାର ଜ୍ଞାନର୍ଜନ ଓ ମନୋରଞ୍ଜନ ପାଇଁ ଅତି ମୂଲ୍ୟବାନ୍‌ । ସେହିପରି କିଛି ନିୟନ୍ତ୍ରଣ ବ୍ୟବସ୍ଥା ରହିବା ଉଚିତ । କିନ୍ତୁ ଗଣମାଧ୍ୟମ ନାଁରେ ଏଗୁଡ଼ିକର ନିରଙ୍କୁଶ ପ୍ରସାର ସୁସ୍ଥ ପରମ୍ପରା ନୁହେଁ । ଏ ଯୁଗର ପିଲା ଖବରକାଗଜ ନ ପଢ଼ି ରହି ପାରିବ ନାହିଁ । ତା’ର ପଢ଼ିବା ମଧ୍ୟ ଉଚିତ; ମାତ୍ର ଭାବନ୍ତୁ ତ ସେ ଯେତେବେଳେ ପ୍ରତିଦିନ ଲାଞ୍ଚ ମିଛ, ଦୁର୍ନୀତି, ଦିନ ଦି’ପହରେ ଛୁରୀଭୁଷା, ନାରୀଧର୍ଷଣ ଇତ୍ୟାଦିର ସମ୍ବାଦ ପଢ଼ୁଛି, ସେତେବେଳେ ତାର କି ପ୍ରଭାବ ପଡ଼ୁଛି ତା’ ମନ ଉପରେ ? ଏଥିପାଇଁ କୌଣସି ନା କୌଣସି ପ୍ରତିକାର ବ୍ୟବସ୍ଥା ଓ କଟକଣା ପ୍ରୟୋଗ କରାଯିବା ଉଚିତ ନୁହେଁ କି ? ସୋଭିଏତ ସରକାର ସେ ଦେଶର ପିଲାଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ଦୈନିକ ସମ୍ବାଦପତ୍ର ପ୍ରକାଶ କରୁଛନ୍ତି । ମୋ’ ଜାଣିବାରେ ଭାରତରେ କେବଳ କେରଳରେ ପିଲାମାନଙ୍କ ପାଇଁ ‘ବାଳକେରଳମ୍‌’ ନାମରେ ଏକ ସ୍ୱତନ୍ତ୍ର ସାପ୍ତାହିକ ସରକାରଙ୍କ ତରଫରୁ ପ୍ରକାଶ ପାଏ ।

 

ପ୍ରକାଶନ :

ପରିଶେଷରେ ମୁଁ ଶିଶୁ-ସାହିତ୍ୟର ପ୍ରକାଶନ ସମ୍ପର୍କରେ କିଛି କହି ମୋର ବକ୍ତବ୍ୟ ଶେଷ କରିବି । ସମ୍ପାଦନା, ଚିତ୍ର ସଂଯୋଜନା, ମୁଦ୍ରଣ, ବିକ୍ରୟ ଏବଂ ଲେଖକଙ୍କୁ ତା’ର ପ୍ରାପ୍ୟ ପ୍ରଦାନ-ଏସବୁ ପ୍ରକାଶନ କାର୍ଯ୍ୟର ଅନ୍ତର୍ଭୁକ୍ତ । ଏଗୁଡ଼ିକ ସୂଚାରୁ ରୂପେ ସମ୍ପାଦିତ ନ ହେଲେ ପିଲାମାନେ ଭଲ ବହି ବା ପତ୍ରିକା ପାଇ ପାରିବେ ନାହିଁ । ଏ ଦିଗରେ କି କି ଅସୁବିଧା ରହିଛି, ତାହା ବିଚାର କରାଯାଉ । ପ୍ରଥମତଃ ପେଶାଦାର ପ୍ରକାଶକମାନେ ଶିଶୁ ପୁସ୍ତକ ଛାପିବାକୁ ଆଗ୍ରହୀ ନୁହନ୍ତି । ସେମାନଙ୍କର ଅଭିଯୋଗ ଯେ ପିଲାଙ୍କ ବହି ଛାପିବାରେ ଖର୍ଚ୍ଚ ହେବ ବେଶି, ଅଥଚ ବହିର ମୂଲ୍ୟ ହେବ କମ୍‌ । ତେଣୁ ବ୍ୟବସାୟ ଦୃଷ୍ଟିରୁ ତାହା ଲାଭଜନକ ନୁହେଁ । ଯେନ ତେନ ପ୍ରକାରେଣ ଛାପିଦେଲେ ଭଲ ବିକ୍ରି ହେବ ନାହିଁ । ସେମାନଙ୍କ ଅଭିଯୋଗ ଅମୂଳକ ନୁହେଁ । ତେଣୁ ଶିଶୁ ସାହିତ୍ୟର ବିକାଶ ପଥରେ ଏହା ଏକ ପ୍ରଧାନ ସମସ୍ୟା, ଯାହା ବିଚାରସାପେକ୍ଷ ।

 

ପ୍ରକାଶନ ପୂର୍ବରୁ ସମ୍ପାଦନା ବା Editing ପାଇଁ ଆମର କୌଣସି ବ୍ୟବସ୍ଥା ପ୍ରଚଳିତ ନାହିଁ । ପୁସ୍ତକ ପ୍ରକାଶକମାନେ ଖର୍ଚ୍ଚକୁ ଡରି ସମ୍ପାଦକ ନିଯୁକ୍ତ କରନ୍ତି ନାହିଁ । କେତେକ ଶିଶୁ ପତ୍ରିକାର ସମ୍ପାଦକ, ନିଜର ଯୋଗ୍ୟତା ବିଚାର ନ କରି ନିଜେ ସବୁ କରି ପାରିବେ ବୋଲି ଧରି ନିଅନ୍ତି । ସେମାନଙ୍କ ମତରେ ପିଲାଙ୍କ ପାଇଁ ପତ୍ରିକାଟାଏ ବାହାର କରିବା ଅତି ସହଜ । ପିଲାଏ ତ ପଢ଼ିବେ, ଦୋଷାଦୋଷ ଧରିବ କିଏ ? ତା’ଛଡ଼ା କିଛି ବ୍ୟବସାୟିକ ଫାଇଦା ଉଠାଇବା ଓ ସହଜରେ ଜଣେ ସାହିତ୍ୟିକ ହୋଇଯିବାର ଏ ଗୋଟାଏ ବାଟ । ମାସକ ତଳେ ଜଣେ ଶିଶୁ ପତ୍ରିକାର ସମ୍ପାଦକ ମୋତେ ଶୁଭେଚ୍ଛା ଜଣାଇ ଏକ ପତ୍ରରେ ଲେଖିଥିଲେ- ‘‘ଆପଣଙ୍କ ‘ଦୀର୍ଘଜୀବନ’ କାମନା କରୁଛି ।’’ ମୁଁ ତାକୁ ପଢ଼ି ଭାବିଲି- ଏ ସମ୍ପାଦକ ମୋର ଦୀର୍ଘ ଜୀବନ କାମନା ନ କରି ଯଦି ନିଜ ପାଇଁ ଆଉ ଜଣେ ସମ୍ପାଦକ ରଖନ୍ତେ, ତେବେ ତାଙ୍କ ପତ୍ରିକାଟି ଦୀର୍ଘଜୀବୀ ହୋଇ ପାରନ୍ତା ।

 

ପ୍ରକାଶନର ଅନ୍ୟ ଏକ ଦିଗ ହେଲା ଚିତ୍ର ସଂଯୋଜନା । ସହଜେ ତ ଏହା ବ୍ୟୟସାପେକ୍ଷ, ଦ୍ୱିତୀୟତଃ ଶିଶୁପୁସ୍ତକ ପାଇଁ ଦକ୍ଷ ଚିତ୍ରଶିଳ୍ପୀଙ୍କର ଘୋର ଅଭାବ ରହିଛି ।

 

ଓଡ଼ିଆରେ ଶିଶୁପୁସ୍ତକର ସମୀକ୍ଷା କ୍ୱଚିତ୍‌ ପ୍ରକାଶ ପାଏ । ଯାହା ପରିଚୟ ସ୍ତମ୍ଭରେ ବାହାରେ ତାହା ନିତାନ୍ତ ମାମୁଲି । ଫଳରେ ସୁଲେଖକ ତ ଉତ୍ସାହ ପାଏନାହିଁ, ଅସାହିତ୍ୟ ବଢ଼ିଚାଲେ ।

 

ପ୍ରତିବର୍ଷ ପ୍ରକାଶ ପାଉଥିବା ଶିଶୁପୁସ୍ତକ ଓ ପତ୍ରିକାର ତାଲିକା ମିଳୁ ନ ଥିବାରୁ କ୍ରେତାମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପୁସ୍ତକମେଳାରେ ସବୁ ପୁସ୍ତକ ସ୍ଥାନ ପାଏନାହିଁ ।

 

ଆମ ଶିଶୁ ସାହିତ୍ୟକୁ କଠୋର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି । ସୁଦୃଶ୍ୟ ଇଂରାଜୀ, ରୁଷୀୟ ଓ ଚୀନା ପୁସ୍ତକମାନ ସୁଲଭ ମୂଲ୍ୟରେ ଏଠାରେ ବିକ୍ରି ହେଉଛି । ଓଡ଼ିଶା ବାହାରେ ପ୍ରକାଶିତ ଏକ ଶିଶୁପତ୍ରିକା ବହୁସଂଖ୍ୟାରେ ଅଫ୍‌ସେଟ୍‌ ପଦ୍ଧତିରେ ମୁଦ୍ରିତ ହୋଇ ବଜାରକୁ ଆସିଯାଉଛି । ପିଲାଙ୍କପାଇଁ ତା’ର ଉପାଦେୟତା କେତେ କେହି ବୁଝୁନାହିଁ । ସରକାରଙ୍କ ଶିକ୍ଷାବିଭାଗ କେବଳ ଖଣ୍ଡିଏ ‘ଶିଶୁଲେଖା’ ପ୍ରକାଶ କରିଦେଇ ନିଶ୍ଚିନ୍ତ ରହିଛନ୍ତି । ଦେଶୀୟ ଶିଳ୍ପର ସୁରକ୍ଷାପାଇଁ ଯେପରି ପଦକ୍ଷେପ ନିଆଯାଏ, ସେହିପରି କିଛି ନ ହେଲେ ଆମେ ତିଷ୍ଠି ରହିବା କିପରି ?

 

ଶିଶୁସାହିତ୍ୟର ପରିପୂରକ ଭାବେ ଶିଶୁ ଅଭିଧାନ ଏବଂ ଶିଶୁ ଜ୍ଞାନକୋଷର ଆବଶ୍ୟକତା ରହିଛି । ସରକାରୀ ସ୍ତରରେ ଏହାର ପ୍ରକାଶନ ପାଇଁ ଉଦ୍ୟମ ହେବା ବାଞ୍ଛନୀୟ ।

 

ପରିଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ ପୁସ୍ତକ ଓ ପତ୍ରିକାର କେବଳ ସଂଖ୍ୟାବୃଦ୍ଧି ଘଟିଲେ ଓଡ଼ିଆ ଶିଶୁସାହିତ୍ୟର ବିକାଶ ଘଟୁଛି ବୋଲି କୁହାଯାଇ ପାରିବ ନାହିଁ । ତା’ର ଗୁଣାତ୍ମକ ମାନ ବଢ଼ାଇ ତାକୁ ଉନ୍ନତ ଶିଶୁସାହିତ୍ୟର ସମକକ୍ଷ କରାଇବାକୁ ହେବ । ଏ ଦିଗରେ ଯାହା ଯାହା ଅସୁବିଧା ରହିଛି ବୋଲି ମୁଁ ସୂଚନା ଦେଲି, ତା’ର ଯଥାଯଥ ଦୂରୀକରଣ ଦିଗରେ ଆପଣମାନେ ଆଲୋକପାତ କରିବେ । ଏହି ଆଶା ପୋଷଣ କରି ଆନୁଷ୍ଠାନିକ ଭାବରେ ମୁଁ ଏହି ଆଲୋଚନାଚକ୍ର ଉଦ୍‌ଘାଟନ କରୁଛି । ଧନ୍ୟବାଦ ।*

 

*

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏବଂ ଅନୁଗୁଳଠାରେ ୨୩ ଓ ୨୪ ମାର୍ଚ୍ଚ, ୧୯୮୪ରେ ଅନୁଷ୍ଠିତ ଓଡ଼ିଆ ଶିଶୁସାହିତ୍ୟ ଆଲୋଚନାଚକ୍ରରେ ଉଦ୍‌ଘାଟକଙ୍କ ଦ୍ୱାରା ପ୍ରଦତ୍ତ ଉଦ୍‌ବୋଧନୀ ଅଭିଭାଷଣ ।

***

 

Unknown

ଓଡ଼ିଆ ଶିଶୁ-ସାହିତ୍ୟର ସଂଜ୍ଞା, ସ୍ୱରୂପ ଓ ଉନ୍ମେଷ

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

ଶିଶୁ ସାହିତ୍ୟ-ଏ ଶବ୍ଦଟିର ସାଧାରଣତଃ ତିନୋଟି ଅର୍ଥ କରାଯାଇପାରେ । ସାହିତ୍ୟର ଶୈଶବାବସ୍ଥା, ଶିଶୁମାନଙ୍କ କଥିତ ବା ଲିଖିତ ସାହିତ୍ୟ ଏବଂ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଲିଖିତ ସାହିତ୍ୟ ।

 

ବର୍ତ୍ତମାନ ଯୁଗରେ ବିଶ୍ୱର ଯେକୌଣସି ଦେଶ ବା ଜାତିର ସାହିତ୍ୟ ଶୈଶବାବସ୍ଥାରେ ନାହିଁ । ନିଜ ପରିସ୍ଥିତି, ବାତାବରଣ ଭିତରେ ତାହା ବହୁତ ଦୂର ଆଗେଇ ଗଲାଣି । ବିଶେଷତଃ ଆମ ଓଡ଼ିଆ ସାହିତ୍ୟର ଶୈଶବବସ୍ଥା ଯେ ବହୁ ଦିନରୁ ଗତ ହୋଇଗଲାଣି ଏବଂ ବର୍ତ୍ତମାନ ଉତ୍ସାହ ଉଦ୍ଦୀପନାପୂର୍ଣ୍ଣ ଗୌରବୋଜ୍ଜ୍ୱଳ ଯୌବନାବସ୍ଥା ବା ପ୍ରଜ୍ଞାନୁଭୂତି-ସମ୍ପନ୍ନ ପୌଢ଼ାବସ୍ଥା, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ପୁଣି ଦ୍ୱିତୀୟ ଅର୍ଥ ଶିଶୁମାନଙ୍କ କଥିତ ବା ଲିଖିତ ସାହିତ୍ୟ । ସେ ସାହିତ୍ୟ ଶିଶୁମନକୁ ସାମୟିକ ଆକୃଷ୍ଟ କରିପାରେ, ଆନନ୍ଦ ଦେଇ ପାରେ, ମାତ୍ର ତାହା ସାହିତ୍ୟ ସମାଜରେ ଗୋଟାଏ ଆସନ ମାଡ଼ି ବସିବାର ସାମର୍ଥ୍ୟ ଲାଭ କରି ନ ଥାଏ । ଶିଶୁର ମାନସିକ ଶକ୍ତି ଅପୂର୍ଣ୍ଣ, ଚିନ୍ତାଧାରା ଅନୁଭୂତିବିହୀନ, ତେଣୁ ତା ରଚିତ ସାହିତ୍ୟ ଦୁର୍ବଳ, କ୍ଷଣସ୍ଥାୟୀ ।

 

କେବଳ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଲିଖିତ ସାହିତ୍ୟ ହିଁ କେବଳ ଶିଶୁସାହିତ୍ୟ ପଦବାଚ୍ୟ-। ସବୁ ଭାଷା-ଭାଷୀ ସାହିତ୍ୟର ଅଗ୍ରଗତି ସହ ସମାନ ପଦ ପକାଇ ଶିଶୁ ସାହିତ୍ୟ ଯେପରି ଆଗେଇ ଚାଲିଛି, ସେହିପରି ଆମ ଶିଶୁ ସାହିତ୍ୟ ମଧ୍ୟ ସାଧାରଣ ସାହିତ୍ୟର ସମୃଦ୍ଧି ସଙ୍ଗେ ସଙ୍ଗେ ସମୃଦ୍ଧ ହେବାରେ ଲାଗିଛି ।

 

ଶିଶୁ ସାହିତ୍ୟର ଇତିହାସ ସାଧାରଣ ସାହିତ୍ୟ ଠାରୁ ପ୍ରାଚୀନତର । ଏହାର ଐତିହ୍ୟ ଏତେ ବ୍ୟାପକ ଯେ ଐତିହାସିକମାନେ ଯୁଗ ଯୁଗ ଧରି ଗବେଷଣା କଲେ ମଧ୍ୟ ତାର ଆଦିଅନ୍ତ ପାଇବେ ନାହିଁ । ହୁଏ ତ ପୃଥିବୀରେ ମନୁଷ୍ୟ ଯେଉଁ ଦିନଠାରୁ ଶବ୍ଦ ଉଚ୍ଚାରଣ କରି ନିଜର ମନୋଭାବ ବ୍ୟକ୍ତ କରିବାକୁ ଆରମ୍ଭ କରିଛି, ସେହି ଦିନଠାରୁ ଶିଶୁ ସାହିତ୍ୟର ସୃଷ୍ଟି । ଜନନୀ ହିଁ ଏହାର ପ୍ରଥମ ସ୍ରଷ୍ଟା । ସ୍ନେହର ପିତୁଳା ଶିଶୁଟି ଅଝଟ ହେଲେ, ତାକୁ ଶାନ୍ତ କରିବାକୁ, ସାନ୍ତ୍ୱନା ଦେବାକୁ ଜନନୀ ଶିଶୁର ମନ ବୁଝିଲା ଭଳି ନାନା ସୁଶ୍ରାବ୍ୟ କୋମଳ ଛନ୍ଦରେ ଢଗଢମାଳି ବୋଲି, ନାନା ଗପ କହି, ପିଠି ଆଉଁସି ନିଜର ଅଜାଣତରେ ଯେଉଁ ସାହିତ୍ୟ ସର୍ଜନା କରିଛି, ତାହାହିଁ ଆଜିର ଶିଶୁ ସାହିତ୍ୟର ମୂଳଭିତ୍ତି କେବଳ ନୁହେଁ, ମେରୁଦଣ୍ଡ ମଧ୍ୟ ।

 

ଆର୍ଯ୍ୟ ଭାରତ ବୈଦିକ ଯୁଗରେ ରଚିତ ଉପନିଷଦମାନଙ୍କରୁ ଆମେ ଯେଉଁ ଆରୁଣି ନଚିକେତା ପ୍ରଭୃତି ଉପାଖ୍ୟାନ ପାଉ, ତାହା ସେହି ଶିଶୁମାନଙ୍କ ପାଇଁ ହିଁ ରଚିତ ହୋଇଥିଲା ।

 

ଆମ ଓଡ଼ିଆ ଭାଷାଭାଷୀ ଶିଶୁସମାଜକୁ ଯୁଗ ଯୁଗ ଧରି ଆନନ୍ଦ, ସାନ୍ତ୍ୱନା ଦେଇ ଆସୁଥିବା ‘‘ଆ ଜହ୍ନ ମାମୁଁ ଶରଦ ଶଶୀ, ମୋ’ କାହ୍ନୁ ହାତରେ ପଡ଼ରେ ଖସି’’ କିମ୍ୱା ‘‘ଧୋରେ ବାଇଆ ଧୋ’’, ଯେଉଁ କିଆରୀରେ କଅଁଳ ମାଣ୍ଡିଆ, ସେହି କିଆରିରେ ଶୋ’’, ‘‘ଝୁଲ ହାତୀ ଝୁଲ, ବାଆପାଣି ଖାଇ ଫୁଲ’’, ‘‘ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ’’ ଇତ୍ୟାଦି ଅର୍ଥହୀନ, ଭାବହୀନ, ମୂଲ୍ୟହୀନ, ଅଥଚ ଲଳିତ ଛନ୍ଦୋବଦ୍ଧ ଖଣ୍ଡ ସଙ୍ଗୀତ ଯେ କେଉଁ ଆବହମାନ କାଳରୁ ଆଦର ଲାଭ କରି ଆସିଛି, ଏବଂ ତାହା ଶୁଣି ଶିଶୁ ସବୁପ୍ରକାର ଭୋକଶେଷ, ଦୁଃଖ ଯନ୍ତ୍ରଣା ଭୁଲିଯାଇ ଉତ୍‌ଫୁଲ୍ଲ ହୋଇ ଉଠିଛି, ତାହା କିଏ ବା ନଜାଣେ ? ଆମ ବାପ, ଅଜା, ଅଣଅଜା, ପଣଅଜା ତାଙ୍କ ଶୈଶବାବସ୍ଥାରେ ଏହା ଶୁଣି ମୁଗ୍‌ଧ ହେଉଥିଲେ; ଆମେ ମଧ୍ୟ ମୁଗ୍‌ଧ ହୋଇଛୁ ଏବଂ ଆମପୁଅ, ନାତି, ଅଣନାତି, ପଣନାତି ମଧ୍ୟ ମୁଗ୍‌ଧ ହେଉଥିବେ । ଏହା ସବୁ ଅଞ୍ଚଳର ସବୁ ଅବସ୍ଥାର ଶିଶୁମାନଙ୍କ ମନକୁ ହରଣ କରି ଆସିଛି ଓ ଆସୁଥିବ । ଏହି ସାହିତ୍ୟ ହିଁ ଚିରନ୍ତନ ।

 

ଶିଶୁ ପ୍ରକୃତିସୃଷ୍ଟ ନନ୍ଦନକାନନର ପାରିଜାତ । ତା’ର ସୁଗନ୍ଧି ସବୁ ଅଞ୍ଚଳରେ, ସବୁ କାଳରେ ସମାନ ଭାବରେ ବିଚ୍ଛୁରିତ । ତେଣୁ ଓଡ଼ିଶାର ପ୍ରତି କୌଣରେ ଶିକ୍ଷିତ-ଅଶିକ୍ଷିତ, ତଥାକଥିତ ସଭ୍ୟ-ଅସଭ୍ୟ, ଲିପିହୀନ ଆଦିବାସୀ, ଯାଯାବର ସବୁ ଶ୍ରେଣୀର ଗୋଷ୍ଠୀରେ ଏହି ଶିଶୁ ସଙ୍ଗୀତଗୁଡ଼ିକ ସମାନ ଭାବରେ ଆଦର ଲାଭ କରି ଆସିଅଛି । ଆଞ୍ଚଳିକ କଥାବାର୍ତ୍ତା, ଚାଲିଚଳଣ, ଢଙ୍ଗରଙ୍ଗ ହେତୁ ଯାହା ବା ସାମାନ୍ୟ ଭାଷାଗତ ପ୍ରଭେଦ ଦେଖା ଦେଇଥାଏ । ମାତ୍ର ଧର୍ମ ଏକ ।

 

ଶିଶୁ ମନରେ ହିଂସା ନ ଥାଏ, ଲୋଭ ନ ଥାଏ । ସେ ସ୍ୱାର୍ଥପରାୟଣ ନୁହେଁ । କୂଟକପଟ ତାକୁ ସ୍ପର୍ଶ କରି ନ ଥାଏ । ତେଣୁ ସବୁଠାରେ ସେ ସମାନତା ଦୃଷ୍ଟିରେ ସମସ୍ତେ ବି ସମାନ । ତାକୁ ମୁଗ୍‌ଧ କରୁଥିବା ସାହିତ୍ୟ ମଧ୍ୟ ସମାନ । କେବଳ ଆଞ୍ଚଳିକ ରୀତିଗତି ଯୋଗୁଁ ଯାହା ବା ଟିକିଏ ବାହ୍ୟତଃ ପ୍ରଭେଦ ଦେଖାଯାଏ ।

 

କିନ୍ତୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସାଂସାରର ଆବିଳତା ତାକୁ କାବୁ କରିଆଣେ । ସେତେବେଳେ ସେ ମନୁଷ୍ୟସୃଷ୍ଟ ସଂସାରୀ, ତା’ ମଧ୍ୟରେ ଦେଖାଦିଏ ଅସାମ୍ୟ, ମତଦୈଧ ଓ ବାଧାବିଘ୍ନ । ତାହା ହିଁ ସଂସାରକୁ ଟାଣିଆଣେ ସବୁ ପ୍ରକାର ଅଶାନ୍ତି, ବିଶୃଙ୍ଖଳା ଓ ଯୁଦ୍ଧବିଗ୍ରହ ।

 

ଇତିହାସ କହେ, ଓଡ଼ିଆ ସାହିତ୍ୟର ପ୍ରଥମ ସୃଷ୍ଟି କବିତାରେ । ସବୁ ସାହିତ୍ୟରେ ମଧ୍ୟ ଏହି ରୀତି । ଶିଶୁ ସାହିତ୍ୟ ମଧ୍ୟ ସେହି କବିତାରେ ପ୍ରଥମେ ରୂପ ପରିଗ୍ରହ କରିଥିଲା ।

 

‘‘କମଳଲୋଚନ ଶ୍ରୀହରି, କରେଣ ଶଙ୍ଖଚକ୍ରଧାରୀ’’, ‘‘କହନ୍ତି ମାଏ ଯେ ଶ୍ରୀକୃଷ୍ଣ ଆଗେ, କଥା ଶୁଣ ବାବୁ ଅତି ସରାଗେ । ‘‘ଖେଳଧୂଳି ବୁଦ୍ଧି ଛାଡ଼ରେ ବାବୁ, ଖଡ଼ି ଛୁଇଁଲେ ତୁ ପାଠ ପଢ଼ିବୁ’’ ପ୍ରଭୃତି ଅସଂଖ୍ୟ ଚଉତିଶା ଆମେ ଦେଖିବାବୁ ପାଉ । ଏହା ଯେ କେବେ କେଉଁ କବିଙ୍କ ଲିଖିତ, ତା’ର ଇତିହାସ ଏ ପର୍ଯ୍ୟନ୍ତ ଅଜ୍ଞାତ । ପିଲାମାନଙ୍କ ମନରେ ପାଠ ପଢ଼ିବାକୁ ଆଗ୍ରହ ସୃଷ୍ଟି କରିବା କ ଠାରୁ କ୍ଷ ପର୍ଯ୍ୟନ୍ତ କ୍ରମାନ୍ୱୟରେ ବର୍ଣ୍ଣମାଳା ଶିକ୍ଷା ଦେବା ଏ କବିତାଗୁଡ଼ିକର ଉଦ୍ଦେଶ୍ୟ । ସେହିପରି ‘ବାରମାସୀ’ ଗୀତ ‘କୋଇଲି’ ଗୀତ ପ୍ରଭୃତି ମାସ ବା ଋତୁମାନଙ୍କ ନାମ ଏବଂ କ୍ରମ ଅବସ୍ଥିତି ଶିଶୁ ମନରେ ଦୃଢ଼ ସ୍ଥାନ ମାଡ଼ି ବସେ । ସେ ଯୁଗର ରୀତି ଅନୁସାରେ ଏହା ମଧ୍ୟ ଭକ୍ତିରସାଶ୍ରିତ । ଆକ୍ଷର ଶିକ୍ଷା, ସାଧାଣଣ ଜ୍ଞାନ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଏହା ଶିଶୁ ମନକୁ ସାତ୍ତ୍ୱିକତା ଆଡ଼କୁ ଆକୃଷ୍ଟ କରିନିଏ ।

 

କ୍ରମେ ଓଡ଼ିଆ ସାହିତ୍ୟ ଗଦ୍ୟରୂପ ନେଲା । ଗାଁ ଗଣ୍ଡାର ସ୍ତ୍ରୀ ଲୋକମାନେ ଯେଉଁ ବ୍ରତ, ଉପବାସ ଆଦି ପାଳନ୍ତି, ତାହାର ମହିମା ଗଳ୍ପ ଆକାରରେ ଗଦ୍ୟରେ ରଚିତ ହେଲା । ମାଆମାନେ ପିଲାଙ୍କୁ କୋଳରେ ଧରି ବା ପିଲାମାନଙ୍କ ଗହଣରେ ପୂଜାପୀଠରେ ବସି ଭକ୍ତିଗଦ୍‌ଗଦ ଚିତ୍ତରେ ଏହି ବ୍ରତ କଥା ଶୁଣିଲାବେଳେ ପିଲାଙ୍କ ମନରେ ଏହା କମ୍‌ ପ୍ରଭାବ ପକାଉ ନ ଥିଲା ।

 

ମା, ଆଈମା ପ୍ରଭୃତି ପିଲାର ମନ ରଞ୍ଜାଇବା ପାଇଁ ଯେଉଁସବୁ କାଳ୍ପିନିକ କାହାଣୀ କହୁଥିଲେ, ତାହାହିଁ ଓଡ଼ିଆ ଗଦ୍ୟ ଶିଶୁସାହିତ୍ୟର ଆଦ୍ୟଯୁଗ । ଅତି ଅସମ୍ଭବ କଳ୍ପନା ଚାତୁରୀରେ ଅସୁର ଅସୁରୁଣୀ, ପକ୍ଷୀରାଜ ଘୋଡ଼ା, ରାଜପୁତ୍ର, ରାଜକନ୍ୟା ଶିଶୁ ମନକୁ ଯେପରି ଆନ୍ଦୋଳିତ କରିଥାଏ, ସେହିପରି ତା’ର କଳ୍ପନାଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ଏସବୁ ଅଦ୍‌ଭୁତ ଚରିତ୍ରର ଅସମ୍ଭବ ଘଟଣାବଳୀର ବର୍ଣ୍ଣନା ଯୁଗ ଯୁଗ ଧରି ଶିଶୁମନକୁ ହରଣକରି ଆସିଛି, ତାର ଚିନ୍ତାଧାରାରେ ପ୍ରଭାବ ପକାଇଛି । ରାମାୟଣ, ମହାଭାରତ, ହରିବଂଶର ଆଖ୍ୟାୟିକାଗୁଡ଼ିକ ବୁଢ଼ୀ ମାଆର କଳ୍ପନା ଶକ୍ତି ଓ କହିବା ଚାତୁରୀରେ ଶିଶୁମନକୁ ଯେପରି ସରସ ଓ ଉତ୍‌ଫୁଲ୍ଲ କରେ, ସେହିପରି ସୁନ୍ଦର ଜୀବନ ଗଢ଼ିବାକୁ ପ୍ରେରଣା ଦିଏ ।

 

୩। ଆଧୁନିକ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ଭାବରେ ଶିଶୁସାହିତ୍ୟ ସୃଷ୍ଟିର ଆରମ୍ଭ ଅଷ୍ଟାଦଶ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ । ଭକ୍ତକବି ମଧୁସୂଦନ ରାଓ ପାଠପୁସ୍ତକ ହିସାବ ରା ଯ଼େଉଁ ଶିଶୁ ସାହିତ୍ୟ ରଚନା କଲେ, ତାହା ପିଲାମାନଙ୍କୁ ଶିକ୍ଷା ଓ ଆନନ୍ଦ ଦେବ। ସଙ୍ଗେ ସଙ୍ଗେ ସେମାନଙ୍କ ମନରେ ଭଗବତ ପ୍ରୀତି ଜନ୍ମାଇଲା । ଭକ୍ତକବି ଥିଲେ ଶିକ୍ଷକ । ଶିଶୁମାନଙ୍କ ମନସ୍ତତ୍ତ୍ୱ ଜାଣିବାରେ ଧୂରନ୍ଧର । ଶିକ୍ଷକ ବା ଗୁରୁଜନମାନଙ୍କ ଉପଦେଶ, ଆଦେଶ ସୂଚକ ସାହିତ୍ୟ ସାଧାରଣତଃ ପିଲା ମନରେ ସ୍ଥାୟୀ ପ୍ରଭାବ ପକାଇବାକୁ ଅକ୍ଷମ । ତାହା କେବଳ ପରୀକ୍ଷାରେ କାମ ଦେଇଥାଏ । ଭକ୍ତ କବିଙ୍କ ଗଦ୍ୟ ସାହିତ୍ୟର ସେହି ଦଶା ଘଟିଅଛି । ମାତ୍ର ତାଙ୍କ ରଚିତ ପଦ୍ୟଗୁଡ଼ିକ ଏପରି ସରଳ, ସରସ ଯେ, ଯେଉଁମାନେ ତାହା ବାଲ୍ୟାବସ୍ଥାରେ କେବଳ ପରୀକ୍ଷା ପାଇଁ ପାଠ କରିଥିଲେ, ଜରାଜୀର୍ଣ୍ଣ ଅବସ୍ଥାରେ ମଧ୍ୟ ଭୁଲିପାରୁ ନାହାନ୍ତି । ଷଡ଼ଋତୁ ବର୍ଣ୍ଣନା, ଭାରତ ବନ୍ଦନା, ନଦୀପ୍ରତି, ପଦ୍ମ, ଶୋଭା, ଧ୍ୱନି ପ୍ରଭୃତି କବିତା ଏବେ ବି ଆନନ୍ଦ ଦେଇଥାଏ ପିଲାମାନଙ୍କୁ, ଅନ୍ତର ରସାପ୍ଲୁତ କରିଥାଏ । ସେହି ସମୟରେ ବ୍ୟାସକବି ଫକୀରମୋହନ ମଧ୍ୟ ଶିଶୁମନ ରଞ୍ଜାଇବା ପାଇଁ କବିତା ଓ ଗଳ୍ପ ଲେଖିବାରେ ବ୍ରତୀ ହୋଇଥିଲେ । ‘ଅବସର ବାସରେ’ କବିତା ସଞ୍ଚୟନରେ ପିଲାମାନଙ୍କ ପାଇଁ କେତେକ ଶିକ୍ଷାପ୍ରଦ ମନୋରମ କବିତା ଦେଖିବାକୁ ମିଳେ । ବ୍ୟଙ୍ଗ ସମାଲୋଚକ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ ଗୋପାଳଚନ୍ଦ୍ର ପହରାଜଙ୍କ ଶିଶୁ କବିତା, ‘ନାନାବାୟା ଗୀତ’ ଭଳି ପଲ୍ଲୀକବି ନନ୍ଦକିଶୋର ବଳ, କାନ୍ତକବି ଲକ୍ଷ୍ମାକାନ୍ତ ମହାପାତ୍ର, ସ୍ୱଭାବ କବି ଗଙ୍ଗାଧର ମେହେର ଉଚ୍ଚକୋଟୀର ସାହିତ୍ୟ ରଚନା ସଙ୍ଗେ ସଙ୍ଗେ ଶିଶୁ ମନଲାଖି କବିତା, ଗଳ୍ପ, କାହାଣୀ ଲେଖି ଓଡ଼ିଆ ଶିଶୁ-ସାହିତ୍ୟକୁ ସମୃଦ୍ଧ କରିଯାଇ ଅଛନ୍ତି । ବ୍ରହ୍ମପୁରର ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର ପ୍ରେରଣାରେ ରାମଚନ୍ଦ୍ର ଆଚାର୍ଯ୍ୟ ପଞ୍ଚତନ୍ତ୍ର ଗଳ୍ପ ପ୍ରଭୃତି ଅନେକ ଶିଶୁ ଶିକ୍ଷାପ୍ରଦ ଗଳ୍ପ ଓ ଗଦ୍ୟସାହିତ୍ୟ ସୃଷ୍ଟିକରି ସେ ସମୟରେ ଶିଶୁମାନଙ୍କର ବେଶ୍‌ ଆଦୃତ ହୋଇଥିଲେ । ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ବାସୁଦେବ ମହାପାତ୍ରଙ୍କର ଶିଶୁ ସାହିତ୍ୟକୁ ଅବଦାନ ବିଶେଷ ସ୍ମରଣୀୟ । ପଣ୍ଡିତ ଗୋପବନ୍ଧୁଙ୍କ ‘ଧର୍ମପଦ’ ‘ନଚିକେତା’ ପିଲାମାନଙ୍କୁ ଆତ୍ମତ୍ୟାଗ ଦିଗରେ ପ୍ରେରଣା ଯୋଗାଇଥାଏ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ପରେ ସମଗ୍ର ବିଶ୍ୱରେ ରାଜନୀତି, ଅର୍ଥନିତୀ, ସାମାଜିକ ପରିସ୍ଥିତି ଓ ମନୁଷ୍ୟର ଚିନ୍ତାଧାରା ଯେଉଁ ବିରାଟ ପରିବର୍ତ୍ତନ ଦେଖାଗଲା, ସବୁ ଭାଷାର ସାହିତ୍ୟରେ ମଧ୍ୟ ତାହା ପ୍ରତିଫଳିତ ହେଲା । ଓଡ଼ିଆ ସାହିତ୍ୟ ମଧ୍ୟ ସେହି ପ୍ରବାହରେ କ୍ଷୀପ୍ର ଗତିରେ ଆଗେଇ ଚାଲିଲା । ଶିଶୁ ସାହିତ୍ୟ ମଧ୍ୟ ବାଦ୍‌ ପଡ଼ିଲା ନାହିଁ । ବାଳକୃଷ୍ଣ କର, ଗୋଦାବରୀଶ ମହାପାତ୍ର, ଜାତୀୟ କବି ବୀରକିଶୋର ଦାସ, ଚିନ୍ତାମଣି ଆଚାର୍ଯ୍ୟ ପ୍ରମୁଖଙ୍କ ରଚନା ଓଡ଼ିଆ ଶିଶୁ ସାହିତ୍ୟରେ ନୂଆ ଦିଗ୍‌ଦର୍ଶନ ଦେଲା ।

 

ଯୁଗର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଯେପରି ସାହିତ୍ୟର ଗତି ବଦଳୁଛି, ସେହିପରି ଶିଶୁସାହିତ୍ୟର ଧାରା ମଧ୍ୟ ପରିବର୍ତ୍ତିତ ହେଉଛି । ଏ ବିଜ୍ଞାନ ଯୁଗରେ କିଶୋର କିଶୋରୀ ଆଉ ଦୈତ୍ୟଦାନବଙ୍କ ଅବିଶ୍ୱାସ କାହାଣୀ ବା ଅପ୍ରାକୃତ ଜୀବଜନ୍ତୁଙ୍କ ବର୍ଣ୍ଣନାରେ ସନ୍ତୁଷ୍ଟ ହେବାଙ୍କୁ ଚାହାନ୍ତି ନାହିଁ । ଏ ଯୁଗର ଶିଶୁ ଅବୋଧ ଅବସ୍ଥାରେ ‘‘ଆ ଜହ୍ନମାମୁଁ ସରଗ ଶଶୀ, ମୋ’ କାହ୍ନୁ ହାତରେ ପଡ଼ରେ ଖସି’’ ଗୀତରେ ସାମୟିକ ମୁଗ୍‌ଧ ହେଲେ ବାଲ୍ୟାବସ୍ଥାକୁ ଆସିଗଲେ ରକେଟରେ ବସି ନିଜ ଜହ୍ନମାମୁଁ ଘରକୁ ଯିବାପାଇଁ କଳ୍ପନା କରୁଛି । ଏହି ପରିବର୍ତ୍ତିତ ଅବସ୍ଥାରେ ଏ ଯୁଗର ଶିଶୁ-ସାହିତ୍ୟ ଲେଖମାନେ ଶିଶୁ ମନକୁ ଉପଯୁକ୍ତ ଖୋରାକ ଯୋଗାଇବାକୁ ପଛେଇ ନାହାନ୍ତି ।

 

ଭାରତର ସ୍ୱାଧୀନତା ଲାଭ ପରେ ପ୍ରାନ୍ତୀୟ ସାହିତ୍ୟ ସବୁ ଯେପରି ଅଗ୍ରଗତି କରି ଚାଲିଛନ୍ତି, ଓଡ଼ିଆ ଭାଷାର ସାଧାରଣ ସାହିତ୍ୟ ସଙ୍ଗେ ସଙ୍ଗେ ଶିଶୁ-ସାହିତ୍ୟ ମଧ୍ୟ ସେମାନଙ୍କ ସହିତ ସମାନ ଭାବରେ ପାଦ ପକାଇ ଚାଲିଛି । ବିଭିନ୍ନ ରୁଚିର କବିତା, ଗଳ୍ପ, ଉପନ୍ୟାସ, କୌତୁକ କଥା, ବିଜ୍ଞାନ ସମ୍ୱନ୍ଧୀୟ ଉପାଦେୟ ଗଳ୍ପ, ନାଟକ, ଦେଶବିଦେଶର ପରିଚୟ, ମହତ୍‌ ଲୋକଙ୍କ ଜୀବନ ଚରିତ ଏବେ ଆମ ଶିଶୁ ସାହିତ୍ୟ ଭଣ୍ଡାରକୁ ଯେପରି ସମୃଦ୍ଧ କରୁଛି, ସେହିପରି ଶିଶୁମନ ଆକୃଷ୍ଟ କରି ତା’ର ପଠନସ୍ପୃହା ବୃଦ୍ଧି କରିବାରେ ସହାୟକ ହେଉଛି । ପ୍ରବୀଣ ପ୍ରତିଭାବାନ୍‌ ଲେଖକଙ୍କ ଠାରୁ ଆରମ୍ଭ କରି ତରୁଣ ଲେଖକ ବହୁ ସଂଖ୍ୟାରେ ଏବେ ଶିଶୁ ମନୋରଞ୍ଜନ ପାଇଁ ଲେଖନୀ ଚାଳନା କଲେଣି । ପରିମାଣରେ ନ ହୋଇ ପାରେ, ମାତ୍ର ଗୁଣରେ ଆମ ଶିଶୁ ସାହିତ୍ୟ ଭାରତର କୌଣସି ପ୍ରାନ୍ତୀୟ ଭାଷାର ଶିଶୁ-ସାହିତ୍ୟ ଠାରୁ ଯେ ପଛରେ ପଡ଼ିଯାଇଛି ଏହା କଦାପି କୁହାଯାଇ ନ ପାରେ ।

 

ଏ ଯୁଗରେ ଶିଶୁ ସାହିତ୍ୟ ପ୍ରସାରର ଗୋଟିଏ ପ୍ରଧାନ ମାଧ୍ୟମ ହେଉଛି ଶିଶୁ ସାହିତ୍ୟ ପତ୍ରିକା । ଓଡ଼ିଆ ଭାଷାରେ ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା ଜନ୍ମଲାଭ କରିଥିଲେ ୧୯୦୧ ମସିହାରେ ‘ପ୍ରଭାତ’ ନାମରେ । ଏହାର ସଂପାଦିକା ଥିଲେ ରେବା ରାୟ, ତାହା ପରେ ଚିନ୍ତାମଣି ଆଚାର୍ଯ୍ୟଙ୍କ ସମ୍ପାଦିତ ‘ପଞ୍ଚାମୃତ’, ଜାତୀୟ କବି ବୀରକିଶୋରଙ୍କ ସମ୍ପାଦିତ ‘ମୋ’ ଦେଶ’, ବାଳକୃଷ୍ଣ କରଙ୍କ ସମ୍ପାଦିତ ‘ଜହ୍ନ ମାମୁଁ’, ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ‘ଟୁଆଁ ଟୁଇଁ’ ନିଜ ଜୀବନକାଳ ମଧ୍ୟରେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲା । ଆଜିକାଲି ଅବଶ୍ୟ ଅନେକ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ଶିଶୁ ପତ୍ରିକା ପ୍ରକାଶ ପାଇଛି ବା ପାଉଛି । ମାତ୍ର ସେଥିମଧ୍ୟରୁ ତିନି ଚାରି ଖଣ୍ଡିକୁ ଛାଡ଼ିଦେଲେ ଆଉ କୌଣସି ପତ୍ରିକାର ଅବଦାନ ଉଲ୍ଲେଖଯୋଗ୍ୟ ନୁହେଁ ।

 

୩-ଏବେ ଆମ ଶିଶୁସାହିତ୍ୟ କ୍ଷେତ୍ରରେ ବହୁ ଲେଖକ, ଲେଖିକାଙ୍କର ପଦଧ୍ୱନି ଶୁଣା ଯାଉଛି । ସବୁ ବିଭାଗରେ ଶିଶୁ ମନକୁ ଆନନ୍ଦ ଓ ଶିକ୍ଷା ଦେବାଭଳି, ବିଜ୍ଞାନ ପ୍ରତି ଆଗ୍ରହୀ କରାଇବା, ଦେଶପ୍ରୀତି, ଜାତିପ୍ରୀତିର ଅଙ୍କୁର ସେମାନଙ୍କ ମନରେ ରୋପଣ କରିବା, ସର୍ବୋପରି ସାହିତ୍ୟ ପଢ଼ିବାକୁ ଆଗ୍ରହ ସୃଷ୍ଟି କରାଇବା ପ୍ରଚେଷ୍ଟାରେ ସେମାନେ ଯଥେଷ୍ଟ ଉପଦାନ ଯୋଗାଉଛନ୍ତି । ସେଥିରୁ କେତେକ ଆମ ପିଲାମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହେଉଛି, ମାତ୍ର ଅନେକେ ନିଜ ଲକ୍ଷ୍ୟ ପୂରଣ ଦିଗରେ ବିଫଳ ହେଉଥିବାର ଦେଖାଯାଉଛି । ଶିଶୁର ମନକୁ ଘେନିଲା ଭଳି, ତା’ର ଚିନ୍ତାଧାରା ସହିତ ଖାପ୍‌ ଖାଇଲା ଭଳି ଭାଷା, ଭାବ ଓ ବାକ୍ୟବିନ୍ୟାସ ନ ପାଇଲେ ଶିଶୁ ତାହା ଗ୍ରହଣ କରିବାକୁ ଅସମର୍ଥ ହେବା ସ୍ୱାଭାବିକ ।

 

କେବଳ ଭାଷା ସରଳ ବା ଗାଉଁଲୀ ଶବ୍ଦ ସଂଯୋଜିତ ହେଲେ ଯେ ତାହା ଶିଶୁ-ସାହିତ୍ୟର ଲକ୍ଷ୍ୟ ପୂରଣ କରିବ, ତାହା ନୁହେଁ । ଶିଶୁର ଅବବୋଧ ହେଲାଭଳି ବିଷୟ ନିର୍ବାଚନ କରିବାକୁ ହେବ, ପାଠକ ବିନା ଆୟାସରେ ତାହା ପଢ଼ି ହୃଦ୍‌ବୋଧ କରି ପାରୁଥିବ, ବିଷୟଟି ପୁରୁଣା ହେଲେ ମଧ୍ୟ ତା’ର ଭାଷା, ପ୍ରକାଶଭଙ୍ଗୀ, ବାକ୍ୟଗଠନ ଶୈଳୀ ତାକୁ ଜଣା ଯାଉଥିବ-ତାହା ହିଁ ହେବ ପ୍ରକୃତ ଶିଶୁ-ସାହିତ୍ୟ । ସେଥିପାଇଁ କୁହା ଯାଇଥାଏ, ଶିଶୁ ସାହିତ୍ୟ ଲେଖକ ଅନ୍ୟାନ୍ୟ ପ୍ରତିଭାବାନ୍‌ ସାହିତ୍ୟିକଙ୍କ ପରି ସ୍ୱାଧୀନ ନୁହେଁ । ସେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ କଲମ ଧରେ, ତା’ର ପାଠକ ଅବୋଧ, ସରଳ ବିଶ୍ୱାସୀ । ଉଚ୍ଚ ସାହିତ୍ୟର ସମାଲୋଚକ ବହୁତ । ସେ ସାହିତ୍ୟ ସପକ୍ଷ ବିପକ୍ଷରେ ଯୁକ୍ତିତର୍କ କରି ସୃଷ୍ଟିର ମୂଲ୍ୟାୟନ କରାଯାଇଥାଏ । ମାତ୍ର ଶିଶୁ-ସାହିତ୍ୟର ପାଠକ ପାଠିକା ସମାଲୋଚନା କରିବାର, ଭଲମନ୍ଦ ବାଛିବାର ଶକ୍ତି ପାଇ ନ ଥାନ୍ତି । ତେଣୁ ସେମାନଙ୍କ ଆଗରେ ଯାହା କିଛି ରଖି ଦିଆଯାଏ । ସେମାନେ ତାକୁ ବିଶ୍ୱାସର ସହିତ ଗ୍ରହଣ କରି ନିଅନ୍ତି । ଏପରି ଅବସ୍ଥାରେ ଲେଖକ କଲମ ଧରିବା ପୂର୍ବରୁ ଗଭୀର ଭାବରେ ଚିନ୍ତା କରେ, ମୁଁ ଯାହା ପିଲାମାନଙ୍କୁ ଦେବି, ତାହା ସେମାନଙ୍କୁ ଦେଶର ସୁନାଗରିକ କରାଇବ ତ ? ମୋ ଦେଶ ଓ ଜାତିକୁ ଭବିଷ୍ୟତ୍‌ରେ ଦିଗ୍‌ଦର୍ଶନ ଦେବାକୁ ଶକ୍ତି ପାଇବା ପାଇଁ ଯଥେଷ୍ଟ ଖୋରାକ ଏଥିରୁ ସଂଗ୍ରହ କରିପାରିବ ତ ? ମୋର ପାଠକ ଏହାକୁ ପଢ଼ି କୁପୁରୁଷ ବା କାପୁରୁଷ ହେବ ନାହିଁ ତ ? -ସେତେବେଳେ ତା’ ଲେଖନୀର ଗତି ସ୍ଥିର ହୋଇଯାଏ, ଚିନ୍ତାଧାରା ବିଗଳିତ ହୁଏ । ଏ ସମସ୍ତ ପ୍ରଶ୍ନର ସମାଧାନ କରିସାରିଲା ପରେ ସେ ଯେଉଁ ସୃଷ୍ଟି କରେ, ତାହା ହିଁ ପ୍ରକୃତ ଶିଶୁ-ସାହିତ୍ୟ-ଶ୍ୱାଶତ, ଚିରନ୍ତନ ।

 

ସମୟ ଥିଲା, ଯେତେବେଳେ ଶିଶୁସାହିତ୍ୟ ଲେଖକମାନଙ୍କୁ ଅନେକ ବିଜ୍ଞ ବ୍ୟକ୍ତି ସାହିତ୍ୟିକ ଗୋଷ୍ଠୀଭୁକ୍ତ କରିବାକୁ କୁଣ୍ଠାବୋଧ କରୁଥିଲେ । ଆମ ସମାଜରେ ଶିଶୁ ଅବହେଳିତ ଓ ଅଳ୍ପାୟୁ ହେଲାଭଳି ଶିଶୁ-ସାହିତ୍ୟ ଲେଖକ ମଧ୍ୟ ସେହି ପର୍ଯ୍ୟାୟଭୁକ୍ତ ବୋଲି ଧରା ଯାଉଥିଲା । ଏପରି କି ସରକାର ମଧ୍ୟ ସାହିତ୍ୟିକଙ୍କ ଠାରୁ ଶିଶୁ-ସାହିତ୍ୟ ସ୍ରଷ୍ଟାଙ୍କୁ ନ୍ୟୁନ ଶ୍ରେଣୀଭୁକ୍ତ କରୁଥିଲେ । ଏବେ ମଧ୍ୟ ସେ ମତ ବଦଳି ଯାଇଛି-ଆନନ୍ଦର କଥା ।

 

ସରକାର ବିଶେଷତଃ ସାହିତ୍ୟ ଏକାଡେମୀର ଓଡ଼ିଆ ଶିଶୁସାହିତ୍ୟ ପ୍ରସାର ଓ ସମୃଦ୍ଧି ଦିଗରେ ବହୁତ କିଛି କରି କରିବାର ଅଛି । ଯେଉଁ ଶିଶୁ-ସାହିତ୍ୟକୁ ଉତ୍‌କୃଷ୍ଟ ବିବେଚନା କରି ପୁରସ୍କାର ପ୍ରଦାନ କରାଯାଉଛି ତାକୁ ଅନ୍ୟ ପ୍ରାନ୍ତୀୟ ଭାଷାରେ ଅନୁବାଦ କରାଇ ପ୍ରକାଶ କରାଯିବା ଦରକାର । ତା’ ହେଲେ ପ୍ରାନ୍ତୀୟ ଭାଷାଭାଷୀ ଓଡ଼ିଆ ଶିଶୁ ସାହିତ୍ୟ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଆନ୍ତେ । ସେହିପରି ଅନ୍ୟ ଭାଷାର ଶିଶୁ ସାହିତ୍ୟର ଅନୁବାଦ ଓଡ଼ିଆରେ କରାଗଲେ ଓଡ଼ିଶାର ଲେଖକ ଓ ପାଠକମାନଙ୍କ ହାତରେ ଦିଆଗଲେ, ଦେଶର ସଂହତି ସୁଦୃଢ଼ ହୁଅନ୍ତା । ବର୍ତ୍ତମାନ ଅବସ୍ଥାରେ ଆମ ପୁସ୍ତକ ପ୍ରକାଶକମାନେ ଶିଶୁସାହିତ୍ୟ ପ୍ରକାଶନରେ ଏକାନ୍ତ ପରାଙ୍‌ମୁଖ । ଏହି ଦାୟିତ୍ୱ ଏକାଡେମୀ ବା ଅନ୍ୟକୌଣସି ସରକାରୀ ସଂସ୍ଥା ଗ୍ରହଣ କରିବା ଦରକାର ।*

 

*

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏବଂ ଅନୁଗୁଳଠାରେ ୨୩ ଓ ୨୪ ମାର୍ଚ୍ଚ ୧୯୮୪ରେ ଅନୁଷ୍ଠିତ ‘ଓଡ଼ିଆ ଶିଶୁସାହିତ୍ୟ’ ଆଲୋଚନା ଚକ୍ରରେ ମୁଖଶାଳା ପ୍ରବନ୍ଧ ରୂପେ ଗଠିତ ଓ ଆଲୋଚିତ ।

***

 

ସଂକୀର୍ତ୍ତନ : ଏକ ବିବେଚନ

ଡକ୍‌ଟର ମନୀନ୍ଦ୍ର ମହାନ୍ତି

 

‘ସଂକୀର୍ତ୍ତନ’ ଶବ୍ଦଟି ‘କୀର୍ତ୍ତନ’ ଶବ୍ଦରୁ ସୃଷ୍ଟି । ପୁଣି ‘କୀର୍ତ୍ତନ’ ଶବ୍ଦଟି ‘କୀର୍ତ୍ତି’ ଶବ୍ଦରୁ ଆନୀତ-। ‘କୀର୍ତ୍ତି’ ଅର୍ଥ-‘ଯଶ’ ବା ‘ଗୁଣ’ । ଯେତେବେଳେ ଜଣଙ୍କର ଯଶ, ଗୁଣ ବା କୀର୍ତ୍ତି ଗାନ କରାଯାଏ, ସେତେବେଳେ ତାକୁ କୀର୍ତ୍ତନ କହନ୍ତି । ମାତ୍ର ପରବର୍ତ୍ତୀ କାଳରେ ‘କୀର୍ତ୍ତନ’ କହିଲେ ତାହା ସଙ୍ଗୀତର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକୁ ବୁଝାଇଲା । ଏହି ପ୍ରକାର ସଙ୍ଗୀତରେ କେବଳ ଈଶ୍ୱର ବା ଆରାଧ୍ୟ ଦେବତାଙ୍କ ଗୁଣଗାନ ହିଁ ସ୍ଥାନ ପାଇଥାଏ । ଏହି କଥାର ସମର୍ଥନ କରି ‘ସାହିତ୍ୟ କୋଷ’କାର ଲେଖିଛନ୍ତି- ‘‘କାହାର ଓ ପ୍ରଶଂସା କରିୟା ଯେ ସଙ୍ଗୀତ ରଚିତ ଓ ଗୀତ ହୟ ସାଧାରଣ ଭାବେ ତାହାର କୀର୍ତ୍ତନ । କିନ୍ତୁ ବିଶିଷ୍ଟ ଅର୍ଥେ ଭଗବଦ୍‌ ବିଷୟକ ସଙ୍ଗୀତ ବ୍ୟତୀତ ଅନ୍ୟ ସଙ୍ଗୀତକେ କୀର୍ତ୍ତନ ନାମେ ଅଭିହିତ କରାହୟନା’’ (୧) । ଅର୍ଥାତ୍‌ କୌଣସି ଦେବଦେବୀଙ୍କୁ ପ୍ରଶଂସା ବିଷୟକ ଗୀତକୁ ‘କୀର୍ତ୍ତନ’ ବୋଲାଯାଏ । ଏହି ‘କୀର୍ତ୍ତନ’ ଶବ୍ଦରୁ ‘ସଂକୀର୍ତ୍ତନ’ ଶବ୍ଦଟିର ସୃଷ୍ଟି । ଅର୍ଥାତ୍‌ ‘ସମ୍ୟକ କୀର୍ତ୍ତନ’ ।

 

ଈଶ୍ୱରଙ୍କୁ ସ୍ତୁତିସୂଚକ ସଙ୍ଗୀତ ଭାବରେ ‘ଭଜନ’ ଓ ‘ଜଣାଣ’ର ମଧ୍ୟ ପ୍ରଚଳନ ରହିଛି । ‘ଭଜିବା’ ଶବ୍ଦରୁ ‘ଭଜନ’ ଏବଂ ଏବଂ ‘ଜଣାଇବା’ ଶବ୍ଦରୁ ‘ଜଣାଣ’ର ସୃଷ୍ଟି । ଗୋଟିଏ କଥାକୁ ବାରମ୍ୱାର କହିବା ଅର୍ଥରେ ‘ଭଜିବା’ ଶବ୍ଦଟି ବ୍ୟବହୃତ ହୁଏ । ଅର୍ଥାତ ଏଠାରେ ‘ଭଜନ’ ଅର୍ଥ ଭଗବାନଙ୍କ ନାମକୁ ବାରମ୍ୱାର ଭଜିହେବା । ତାହାହେଲେ ଈଶ୍ୱର ବିଶ୍ୱାସ ମନରେ ଅଧିକ ପ୍ରତିଷ୍ଠିତ ହେବ ଏବଂ କୁକାର୍ଯ୍ୟରୁ ଆମେ ନିବୃତ୍ତ ହେବା । ସେହିପରି ଭକ୍ତ ନିଜର ଦୁଃଖ ଗୁହାରି ଜଣାଇଦେବା ଅର୍ଥରୁ ‘ଜଣାଣ’ ଶବ୍ଦର ସୃଷ୍ଟି । ‘ଭଜନ’ ଓ ‘ଜଣାଣ’ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ନ ଥିଲେ ମଧ୍ୟ ‘ଭଜନ’ରେ ଯେତେବେଳେ ଈଶ୍ୱରଙ୍କ ଗୁଣଗାନପ୍ରତି ଅଧିକ ଦୃଷ୍ଟି ଦିଆଯାଏ, ସେତେବେଳେ ‘ଜଣାଣ’ରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବାପ୍ରତି ଅଧିକ ଗୁରୁତ୍ୱ ଦିଆଯାଏ । ତେବେ, ‘କୀର୍ତ୍ତନ’ ସହିତ ‘ଭଜନ’ ଓ ‘ଜଣାଣ’ର ସମ୍ପର୍କ କଅଣ ? ବର୍ତ୍ତମାନ ସେ ବିଷୟରେ ଆଲୋଚନା କରାଯାଉଛି ।

 

‘ଭଜନ’ ଓ ‘କୀର୍ତ୍ତନ’ ମଧ୍ୟରେ ସମ୍ପର୍କ:      

‘ଭଜନ’ରେ ଆଧ୍ୟାତ୍ମିକ ତତ୍ତ୍ୱ ଅଧିକ ଥିଲାବେଳେ ‘କୀର୍ତ୍ତନ’ରେ ଲୟ ଓ ଗାନତତ୍ତ୍ୱ ଅଧିକ ପରିମାଣରେ ଥାଏ ଏବଂ ନୃତ୍ୟପ୍ରଧାନ ହୋଇଥାଏ । ଦ୍ୱିତୀୟତଃ, ‘କୀର୍ତ୍ତନ’ରେ ସରଳ ‘ତାଳ’ ବ୍ୟବହାର କରାଯାଇଥାଏ । ତୃତୀୟତଃ, ଏଥିରେ ଆରାଧ୍ୟ ଦେବତା ସମ୍ମୁଖରେ ସ୍ଥାନ ପାଇଥାନ୍ତି । ତେଣୁ, ସୌନ୍ଦର୍ଯ୍ୟ ବର୍ଣ୍ଣନା ଅଧିକ ଭାବରେ ସ୍ଥାନ ପାଇଥାଏ । ଯଥା-

 

(କ)

ଶ୍ରୀକୃଷ୍ଣଙ୍କ ରୂପ ବର୍ଣ୍ଣନା-

 

‘‘ଅତସୀ କୁସୁମ ଜିନିକାଲ ରୂପରେ ମାଧୁରୀ

 

ନବଘନ ମେଘେ ଯେନ ସଞ୍ଜରେ ବିଜ୍‌ଲି ।

 

ରତନ ଖଞ୍ଜିତ ଚୂଡ଼ାତାଏ ମୟୂରେର ପାଙ୍ଗେ,

 

ଶିଖି ଚନ୍ଦ୍ର ଶଶିଯେନ ଲୁକାଇୟା ଥାକେ ।

 

ମଲ୍ଲିକା ମାଲତୀ ମାଲା ବେଢ଼ି ଆଛୟତାଏ,

 

ମଧୁଲୋଭେ ମତ୍ତହଏ ଅଲିକୂଲ ଧାଏଁ ।’’ (୨)

 

 

(ଖ)

ଶ୍ରୀରାଧାଙ୍କ ରୂପ ବର୍ଣ୍ଣନା-

 

‘‘କାଦଲେ ଉଜ୍ୱଲି ଗୋରୀ,

 

ନାଶା ଏ ବେସର ଫୁଲି,

 

ଲଳିତା ସିନ୍ଦୂର ରଚେ ଭାଲେ ।

 

ଗଲେ ହେମର କଣ୍ଠି, ମଧ୍ୟେ ହୀରା ଝଟନ୍ତି

 

ତାଦେଖି ବିଜ୍‌ଲି ଖୋଲାକରେ ।

 

ତାମ୍ୱୁଲ ଭରିଆ ମୁଖେ

 

ଜିହ୍ୱା ମେଲି ଘନ ଦେଖେ

 

କୁରଙ୍ଗି ନୟନେ ଫେରାଇୟା ।’’ (୩)

 

ମାତ୍ର ‘ଭଜନ’ରେ ଆରାଧ୍ୟ ଦେବତାଙ୍କ ଉପସ୍ଥିତିର ଆବଶ୍ୟକତା ନଥାଏ । ତେଣୁ, ଏଥିରେ ଗଭୀର ଭକ୍ତିତତ୍ତ୍ୱ ଅଧିକ ପ୍ରକଟିତ ହୋଇଥାଏ । ଏଥିପାଇଁ ଗବେଷକ ଡକ୍ଟର ଦେବୀଲାଲ ସାମର୍‌ ‘ଲୋକଧର୍ମୀ ପ୍ରଦର୍ଶନକାରୀ କଲାଏଁ’ ପୁସ୍ତକରେ ‘ଲୋକକୀର୍ତ୍ତନ’ ପ୍ରସଙ୍ଗରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି- ‘‘ଲୋକ୍‌ ଭଜନ ଔର୍‌ ଲୋକ୍‌ କୀର୍ତ୍ତନ୍‌କୀ ପୃଷ୍ଠଭୂମି ମେ ବିଶେଷ ଅନ୍ତର ନହିଁ । ଭଜନ ମେଁ ଆଧ୍ୟାତ୍ମିକ ତତ୍ତ୍ୱେଁ । କା ଆଧିକ୍ୟ ହୋତାହୈ ତୋ କୀର୍ତ୍ତନ୍‌ମେ ଲୟ ଔର୍‌ ଗେୟ ତତ୍ତ୍ୱ ଅଧିକ ପ୍ରବଲ୍‌ ହୋତେ ହେଁ । କୀର୍ତ୍ତନ ବହୁଧା ନୃତ୍ୟ ପ୍ରଧାନ୍‌ ରୋତେହେଁ, ଅତଃ ଉନ୍‌କୀ ଅପେକ୍ଷାକୃତ ଦ୍ରୁତ ହୋତୀ ହେଁ । ତଥା ଉନ୍‌ମେଁ ସ୍ୱର-ଲାଳିତ୍ୟ ଭୀ ଭଜନୋଁ ସେ ଅଧିକ ହୋତାହୈ । ଶବ୍ଦେଁ। ମେଁ ବ୍ୟଞ୍ଜନାତ୍ମକ ଶକ୍ତିକୀ ଭୀ କମୀ ତଥା ବର୍ଣ୍ଣନାକୀ ପ୍ରଧାନତା ହୋତୀ ହୈ । କୀତ୍‌ନକୀ ତାଲେଁ ସରଲ୍‌ ହୋତୀ ହେଁ । ଭଜନୋଁ ମେଁ କୀର୍ତ୍ତନ କୀ ଅପେକ୍ଷା ଆଧ୍ୟତ୍ମିକ ତତ୍ତ୍ୱ ଅଧିକ ପ୍ରବଳ ହୋତାହୈ । କୀର୍ତ୍ତନ୍‌ ଆରାଧ୍ୟ ଦେବକୀ ସମ୍ମୁଖ ହି ହୋତାହୈ, ଇସ୍‌ଲିୟେ, ଉନ୍‌ମେଁ ସୌନ୍ଦର୍ଯ୍ୟ ଦର୍ଶନ ଅଧିକ ହୋତାହୈ । ଭଜନୋଁ ମେଁ ଆରାଧ୍ୟ ଦେବକୀ ଉପସ୍ଥିତି ଆବଶ୍ୟକ ନହିଁ । ଇସ୍‌ଲିୟେ ଅନୁପସ୍ଥିତ ବିଷୟକେ ଲିୟେ ରହସ୍ୟମୟୀ ବାତେଁ ଉହେଁ ଆଧ୍ୟାତ୍ମିକତା ପ୍ରଦାନ କରତୀ ହୈ ।’’-(୪)

 

‘କୀର୍ତ୍ତନ’ର ଲକ୍ଷଣ :

ପ୍ରଥମତଃ, ବୋଲାଯାଉଥିବା ପଦାବଳୀର ଅନ୍ତର୍ନିହିତ ଭାବଟିକୁ ପରିସ୍ଫୁଟ କରିବା ‘କୀର୍ତ୍ତନ’ର ପ୍ରଥମ କାର୍ଯ୍ୟ । ଦ୍ୱିତୀୟତଃ, କୀର୍ତ୍ତନରେ ୧୦୮ ପ୍ରକାର ତାଳ ସ୍ୱରରେ ବ୍ୟବହାର କରାଯାଏ । ଦ୍ରୁତ, ମଧ୍ୟମ ଓ ବିଳମ୍ୱିତ ଏହିପରି ତିନିପ୍ରକାର ତାଳର ବ୍ୟବହାର କରାଯାଇଥାଏ । ତୃତୀୟତଃ ମୂଳପାଲା ଆରମ୍ଭ ପୂର୍ବରୁ ଶ୍ରୀ ଚୈତନ୍ୟଙ୍କ ଜୀବନ ସମ୍ପର୍କୀତ ଅଂଶଟି ବୋଲା ଯାଇଥାଏ-। ଏହାକୁ ‘ଗୌରଚନ୍ଦ୍ରିକା’ କୁହାଯାଏ । ଚତୁର୍ଥତଃ, ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କୀୟ କୀର୍ତ୍ତନ ବିଭିନ୍ନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ବୋଲାଯାଏ । ପ୍ରଭାତ ସମୟରେ ରାସଲୀଳା ବା ଉତ୍ତର ଗୋଷ୍ଠ ଗୀତ ବୋଲାଯାଏ ନାହିଁ । ସେହିପରି ରାତିରେ ଗୋଷ୍ଠ ବା କୁଞ୍ଜ ଭଙ୍ଗ ଗୀତ ବୋଲାଯାଏ ନାହିଁ । ସେହିପରି ଝୁଲଣ, ନନ୍ଦୋତ୍ସବ ଓ ହୋଲି ପ୍ରଭୃତି ବିଶେଷ ଉତ୍ସବରେ ବିଶେଷ ଧରଣର କୀର୍ତ୍ତନ ବୋଲାଯାଏ ।

 

‘ଝୁଲଣଗୀତ’ର ଏକ ନମୁନା-

‘‘ଝୁଲନ୍ତି ଶ୍ୟାମ-ନାଗର ଶ୍ରୀ ବ୍ରିନ୍ଦାବନରେ

ଝୁଲଣା କେ ରଚିଛନ୍ତି କାଳନ୍ଦୀ ତଟରେ

ମରୁତ ବହୁରାଛନ୍ତି ସଧିରେ,

ନାନାଦି କୁସୁମ ତହିଁ ପ୍ରସ୍ଫୁଟିତ ବନରେ

ମଧୁଲୋଭେ ଭ୍ରମର ଚୁମ୍ୱନ୍ତି ମଧୁପାନରେ ।’’ (୫)

‘ନନ୍ଦୋତ୍ସବ ଗୀତ’ର ନମୁନା-

‘‘କୁମାରୀ ଅମ୍ୱିକା କୃଷ୍ଣକୁମାର ଜନମ

 

ମହା ମହୋଦୟ ମହାନିଶି ମହୋତ୍ତମ

ମହାନିଦ୍ରା ପ୍ରଶବିଲ ତନୟ ସଭାଏ

 

ବାସୁଦେବ କନ୍ୟା ନିଲ ରାଖିଆ କୁମାର

କ୍ରମେ କ୍ରମେ ସୂର୍ଯ୍ୟୋଦୟ ନିଶି ହଇଲ ପ୍ରଭାତ

 

ବ୍ରଜବାସୀ ଲୋକରେ କରେ ଯାତାୟତ ।’’

 

ପୁଣି-

‘‘ପ୍ରବେଶୟାଁ ଦେଖେ କୃଷ୍ଣ ନନ୍ଦ ମହାଶୟ

 

ସୂତିକା ମନ୍ଦିରେ କନ ଚାନ୍ଦେର ଉଦୟ

 

ପୁତ୍ର ମାର୍ଜନା କରି ଉପ୍ରୋଦକେ ମ୍ଳାନ

 

ବସ୍ତ୍ରେ ଅଙ୍ଗପୋଛି କରାଇଲେ ପରିଧାନ

 

ରତନ ପଲଙ୍କେ ତୋତେ ତୁଲିବା ଶୟନ ।’’

 

 

 

ସକଲ ଗୋପୀଗନ୍‌ ନନ୍ଦରାନୀ ଶିରେ

 

ଅର୍ଘଥିଆ ଦେଖେ ପୁତ୍ର ଆଶୀର୍ବାଦ କରେ

 

‘ହୋଲି’ ଗୀତର ନମୁନା-

ମିନିତି କରିଲେ କାଲାଚାନ୍ଦ ଆମାୟ

 

ମେରୋନା ପିଚ୍‌ କାରୀ

ଆମି ଏସେଛି ଯମୁନା ନିତେ ଜଲ୍‌

 

ଆମାର ଅଙ୍ଗେ ଆଛେ ନୀଲାମ୍ୱରୀ ।

 

ପଞ୍ଚମତଃ, କୀର୍ତ୍ତନରେ ଗୋଟିଏ ସ୍ୱର ବ୍ୟବହୃତ ହୁଏ ଏବଂ ଏଥିପାଇଁ ଏହାକୁ ସଙ୍ଗୀତରେ ‘ଜାତିଗାନ’ ବୋଲି କୁହାଯାଏ । କାରଣ, ଏହା ସମ୍ପୂର୍ଣ୍ଣ ଜାତିର ଗୀତ । ଷଷ୍ଠତଃ ‘କୀର୍ତ୍ତନ’ ଗୀତ, ବାଦ୍ୟ ଓ ନୃତ୍ୟର ସମନ୍ୱୟରେ ସୃଷ୍ଟି । ସପ୍ତମତଃ କୀର୍ତ୍ତନରେ ମୃଦଙ୍ଗ ବା ଖୋଳ, ଗିନିର ବ୍ୟବହାର କରାଯାଏ । ଅଷ୍ଟମତଃ, କୀର୍ତ୍ତନରେ ଚଉଷଠି ପ୍ରକାର ରସର ସ୍ୱୀକାର କରାଯାଉଛି ଏବଂ ଏହାର ପରିବେଷଣ ବେଳେ ବିଭିନ୍ନ ସଙ୍ଗୀତର ବିଭିନ୍ନ ରାଗରାଗିଣୀର ପ୍ରୟୋଗ କରାଯାଏ ।

 

‘କୀର୍ତ୍ତନ’ ପ୍ରସଙ୍ଗରେ ‘କୀର୍ତ୍ତନୀୟା’ ଶବ୍ଦଟି କଥା ମନେପଡ଼େ । ଆବୁଲଫଜଲଙ୍କ ଆଇନ ଆକବରୀରେ ‘କୀର୍ତ୍ତନୀୟା’ଙ୍କ କଥା ଉଲ୍ଲେଖ ରହିଛି । ଏଥିରେ ଲେଖାଅଛି - Kirtaniya are Brahmins whose instruments are such as were in use in anoients. They dress up smooth-faced boys as women and meke them perform singing the praise of Krishna and reciting he acts." (୬)

 

ଏହି ପ୍ରସଙ୍ଗରେ ଓଡ଼ିଶାର ଗୋଟିପୁଅ ବା ଗୋଟପ ବା ଦକ୍ଷିଣୀ ନାଟ ଏବଂ ରାସଦଳର କଥା ସ୍ମୃତିପଥକୁ ଆସେ, ରାସଦଳର ଗୋଟିପୁଅ ନୃତ୍ୟରେ ମଧ୍ୟ ଶ୍ରୀକୃଷ୍ଣ ଲୀଳା ବୋଲାଯାଇଥାଏ-

 

କୀର୍ତ୍ତନ ଯିଏ ତାକୁ ‘କୀର୍ତ୍ତନୀୟା’ ବା ‘ସଂକୀର୍ତ୍ତନୀୟା’ ବୋଲାଯାଏ । ଏହି କୀର୍ତ୍ତନୀୟା କଥାକୁ ମଧ୍ୟ ସମର୍ଥନ କରାଯାଇଛି । ଯଥା-

 

‘‘ତୁମ୍ଭ ଭକ୍ତ ସଂକୀର୍ତ୍ତନୀୟା ଗଣେ

କିପରି ବଞ୍ଚିବେ ତବ ବିହୁନେ ।’’ (୭)

 

ଏହି ‘କୀର୍ତ୍ତନ’ରୁ ଓଡ଼ିଶାରେ ରାସ ଏବଂ ଯାତ୍ରା ଓ ପରେ ଥିଏଟରର ସୃଷ୍ଟି ହୋଇଛି । ଅତଏବ ଓଡ଼ିଆ ନାଟକ ତଥା ଅଭିନୟ ଇତିହାସରେ ‘କୀର୍ତ୍ତନ’ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ‘କୀର୍ତ୍ତନ’ରେ କେବଳ ଶ୍ରୀକୃଷ୍ଣଙ୍କ ଲୀଳା କଥାବସ୍ତୁ ପରବର୍ତ୍ତୀ ନାଟ୍ୟଧାରାକୁ ଯେ ପ୍ରବର୍ତ୍ତନ କଲା, ତାହା ନୁହେଁ, ନୃତ୍ୟ ବା ଅଭିନୟ ଓ ବାଦ୍ୟ ବା ସଙ୍ଗୀତ ଦିଗରୁ ମଧ୍ୟ ପ୍ରଭାବିତ କଲା ।

 

୧.

ସାହିତ୍ୟକୋଷ-ଡଃ ଜୀତେନ୍ଦ୍ରକୁମାର ଘୋଷ ଓ ଡକ୍ଟର ଅରୁଣ ସାନ୍ୟାଲ୍‌-ମଧୁମଲୟ-୧୦ଏ, ଶିବଦାସ ଭାବୁଡ଼ି ଷ୍ଟ୍ରୀଟ୍‌-କଲିକତା-୪, ପୃ ୯୨ ।

୨.

ଭଦ୍ରକ (ବାଲେଶ୍ୱର) ନିକଟସ୍ଥ ଗେଲଟୁଆ ସଂଗୃହୀତ ।

୩.

ତତ୍ରୈବ ।

୪.

ଭାରତୀୟ ଲୋକଲା ମଣ୍ଡଲ-ଉଦୟପୁର-ରାଜସ୍ଥାନ-୧୯୬୮-

୫.

ଗେଲଟୁଆରୁ ସଂଗୃହୀତ

୬.

Vol. III-p.272

କୀର୍ତ୍ତନ ନିମାଇଁ ସନ୍ୟାସ ବା ଉଦଣ୍ଡ ପ୍ରେମ ସଂକୀର୍ତ୍ତନ -ଶ୍ରୀ ବାବାଜୀ ବୈଷ୍ଣବଚରଣ ଦାସ,-

୮.

ବୃହତ୍‍ ବାତ୍ୟ ରତ୍ନାବଳୀ

୯.

ତତ୍ରୈବ –

 

ସଂକୀର୍ତ୍ତନର ପ୍ରକାର ଭେଦ :

ଶ୍ରୀକୃଷ୍ଣ ଲୀଳା ଅବଲମ୍ୱନରେ କୀର୍ତ୍ତନ ମୁଖ୍ୟତଃ ଦୁଇପ୍ରକାର । ଯଥା-(୧) ନାମକୀର୍ତ୍ତନ (୨) ଲୀଳାକୀର୍ତ୍ତନ ବା ରାସକୀର୍ତ୍ତନ । ନାମସଂକୀର୍ତ୍ତନରେ କେବଳ କୃଷ୍ଣଙ୍କ ନାମ ବୋଲାଯାଏ । ଗୌଡ଼ୀୟ ବୈଷ୍ଣବମାନଙ୍କ ମତରେ ‘କଲିଯୁଗ ଧର୍ମନାମ ସଂକୀର୍ତ୍ତନ ସାର’ । ନାମ ସଂକୀର୍ତ୍ତନ ମାଧ୍ୟମରେ ଭକ୍ତ ହୃଦୟରେ ପ୍ରେମଭାବ ସୃଷ୍ଟି କରିବା ଏହି ନାମ ସଂକୀର୍ତ୍ତନର ଲକ୍ଷ୍ୟ ।

 

ଶ୍ରୀକୃଷ୍ଣଙ୍କ ବୃନ୍ଦାବନ ଲୀଳା- ‘ଲୀଳା କୀର୍ତ୍ତନ’ର ଉପଜୀବ୍ୟ । ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଲୀଳା ପ୍ରସଙ୍ଗରେ ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା, ବାଲ୍ୟ ଓ ଗୋଷ୍ଠଲୀଳା, ରାସ ଓ ବାସନ୍ତୀ ଲୀଳା, ଝୁଲଣ ଓ ଦୋଳଲୀଳା କିମ୍ୱା ପୂର୍ବରାଗ, ରୂପାନୁରାଗ, ଅଭିସାର, ମାନ, ବଂଶୀ ଶିକ୍ଷା ବିରହ ବା ମାଥୁର ପ୍ରଭୃତି ବିଭିନ୍ନ ଲୀଳା କୀର୍ତ୍ତନ ରଚିୟିତାମାନେ ରଚନା କରି ପରିବେଷଣ କରିଥାନ୍ତି ।

 

‘ଗରାଣ ହାଟୀ କୀର୍ତ୍ତନ’ର ସ୍ରଷ୍ଟା ଆଚାର୍ଯ୍ୟ ନରୋତ୍ତମ ଦାସ ଠାକୁର ଏଥିରେ ସେ ଲୀଳାକୀର୍ତ୍ତନ ପୂର୍ବରୁ ଗୌରଚନ୍ଦ୍ରିକା ଗାନ କରିବାର ନିୟମ ପ୍ରଚଳନ କରିଥିଲେ । ଏହା ସରଳତା ଓ ଗାମ୍ଭୀର୍ଯ୍ୟରେ ଧ୍ରୁପଦ ସଙ୍ଗୀତ ସଦୃଶ, ‘ମନୋହରି ସାରି’ ‘କୀର୍ତ୍ତନର ପ୍ରତିଷ୍ଠାତା ଶ୍ରୀନିବାସ ଆଚାର୍ଯ୍ୟ’, ‘ମନୋହର ସାହି’ ବର୍ଦ୍ଧମାନ ଜିଲ୍ଲାର ଏକ ପ୍ରଗଣାର ନାମ । ଏହିପ୍ରକାର କୀର୍ତ୍ତନରେ ଖେୟାଲ ସଙ୍ଗୀତର ସ୍ୱରକୁ ଗ୍ରହଣ କରାଯାଇଥାଏ । ‘ରଣେଟି’ ଓ ‘ମନ୍ଦାରିଣୀ’ ନାମରେ ଦୁଇପ୍ରକାର କୀର୍ତ୍ତନ, ଯଥାକ୍ରମେ ବର୍ଦ୍ଧମାନ ଓ ମେଦିନପୁର ଜିଲ୍ଲାରେ ଏହି ପ୍ରକାର କୀର୍ତ୍ତନର ସୃଷ୍ଟି । ଏହି ଦୁଇପ୍ରକାର କୀର୍ତ୍ତନ ‘ମନୋହର ସାହି’ ଅପେକ୍ଷା ସରଳ ।

 

ସେହିପରି ମେଦିନୀପୁରସ୍ଥ ଝାଡ଼ଖଣ୍ଡ ନାମାନୁଯାୟୀ ‘ଝାଡ଼ଖଣ୍ଡ କୀର୍ତ୍ତନ’ର ପ୍ରଚଳନ ରହିଛି ।

 

‘ଢପ’ କୀର୍ତ୍ତନର ସ୍ରଷ୍ଟା ମଧୁକାନ ନାମକ ଜଣେ ଗାୟକ । ସେ ନିଜ ପରିବାରର ପୁରୁଷ ଓ ନାରୀଙ୍କୁ ନେଇ ଗୀତ ଗାଉଥିଲେ । ସେ ଏହି ପ୍ରକାର କୀର୍ତ୍ତନ ନିଜେ ରଚନା କରିଥିଲେ । ଏଥିରେ ବୈଠକୀ ରାଗ-ରାଗିଣୀ ଅନୁସରଣ କରାଯାଏ । ପୂର୍ବରୁ ବାଂଲାଦେଶରେ ଏକଶ୍ରେଣୀୟ ଗାୟିକା ଏହି ପ୍ରକାର କୀର୍ତ୍ତନ ବୋଲି ଜୀବିକା ନିର୍ବାହ କରୁଥିଲେ ।

 

‘ସୂଚକ କୀର୍ତ୍ତନ’ରେ ବୈଷ୍ଣବ ଭକ୍ତ ଏବଂ ମହାପୁରୁଷମାନଙ୍କ ମୃତ୍ୟୁ ଉତ୍ସବରେ ତାଙ୍କର ଲୀଳା ବର୍ଣ୍ଣନା କରାଯାଏ । ଅନ୍ୟ ସମୟରେ କିନ୍ତୁ ଏହି କୀର୍ତ୍ତନ ବୋଲାଯିବାର ବିଧି ନାହିଁ । ‘କାଳି କୀର୍ତ୍ତନ’ ବା ‘‘ଶ୍ୟାମା କୀର୍ତ୍ତନ’ର ପ୍ରବର୍ତ୍ତକ ହେଲେ ରାମପ୍ରସାଦ । ଏହା ଶାକ୍ତଧର୍ମର ଭକ୍ତମାନଙ୍କ ପାଇଁ ନିର୍ଦ୍ଦିଷ୍ଟ । ଏଥିରେ କାଳୀଙ୍କ ଗୁଣ କୀର୍ତ୍ତନ କରାଯାଏ । ଶ୍ରୀକୃଷ୍ଣଙ୍କର ନୁହେଁ, ସଂକୀର୍ତ୍ତନ ମୁଖ୍ୟତଃ ସାତ ପ୍ରକାରର ବୋଲି ସଂସ୍କୃତ ଶ୍ଳୋକରେ ବୋଲାଯାଇଛି ।

 

ଯଥା:-

‘‘ଉତ୍କଳୀ ରାଢ଼ୀ ଘାଟୀ ନାଂ ଝାଡ଼ଖଣ୍ଡୀଂ ତ ଗାଉଳି

ମନ୍ଦାରୁଣୀ ପୁରୀଂ ଚୈବ ଗୌଡ଼ ଦେଶୀୟଙ୍କ ତଥା ।

ଏତାନି ସପ୍ତଧା ଘାଟୀଂ ସଂକୀର୍ତ୍ତନଂ ପ୍ରକୀର୍ତ୍ତିତ ।।’’

 

ଅର୍ଥାତ୍‌ ଏହି ସାତଗୋଟି କୀର୍ତ୍ତନ ହେଲା-ଉତ୍କଳୀ, ରାଢ଼ୀ ଘାଟୀ, ଝାଡ଼ଖଣ୍ଡୀ, ଗରଳ ଘାଟୀ, ମନ୍ଦାରୁଣୀ, ବିଷ୍ଣୁପୁରୀ ବା ଓଡ଼ିଶୀ ଓ ଗୌଡ଼ଦେଶୀ । ଏଥିମଧ୍ୟରୁ ଦୁଇପ୍ରକାର କୀର୍ତ୍ତନ ମୁଖ୍ୟ-। ଯଥା- ଗୌଡ଼ଦେଶରେ ନଦୀୟାକୀର୍ତ୍ତନ ବା ଗୌଡ଼ୀୟ କୀର୍ତ୍ତନ ଏବଂ ବିଷ୍ଣୁପୁରୀ କୀର୍ତ୍ତନ । ଶ୍ଳୋକ ରହିଛି-

 

‘‘ସଂକୀର୍ତ୍ତନ ଦ୍ୱୟଂ ଗୌରଂ-ସରି ସ୍ଥାପିତଂ ଭୂତଳେଃ

ଗୌଡ଼ଦେଶୀ ନଦ୍ୟୈଞ୍ଚୈବ ଶ୍ରୀକ୍ଷେତ୍ର ବିଷ୍ଣୁ ପୁରୀକାଃ ।’’

 

ଏହା ବ୍ୟାଖ୍ୟା କରିବାକୁ ଯାଇ ବ୍ରଜବାସୀ ବାବାଜୀ ଶ୍ରୀ ବୈଷ୍ଣବ ଚରଣ ଦାସ ଗୋସ୍ୱାମୀଙ୍କ ‘ବୃହତ ବାଦ୍ୟରତ୍ନାବଳୀ’ (୨ୟ ଭାଗ)ରେ ଉଲ୍ଲେଖ କରିଛନ୍ତି-

 

‘‘ନବ ଦ୍ୱୀପେ ଗୌଡ଼ଦେଶୀ ନଦୀୟା କୀର୍ତ୍ତନ,

ଶ୍ରୀ ପୁରୁଷୋତ୍ତମ ବିଷ୍ଣୁପୁରୀ ପ୍ରକଟନ ।

ସପ୍ତଘାଟି ମଧ୍ୟେ ଏହି ଘାଟି ସାର୍‌,

ଅନ୍ୟ ପଞ୍ଚରେ ନୁହଇ ଭକତି ସଞ୍ଚାର ।

ଅତଏବ ଗୌଡ଼ଦେଶୀ ଓଡ଼ିଶୀ ପ୍ରଧାନ,

ବୁଝି ସୁଝି ଭକ୍ତଗଣ କର ସଂକୀର୍ତ୍ତନ ।’’

 

‘ଗୌଡ଼ୀୟ ସଂକୀର୍ତ୍ତନ’ ଭବୋଦ୍ଦୀପକ ଏବଂ କୋମଳ । ‘ଓଡ଼ିଶୀ କୀର୍ତ୍ତନ’ରେ ‘ତାଳ’ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ ଏବଂ ଏଥିରେ କଡ଼ା ଓ କୋମଳ ଉଭୟ ପ୍ରକାର ‘ରାଗ’ ମିଶ୍ରିତ ହୋଇଥାଏ । ଏହାକୁ ବର୍ଣ୍ଣନା କରିାବକୁ ଯାଇ ସନ୍ଥ ବୈଷ୍ଣବ ଚରଣ ଗୋସ୍ୱାମୀ ସେହି ଗ୍ରନ୍ଥରେ ଲେଖିଛନ୍ତି-

 

‘‘ନଦୀୟା ସଂକୀର୍ତ୍ତନରେ ଭାବ ପ୍ରମୋଦୟ

ଓଡ଼ିଶୀ କୀର୍ତ୍ତନେ କଷାକଷି ତାଳ ଲୟ ।

ବାଦ୍ୟମାନଙ୍କର ବୋଲି ବିଶେଷ ପୃଥକ

ତାଳମାନଙ୍କର ନାମ ତଥା ହିଁ ପ୍ରତ୍ୟେକ ।’’

 

ଗୌଡ଼ଦେଶୀ ସୁକୋମଳ ଅଟଇ ଅତ୍ୟନ୍ତ

ଓଡ଼ିଶୀ କଡ଼ା କୋମଳ ଉଭୟ ମିଶ୍ରିତ ।

ବହୁ ଖୋଳ ତାଳେ ହୁଡ଼ ଓଡ଼ିଶୀ କୀର୍ତ୍ତନ

ସୂକ୍ଷ୍ମେ ନଦୀୟା କୀର୍ତ୍ତନ ସାଧୁ ଭକ୍ତଗଣ ।’’

 

ସଂସ୍କୃତରେ ଶ୍ଳୋକ ରହିଛି-

‘‘ଶ୍ରୀ ବିଷ୍ଣୁପୁରୀ ପ୍ରାପ୍ତେଷୁ ବିଷ୍ଣୁ ଭକ୍ତୋ ଯତ ମହୀଃ,

ବୈକୁଣ୍ଠ ଗୋଲକଂ ନୃତ୍ୟ ମର୍ତ୍ତେ କିଞ୍ଚିତ୍‌ ସମୁଦ୍ଭୀମା,

ତାଳ ମାର୍ଗେ ନ ଜ୍ଞାତବ୍ୟଂ ପ୍ରେମ-ମାର୍ଗେଣ କୀର୍ତ୍ତନ୍ୟ,

ହରି ନାମୋଲ୍ଲାସେ ମଗ୍ନଂ କୀର୍ତ୍ତନାନ୍ଦ-ବୈଷ୍ଣବମ୍‌ ।

 

ଗାନଂ ବାଦ୍ୟ ନୃତ୍ୟାବେଶଂ ଶ୍ରୀ ବିଷ୍ରୁପୁରୀ କୀର୍ତ୍ତନେ,

ନଚକଷ୍ଟି ନଚାଭିଷ୍ଟଂ ଗୌରମନ୍ତ୍ରେ ଯଃ ଦୀକ୍ଷିତଂ ।’’

 

‘ଓଡ଼ିଶୀ କୀର୍ତ୍ତନ’କୁ ସମ୍ୱଲପୁର ଅଞ୍ଚଳରେ ‘ସଂପ୍ରଦା’ କୁହାଯାଏ । ପଶ୍ଚିମ ଓଡ଼ିଶାର ପ୍ରଧାନ ପର୍ବ ଶୀତଳଷଷ୍ଠୀ ସହିତ ଝୁଲଣ, ରଥ, ଧନୁ-ଯାତ୍ରା, ଦୋଳ ଯାତ୍ରା ଓ ଚନ୍ଦନ ଯାତ୍ରାରେ ସଂପ୍ରଦା ହୁଏ । ପ୍ରାୟ କୋଡ଼ିଏ/ପଚିଶଟି ମୃଦଙ୍ଗ ଓ ପଚାଶ/ଶହେ ଝାଞ୍ଜ (କରତାଳ) ଏହି ‘ସଂପ୍ରଦା’ରେ ବ୍ୟବହାର କରାଯାଏ । ଭକ୍ତମାନେ ମଣ୍ଡଳାକାରରେ ରହି ଗୀତର ପାଳିଧରନ୍ତି । ମଣ୍ଡଳାକାରରେ ଠିଆ ହୋଇଥିବା କରତାଳ-ବାଦ୍ୟକାରମାନେ ବାଦ୍ୟକୁ ଲୟରଖି ଚକ୍ରକାଟି ନୃତ୍ୟ କରିଥାନ୍ତି ମଧ୍ୟ । ଏଥିରେ ବ୍ୟବହ୍ୟତ ମୃଦଙ୍ଗ ଭିନ୍ନ ଧରଣର । ଏହା ଖୋଳଠାରୁ ମୋଟେଇରେ ବଡ଼ । ଏହି ‘ସଂପ୍ରଦା’ ପରେ ପରେ ‘ସଂଚାର’ ବା ‘ଦିଗ୍‌ ସଂଚାର’ ଆରମ୍ଭ ହୁଏ ।

 

ସଂକୀର୍ତ୍ତନର ବାଦ୍ୟଯନ୍ତ୍ର :

କୀର୍ତ୍ତନରେ ମୃଦଙ୍ଗ ବା ଖୋଳ ଓ ଗିନି ବା କୁବୁଜି ଏବଂ ସମୟ ବିଶେଷରେ ଝାଞ୍ଜ ବା କରତାଳ ଓ ରାମତାଳି ମଧ୍ୟ ବ୍ୟବହାର କରାଯାଏ । ମୁଖ୍ୟତଃ ମୃଦଙ୍ଗ ବା ଖୋଳବାଦ୍ୟ ହିଁ ଏହାର ପ୍ରାଣ । ‘ମର୍ଦ୍ଦଳ’ରୁ ମୃଦଙ୍ଗ ବା ‘ଖୋଳ’ର ସୃଷ୍ଟି । ଏହି ମୃଦଙ୍ଗ ବାଦ୍ୟଯନ୍ତ୍ରଟିର ସ୍ରଷ୍ଟା ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁ । ମର୍ଦ୍ଦଳର ସ୍ୱର ଠାରୁ ଏହାର ଧ୍ୱନି ଅନେକ ପରିମାଣରେ ମଧୁର ।

 

କୀର୍ତ୍ତନରେ ତବଲା ବଜାଇବା ନିଷେଧ ରହିଛି । କାରଣ, ତବଲା ହେଉଛି ମୃଦଙ୍ଗର କନିଷ୍ଠ ଭ୍ରାତା । ମୂଳ ‘ମର୍ଦ୍ଦଳ’ରୁ ମୃଦଙ୍ଗ ଓ ‘ତବଲା’ର ସୃଷ୍ଟି । ଏହି ତବଲାର ସୃଷ୍ଟି କରିଥିଲେ ରାଜା ଆକବର । କୀର୍ତ୍ତନରେ ବିଦେଶୀ ବାଦ୍ୟଯନ୍ତ୍ର ହାରମୋନିୟମ୍‌, କର୍ଣ୍ଣଟ ଓ କ୍ଲାରିଓନେଟ୍‌ ପ୍ରଭୃତିର ବ୍ୟବହାର ନିଷେଧ ।

 

କିନ୍ତୁ ‘ମୃଦଙ୍ଗ’ ହେଉଛି ‘ସଂକୀର୍ତ୍ତନ’ର ପ୍ରଥମ ମୁଖ୍ୟ ବାଦ୍ୟଯନ୍ତ୍ର । ଏଥିପାଇଁ କୀର୍ତ୍ତନ ଗୀତରେ ମଧ୍ୟ ଏହାର ନାମ ଓ ତାଳର ବ୍ୟବହାର କରାଯାଇଥିବାର ଦେଖାଯାଏ ।

 

 

ଯଥା:-

 

‘‘ତା ତା ଥେଇ ଥେଇ ତା ଧୀମିଖିଟଂ,

 

ବାଦତ ମ୍ରିଦଙ୍ଗ ବାଦ୍ୟ ଉକୁଟଂ ।

 

ତା ତା ଦୁଗୁ ଦୁଗୁ ମାନ ତୋଲିତଂ,

 

ରାଧେ କ୍ରିଷ୍ଣ ନାମ ଗାନ କରତଂ ।

 

 

 

ପ୍ରାଣମ୍ୟହଂ ତାତିକ ଥୋ ଥେକ ଧ୍ୟେୟଂ,

 

ନିତ୍ୟାନନ୍ଦ ଅଦ୍ୱୈତ ଗଦାଧର ଥେୟଂ ।’’

 

ଅନ୍ୟତ୍ର:-

 

‘‘ତାଧ୍ରୀମି ତାଧ୍ରୀମି ମୃଦଙ୍ଗ ବାଜେ

 

ନୃତ୍ୟତି ରଙ୍ଗେ ନଟ ନାଗର ରାଜେ

 

ଧ୍ରୀମି ଧ୍ରୀମି ତା ତା ଖୀଟା ମୃଦଙ୍ଗ ଡାକେ

 

ଭାଷତ ପ୍ରେମଜଲେ ଲୀଲାଚଲ ଲୋକେ ।’’

 

କୀର୍ତ୍ତନୀୟା ବା କୀର୍ତ୍ତନକାରୀମାନଙ୍କ ବେଶ ପୋଷାକ ମଧ୍ୟ ସୁନିର୍ଦ୍ଦିଷ୍ଟ ହୋଇଛି । ଗାୟକ, ବାଦକ ଓ ପାଳିଆମାନେ ସମସ୍ତେ ତିଳକ ଧାରଣ କରିବା ଆବଶ୍ୟକ । ଶ୍ରୀବତ୍ସ ଭକ୍ତଙ୍କ ପଦଚିହ୍ନ ତିଳକଦ୍ୱାରା ଧାରଣ କରିବେ । ବେକରେ ତୁଳସୀ ମାଳା ଥିବା ଆବଶ୍ୟକ । କୀର୍ତ୍ତନ ଶିକ୍ଷାପାଇଁ ଉପାଧ୍ୟାୟ ଦ୍ୱାରସ୍ଥ ହେବା ଆବଶ୍ୟକ । ଯେଉଁ ବ୍ୟକ୍ତି ସୁଶ୍ରୀ, ନୃତ୍ୟ ବିଦ୍ୟାରେ ନିପୁଣ, ବାଦ୍ୟ ବାଦନରେ ଦକ୍ଷ ଏବଂ ବ୍ୟାଖ୍ୟା କରିବାରେ ସିଦ୍ଧହସ୍ତ, ଏବଂ ଯିଏ ତାଳ, ଲୟ ଓ ମାନ ବିଷୟରେ ଅଭିଜ୍ଞ ଓ ଶିକ୍ଷା ଦେବାରେ ପାରଙ୍ଗମ, ତାହାକୁ ଉପାଧ୍ୟାୟ କହନ୍ତି । ଉପାଧ୍ୟାୟ ଏବଂ କୀର୍ତ୍ତନୀୟାଙ୍କ ଯୋଗ୍ୟତା ଓ ପୋଷାକ ନିର୍ଦ୍ଦିଷ୍ଟତାରୁ ଜଣାଯାଏ କୀର୍ତ୍ତନର ମୁଖ୍ୟ ଲକ୍ଷ୍ୟ ଈଶ୍ୱରଙ୍କୁ ସ୍ମରଣ କରିବା ଏବଂ ତାଙ୍କ ନିକଟରେ ନିଜକୁ ଉତ୍ସର୍ଗ କରିବା ।

 

‘କୀର୍ତ୍ତନ’ର ଐତିହାସିକତା :

‘କୀର୍ତ୍ତନ ହେଲା ଏକ ନିର୍ଦ୍ଦିଷ୍ଟ ସଙ୍ଗୀତ ରୀତି, ଯେଉଁଥିରେକି ଆରାଧ୍ୟ ଦେବତାଙ୍କର ଗୁଣଗାନ କରାଯାଏ; ବିଶେଷତଃ ଶ୍ରୀକୃଷ୍ଣ ଓ ରାଧାଙ୍କ ଲୀଳା ଗାନ କରାଯାଏ । ତେଣୁ ଗୌର ନିତାୟ ଏହାର ପ୍ରବର୍ତ୍ତକ ବୋଲି ବହୁ ସମୀକ୍ଷକଙ୍କର ମତ । କିନ୍ତୁ କେତେକ ପଣ୍ଡିତ ଶ୍ରୀ ଚୈତନ୍ୟଦେବ ଏହାର ସ୍ରଷ୍ଟା ବୋଲି କହନ୍ତି । ‘ଶ୍ରୀଚୈତନ୍ୟ ଭାଗବତ’ରେ ଉଲ୍ଲେଖ ଅଛି ଯେ ଯେତେବେଳେ ଶ୍ରୀଚୈତନ୍ୟଙ୍କ ଜନ୍ମ ସମୟରେ ଦୋଳ ପୂର୍ଣ୍ଣମାରେ ଚନ୍ଦ୍ରଗ୍ରହଣ ହୋଇଥିଲା, ସେତେବେଳେ ଶ୍ରୀହରି କୀର୍ତ୍ତନ ହୋଇଥିଲା । ତେଣୁ ଜଣାଯାଏ, ଶ୍ରୀ ଚୈତନ୍ୟଙ୍କ ପୂର୍ବରୁ କୀର୍ତ୍ତନର ପ୍ରଚଳନ ଥିଲା ।

 

ପଶ୍ଚିମ ବଙ୍ଗଳାର କୀର୍ତ୍ତନ ଇତିହାସରେ ‘ଖେତୁରୀ ପର୍ବ’ର ସ୍ଥାନ ସ୍ମରଣୀୟ ।

 

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗଳାରେ ସଂକୀର୍ତ୍ତନର ବିକାଶ ଅପ୍ରତିହତ ଥିଲା । ତା’ପରେ କକ ଓ ପାଞ୍ଚାଳୀ ଗୀତର ପ୍ରଭାବରେ କୀର୍ତ୍ତନ କ୍ରମେ ଲୋକପ୍ରିୟତା ହରାଇଲା ଏବଂ ଢପ୍‌ କୀର୍ତ୍ତନର ସୃଷ୍ଟି ହେଲା । ପଶ୍ଚିମ ବଙ୍ଗଳାର ପଞ୍ଚଥୁପି, ମୟନା ଡାଲ, ଶ୍ରୀଖଣ୍ଡ, ନବଦ୍ୱୀପ ପ୍ରଭୃତି ସ୍ଥାନ ପ୍ରସିଦ୍ଧ; ପ୍ରତିବର୍ଷ ଶାନ୍ତିପୁର, ଶ୍ରୀଖଣ୍ଡ ଓ ଝାମଟପୁର ଆଦି ସ୍ଥାନରେ ମେଳାରେ ସଂକୀର୍ତ୍ତନ ଅନୁଷ୍ଠିତ ହୁଏ ।

 

ଏବେ ଓଡ଼ିଶାରେ କେବଳ ମଠ, ରାଧାକୃଷ୍ଣ ଠାକୁରବାଡ଼ିରେ ଝୁଲଣ ଓ ଦୋଳ ପ୍ରଭୃତି ଉତ୍ସବରେ ସଂକୀର୍ତ୍ତନର କ୍ଷୀଣ ଧାରା ପ୍ରବାହିତ । ପାଶ୍ଚାତ ଶିକ୍ଷା ସିନେମା, ଯାତ୍ରାଭିନୟରେ ପ୍ରାଦୁର୍ଭାବ ମଧ୍ୟରେ ଓଡ଼ିଶାରେ କୀର୍ତ୍ତନର ପରିସର କ୍ରମେ ସଂକୁଚିତ ହୋଇଆସୁଛି । ସହରମାନଙ୍କରେ କୀର୍ତ୍ତନବେଳେ ବିଦେଶୀ ବାଦ୍ୟ ଯନ୍ତ୍ର ବ୍ୟବହାର କରି ତା’ର ସ୍ୱକୀୟତାକୁ ନଷ୍ଟ ବିନଷ୍ଟ କରିଦିଆଯାଉଛି । ସେଥିରେ ପୁଣି ବିଶିଷ୍ଟ କଳାକାରମାନଙ୍କ ଭଜନ, ଜଣାଣ ବା ଆଧ୍ୟାତ୍ମିକ ଭାବ-ସଂପନ୍ନ ସଂଗୀତ ସଂକୀର୍ତ୍ତନର ବିକାଶରେ ମଧ୍ୟ ଅନ୍ତରାୟ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗ୍ରାମ ମନ୍ଦିରରେ ବା ଭାଗବତ ଟୁଙ୍ଗୀରେ ଗ୍ରାମବାସୀମାନେ, ଷ୍ଟେସନ ବା ବସ୍‌ଷ୍ଟାଣ୍ଡ ବା ତିନିଛକ ରାସ୍ତାରେ, ଡାକ୍ତରଖାନାପାଖ ମନ୍ଦିରରେ ଆର୍ତ୍ତମାନେ ବି ରେକର୍ଡ ବା ସିନେମାର ଭଜନ, ଜଣାଣ ଗାଇ ଆତ୍ମତୃପ୍ତି ଲାଭ କରୁଛନ୍ତି । କିନ୍ତୁ ସଂକୀର୍ତ୍ତନର ରୂପକୁ ଆମେ ବିକୃତ କରି ଦେଉଛୁଁ । ଏଥିପାଇଁ ଆକାଶବାଣୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ସ୍ୱତନ୍ତ୍ର ପଦକ୍ଷେପମାନ ନିଆଯିବା ଉଚିତ । ପୁରୁଣାକାଳିଆ ଉପାଧ୍ୟାୟ ବା କୀର୍ତ୍ତନୀୟା ମାନଙ୍କଠାରୁ ସଂକୀର୍ତ୍ତନ ଗୁଡ଼ିକ ଟେପ୍‌ରେକର୍ଡରେ ସଂଗ୍ରହ କରିନେବା ଉଚିତ୍‌ । ନଚେତ୍‌ ଏହା କ୍ରମେ ଲୋପପାଇ ଯିବ । ଏହି ଲୋକ-କଳା (Flok Art)ର ରକ୍ଷାଣାବେକ୍ଷଣ ପ୍ରତ୍ୟେକ ସଂସ୍କୃତି ସେଚେତନ ବ୍ୟକ୍ତିଙ୍କର ରହିବା ଆବଶ୍ୟକ । (*)

 

*

ଭଦ୍ରକ ନିକଟସ୍ଥ ଗେଲଟୁଆ ଗ୍ରାମର ଶ୍ରୀ ନିତ୍ୟାନନ୍ଦ ମହାନ୍ତିଙ୍କ ଠାରୁ ସଂକୀର୍ତ୍ତନର ପୁରୁଣା ପାଣ୍ଡୁଲିପି ପାଇଥିବାରୁ ତାଙ୍କଠାରେ ମୁଁ କୃତଜ୍ଞତା ଜଣାଉଛି । -ମ: ମ:

ଦୋଳ ସାହି

ଭାୟା-ଭଦ୍ରକ

ବାଲେଶ୍ୱର-୭୫୬୧୨୭,

 

***

 

ଏଡ୍‌ମଣ୍ଡ ସ୍ପେନ୍‌ସାର ଓ ଉପେନ୍ଦ୍ର ଭଞ୍ଜ : ଜୀବନାଦର୍ଶ ଓ କାବ୍ୟାଦର୍ଶ

ଡକ୍‌ଟର ବନମାଳୀ ବାରିକ

 

ଇଂରାଜୀ ସାହିତ୍ୟର ଆଦି-ପର୍ବରେ ଚସର (୧୩୪୦-୧୪୦୦) ଓ ଓଡ଼ିଆ ସାହିତ୍ୟର ଆଦି ପର୍ବରେ ସାରଳା ଦାସ [କପିଳେନ୍ଦ୍ର ଦେବ (୧୪୩୫-୬୭)ଙ୍କ ସମସାମୟିକ] ଆବିର୍ଭୁତ ହୋଇ ଦୁଇ ଦେଶର ଜାତୀୟ ଜୀବନ ଓ ଇତିହାସକୁ ଅକ୍ଷୟ ଗୌରବର ଅଧିକାରୀ କରି ଯାଇଛନ୍ତି-। ଏହାର ପ୍ରାୟ ଦୁଇ ଶହ ବର୍ଷ ପରେ ସେହିପରି ଆଉ ଦୁଇ ବିଶିଷ୍ଟ କବି ଯଥା-ଏଡ୍‌ମଣ୍ଡ ସ୍ପେନ୍‌ସାର (୧୫୫୨ ?-୧୫୯୯) ଓ ଉପେନ୍ଦ୍ର ଭଞ୍ଜ (୧୬୭୦-୧୭୨୦)ଙ୍କ ଆବିର୍ଭାବ । କବିତ୍ୱ ଦୃଷ୍ଟିରୁ ଚସର୍‌ଙ୍କ ପରେ ସ୍ପେନ୍‌ସାର ହେଉଛନ୍ତି ଜଣେ ତୁଙ୍ଗ ବ୍ୟକ୍ତି । ସେହିପରି ସାରଳାଙ୍କ ପରେ ଉପେନ୍ଦ୍ରଙ୍କୁ ସେହି ସମ୍ମାନର ଅଧିକାରୀ କହିଲେ ଅତ୍ୟୁକ୍ତି ହେବନାହିଁ । (କାରଣ ବଳରାମ ଓ ଜଗନ୍ନାଥଙ୍କୁ ପୁରାଣ ଯୁଗ ମଧ୍ୟରେ ସାମିଲ କରାଯାଇପାରେ ।) ଏହି ଦୁଇଜଣ କବିଙ୍କ କାଳଗତ ସମ୍ପର୍କ ଛଡ଼ା ସେମାନଙ୍କ କାବ୍ୟସୃଷ୍ଟିରେ ଏଭଳି କଳାଗତ ଗୁଢ଼ ସମ୍ପର୍କ ସୁପ୍ରତିଷ୍ଠ ଯେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଦୁଇ ଭୂଖଣ୍ଡ ମଧ୍ୟରେ ଦୂରତ୍ୱର ବ୍ୟବଧାନ ଶହ ଶହ ମାଇଲ ଏବଂ ଦୁଇ ଦେଶର ଜଳବାୟୁ, ଜୀବନଧାରା ଓ ସାଂସ୍କୃତିକ ପୃଷ୍ଠଭୂମି ସଂପୂର୍ଣ୍ଣ ଭିନ୍ନ । କିନ୍ତୁ ଦୁଇ କବିଙ୍କ ଭୂମିରେ ଏକ ସମୟରେ କିଭଳି ପ୍ରାୟ ଗୋଟିଏ ଜୀବନାଦର୍ଶ ଓ କାବ୍ୟାଦର୍ଶ ରୂପାୟିତ ହେଲା ?

 

ରାଣୀ ଏଲିଜାବେଥ ୧୫୫୮ ଠାରୁ ୧୬୦୩ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିଲେ । ଇଂଲଣ୍ଡ ଇତିହାସରେ ଏହାକୁ କୁହାଯାଏ ସୁବର୍ଣ୍ଣଯୁଗ । ଇଂରାଜୀ ସାହିତ୍ୟ ଇତିହାସରେ କିନ୍ତୁ ଏହି ଯୁଗ ଏଲିଜାବେଥ ଯୁଗ ନାମରେ ପ୍ରସିଦ୍ଧ । ଭାଷା ଓ ସାହିତ୍ୟର ବିକାଶ ଦୃଷ୍ଟିରୁ ଏହା ଚରମ ସମୃଦ୍ଧିର କାଳ । G.M. Trevelyanଙ୍କ ଭାଷାରେ ‘‘The English language now touched its moment of fullest beauty and power’’ (Social History of England P 154) ରେନାଁସା ଭାବଧାରାର ପ୍ରସାର, ନବ ଜାଗ୍ରତ ଜାତୀୟ ଚେତନା ତଥା ସ୍ପେନ୍‌ସାର ଓ ସେକ୍‌ସପିଅରଙ୍କ ଭଳି ମହାନ ପ୍ରତିଭାସଂପନ୍ନ ବ୍ୟକ୍ତିମାନଙ୍କର ଅବଦାନ ଏ ପ୍ରସଙ୍ଗରେ ଆମର ସ୍ମରଣୀୟ । ରାଜତ୍ୱର ପ୍ରଥମ ପର୍ଯ୍ୟାୟର ରାଣୀ ଏଲିଜାବେଥଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପ୍ରଥମତଃ ଗୃହ ଯୁଦ୍ଧର ଭୟ । କାରଣ ରକ୍ଷଣଶୀଳ କାଥଲିକମାନେ ଭାବୁଥିଲେ ଯେ ରାଣୀଙ୍କର ସିଂହାସନ ଅଧିକାର ଆଇନସିଦ୍ଧ ନୁହେଁ । ଦ୍ୱିତୀୟତଃ କାଥଲିକ ଓ ପ୍ରୋଟେଷ୍ଟାଣ୍ଟ ଧର୍ମ ସଂପ୍ରଦାୟ ମଧ୍ୟରେ ସଂଘର୍ଷ । ତୃତୀୟତଃ ବୈଦେଶିକ ଶତ୍ରୁ ଆକ୍ରମଣଜନିତ ଆଶଂକା । କିନ୍ତୁ ସକଳ କ୍ଷେତ୍ରରେ ରାଣୀଙ୍କର ଦୃଢ଼ ଓ ବିଚକ୍ଷଣ ଶାସନ ନୀତି ଯୋଗୁଁ ଇଂଲଣ୍ଡର ଗୌରବ ଅଧିକାରୁ ଅଧିକ ବୃଦ୍ଧି ପାଇବାକୁ ଲାଗିଲା । ଆୟରଲାଣ୍ଡ ଅଧିକୃତ ହେବା ସଙ୍ଗେ ସଙ୍ଗେ ସ୍କଟଲାଣ୍ଡ ସହିତ ଦୀର୍ଘକାଳୀନ ସଂଘର୍ଷର ଅବସାନ ହେଲା । ଫ୍ରାନ୍‌ସ ଓ ସ୍ପେନ୍‌ର ପ୍ରତିପତ୍ତି ମଧ୍ୟ ହ୍ରାସ ପାଇଲା । ଏହି କାଳରେ ଫ୍ରାନ୍‌ସିସ୍‌ ଡ୍ରେକ୍‌, ସାର ୱାଲ୍‌ଟର ରାଲେ ଓ ସାର ଜନ ହକିନ୍‌ସଙ୍କ ସମୁଦ୍ରାଭିଯାନ, ଇଂଲଣ୍ଡର ନୌବିଜୟ ଓ ଜଳପଥରେ ଆଧିପତ୍ୟ ବିସ୍ତାର ତଥା ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅଗ୍ରଗତି, ବହୁ ସୌଦାଗରୀ ପ୍ରତିଷ୍ଠାନ ତଥା ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରତିଷ୍ଠା (୧୬୦୦) ଧାର୍ମିକ ବିରୋଧର ବିଲୋପ ଦେଶର ସର୍ବାଙ୍ଗୀନ ଉନ୍ନତିର ସହାୟକ ହେଲା । ଇଂରେଜ ଜାତିର ଜୀବନାକାଶରେ ସେଦିନ ସୌଭାଗ୍ୟ-ରବି ଅମୃତ ବର୍ଷଣ କରି ଚାଲିଥିଲା ।

 

ଏଡମଣ୍ଡ ସ୍ପେନ୍‌ସାର ଥିଲେ ରାଣୀ ଏଲିଜାବେଥଙ୍କର ଜଣେ ପରମ ଅନୁରାଗୀ ବ୍ୟକ୍ତି । ରାଜସିଂହାସନ, ରାଜକୀୟ ଦରବାର ଓ ବୀରପୁରୁଷ/ସଂଭ୍ରାନ୍ତ ମହିଳାମାନଙ୍କ ପ୍ରତି ତାଙ୍କର ଅତୁଟ ଶ୍ରଦ୍ଧା ଥିଲା । ସେ ଏକ ବୁନିଆଦୀ ବଂଶରେ ମଧ୍ୟ ଜନ୍ମଗ୍ରହଣ କରିଥିଲେ । ଜଣାଯାଏ ଲଣ୍ଡନରେ ଥିଲାବେଳେ ୧୫୭୯ରେ ସେ Rose Dinelyଙ୍କ ସହ ପ୍ରେମ ସୂତ୍ରରେ ଆବଦ୍ଧ ଥିଲେ । ଆୟାରଲାଣ୍ଡ ପ୍ରତ୍ୟାବର୍ତ୍ତନ ପରେ ୧୫୯୪ରେ ତାଙ୍କର ଦ୍ୱିତୀୟ ବିବାହ Elizabeth Boyleଙ୍କ ସହ ହୋଇଥିଲା । ଜୀବନର ପ୍ରସ୍ତୁତି ପର୍ବରେ ସେ ରଚନା କରିଥିଲେ-The Shepheardes calender (୧୫୭୯) । ବାରଟି ମାସର ନାମାନୁସାରେ ନାମିତ ବାରଟି Aeglogues (ଏକ୍‌ଲଗସ୍‌) ଏହାର ଅନ୍ତର୍ଭୁକ୍ତ । Theocritus, Bion, Viril, Mantuan ଓ Morotଙ୍କ ଭଳି ବିଖ୍ୟାତ କବିମାନଙ୍କର ରଚନା ରୀତି ଏଥିରେ ଅନୁସୃତ । ମେଷପାଳକମାନଙ୍କର କଥୋପକଥନ ଜରିଆରେ ପ୍ରେମ, ଧର୍ମ, ନୈତିକ ଆଚରଣ, ଏଲିଜା (ଏଲିଜାବେଥ) ପ୍ରଶସ୍ତି ତଥା କବିଙ୍କ ପ୍ରଥମ ପ୍ରେମର ସ୍ମୃତି (ରୋଜାଲିଣ୍ଡ ଚରିତ୍ର) ଏଥିରେ ସ୍ଥାନ ପାଇଛି । Sepheard Colin clout (ସ୍ୱୟଂ କବି), Sepheard of the Ocean (ସାର ୱାଲଟାର ରାଲେ), Great Sepheardess Cynthia (ରାଣୀ ଏଲିଜାବେଥ) ଚରିତ୍ର ମାଧ୍ୟମରେ କବିଙ୍କର ବ୍ୟକ୍ତିଗତ ଜୀବନ ବହୁ ଭାବରେ ପ୍ରତିଫଳିତ । ସାମଗ୍ରିକ ଭାବେ ମାନବପ୍ରୀତି (humannism) ଓ ଗ୍ରାମୀଣତା (Pastoralism)ର ସ୍ୱର ଏଥିରେ ଧ୍ୱନିତ । ପରବର୍ତ୍ତୀ କାଳରେ Complaints, containing sundri small poems of the world's vanitie (୧୫୫୧), Daphnaida (୧୫୫୧) , Amoretti and Epithalamion (୧୫୯୫) Colin clouts come home Again (୧୫୯୫), Astroohell (୧୫୯୫), Fowre Hymns (୧୫୯୬) prothalamion (୧୫୯୬) ଓ The Faerie Queen (୧୫୯୬) ପ୍ରଭୃତି ଗ୍ରନ୍ଥଗୁଡ଼ିକ ପ୍ରକାଶ ପାଏ ।

 

ଫେୟାରୀ କୁଇନ୍‌ ହେଉଛି ସ୍ପେନ୍‌ସାରଙ୍କ ସର୍ବଶ୍ରେଷ୍ଠ କାବ୍ୟକୃତି । ଏହାକୁ ରଚନା କରିବା ପାଇଁ ତାଙ୍କୁ ପ୍ରାୟ ୨୦ ବର୍ଷ ସମୟ ଲାଗିଥିଲା । ପରିକଳ୍ପନା ଅନୁସାରେ ଏହା ୧୨ ଖଣ୍ଡରେ ସମାପ୍ତି ଲାଭ କରିଥାନ୍ତା । କିନ୍ତୁ କବିଙ୍କ ସେହି ବିରାଟ ଆକାଂକ୍ଷା ସଫଳ ହୋଇ ପାରିଲା ନାହିଁ । ମାତ୍ର ୬ ଖଣ୍ଡ (୭ମ ଖଣ୍ଡର କିୟଦଂଶ)ରେ ତାହା ସୀମିତ ରହିଲା । ୧୫୯୧ରେ ଏହି ମହାନ ଗ୍ରନ୍ଥର ପ୍ରଥମ ଖଣ୍ଡ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ସ୍ପେନ୍‌ସାରଙ୍କ କବି ଯଶ ଦିଗଦିଗନ୍ତ ବିଛୁରିତ ହୋଇ ପଡ଼ିଥିଲା ।

 

କବି ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ, ପାରିବାରିକ ଇତିହାସ ଓ କାବ୍ୟକୃତି ସମ୍ପର୍କରେ ବିଶେଷ ସୂଚନା ଦେବା ଅନାବଶ୍ୟକ । କେବଳ ଉଲ୍ଲେଖ କରିବାର କଥା ଯେ ସ୍ପେନସାରଙ୍କ ପରି ଭଞ୍ଜ ୨ୟ ଥର ବିବାହ କରିଥିଲେ । ରାଜକୀୟ ଦରବାର, ରାଜବଂଶ ତଥା ରାଜପୁତ୍ର/ରାଜକନ୍ୟାଙ୍କ ପ୍ରତି ଦୁଇ କବିଙ୍କର ଗଭୀର ଶ୍ରଦ୍ଧା ଥିଲା । ପୁଣି ସୌନ୍ଦର୍ଯ୍ୟ, ପ୍ରେମ ଓ ଦାମ୍ପତ୍ୟ ଜୀବନର ମହିମାଗାନ କରିବାପାଇଁ ଦୁହେଁ ଯେପରି ବିଶ୍ୱର ଦୁଇ ପ୍ରାନ୍ତରେ ଆବିର୍ଭୂତ ହୋଇଥିଲେ । ଏତଦ୍‌ଭିନ୍ନ ଦୁଇ କବିଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଜାତିଠାରୁ ମିଳିଛି ବିପୁଳ ନିନ୍ଦା ବିପୁଳ ପ୍ରଶଂସା । ସ୍ପେନ୍‌ସାର ସମ୍ପର୍କରେ Harry Bergerieଙ୍କ ଉକ୍ତି ଏଠାରେ ସ୍ମରଣ କରାଯାଇପାରେ - For a long time he was more the Gentlemen’s or Scholars’ poet than the poet of the students or of casual readers, His poetry was praised (or condemned for such qualities as its literariness, its unworldliness and its quintness; its unhurried spaciousness and expansiveness, its pictorial, rhetorical and musical refinements, and not to mention 3its refinements of noble sentiment or alluring sense, and its syncretic assimilation of the most diverse gobbets of classical medieval and renaissance culture’. (Spencer: A collection of Critical Essays : P. 2) ଭଞ୍ଜଙ୍କ ସମ୍ପର୍କରେ ଏହି ମନ୍ତବ୍ୟ ଊଣା ଅଧିକେ ପ୍ରଯୋଯ୍ୟ ନୁହେଁ କି ?

 

ପ୍ରେମ ଓ ସୌନ୍ଦର୍ଯ୍ୟ

ସ୍ପେନ୍‌ସାରଙ୍କ ‘ଫେର୍‌ ହାଇମ୍‌ସ’ କାବ୍ୟଗ୍ରନ୍ଥରେ ପ୍ରେମ, ସ୍ୱର୍ଗୀୟ ପ୍ରେମ, ସୌନ୍ଦର୍ଯ୍ୟ ଓ ସ୍ୱର୍ଗୀୟ ସୌନ୍ଦର୍ଯ୍ୟ କବିତା ଚତୁଷ୍ଟୟର ଭାଗବତ ଉତ୍କର୍ଷ ଅତୁଳନୀୟ । ପ୍ରଥମୋକ୍ତ ଦୁଇଟି କବିତା ପ୍ଲାଟୋଙ୍କ ପ୍ରେମ ଓ ସୌନ୍ଦର୍ଯ୍ୟବାଦ ଦ୍ୱାରା ପ୍ରଭାବିତ । ଇନ୍ଦ୍ରିୟ ଓ ଅତ୍ୟନ୍ଦ୍ରିୟ ଜଗତ ଏଠାରେ ଆଦର୍ଶର ବନ୍ଧନରେ ଆବଦ୍ଧ । ରୂପ ତାନ୍ତ୍ରିକତା (Sensousness) ଏହାର ଭୂମି । ପ୍ରେମର ମହତ୍ତ୍ୱ ଘୋଷଣା କରିବାକୁ ଯାଇ ସେ କହିଛନ୍ତି-

 

For love is Lord of truth and loyalitic

Lifting himself out of the lowly dust.

(A Hymne in honour of love)

 

ତାଙ୍କର ସୌନ୍ଦର୍ଯ୍ୟ-ଦୃଷ୍ଟି ପ୍ରୋଟେଷ୍ଟାଣ୍ଟ ଆଦର୍ଶବାଦ ଦ୍ୱାରା ପ୍ରଭାବିତ । ପାର୍ଥିବ ସୌନ୍ଦର୍ଯ୍ୟର ଅଳୀକତା ଏଥିରେ ଘୋଷଣା କରାଯାଇଛି । ଭାରତୀୟ ଜୀବନ-ଦର୍ଶନ ସହିତ ଏହାର ସାମଞ୍ଜସ୍ୟ ପ୍ରଚୁର ।

 

That beautie is not, as fond men misdeeme

An outward shew of thing that onely seeme

For that same goodly hew of white and red

with which the cheeks are sprinckled shall decay.

( An Hymn in honour of Beautie)

 

(ମଧୁବାବୁଙ୍କ ‘ଜୀବନ ଚିନ୍ତା’ରୁ ଗୋଟିଏ ପଦ ଏଠାରେ ଉଦ୍ଧାର କରାଯାଇପାରେ-

ଜଗତର ଲୋଚନ ନନ୍ଦନ

ରମଣୀର ରକ୍ତାଧର            ରମ୍ୟଜ୍ୟୋତି ନୟନର

ସ୍ୱର୍ଣ୍ଣଘନ ସମ ବକ୍ଷ ଚାରୁ ପଦ୍ମାନନ

ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ ।)

 

ସେହିପରି ଅନ୍ୟତ୍ର-

And looke at last up to that soveraine light

From whose pur beams al perfect beauty springs

(An Hymne of Heaven’y Beautie)

 

ଅର୍ଥାତ୍‌ ସେହି ଅନନ୍ତ ଜ୍ୟୋର୍ତିମଣ୍ଡଳରୁ ଝରିଆସୁଥିବା ଆଲୋକ ହିଁ ସୌନ୍ଦର୍ଯ୍ୟର ଏକମାତ୍ର ଉତ୍ସ । ଉପନିଷଦର କବି ସେହି ଦିଗକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି- ‘‘ଯୌ ବୈ ଭୂମା ତତ୍‌ ସୁଖଂ । ନାଳ୍ପେ ସୁଖମସ୍ତି ।’’ ସ୍ପେନ୍‌ସାର ପ୍ରକୃତିର ନବ ନବ ରୂପରାଗ, ନାରୀର ମଧୁମୟ ଅଙ୍ଗ ସୌନ୍ଦର୍ଯ୍ୟ । ଯୌବନର ଉଦ୍ଦାମ ରଙ୍ଗକୁ ଗଭୀର ଭାବରେ ଅନୁଧ୍ୟାନ କରିଥିଲେ । ସର୍ବତ୍ର ତାଙ୍କୁ ଅନନ୍ତ ସତ୍ୟର ସତ୍ତା ଅନୁଭୂତ ହୋଇଥିଲା । ସୁତରାଂ ସେହି ସତ୍ୟର ସୌନ୍ଦର୍ଯ୍ୟରେ ସେ ମୁଗ୍‌ଧ ହେଉଥିଲେ । ‘‘As Truath appealed to him in terms of beauty, so all beauty, whatever its Source, could be brought to serve and to illuminate the highest truth.’’ (Spenser poetical works. Introduction Pp. Ivii) ଏଠାରେ କହିଲେ ଅପ୍ରାସଙ୍ଗିକ ହେବ ନାହିଁ ଯେ କୀଟସ୍‌ଙ୍କର ପ୍ରସିଦ୍ଧ କାବ୍ୟାଂଶ "A thing of beauty is joy for ever ସଂପୂର୍ଣ୍ଣ ରୂପେ ସ୍ପେନ୍‌ସରୀୟ ଆଦର୍ଶର ଅନୁସୃତି ।

 

ଭଞ୍ଜ ମଧ୍ୟ ପ୍ରେମ ଓ ସୌନ୍ଦର୍ଯ୍ୟର ଜଣେ ପରମ ଉପାସକ ଥିଲେ । କିନ୍ତୁ ତାଙ୍କର ପ୍ରେମ ଦୃଷ୍ଟି ଥିଲା ଦେହାଧାରିତ । ନାରୀର ଅଙ୍ଗ ପ୍ରତିଅଙ୍ଗର ବର୍ଣ୍ଣନା କଲାବେଳେ ସେ ଏଭଳି ବିଭୋର ହୋଇ ଯାଉଥିଲେ ଯେ ତାହା ତାଙ୍କୁ ପୃଥିବୀର ଚରମ ସତ୍ୟ ବୋଲି ମନେ ହେଉଥିଲା । ଯଥା-‘ଜବାଧରୀ ଦେହ ଇତର ନୁହଇ ଯୁବା ବଇକୁଣ୍ଠପୁର । (ଲାବଣ୍ୟବତୀ ୪୪/୧୧) ପ୍ରେମ ଏ ସ୍ଥଳରେ ପ୍ଲାଟୋନିକ୍‌ ନୁହେଁ । ଭଞ୍ଜୀୟ ଜୀବନ-ଜିଜ୍ଞାସାରେ ପ୍ରୀତିର ମହତ୍ତ୍ୱ ସର୍ବାଧିକ । ସ୍ୱର୍ଗଭୋଗ ବା ଇନ୍ଦ୍ରତ୍ୱ ଲାଭ ମଧ୍ୟ ତାହା ସପକ୍ଷରେ ତୁଚ୍ଛାତିତୁଚ୍ଛ । ଏଥିରେ ସ୍ୱର୍ଗୀୟ ସୌନ୍ଦର୍ଯ୍ୟର କଥା ନାହିଁ । କିନ୍ତୁ ଭୋଗର ଶୃଙ୍ଖଳା ଭିତରେ ଜୀବନ ସୌନ୍ଦର୍ଯ୍ୟର ଯେଉଁ ମହନୀୟତା ଫୁଟିଛି, ତାହାର ମୂଲ୍ୟ ଅନୁପମ । ଯଥା-

ମନ ଜାଣିବାକୁ ପ୍ରିୟା ସମ ଜଣେ ଖୋଜିଲେ ମିଳିବ କାହିଁ

ମୋ ମନ ଘେନୁଛି ପ୍ରୀତି ଘେନିବାକୁ ତାହାର ସମାନ ନାହିଁ

(ଲା : ୪୦/୭)

 

କିମ୍ୱା

 

ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି

 

କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ ।

 

ପ୍ରୀତି ଅଭେଦ ତାଙ୍କର

 

ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।

(ପ୍ରେ : ସୁ : ୧୪/୪)

 

କିମ୍ୱା-

 

ପୁଣି ବିରହ ଅନଳେ ଦହନାହୋନ୍ତା ଏ ମୋହର ତନୁ ବହନ ।

 

ଭସ୍ମ ଉଡ଼ାଇ କୃପାରେ ପବନ । ନେଇ ପକାନ୍ତା କାନ୍ତା ସନ୍ନିଧାନ ।

 

କିସ ବୋଲି ବାଳା କରନ୍ତା ଦୃଷ୍ଟି । ତହିଁ ଉପରୁ ହୁଅନ୍ତା ସୁଧାବୃଷ୍ଟି ।

 

ହୋଇ ମୂର୍ତ୍ତିମନ୍ତ ମୁଁ ଚାହିଁ ମୁଖ । କରଯୋଡ଼ି କହନ୍ତି ସବୁ ଦୁଃଖ ।

(ଲା: ୪୨/୫୨-୫୫)

 

ନାରୀର ଯୌବନଶ୍ରୀ, ପ୍ରକୃତିର ମନୋହର ସୁଷମା, ବର୍ଷା ଓ ବସନ୍ତାଦି ଋତୁର ରମଣୀୟତା ତଥା ଉପବନ, ସରୋବର ଇତ୍ୟାଦିର ଚିତ୍ରଣରେ ଉପେନ୍ଦ୍ର ଭଞ୍ଜଙ୍କ କୃତିତ୍ୱ ମଧ୍ୟ ଅସାମାନ୍ୟ । ସ୍ଥଳ ବିଶେଷରେ ଯେ ଏଥିରେ ସ୍ଥୂଳତା ନାହିଁ, ଏକଥା କେହି କହୁନାହିଁ । ମାତ୍ର ଜୀବନରଙ୍ଗମଞ୍ଚରେ ପାର୍ଥିବ ସୌନ୍ଦର୍ଯ୍ୟର ଭୂମିକାକୁ ଉପେକ୍ଷା କରାଯାଇନପାରେ ।

 

ବିବାହ ଓ ଦାମ୍ପତ୍ୟ ଜୀବନ :

ବିବାହ ପ୍ରସଙ୍ଗରେ ସ୍ପେନସାର ଯେପରି ଭାବୋଚ୍ଛଳତାର ପ୍ରତିନିଧି, ସେହିପରି ପବିତ୍ରତାର ଉପାସକ । ଏହାର ପ୍ରମାଣ ହେଉଛି ଭାବୀ ପତ୍ନୀଙ୍କ ଉଦ୍ଦେଶ୍ୟରେ ରଚିତ Amoretti ଏବଂ ବିବାହ/ବାସର ଉତ୍ସବ ଉପଲକ୍ଷେ ରଚିତ Epithalamion । ପ୍ରଥମଟି ୮୯ଟି ସନେଟର (କେବଳ ଶେଷ କବିତାଟି ସନେଟ ରୀତିର ବ୍ୟତିକ୍ରମ) ସମାହାର । ଏହାର ସରଳ, ତରଳ ଓ ସାଙ୍ଗୀତିକ ଶବ୍ଦ-ବିନ୍ୟାସ ଇଂରାଜୀ ସାହିତ୍ୟରେ ସମ୍ପୂର୍ଣ୍ଣ ଅଭିନବ । Petrach ଓ Tossoଙ୍କ ଭଳି ମହାକବିମାନଙ୍କ ପ୍ରଭାବ ସତ୍ତ୍ୱେ ଏହା ମୌଳିକ ଓ ଅନ୍ତରଙ୍ଗ । ଉଦାହରଣ ସ୍ୱରୂପ-

Fayre bosom fraught with virtues

 

richest treasure —

The neast of love, the lodging

 

of delight

(No. L XX vi)

ବିବାହ ଓ ବାସର ତିଥିର ଆବେଗମୟ କମ୍ପମାନ କବି-ହୃଦୟର ଭାଷା ପ୍ରକାଶ ପାଇଛି Epithalamionରେ । ପ୍ରଭାତରୁ ରାତ୍ରିକାଳ ପର୍ଯ୍ୟନ୍ତ ବିବାହ ରୀତିର ବର୍ଣ୍ଣନା ସହିତ ଆହୂତ ଦେବଦେବୀ ଓ ଅପ୍‌ସରୀମାନଙ୍କ ଉପସ୍ଥିତିଜନିତ ଆନନ୍ଦୋଲ୍ଲାସର ଯେଉଁ ଚିତ୍ର ଏଥିରେ ଅଙ୍କିତ, ତାହାର ଯଥାର୍ଥ ମୂଲ୍ୟ କଳନା କରିବା ସହଜ ନୁହେଁ । ପୁରାକଥା (Myth), ଧାର୍ମିକ ବିଶ୍ୱାସ, ବାସ୍ତବ ଓ ଆଦର୍ଶ ପ୍ରେମର ମଧୁର ସମନ୍ୱୟରେ କବିତାଟି ବୈଚିତ୍ର୍ୟମୟ । ଏହାର ଛନ୍ଦମୟ ସାଙ୍ଗୀତିକତା ମଧ୍ୟ ଅପୂର୍ବ । ଶୁଦ୍ଧପୂତ ପ୍ରେମର ମହିମାଗାନ କରିବାକୁ ଯାଇ ସେ କହିଛନ୍ତି-

Open the temple gate unto my love

Open them wide that she may enter in...

ପ୍ରତ୍ୟେକ ଇଂରେଜ ସମାଲୋଚକ ଉପରୋକ୍ତ କାବ୍ୟର ପ୍ରଶଂସାରେ ଶତମୁଖ । Douglas Bushଙ୍କ ମତରେ - Few of the world’s great love poems are associated with marriage, fewer still with middle aged poet’s second marriage, but we may think the Epithalamion the most beautiful and Satisfying love Poem in the language. ( English Poetry : P-40)

 

Prothalamion ସେହିପରି ଆଉ ଏକ ବିବାହ ବିଷୟକ କବିତା Earl of Worcesterଙ୍କ ଦୁଇ କନ୍ୟା ଲେଡ଼ି ଏଲିଜାବେଥ ଓ ଲେଡ଼ି କାଥେରାଇନଙ୍କ ବିବାହ ସମ୍ମାନାର୍ଥେ ଏହା ରଚିତ । ଏହାର କଳାତ୍ମକ ମୂଲ୍ୟ ସେଭଳି ଉଚ୍ଚକୋଟୀର ନୁହେଁ ।

 

କେବଳ ବିବାହ ନୁହେଁ, ବୈବାହିକ ଜୀବନର ସାଧୁତା (married Chastity) ସମ୍ପର୍କରେ କବି ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଫେୟାରୀ କୁଇନ୍‌ ଗ୍ରନ୍ଥର ବହୁ ନାରୀଚରିତ୍ର ଏହି ଉଦ୍ଦେଶ୍ୟରେ ପରିକଳ୍ପିତ । Britomart, Amoret, Belphoebe, Florimel ପ୍ରଭୃତି ମହିଳାଗଣ ଉକ୍ତ ଆଦର୍ଶର ପ୍ରତିନିଧି ।

 

କବି ଉପେନ୍ଦ୍ର ଭଞ୍ଜ ସ୍ୱତନ୍ତ୍ର ଭାବେ ସ୍ପେନ୍‌ସାରଙ୍କ ପରି ବିବାହ କବିତା ଲେଖି ନାହାନ୍ତି । କିନ୍ତୁ ତାଙ୍କର କାବ୍ୟମାନଙ୍କର ନାୟକ-ନାୟିକାଙ୍କ ବିବାହ ଦୃଶ୍ୟର ବିସ୍ତୃତ ବର୍ଣ୍ଣନା ରହିଛି । ସେଥିରୁ ଅନ୍ତତଃ ଗୋଟିଏ ତାଙ୍କର ଅନୁଭବପ୍ରସୂତ ବୋଲି କୁହାଯାଇପାରେ । ‘ଲାବଣ୍ୟବତୀ’ରେ ପ୍ରଦତ୍ତ ବିବାହକାଳୀନ ଗ୍ରହସ୍ଥିତିକୁ ବିଚାର କରି ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ କହନ୍ତି, ଏହା ଉପେନ୍ଦ୍ରଙ୍କ ଦ୍ୱିତୀୟ ବିବାହର ସ୍ମୃତି ଉପରେ ଆଧାରିତ । ତାଙ୍କ ଭାଷାରେ - ‘‘ଦ୍ୱିତୀୟା ପତ୍ନୀକୁ ଖୁସି କରାଇବା ପାଇଁ ରଚିତ ଲାବଣ୍ୟବତୀ ଉପେନ୍ଦ୍ରଙ୍କ ପ୍ରଣୟୀ ଜୀବନର ମିଳନ-ବିଚ୍ଛେଦ ତଥା ପୁନର୍ମିଳନର ମଞ୍ଜୁଳ ଗାଥାରେ ରସାଣିତ ହୋଇଛି । (ବହିତ୍ର-୧ : ପୃ ୨୦୮) ସ୍ପେନସାରଙ୍କ ପରି ଭଞ୍ଜ ମଧ୍ୟ ନାୟକ-ନାୟିକାଙ୍କ ପ୍ରଣୟର ନୈତିକ ମହତ୍ତ୍ୱର କଥା ବିଭିନ୍ନ ସ୍ଥଳରେ ଘୋଷଣା କରିଛନ୍ତି । ଯଥା :-

 

ମିଥିଳା ନବ ସଂଗମ କାଳେ ଯେ କଲେ ନିୟମ

 

ଏକପତି ଏକ ପତ୍ନୀବ୍ରତ

ଜଗତେ ସେହୁ ଦମ୍ପତି ସାଧୁଙ୍କ ସୁଖ ସମ୍ପତ୍ତି

 

ମଧୁର ଆକୃତି ଅବଲୋକିତ ଯେ ।

(ଲାବଣ୍ୟବତୀ : ୩୮/୨୦)

 

କିମ୍ବା –

ବିଦ୍‌ଗଧ ଶ୍ରୀରାମଚନ୍ଦ୍ର କହେ

ବନ୍ଧୁ ଜୀବନ ଥିବାର ଏ ଦେହେ

ବିଳାସିନୀ ନ କରିବି ଆନକୁ

ବୋଲି ଛୁଇଁ ଦୀପ ହୁତାଶନକୁ

ବଇଦେହୀ କେଶୁ କାଢ଼ି କେତକୀ

ବର୍ଣ୍ଣ ଲିଖିତ ପୋଛି କସ୍ତୁରୀକି

ବଳି ନାହିଁ ଆନେ ଆଜିଯାଏ ତ

ବଳାଇବି ଜନ୍ମେ ଜନ୍ମେ ମୋ ଚିତ୍ତ ।

(ବୈ. ବି. ୧୫/୧୨-୧୫)

 

କିମ୍ବା -

ଗୋପୀ କୃଷ୍ଣ ଲୀଳାଚିତ୍ର ନାହିଁ ଯହିଁ ଦେଖା

ସୀତାରାମ ପ୍ରଦୀପ ନିୟମ ଆଦି ଲେଖା ଯେ ।

(କୋ. ବ୍ର. ସୁ. ୩୪/୨)

 

ମଧୁମୟ ଦାମ୍ପତ୍ୟ ଜୀବନ କହିଲେ ଯାହା ବୁଝାଏ, ତା’ର ନିରୋଳ ଚିତ୍ର ଭଞ୍ଜଙ୍କ କାବ୍ୟ କବିତାରେ ଦେଖିବାକୁ ମିଳେ । ଭୋଗରେ ଉଚ୍ଛୃଙ୍ଖଳତା ରହିଛି; ମାତ୍ର ଶାସ୍ତ୍ରବିରୁଦ୍ଧ ବା ନୀତିବିରୁଦ୍ଧ କିଛି ନାହିଁ । ପକ୍ଷାନ୍ତରେ ନାୟକ ନାୟିକା ପରସ୍ପର ପ୍ରତି ଏକାନ୍ତ ଅନୁଗତ ଓ ଅନୁରକ୍ତ ।

 

ନାୟକ ନାୟିକା :

ମଧ୍ୟଯୁଗୀୟ ସିଭାଲ୍‌ରି ବା ବୀରଧର୍ମ ଓ ଦରବାର ପ୍ରତି କବି ସ୍ପେନ୍‌ସାରଙ୍କ ଅପରିସୀମ ଶ୍ରଦ୍ଧାରୁ ତାଙ୍କ ନାୟକ ନାୟିକାମାନଙ୍କ ଆବିର୍ଭାବ । ଫେୟାରୀ କୁଇନର ପ୍ରାରମ୍ଭ ଭାଷଣରେ ସେ Knight ବା ବୀରପୁରୁଷ ଓ ସମ୍ଭ୍ରାନ୍ତ ମହିଳାମାନଙ୍କ ମହୀୟାନ ଜୀବନ ଗାଥାକୁ ରୂପଦେବା ପାଇଁ ନିଜର ପରିକଳ୍ପନା କଥା ପ୍ରକାଶ କରିଛନ୍ତି । ଯଥା -

 

And sing of knights and ladies gentle deeds

whose prayses having slopt in silence long

Fierce warres and faithfull loves shall

 

moralize my song

 

‘ନାଇଟ୍‌ସ୍‌’ ‘ଲେଡ଼ିଜ୍’ ‘ଫେୟାର୍ସ ଓ୍ୱାରସ’ ‘ଫେଥ୍‌ଫୁଲ ଲଭ’ର ଉଲ୍ଲେଖରୁ କବିଙ୍କ ସମଗ୍ର ଯୋଜନାଟି ସୂଚିତ । ସାର୍‌ ୱାଲ୍‌ଟର ରାଲେଙ୍କୁ ଖଣ୍ଡିଏ ପତ୍ରରେ ନିଜର ଲକ୍ଷ୍ୟ ବିଷୟରେ ସେ ଲେଖିଥିଲେ - I chose the historye of king Arthure, as most fitte for the excellency of his person being made famous by many men’s former workes, and also furthest from the danger of envy and Suspition of present time. In which I have followed all the antique poets historicall first Homere ... then Virgil ... after him Ariosto ... and lately Tosso ... By ensample of which excellente poets, I labour to pourtraict in Arthure, before he was king, the image of a brave knight, perfected in the twelve private morallvertues. as Aristotle hath devised, the which is the purpose of these first twelve bookes; which if I finde to be well accepted I may be perhaps encouraged to frame the other part of polliticke vertues in his person, after that he came to be king x x’’ (Spencer Poetical Works - P 407)

 

ଏଥିରୁ ଜଣାଯାଏ ଯୁବରାଜ ଆର୍ଥରଙ୍କ ବୀରତ୍ୱର କାହାଣୀ ବର୍ଣ୍ଣନା ନିମନ୍ତେ ଏହି କାବ୍ୟଟି ଉଦ୍ଦିଷ୍ଟ ଓ ପ୍ରାଚୀନ କବିମାନଙ୍କ ପ୍ରଭାବରେ ଏହା ପୁଷ୍ଟ । ଫେୟାରୀ ଲ୍ୟାଣ୍ଡର ଅଧିବାସୀ ଗୋରିଆନା ବା ଫେୟାରୀ କୁଇନ୍ ଚଇତ୍ରରେ ଏଲିଜାବେଥ୍‍ଙ୍କ ମହିମା ସତେ ଯେପରି ରୂପାୟିତ । ତାଙ୍କର ବାର ଜଣ ନାଇଟ୍‌ ବାରଟି ଗୁଣ (virtue)ର ପ୍ରତିନିଧି । ଯୁବରାଜ ଆର୍ଥର ଏକଦା ସ୍ୱପ୍ନରେ ଗ୍ଲୋରିଆନାଙ୍କୁ ଦେଖିଲେ ଏବଂ ତାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କର ସନ୍ଧାନରେ ବାହାରି ପଡ଼ିଲେ । ଏହି ଅଭିଯାନରେ ବାହାରି ସେ ଜଣେ ଜଣେ ନାଇଟ୍‌ଙ୍କ ସଂସ୍ପର୍ଶରେ ଆସିଲେ । ୧ମ, ୨ୟ, ୫ମ ଓ ୬ଷ୍ଠ ଖଣ୍ଡରେ ବର୍ଣ୍ଣିତ ଚାରିଜଣ ନାଇଟ୍‌ ଯଥା :- ରେଡ଼୍‌କ୍ରସ ନାଇଟ, ସାର ଗାୟନ, ସାର ଆର୍ଟିଗାଲ ଓ ସାର କାଲିଡୋର ଯଥାକ୍ରମେ ପବିତ୍ରତା (holiness), ସଂଯମ (Temperance), ନ୍ୟାୟ ବିଚାର (Justice) ଓ ସୌଜନ୍ୟ (courtesy)ର ପ୍ରତିନିଧି । ୩ୟ ଓ ୪ର୍ଥ ଖଣ୍ଡରେ ଯଥାକ୍ରମେ ବିଟ୍ରୋମାର୍ଟ ଉପାଖ୍ୟାନ, ଟ୍ରାଇମ୍ବଣ୍ଡ ଓ କ୍ୟାମ୍ବେଲ ଉପାଖ୍ୟାନ ସ୍ଥାନ ପାଇଛି । ଦୁଇଟି ଉପାଖ୍ୟାନରେ ସତୀତ୍ୱ (chasity) ଓ ସୌହାର୍ଦ୍ଦ୍ୟ (Friendship)ର ଆଦର୍ଶ ରୂପାୟିତ । ସମଗ୍ର କାବ୍ୟରେ ନାୟକ ଚରିତ୍ର ଅପକ୍ଷା ନାୟିକା ଚରିତ୍ର ପ୍ରାଧାନ୍ୟ ଲାଭ କରିଛି । E. De Selincourtsଙ୍କ ଭାଷାରେ - No student of life can doubt that Spancer is giving prominence to heroine rather than a hero (Spencer Poltical Works : P.X LVI)

 

ସ୍ପେନ୍‌ସାରଙ୍କ ‘ନାଇଟସ୍’ ଓ ‘ଲେଡ଼ିଜ୍’ଙ୍କ ପରି ଭଞ୍ଜୀୟ ନାୟକ ଓ ନାୟିକାମାନେ ରାଜପୁତ୍ର ଓ ରାଜକନ୍ୟା, ଯଦିଓ ଏମାନଙ୍କୁ ପାଶ୍ଚାତ୍ୟ ଇତିହାସରେ ମାନଦଣ୍ଡରେ ଠିକ୍ ଭାବେ ତଉଲି ହେବନାହିଁ । ତଥାପି ଚନ୍ଦ୍ରଭାନୁ ଓ ପୁଷ୍ପକେତୁଙ୍କ ଭଳି ନାୟକ ଚରିତ୍ରରେ ବୀରତ୍ୱ, ପାଣ୍ଡିତ୍ୟ, ଯୁଦ୍ଧ ପ୍ରବୀଣତାର ସମାବେଶ ହୋଇଅଛି । ସେହିପରି ନାୟିକା କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ବା ଲାବଣ୍ୟବତୀକୁ ପରମା ରୂପବତୀ ଓ ସର୍ବଗୁଣସଂପନ୍ନା କରି ଗଢ଼ିବା ପାଇଁ କବି ଯଥେଷ୍ଟ ପ୍ରୟାସ କରିଛନ୍ତି । ପ୍ରଣୟ ବ୍ୟାପାରରେ ତାଙ୍କ ନାୟକ ନାୟିକା ଉଚ୍ଚ ଆଦର୍ଶର ଅଧିକାରୀ । ଏହାଛଡ଼ା ଭଞ୍ଜଙ୍କ ସମସ୍ତ କାବ୍ୟରେ ସ୍ପେନସାରଙ୍କ ପରି ନାୟିକା ଚରିତ୍ର ପ୍ରାଧାନ୍ୟ ଲାଭ କରିଛି ।

 

କାବ୍ୟଶିଳ୍ପ :

ସ୍ପେନ୍‌ସାର ସାହିତ୍ୟ, ଧର୍ମ, ଦର୍ଶନ ପ୍ରଭୃତି ଶାସ୍ତ୍ରରେ ବିଚକ୍ଷଣ ପାଣ୍ଡିତ୍ୟ ଲାଭ କରିଥିଲେ । ପ୍ରାଚୀନ କବିମାନଙ୍କ ରଚନା ସହ ସେ ଖୁବ୍‌ ପରିଚିତ ଥିଲେ । ପୂର୍ବୋକ୍ତ ଚିଠି ହିଁ ତାର ସ୍ପଷ୍ଟ ନିଦର୍ଶନ । ହୋମର, ଭର୍ଜିଲ ଓ ଓଭିଡ଼୍‌ଙ୍କ ପରି ବିନା ଦ୍ୱିଧାରେ ବିଖ୍ୟାତ କବିମାନଙ୍କ ଅନୁସରଣ କରିଥିବା କଥା ତାଙ୍କ କାବ୍ୟ କବିତାରୁ ପ୍ରମାଣିତ । ଉପେନ୍ଦ୍ର ଭଞ୍ଜ ମଧ୍ୟ କାବ୍ୟ, ବ୍ୟାକରଣ, ଅଳକାଂର, ଧର୍ମ, ଦର୍ଶନାଦି ଶାସ୍ତ୍ରରେ ଚରମ ବ୍ୟୁତ୍ପତ୍ତି ଲାଭ କରିଥିଲେ । ତାଙ୍କ ରଚନାରେ ସଂସ୍କୃତ ତଥା ପ୍ରାଚୀନ ଓଡ଼ିଆ କାବ୍ୟ ସାହିତ୍ୟର ବିପୁଳ ପ୍ରଭାବ ଦୃଷ୍ଟିଗୋଚର ହୁଏ । ପୂର୍ବସ୍ୱରୀମାନଙ୍କ ଋଣ ସ୍ୱୀକାର କରିବାକୁ ଯାଇ ଗୋଟିଏ ସ୍ଥାନରେ ସେ ଲେଖିଛନ୍ତି -

 

ବାଲ୍ମିକୀ ବ୍ୟାସ କବି ଯହିଁରେ ମହାକାବ୍ୟକୁ ପୁରାଣ କରେ

ମହାନାଟକ ବାତ ସୁତରେ ହେଲେ ରଚିତା ଯେ

ବିହିଲେ କାବ୍ୟ ଯେ କାଳିଦାସେ ଚମ୍ପୂ ରଚନା ଭୋଜନରେଶେ

କୃପାସିଦ୍ଧାଏ ଗୀତ ପ୍ରକାଶେ ଛାଡ଼ିଲି ଚିନ୍ତା ଯେ ।

(ବୈ. ବି. ୧/୪)

 

ସ୍ପେନ୍‌ସାର ଭାଷାରୀତିରେ ବିସ୍ମୟକର ପରିବର୍ତ୍ତନ ଘଟାଇଛନ୍ତି । ନିଜର ଆବଶ୍ୟକତା ଅନୁସାରେ ସେ ଶବ୍ଦର ବନାନ, ଉଚ୍ଚାରଣ ଓ ଗଠନ ପଦ୍ଧତିକୁ ନୂଆ ରୂପ ଦେଇଛନ୍ତି । ସେଥିପାଇଁ ତାଙ୍କୁ ସମାଲୋଚନାଙ୍କ ତୀବ୍ର ଆକ୍ଷେପର ଶରବ୍ୟ ହେବାକୁ ପଡ଼ିଛି । ବେନ୍‌ ଜନ୍‌ସନ୍‌ଙ୍କ ଭାଷାରେ - ‘In affecting the ancient he writ no language,’ ଉଦାହରଣ ସ୍ୱରୂପ କେତୋଟି ଶବ୍ଦର ଉଲ୍ଲେଖ କରାଯାଇପାରେ - afoore, bin, boughts, bousingcan, brent, chaufe, corage, creast;, cruddled, deawie, ditt, doen, housling fire, needmentes, overcraw, swound ଇତ୍ୟାଦି ବିଭିନ୍ନ ସ୍ଥଳରେ ସେ ଆଇଇଶ୍ (Irish) ଉଚ୍ଚାରଣ ଭଙ୍ଗୀକୁ ଅନୁସରଣ କରିବା ଫଳରେ ଶବ୍ଦ ନିର୍ମାଣରେ ନାନା ବ୍ୟତିକ୍ରମ ସୃଷ୍ଟି ହୋଇଛି । ତାଙ୍କ ରଚନାରେ ବ୍ୟାକରଣ ନିୟମର ନାନା ଅଦଳ ବଦଳ ମଧ୍ୟ ପରିଦୃଷ୍ଟ ।

 

ଭଞ୍ଜଙ୍କ ଭାଷାରୀତି ବହୁ ସ୍ଥଳରେ କି ଷ୍ଟ ଓ ଜଟିଳ । ସେଥିପାଇଁ ସେ ମଧ୍ୟ ତୀବ୍ର ଭାବେ ସମାଲୋଚିତ । ଋଷ୍ୟଶୃଙ୍ଗ ପରିବର୍ତ୍ତେ ବିଷାଣ ଋଷ୍ୟ, ତ୍ରିବେଣୀ ପରିବର୍ତ୍ତେ ବେଣୀତ୍ରିପୂର୍ବ, ବିଭୀଷଣ ପରିବର୍ତ୍ତେ ବିଗତ ଯେ ଭୀଷଣ, ଦେହ ଅର୍ଥରେ ବର୍ଷ୍ମ, ଚନ୍ଦ୍ରମା ଅର୍ଥରେ ବିକ୍ରୁସ, ପ୍ରସ୍ଫୁଟ ଅର୍ଥରେ ବ୍ୟାକୋଷ, ସୂର୍ଯ୍ୟ ଅର୍ଥରେ ବିକୁକ୍ଷି, ରାମା ପରିବର୍ତ୍ତେ ମାର ଶବ୍ଦ ବହୁ ବଚନରେ କଲା ଜପ, ଶର ପରିବର୍ତ୍ତେ ଶରୀର ମଧ୍ୟଲୋପକୁ ଇତ୍ୟାଦିର ପ୍ରୟୋଗ ଶବ୍ଦାର୍ଥୀମାନଙ୍କ ପକ୍ଷେ ବିଶେଷ କୌତୂହଳର ବିଷୟ । ବି. ସି. ମଜୁମଦାର ଲେଖିଛନ୍ତି - “The readers will have occassion to notice in the texts how for silly puns of no artistic beauty, wrong spelling of words and bad grammar have been purposely tolerated.”

 

ଅନୁପ୍ରାସ ଓ ଅନୁରୂପ ସ୍ୱର ଧ୍ୱନି (assonance) ଇତ୍ୟାଦିର ବହୁଳ ପ୍ରୟୋଗ ସ୍ପେନସାରଙ୍କ କବିତାର ଅନ୍ୟତମ ବିଶିଷ୍ଟ ଲକ୍ଷଣ । ଭାଷାରେ ସାଙ୍ଗୀତିକତା ଓ ସ୍ୱର ମାଧୁର୍ଯ୍ୟ ସୃଷ୍ଟି କରିବା ଏହା ଦ୍ୱାରା ସମ୍ଭବ ହୋଇଥାଏ । ଚସର ଏ କ୍ଷେତ୍ରରେ ଅଗ୍ରଣୀ ହୋଇଥିଲେ ହେଁ ସ୍ପେନ୍‌ସାରଙ୍କ କୃତିତ୍ୱ ଯଥାର୍ଥରେ ଅସାଧାରଣ । ଉଦାହରଣ ସ୍ୱରୂପ :-

 

 

Darke, dolefull, drearie, like a greedie grave

 

 

(ଫେ. କୁ. 1. IX.33)

 

କିମ୍ବା

 

 

In all his wayes through this wide worldes wave

(ଫେ. କୁ 1. X-34)

 

 

Weeing some heavenly goddesse he did see

or else unweeting, what it else might bee

 

 

(ଫେ. କୁ. IV. VI. 22)

 

କିମ୍ବା

 

 

A work of wondrous grace, and able soules to save.

(ଫେ. କୁ. 1. IX, 9)

 

କେବଳ ଅନୁପ୍ରାସ ନୁହେଁ, ସର୍ବବିଧ ଅଳଙ୍କାର ପ୍ରୟୋଗରେ ଭଞ୍ଜ ସୁଦକ୍ଷ । ସେ ସବୁର ଆଲୋଚନା ବର୍ତ୍ତମାନ ପରିସରରେ ଅନାବଶ୍ୟକ । ପ୍ରସଙ୍ଗ ଦୃଷ୍ଟିରୁ ଭଞ୍ଜଙ୍କ ଅନୁପ୍ରାସ ରୀତିର ଗୋଟିଏ ଦୁଇଟି ଉଦାହରଣ ଯଥେଷ୍ଟ ହେବ । ଯଥା :-

 

ଦେଖି ନବକାଳିକା ବକାଳିକାମାଳିକା ଆଳି କାଳିବା କାନ୍ତ ସ୍ମରି ।

କିମ୍ବା -

ରସିକ ବିଚାର କରେ ଦୀପଦାନ କାର୍ତ୍ତିକରେ ପ୍ରୟାଗେ

 

ସ୍ନାନ ମକରେ ଯେହୁ ନକରେ । ଇତ୍ୟାଦି

 

ଫେୟାରୀ କୁଇନ ଏକ ଆଧ୍ୟାତ୍ମିକ, ନୈତିକ ଓ ଐତିହାସିକ ରୂପକ କାବ୍ୟ । ଫେୟାରୀ ଲ୍ୟାଣ୍ଡ, ଫେୟାରୀ କୁଇନ୍, ଯୁବରାଜ ଆର୍ଥର ବିଭିନ୍ନ ନାଇଟଗଣ ବା ସଂଭ୍ରାନ୍ତ ମହିଳାଗଣଙ୍କ ଚରିତ୍ର ଅନ୍ତରାଳରେ ବହୁ ରହସ୍ୟାବୃତ୍ତ ତଥ୍ୟ ନିହିତ । (ଯଥା :- ଆର୍ଥର ଲାଇସେଷ୍ଟର, ଫେୟାରୀ କୁଇନ୍, ଏଲିଜାବେଥ, ଫେୟାରୀ ଲ୍ୟାଣ୍ଡ, ଏଲିଜାବେଥଙ୍କ ସାମ୍ରାଜ୍ୟ) ଭଞ୍ଜୀୟ କାବ୍ୟରେ ଏଭଳି ରୂପକ ଧର୍ମିତା ନାହିଁ । ଏଥିରେ ସମସ୍ତ ଚରିତ୍ର ପ୍ରତ୍ୟକ୍ଷ ଓ ବର୍ଣ୍ଣନା ଆବଶ୍ୟକତା ଅନୁସାରେ ଆଳଙ୍କାରିକ ।

 

ଶେଷ କଥା :- ଇଂରାଜୀ ସାହିତ୍ୟରେ ସ୍ପେନସାରଙ୍କୁ କୁହାଯାଏ poet’s poet. କାରଣ ପରବର୍ତ୍ତୀ କାଳର ଅଗଣିତ କବି ତାଙ୍କ ଦ୍ୱାରା ପ୍ରଭାବିତ । Douglas Bushଙ୍କ ଭାଷାରେ -

 

Finally we remember that no poet has had greater or more Varied disciples, Milton, Dryden, Wordswarth. Keats and a host of others and that Spencer is more than anyother individual, the father of English poetry.

(English Poetry P. 46)

 

ଓଡ଼ିଆ ସାହିତ୍ୟ-ରାଜ୍ୟରେ ଉପେନ୍ଦ୍ରଙ୍କ ପ୍ରଭାବ ମଧ୍ୟ ଅପରିସୀମ । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଠାରୁ ମାୟାଧର ମାନସିଂହଙ୍କ ପର୍ଯ୍ୟନ୍ତ ପ୍ରାୟ ସକଳ ଖ୍ୟାତନାମା କବି ଭଞ୍ଜଙ୍କ ନିକଟରେ ଋଣୀ ।

 

ଏଡ଼୍‌ମଣ୍ଡ ସ୍ପେନ୍‌ସାର ଓ ଉପେନ୍ଦ୍ର ଭଞ୍ଜ ଗୋଟିଏ ଯୁଗର ଦୁଇଟି ଜାତିର ସାଂସ୍କୃତିକ ପ୍ରତିନିଧି । ବିଷୟବସ୍ତୁ ଓ କାବ୍ୟଶୈଳୀରେ ସ୍ୱାତନ୍ତ୍ର୍ୟ ଥିଲେ ହେଁ ଦୁହେଁ ମଧ୍ୟଯୁଗୀୟ ଆଦର୍ଶ, ରୋମାଣ୍ଟିକ କଳ୍ପନା, ପ୍ରେମ ଓ ସୌନ୍ଦର୍ଯ୍ୟବୋଧ ତଥା ଶବ୍ଦ-ଶିଳ୍ପର ବିଶ୍ୱସ୍ତ କଳାକାର । ମୋର ବିଶ୍ୱାସ, ବିଶ୍ୱସାହିତ୍ୟ ପରିପ୍ରେକ୍ଷୀରେ ଭଞ୍ଜୀୟ ସାହିତ୍ୟର ବିଚାର ଆଲୋଚନା ପାଇଁ ଯଥେଷ୍ଟ ଅବକାଶ ରହିଛି ।

 

ଘର ନଂ. ୫ ଏ-୧୫/୨

ୟୁନିଟ- ୨

ଭୁବନେଶ୍ୱର

***

 

Unknown

ବଲ୍ଲଭାଚାର୍ଯ୍ୟ ଓ ଶ୍ରୀ ଜଗନ୍ନାଥ

ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

 

ସବୁ ତୀର୍ଥକ୍ଷେତ୍ର ଲୋକଧର୍ମ ଓ ଲୋକସଂସ୍କୃତିର ଏକ ଏକ ଆଞ୍ଚିଳିକ କେନ୍ଦ୍ର ମଧ୍ୟ । ତୀର୍ଥକ୍ଷେତ୍ରକୁ ଧର୍ମକାମୀ ତଥା ଇତର ଜନତା ବହୁ ସଂଖ୍ୟାରେ ଆସିଥାନ୍ତି । ବିଭିନ୍ନ ଧର୍ମମତର ପ୍ରଚାରକ ମହାପୁରୁଷମାନେ ସ୍ୱୀୟ ଧର୍ମମତର ଲୋକରେ ପ୍ରତିଷ୍ଠା ଓ ପ୍ରସାର ଲକ୍ଷ୍ୟରେ ସାଧାରଣତଃ ତୀର୍ଥକ୍ଷେତ୍ରଗୁଡ଼ିକୁ ଆଶ୍ରୟ କରିଥାନ୍ତି । ଫଳତଃ ଏଠାରେ ଉଭୟମୁଖୀ ପ୍ରତିକ୍ରିୟାର ଉଦ୍ଭବ ହୁଏ । ଏକ ଦିଗରେ ତୀର୍ଥକ୍ଷେତ୍ରଟିର ଧାର୍ମିକ ପରିବେଶ ଦ୍ୱାରା ମହାପୁରୁଷମାନେ ନିଜେ ଉଦବୁଦ୍ଧ ହୁଅନ୍ତି, ଯାହା ଫଳରେ ସେହି ମହାପୁରୁଷଙ୍କର ବ୍ୟକ୍ତିତ୍ୱର ଗଠନ ଓ ବିକାଶ ପ୍ରକ୍ରିୟାରେ ତୀର୍ଥକ୍ଷେତ୍ର ବିଶେଷର ଭୂମିକା ରହିଥାଏ । ଅନ୍ୟ ଦିଗରେ ତୀର୍ଥକ୍ଷେତ୍ରଟିର ସାମାଜିକ ପ୍ରତିଷ୍ଠା ଓ ଗୌରବର ଅଭିବୃଦ୍ଧି ପାଇଁ ମହାପୁରୁଷଙ୍କର ସେଠାରେ ଅବସ୍ଥିତି ବିଶେଷ ସହାୟକ ହୋଇଥାଏ । ସେଥିପାଇଁ କୁହାଯାଏ - ‘‘ତୀର୍ଥୀ କୁର୍ବନ୍ତି ତୀର୍ଥାନି’’ (ଭାଗବତ ୧. ୧୩. ୧୦) - ସାଧୁ (ତୀର୍ଥ) ସ୍ଥାନକୁ ପବିତ୍ର (ତୀର୍ଥ) କରନ୍ତି ।

 

ଆଦି ଶଙ୍କରଚାର୍ଯ୍ୟଙ୍କ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ର ପୁରୀକୁ ଅନ୍ୟତମ ଧାମ ରୂପେ ନିର୍ବାଚିତ ଓ ପ୍ରତିଷ୍ଠିତ କରିବାଠାରୁ ଆରମ୍ଭ କରି ଏହି କ୍ଷେତ୍ର ଯୁଗେ ଯୁଗେ ଅନେକାନେକ ଧର୍ମପ୍ରଚାରକ ମହାପୁରୁଷଙ୍କୁ ଆକୃଷ୍ଟ କରି ଆସିଛି ଓ ସେମାନଙ୍କୁ ପ୍ରେରଣା ଦେଇଆସିଛି । ଅନ୍ୟ ଦିଗରୁ ଦେଖିଲେ ସେହି ମହାପୁରୁଷମାନଙ୍କର ପାବନ କର୍ମସ୍ଥଳୀ ରୂପେ ପୁରୀ ନିଜେ କମ୍ ଗୌରବମଣ୍ଡିତ ହୋଇନାହିଁ । ଏହି ପରିପ୍ରେକ୍ଷଣରେ ପ୍ରସିଦ୍ଧ ବୈଷ୍ଣବ ଧର୍ମପ୍ରଚାରକ ବଲ୍ଲଭାଚାର୍ଯ୍ୟଙ୍କ ସହିତ ପୁରୀର ସମ୍ପର୍କ ବିଷୟରେ ଆଲୋଚନା କରାଯାଉଛି ।

 

ବଲ୍ଲଭାଚାର୍ଯ୍ୟଙ୍କ ମତାବଲମ୍ବୀମାନେ ପୁଷ୍ଟିମାର୍ଗୀ ବୋଲାନ୍ତି । ଉତ୍ତର ପ୍ରଦେଶ, ରାଜପୁତନା, ସୌରାଷ୍ଟ୍ର, ଗୁଜରାଟ ଓ ବମ୍ବେ ଅଞ୍ଚଳରେ ପୁଷ୍ଟିମାର୍ଗୀମାନେ ଅଧିକ ସଂଖ୍ୟାରେ ଦେଖାଯାନ୍ତି । ଧନାଢ଼୍ୟ ବଣିଆ ଓ ଭଟିଆ ଜାତିର ଲୋକେ ବିଶେଷ ଭାବରେ ଏହି ମାର୍ଗାବଲମ୍ବୀ । ପୁଷ୍ଟିମାର୍ଗୀମାନେ ପ୍ରସିଦ୍ଧ ବୈଷ୍ଣବ ଚତୁଃସମ୍ପ୍ରଦାୟ ମଧ୍ୟରୁ ରୁଦ୍ର ସଂପ୍ରଦାୟର ଏକ ଶାଖା ରୂପେ ପରିଗଣିତ ହୁଅନ୍ତି । ରୁଦ୍ର ସମ୍ପ୍ରଦାୟର ପ୍ରବର୍ତ୍ତକ ବିଷ୍ଣୁସ୍ୱାମୀ ଖ୍ରୀ: ୧୩ଶ ଶତାବ୍ଦୀର ବ୍ୟକ୍ତି । ନାଭାଜୀ କୃତ ଭକ୍ତମାଳରେ ବର୍ଣ୍ଣିତ ଅଛି ଯେ ବିଷ୍ଣୁ ସ୍ୱାମୀଙ୍କ ଶିଷ୍ୟ ଜ୍ଞାନଦେବ, ଜ୍ଞାନଦେବଙ୍କ ଶିଷ୍ୟ ନାମଦେବ, ନାମଦେବଙ୍କ ଶିଷ୍ୟ ତ୍ରିଲୋଚନ ଓ ତ୍ରିଲୋଚନଙ୍କ ଶିଷ୍ୟ ବଲ୍ଲଭ । ରୁଦ୍ର ସଂପ୍ରଦାୟର ଦର୍ଶନ, ଯାହାକି ବିଶେଷ ଭାବରେ ବଲ୍ଲଭଙ୍କ ଦ୍ୱାରା ରଚିତ, ଶୁଦ୍ଧାଦ୍ୱୈତ ନାମରେ ଅଭିହିତ ହୋଇଥାଏ ।

 

ବଲ୍ଲଭଙ୍କ ପିତା ଲକ୍ଷ୍ମଣ ଭଟ୍ଟ ଆଧୁନିକ ତାମିଲନାଡ଼ୁର ମାନ୍ଦ୍ରାଜ ନିକଟବର୍ତ୍ତୀ କାକରବାଡ଼ ଗ୍ରାମବାସୀ ଜନୈକ ତୈଲଙ୍ଗ ବ୍ରାହ୍ମଣ । ଏହାଙ୍କ ବଂଶ କମ୍ଭମ୍ପାଟିବାରୁ ବେଲନାଡ଼ୁ ଭଟ୍ଟ ନାମରେ ପରିଚିତ । ଏମାନେ ଭରଦ୍ୱାଜ ଗୋତ୍ରୀୟ, ଆପସ୍ତମ୍ଭସୂତ୍ରୀୟ ଓ କୃଷ୍ଣ ଯର୍ଜୁବେଦର ତୈତ୍ତିରୀୟ ଶାଖାଭୁକ୍ତ । ଲକ୍ଷ୍ମଣ ଭଟ୍ଟ ବୈଦିକ କର୍ମକାଣ୍ଡରେ ପ୍ରବୀଣ ଥିଲେ ଓ ବହୁ ସୋମଯୋଗ ଅନୁଷ୍ଠିତ କରାଇ ‘ଦୀକ୍ଷିତ’ ପଦ ଅର୍ଜନ କରିଥିଲେ । ସେ ମଧ୍ୟ ଥିଲେ ଗୋପାଳ ମୂର୍ତ୍ତି ଉପାସକ ବିଷ୍ଣୁସ୍ୱାମୀ ସଂପ୍ରଦାୟ ବୈଷ୍ଣବ । ଲକ୍ଷ୍ମଣ ଭଟ୍ଟ ଧର୍ମାର୍ଜ୍ଜନ ଉଦ୍ଦେଶ୍ୟରେ ଖ୍ରୀ: ୧୪୭୮ରେ ଉତ୍ତରଭାରତ ଅଭିମୁଖେ ତୀର୍ଥଯାତ୍ରାରେ ବାହାରିଲେ । ଜଣେ ଗୃହସ୍ଥକୁ ତୀର୍ଥଯାତ୍ରାର ସୁଫଳ ସାଙ୍ଗରେ ଧର୍ମପତ୍ନୀକୁ ଧରି ଗଲେ ହିଁ ମିଳେ । ତେଣୁ ସେ ପତ୍ନୀ ଏଲମ୍ମଗାରୁଙ୍କୁ ସଙ୍ଗରେ ଧରି ବାହାରିଲେ । ସେତେବେଳକୁ ଏଲମ୍ମଗାରୁ ଗର୍ଭବତୀ ଥିଲେ । ଉତ୍ତରଭାରତ ଯାତ୍ରା ପଥରେ ମଧ୍ୟପ୍ରଦେଶର ଚମ୍ପାରଣ୍ୟ ନାମକ ସ୍ଥାନ ନିକଟରେ ଶକାବ୍ଦ ୧୪୦୦ ବୈଶାଖ କୃଷ୍ଣ ଏକାଦଶୀ (ଖ୍ରୀ. ୧୪୭୮ ଏପ୍ରିଲ୍୧୮ ତାରିଖ) ରବିବାର ପ୍ରଦୋଷ କାଳରେ ବଲ୍ଲଭ ଭୂମିଷ୍ଠ ହେଲେ । ବଲ୍ଲଭ ଥିଲେ ପିତାମାତାଙ୍କ ଦ୍ୱିତୀୟ ପୁତ୍ର ।

 

ତୀର୍ଥଯାତ୍ରା ପରେ ଲକ୍ଷ୍ମଣ ଭଟ୍ଟ ସ୍ୱଗ୍ରାମକୁ ଫେରି ନ ଯାଇ କାଶୀଠାରେ ରହିଲେ ଓ ବ୍ରହ୍ମଣୋଚିତ କର୍ମ କରି କୁଟୁମ୍ବ ପ୍ରତିପୋଷଣ କଲେ । ବଲ୍ଲଭଙ୍କ ଶୈଶବ ଏହି କାଶୀଠାରେ ହିଁ କଟିଥିଲା । ପାଞ୍ଚବର୍ଷ ବୟସରେ ତାହାଙ୍କର ଉପନୟନ ହେଲା ଓ ସେ ମୁଖ୍ୟତଃ ସ୍ୱୀୟ ପିତାଙ୍କଠାରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ । ସହସା ଲକ୍ଷ୍ମଣ ଭଟ୍ଟଙ୍କର ଦେହାନ୍ତ ହୋଇଗଲା । ସେତେବେଳକୁ ବଲ୍ଲଭ ମାତ୍ର ୧୨ ବର୍ଷ ବୟସର ବାଳକ । ବୋଧହୁଏ କାଶୀଠାରେ ଅନ୍ନସଂସ୍ଥାନର ଉପାୟ ନ ଥିବାରୁ ବଲ୍ଲଭଙ୍କ ପରିବାର ସ୍ୱଗ୍ରାମକୁ ଫେରିଗଲେ ।

 

କାଶୀ ତ୍ୟାଗ କରିବା ପରେ ମଧ୍ୟ ବଲ୍ଲଭଙ୍କ ଶିକ୍ଷାପ୍ରାପ୍ତି ଅବ୍ୟାହତ ରହିଲା । ଗାର୍ହସ୍ଥ୍ୟ ଜୀବନ ଯାପନ କଲାବେଳକୁ ସେ ଜଣେ ଯୁବକ ପଣ୍ଡିତ ଭାବରେ ଖ୍ୟାତି ଲାଭ କରିସାରିଥିଲେ । ବିଜୟ ନଗରର ଗୁଣଗ୍ରାହୀ ରାଜା କୃଷ୍ଣଦେବ ରାୟ ବଲ୍ଲଭଙ୍କ ପାଣ୍ଡିତ୍ୟ ବିଷୟ ଅବଗତ ହୋଇ ତାହାଙ୍କୁ କିଛି କାଳ ବିଜୟନଗର ଆଣି ରଖାଇଥିଲେ ଓ ତାହାଙ୍କ ମୁଖରୁ ଭାଗବତର ବ୍ୟାଖ୍ୟା ଶୁଣିଥିଲେ । ସେହି ସମୟରେ ପଣ୍ଡିତମାନେ ସାରା ଭାରତ ଭ୍ରମଣ କରି ରାଜସଭାମାନଙ୍କରେ ତଥା ବିଦ୍ୱାନ୍ଗୋଷ୍ଠୀରେ ସ୍ୱୀୟ ବହୁଶାସ୍ତ୍ରଦର୍ଶିତାର ପରିଚୟ ଦେଉଥିଲେ । ଏହା ଦିଗ୍‍ବିଜୟ ନାମରେ ବିଦିତ ହେଉଥିଲା । କଥିତ ହୁଏ, ବଲ୍ଲଭ ତାହାଙ୍କ ଜୀବଦ୍ଦଶାରେ ଏହିପରି ତ୍ରିବାର ଦିଗ୍‍ବିଜୟ କରି ଭାରତବର୍ଷର ଅନେକାନେକ ପଣ୍ଡିତ ସଭାରେ ଶାସ୍ତ୍ରବିବାଦରେ ବିଜୟ ଲାଭ କରିଥିଲେ ।

 

ପ୍ରାୟ ଖ୍ରୀ. ୧୫୦୬ ବେଳେ ବଲ୍ଲଭ ପ୍ରଥମବାର ପୁରୀ ଆଗମନ କରିଥିଲେ । ପୁରୀରେ କିଛିକାଳ ଅବସ୍ଥାନ କରିବା ସମୟରେ ହିଁ ସେ ନିଜର ସ୍ୱତନ୍ତ୍ର ଧର୍ମଗତ ପ୍ରଚାର କରିବା ସିଦ୍ଧାନ୍ତ ଗ୍ରହଣ କରିଥିବା ଅନୁମିତ ହୁଏ । ବଲ୍ଲଭ ତାହାଙ୍କ ପ୍ରଣୀତ ‘ତତ୍ତ୍ୱାର୍ଥ ଦୀପ ନିବନ୍ଧ’ର ଶାସ୍ତ୍ରାର୍ଥ ପ୍ରକରଣ ନାମକ ପ୍ରଥମ ଭାଗରେ ପ୍ରକାଶ କରିଛନ୍ତି ଯେ ଜଗତରେ ବହୁବିଧ ସନ୍ଦେହକାରକ ଶାସ୍ତ୍ରର ଉଦ୍ଭବ ହେବାରୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ସନ୍ଦେହର ନିରାକରଣ ପାଇଁ ସ୍ୱୟଂ ଏକ ଶ୍ଳୋକରେ ପ୍ରକୃତ ତତ୍ତ୍ୱ ନିରୂପଣ କରିଛନ୍ତି । ବଲ୍ଲଭଙ୍କ ଧର୍ମମତର ମୂଳ ଆଧାର ଏହି ‘ଏକଂ ଶାସ୍ତ୍ରଂ’ ଶ୍ଳୋକ । ବଲ୍ଲଭ କହିଛନ୍ତି -

 

ଭଗବଚ୍ଛାସ୍ତ୍ରମାଜ୍ଞାୟ ବିଚାର୍ଯ୍ୟ ପୁନଃପୁନଃ

ଯଦୁକ୍ତଂ ହରିଣା ପଶ୍ଚାତ୍‌ ସନ୍ଦେହ ବିନିବୃତ୍ତୟେ ।।୩।।

ଏକଂ ଶାସ୍ତ୍ରଂ ଦେବକୀପୁତ୍ର ଗୀତମ୍

ଏକୋ ଦେବୋ ଦେବକୀପୁତ୍ର ଏବ ।

ମନ୍ତ୍ରୋଽପ୍ୟେକସ୍ତସ୍ୟ ନାମାନି ଯାନି

କର୍ମାପ୍ୟେକଂ ତସ୍ୟ ଦେବସ୍ୟ ସେବା ।।୪।।

 

ଏଥିରେ ବଲ୍ଲଭ କହିଛନ୍ତି ଯେ ଭଗବତ୍‌ ଶାସ୍ତ୍ର (ଅର୍ଥାତ୍‌ ଭାଗବତ, ଗୀତା ଓ ପଞ୍ଚରାତ୍ର) ବୁଝି ତଥା ତତ୍ତ୍ୱବିଷୟକ ସନ୍ଦେହର ଦୂରୀକରଣ ପାଇଁ ହରି ଯାହା ସ୍ୱୟଂ କହିଛନ୍ତି ସେକଥା ବାରମ୍ବାର ବିଚାର କରି (ସେ ଏହି ଗ୍ରନ୍ଥ ପ୍ରଣୟନ କଲେ) ତତ୍ତ୍ୱାର୍ଥେ ଦୀପ ନିବନ୍ଧର ପ୍ରକାଶ ଟୀକାରେ ସ୍ୱୟଂ ବଲ୍ଲଭାଚାର୍ଯ୍ୟ ‘ହରିଣା’ ଶବ୍ଦର ବ୍ୟାଖ୍ୟା କରି ଲେଖିଛନ୍ତି -

 

‘‘ହରିଣା: ସର୍ବଦୁଃଖହର୍ତ୍ତା ଶ୍ରୀଜଗନ୍ନାଥେନ ପୁରୁଷୋତ୍ତମସ୍ଥିତେନ ମୋହକ ସର୍ବଶାସ୍ତ୍ରୋତ୍ପତ୍ତ୍ୟନନ୍ତରଂ ଯନ୍ମଦଦ୍ଧାରକ ବାକ୍ୟମୁକ୍ତଂ ତଦପି ଜ୍ଞାତ୍ୱା ଇତି ।’’

 

ଅର୍ଥାତ୍, ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ ସର୍ବ ଦୁଃଖହାରକ ଶ୍ରୀଜଗନ୍ନାଥ ମୋହକାରକ ନାନାବିଧ ଶାସ୍ତ୍ରର ଉତ୍ପତ୍ତି ପରେ ତତ୍ତ୍ୱର ନିର୍ଦ୍ଧାରଣ କରି ଯାହା କହିଛନ୍ତି, ତାହା ମଧ୍ୟ ଜାଣିଲା ପରେ ...

 

ବଲ୍ଲଭଙ୍କ କହିବା ଅନୁସାରେ ‘ଏକଂ ଶାସ୍ତ୍ରଂ’ ପଦରେ ଶ୍ରୀଜଗନ୍ନାଥ ସର୍ବପ୍ରକାର ସନ୍ଦେହର ସମାଧାନ କରିଛନ୍ତି । ସମାଧାନଟି ହେଲା - ଶ୍ରୀମଦ୍ଭଗବଦ୍‌ ଗୀତା ହେଉଛି ଏକମାତ୍ର ଶାସ୍ତ୍ର, ଶ୍ରୀକୃଷ୍ଣ ହିଁ ଏକମାତ୍ର ଦେବ, ଶ୍ରୀକୃଷ୍ଣଙ୍କ ନାମ ହିଁ ଏକମାତ୍ର ମନ୍ତ୍ର ଓ ଏକମାତ୍ର କର୍ମ ହେଉଛି କୃଷ୍ଣସେବା ।

 

‘ଏକଂ ଶାସ୍ତ୍ରଂ’ ପଦର ବ୍ୟାଖ୍ୟା କରିବା ଅବସରରେ ବଲ୍ଲଭାଚାର୍ଯ୍ୟ ଜଣାଇଛନ୍ତି କି ଜଗନ୍ନାଥ ଏକଥା କହିଥିବା ସମ୍ପର୍କିତ ଆଖ୍ୟାୟିକାଟି ପରମ୍ପରାକ୍ରମେ ଚଳି ଆସୁଛି । (‘ଅତ୍ର ଆଖ୍ୟାୟିକା ପାରଂପର୍ଯ୍ୟାଦେବାବଗନ୍ତବ୍ୟା’।)

 

ବଲ୍ଲଭାଚାର୍ଯ୍ୟ ସ୍ୱମତର ଚର୍ଚ୍ଚା ସର୍ବପ୍ରଥମେ ‘ତତ୍ତ୍ୱାର୍ଥ ଦୀପ ନିବନ୍ଧ’ରେ କରିଛନ୍ତି । ତାହାଙ୍କ ପ୍ରଚାରିତ ତତ୍ତ୍ୱର ମୂଳ ରୂପେ ଜଗନ୍ନାଥଙ୍କ ବଚନକୁ ସେ ଉଦ୍ଧାର କରିଥିବାରୁ ସ୍ପଷ୍ଟ ହୁଏ ଯେ ସେ ପୁରୀଠାରେ ସ୍ୱୀୟ ମତର ସ୍ଥାପକ ଜ୍ଞାନ ଲାଭ କରିଥିଲେ; ଯାହାକୁ ସେ ପରମ୍ପରାକ୍ରମେ ଲବ୍‍ଧ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ବଚନ ବୋଲି ସମ୍ମାନର ସହ ଉଲ୍ଲେଖ କରିଛନ୍ତି । ଆଉ ମଧ୍ୟ ସେହି ତତ୍ତ୍ୱାର୍ଥ ଦୀପ ନିବନ୍ଧରେ ବଲ୍ଲଭାଚାର୍ଯ୍ୟ ଭାରତର ଅଗ୍ରଗଣ୍ୟ ବୈଷ୍ଣବ ମନ୍ଦିର ରୂପେ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବର୍ଣ୍ଣନା ଦେଇଛନ୍ତି । ତାହାଙ୍କ ମତରେ ଜଗନ୍ନାଥ (ପୁରୀ), ବିଟ୍‌ଠଳ (ପାଣ୍ଡାରପୁର), ଶ୍ରୀରଙ୍ଗ (ରଙ୍ଗନାଥମ୍) ଓ ବେଙ୍କଟେଶ୍ୱର (ତିରୁପତି) ଏହି ଚାରିଦେବଙ୍କ ମନ୍ଦିର ଭାରତର ଶ୍ରେଷ୍ଠ ବୈଷ୍ଣବ ପୀଠ ।

 

ପୁରୀଠାରେ ଶାସ୍ତ୍ର, ଦେବ, ମନ୍ତ୍ର ଓ କର୍ମର ନିର୍ଣ୍ଣାୟକ ଜ୍ଞାନ ଲାଭ କରିବା ପରେ ବଲ୍ଲଭାଚାର୍ଯ୍ୟ ଉତ୍ତରଭାରତ ଅଭିମୁଖେ ଯାତ୍ରାକଲେ । ସେ ଝାଡ଼ଖଣ୍ଡ ଦେଇ ଗଲାବେଳେ ବାଟରେ ଶୁଣିଲେ ଯେ ମାଧବେନ୍ଦ୍ର ପୁରୀ ବ୍ରଜଭୂମିରେ ଗୋବର୍ଦ୍ଧନ ଶିଖରରେ ଯେଉଁ ଗୋବର୍ଦ୍ଧନଧାରଣଙ୍କୁ ପ୍ରତିଷ୍ଠା କରିଥିଲେ, ମାଧବେନ୍ଦ୍ରଙ୍କ ଦେହାନ୍ତ ପରେ, ତାହାଙ୍କର ସେବାପୂଜା ନିୟମିତ ହେଉନାହିଁ । ବଲ୍ଲଭାଚାର୍ଯ୍ୟ ଗୋବର୍ଦ୍ଧନଧାରଣଙ୍କର ସେବାପୂଜାର ସୁବନ୍ଦୋବସ୍ତ କରିବା ଅଭିପ୍ରାୟରେ ବ୍ରଜଭୂମି ଅଭିମୁଖେ ଯିବା ବାଟରେ ଗୋକୁଳର ଗୋବିନ୍ଦାଘାଟଠାରେ ବିଶ୍ରାମ କଲେ । ସେଦିନ ଥିଲା ଖ୍ରୀ ୧୫୦୬ର ଶ୍ରାବଣ ଶୁକ୍ଳ ଏକାଦଶୀ ଗୁରୁବାର । ଏହିଦିନ ମଧ୍ୟରାତ୍ରରେ ସେ ସ୍ଥିର କଲେ ଯେ ସେ ତାହାଙ୍କ ମତରେ ଅନ୍ୟକୁ ଦୀକ୍ଷିତ କରାଇ ଏକ ଧର୍ମ ସଂପ୍ରଦାୟ ଗଢ଼ିବେ । ତାହାର ପରଦିନ ସେ ତାହାଙ୍କର ପ୍ରଥମ ଶିଷ୍ୟ ଦାମୋଦର ଦାସ ହର୍ଷନିଙ୍କୁ ଦୀକ୍ଷା ଦେଇଥିଲେ । ଉଲ୍ଲେଖନୀୟ ଯେ ଏହି ଦିନଟି ଥିଲା ଉତ୍କଳ ଦେଶର ନବବର୍ଷର ଆରମ୍ଭ ଦିବସ ଅର୍ଥାତ୍‍ ସୁନିଆଁ । ଜଗନ୍ନାଥଙ୍କ ଭକ୍ତି ଉପରେ ଆଧାରିତ ମତର ପ୍ରଚାର ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରର ବର୍ଷର ଆରମ୍ଭ ଦିନଟିକୁ ସେ ଜାଣିଶୁଣି ବାଛିଥିଲେ ବୋଲି ଅନୁମାନ କଲେ ବୋଧହୁଏ ଅସଙ୍ଗତ ହେବ ନାହିଁ । ଅନ୍ୟଥା ମାନିବାକୁ ହେବ ଯେ ଏ ଘଟନା ସୁନିଆଁ ଦିନ ଘଟିବା ଇଚ୍ଛାକୃତ ନୁହେଁ, କେବଳ କାକତାଳୀୟ ନ୍ୟାୟରେ ତାହା ସମ୍ଭବ ହୋଇଥିଲା ।

 

ବଲ୍ଲଭାଚାର୍ଯ୍ୟ ଗୋକୁଳରୁ ବ୍ରଜଭୂମିକୁ ଯାଇ ଗୋବର୍ଦ୍ଧନଧାରଣଙ୍କର ସେବାପୂଜାର ବ୍ୟବସ୍ଥା କରିଥିଲେ । ଏହି ଗୋବର୍ଦ୍ଧନଧାରଣଙ୍କର ନାମ ସେ ରଖିଥିଲେ ଶ୍ରୀନାଥ । ଜଗନ୍ନାଥ ନାମର ପ୍ରତିଧ୍ୱନି ଏହି ନାମକରଣରେ ମିଳେ । ପୁରୀ ଶ୍ରୀକ୍ଷେତ୍ର ନାମରେ ସୁବିଦିତ । ଜଗନ୍ନାଥଙ୍କ ସିଂହାସନରେ ତାହାଙ୍କର ଦୁଇ ଶକ୍ତି ଅଧିରୂଢ଼ା - ଶ୍ରୀଦେବୀ ଓ ଭୂଦେବୀ । ବୋଧହୁଏ ଜଗନ୍ନାଥ ନାମ ଅନୁରୂପେ ବଲ୍ଲଭାଚାର୍ଯ୍ୟ ଶ୍ରୀନାଥ ନାମ ଦେଲେ । ଶ୍ରୀନାଥ ହେଉଛନ୍ତି ବଲ୍ଲଭ ସଂପ୍ରଦାୟର ମୁଖ୍ୟ ଦେବତା । ପୁଷ୍ଟମାର୍ଗୀ ଭକ୍ତମାନେ ଜୀବନରେ ଅନ୍ତତଃ ଥରେ ଶ୍ରୀନାଥଙ୍କ ଦର୍ଶନ କରିବା ଅଭିଳାଷ ପୋଷଣ କରିଥାନ୍ତି । ପରବର୍ତ୍ତୀ କାଳରେ ମୁସଲମାନ ଅତ୍ୟାଚାର ଯୋଗୁଁ ଶ୍ରୀନାଥଙ୍କୁ ବ୍ରଜଭୂମିରୁ ସ୍ଥାନାନ୍ତରିତ କରାଗଲା । ପରିଶେଷରେ ଶ୍ରୀନାଥଙ୍କ କ୍ଷେତ୍ର ହେଲା ମେବାର ରାଜ୍ୟର ନାଥଦ୍ୱାର । ଅଦ୍ୟାବଧି ନାଥଦ୍ୱାରସ୍ଥ ଶ୍ରୀନାଥ ମନ୍ଦିରର ସେବାପୂଜା ବଲ୍ଲଭ ସଂପ୍ରଦାୟର ମୁଖ୍ୟ ଟିକାୟତ ଗୋସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୁଏ । ଏକମାତ୍ର ତିରୁପତିର ବେଙ୍କଟେଶ୍ୱର ମନ୍ଦିରକୁ ଛାଡ଼ିଦେଲେ ଭାରତର ସବୁ ମନ୍ଦିର ମଧ୍ୟରେ ନାଥଦ୍ୱାରରେ ଥିବା ଶ୍ରୀନାଥ ମନ୍ଦିରର ଆୟ ସବୁଠାରୁ ଅଧିକ ।

 

ବଲ୍ଲଭାଚାର୍ଯ୍ୟ ବହୁ ଗ୍ରନ୍ଥର ପ୍ରଣେତା । ତାହାଙ୍କ ସଂପ୍ରଦାୟର ପ୍ରସିଦ୍ଧି ଅନୁସାରେ ସେ ମୋଟ ୮୪ଟି ରଚନାର ସ୍ରଷ୍ଟା । ତନ୍ମଧ୍ୟରୁ ଅଧିକ ଭାଗ ଟୀକା ଗ୍ରନ୍ଥ, ଏଗୁଡ଼ିକ ବଡ଼ ବଡ଼ । ସ୍ୱତନ୍ତ୍ର ଗ୍ରନ୍ଥ ମଧ୍ୟରେ ତତ୍ତ୍ୱାର୍ଥ ଦୀପ ନିବନ୍ଧକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ଆକାରରେ କ୍ଷୁଦ୍ର । ସାଂପ୍ରଦାୟିକ ବିଚାରରୁ ତାହାଙ୍କର ନିମ୍ନୋକ୍ତ ଗ୍ରନ୍ଥତ୍ରୟ ମୁଖ୍ୟ-

 

(୧) ବ୍ରହ୍ମସୂତ୍ରର ଅଣୁଭାଷ୍ୟ

(୨) ଭାଗବତର ସୁବୋଧିନୀ ଟୀକା

(୩) ତତ୍ତ୍ୱାର୍ଥ ଦୀପ ନିବନ୍ଧ ଓ ତାହାର ପ୍ରକାଶ ଟୀକା

 

ଅଣୁଭାଷ୍ୟ, ସୁବୋଧିନୀ ଟୀକା ଓ ପ୍ରକାଶ ଟୀକାର ରଚନା ବଲ୍ଲଭାଚାର୍ଯ୍ୟ ସଂପୂର୍ଣ୍ଣ କରିପାରି ନ ଥିଲେ । ଶୁଣାଯାଏ ଯେ ସେ ‘ପୂର୍ବମୀମାଂସାଭାଷ୍ୟ ମଧ୍ୟ ରଚନା କରିଥିଲେ କିନ୍ତୁ ତାହା ବର୍ତମାନ ଦୁର୍ଲଭ । ଆଜିକାଲି ତାହାକଂର ‘ପୂର୍ବମୀମାଂସା କାରିକା’ ଓ ପୂର୍ବମୀମାଂସା ସୂତ୍ରର ଭାବାର୍ଥପାଦର ଭାଷ୍ୟ ମିଳୁଅଛି । କେତେକଙ୍କ ମତରେ ବଲ୍ଲଭାଚାର୍ଯ୍ୟ ବ୍ରହ୍ମସୂତ୍ରର ଏକ ବୃହତ୍ତର ଭାଷ୍ୟ ମଧ୍ୟ ଲେଖିଥିଲେ, ଯାହା ବର୍ତ୍ତମାନ ଲୁପ୍ତ । ଏହାକୁ ସଂକ୍ଷିପ୍ତ କରିବାରୁ ‘ଅଣୁଭାଷ୍ୟ’ର ସୃଷ୍ଟି ହେଲା । ଅଣୁଭାଷ୍ୟର ୩।୨।୩୩ ପରର୍ବତ୍ତୀ ଅଂଶ ବଲ୍ଲଭାଚାର୍ଯ୍ୟଙ୍କ ପୁତ୍ର ବିଟ୍‌ଠଳନାଥଙ୍କ ରଚନା-

 

ଭାରତର ଧମର୍ତତ୍ତ୍ୱର ଶ୍ରେଷ୍ଠ ଆଧାର (ପ୍ରସ୍ଥାନ) ରୂପେ ତିନୋଟି ଗ୍ରନ୍ଥ ସୁବିଦିତ - ୧- ଉପନିଷଦ୍, ୨- ବ୍ରହ୍ମସୂତ୍ର, ୩- ଭଗବଦ୍‌ଗୀତା । ଏ ତିନୋଟି ଗ୍ରନ୍ଥକୁ ସମଷ୍ଟିଗତ ଭାବରେ ପ୍ରସ୍ଥାନତ୍ରୟୀ କୁହାଯାଏ । ବଲ୍ଲଭାଚାର୍ଯ୍ୟ ଏହି ତିନୋଟି ସହିତ ଭାଗବତ ପୁରାଣକୁ ମଧ୍ୟ ଏକ ପ୍ରସ୍ଥାନ ରୂପେ ଗଣି ପ୍ରସ୍ଥାନ ଚତୁଷ୍ଟୟ କଲେ । ସୁବୋଧିନୀ ଟିକା (ଆଂଶିକ) ଛଡ଼ା ସେ ଭାଗବତ ସମ୍ବନ୍ଧରେ ନିମ୍ନଲିଖିତ ଗ୍ରନ୍ଥମାନ ମଧ୍ୟ ଲେଖିଛନ୍ତି -

 

୧- ଭାଗବତ ସୂକ୍ଷ୍ମଟୀକା, ୨- ଦଶମସ୍କନ୍ଦାର୍ଥ ଅନୁକ୍ରମଣିକା, ୩- ଏକାଦଶ ସ୍କନ୍ଦାର୍ଥ ନିରୂପଣ କାରିକା, ୪- ତ୍ରିବିଧ ଲୀଳା ନାମାବଳୀ ୫- ଶ୍ରୀମଦ୍ଭ ଭଗବତ୍ ପାଠିକା -

 

ବଲ୍ଲଭାଚାର୍ଯ୍ୟ ପ୍ରଣୀତ ନିମ୍ନୋକ୍ତ ୧୬ଟି ରଚନା ‘ଷୋଡ଼ଶ ଗ୍ରନ୍ଥ’ ନାମରେ ଅଭିହିତ -

୧- ଯମୁନାଷ୍ଟକ, ୨- ବାଳବୋଧ, ୩- ସିଦ୍ଧାନ୍ତ ମୁକ୍ତାବଳୀ, ୪- ସିନ୍ଧାନ୍ତରହସ୍ୟ, ୫- ପୁଷ୍ଟିପ୍ରବାହ ମର୍ଯ୍ୟାଦାଭେଦ, ୬- ନବରତ୍ନସ୍ତୋତ୍ର, ୭- ଅନ୍ତଃକରଣ ପ୍ରବୋଧ, ୮- ବିବେକ ଧୈର୍ଯ୍ୟାଶୟ, ୯- କୃଷ୍ଣାଶୟ, ୧୦- ଚତୁଃଶ୍ଳୋକୀ, ୧୧- ଭକ୍ତିବର୍ଦ୍ଧିନୀ, ୧୨- ଜଳଭେଦ, ୧୩- ପଞ୍ଚପଦ୍ୟାନି, ୧୪- ସନ୍ନ୍ୟାସ ନିର୍ଣ୍ଣୟ, ୧୫- ନିରୋଧଲକ୍ଷଣ, ୧୬- ସେବାଫଳ ।

 

ଏତଦ୍‍ଭିନ୍ନ ବଲ୍ଲଭାଚାର୍ଯ୍ୟ ପ୍ରଣୀତ ନିମ୍ନଲିଖିତ ରଚନାମାନ ମଧ୍ୟ ମିଳେ -

୧- ପତ୍ରାବଲମ୍ବନ, ୨- ଗାୟତ୍ରୀଭାଷ୍ୟ, ୩- ଶ୍ରୀକୃଷ୍ଣପ୍ରେମାମୃତ, ୪- ପଞ୍ଚଶ୍ଳୋକୀ, ୫- ନ୍ୟାସାଦେଶ, ୬- ଶିକ୍ଷାଶ୍ଳୋକ, ୭- ମଧୁରାଷ୍ଟକ, ୮- ପରିବୃଢ଼ାଷ୍ଟକ, ୯- ଗିରିରାଜଧାର୍ଯ୍ୟଷ୍ଟକ, ୧୦- ଗୋପୀଜନବଲ୍ଲଭାଷ୍ଟକ, ୧୧- ଶ୍ରୀ ପୁରୁଷୋତ୍ତମ ସହସ୍ର ନାମ ।

 

ବଲ୍ଲଭାଚାର୍ଯ୍ୟ ତାହାଙ୍କ ଶିଷ୍ୟମାନଙ୍କୁ ଗୋପାଳମନ୍ତ୍ରରେ ଦୀକ୍ଷିତ କରୁଥିଲେ । ଏଠାରେ ସ୍ମରଣୀୟ ଯେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଉପାସନା ଗୋପାଳମନ୍ତ୍ରରେ ହିଁ ହୁଏ । ଏହା ଦଶାକ୍ଷରୀ (ଗୋପୀଜନବଲ୍ଲଭାୟ ସ୍ୱାହା) ଓ ଅଷ୍ଟାଦଶାକ୍ଷରୀ (କ୍ଲୀଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ସ୍ୱାହା) ଭେଦରେ ଦ୍ୱିବିଧ । ବଲ୍ଲଭାଚାର୍ଯ୍ୟଙ୍କ ପ୍ରଣୀତ ଗୋପୀଜନବଲ୍ଲବଭାଷ୍ଟକ ଏହି ମନ୍ତ୍ରର ପ୍ରଶସ୍ତିବାଚକ । ଶ୍ରୀ ପୁରୁଷୋତ୍ତମ ସହସ୍ରନାମରେ ବଲ୍ଲଭାଚାର୍ଯ୍ୟ ପୁରୁଷୋତ୍ତମଙ୍କ ଠାରେ ତାହାଙ୍କର ନିଷ୍ଠାର ପରିଚୟ ଦେଇଛନ୍ତି ।

 

ବଲ୍ଲଭାଚାର୍ଯ୍ୟ ପ୍ରଚାରିତ ଧର୍ମ ଓ ଦର୍ଶନରେ ପୁରୁଷୋତ୍ତମ ସର୍ବୋଚ୍ଚ ତତ୍ତ୍ୱ ଭାବରେ ସ୍ୱୀକୃତ । ଶ୍ରୀମଦ୍ଭଗବଦ୍‌ଗୀତାର ୧୫ଶ ଅଧ୍ୟାୟରେ ଆଲୋଚିତ କ୍ଷର ଓ ଅକ୍ଷର ଠାରୁ ଭିନ୍ନ ପୁରୁଷୋତ୍ତମ ଯେ କି ଲୋକରେ (ଅର୍ଥାତ୍‌ ସମାଜରେ) ତଥା ବେଦରେ (ଅର୍ଥାତ୍‌ ଶାସ୍ତ୍ରରେ) ପରତତ୍ତ୍ୱ ରୂପେ ଗୃହୀତ, ତାହାଙ୍କୁ ହିଁ ବଲ୍ଲଭାଚାର୍ଯ୍ୟ ପରବ୍ରହ୍ମ ରୂପେ ସ୍ୱୀକାର କରିଛନ୍ତି । ବଲ୍ଲଭାଚାର୍ଯ୍ୟଙ୍କ ମତରେ ବ୍ରହ୍ମର ତ୍ରିବିଧ ପ୍ରକାଶ ରହିଛି - ୧- ଆଧିଭୌତିକ ଅର୍ଥାତ୍‌ କ୍ଷର, ଜଗତ୍, ୨- ଆଧ୍ୟାତ୍ମିକ ଅର୍ଥାତ୍ ଅକ୍ଷର ବ୍ରହ୍ମ ଓ ୩- ଆଧିଦୈବିକ ଅର୍ଥାତ୍‍ ପରବ୍ରହ୍ମ ପୁରୁଷୋତ୍ତମ । ରୂପ ଦୃଷ୍ଟିରୁ ଏ ତିନି ଭିନ୍ନ ହେଲେ ହେଁ ସତ୍ତା ବିଚାରରୁ ତିନିହେଁ ଅଭିନ୍ନ । ଯେ ଜଗତ୍, ସେ ହିଁ ଜଗନ୍ନାଥ ପୁରୁଷୋତ୍ତମ ।

 

ବଲ୍ଲଭାଚାର୍ଯ୍ୟଙ୍କ ମତରେ ଭକ୍ତି ତ୍ରିବିଧ - ୧- ପ୍ରବାହ, ୨- ମର୍ଯ୍ୟାଦା ଓ ୩- ପୁଷ୍ଟି । ଯେଉଁ ଜୀବମାନେ ସଂସାରସ୍ରୋତରେ ପଡ଼ି ଭାସୁଥାନ୍ତି, ଜଡ଼ବତ୍‍ କର୍ମ କରୁଥାନ୍ତି, ସେମାନେ ପ୍ରବାହ-ଭକ୍ତ-। ଯେଉଁମାନେ ଶାସ୍ତ୍ରାଦି ଅଧ୍ୟୟନ ଦ୍ୱାରା ଭଗବାନଙ୍କ ବିଷୟରେ ଅବହିତ ହୋଇ ଶାସ୍ତ୍ରବିହିତ କର୍ମ କରନ୍ତି ସେମାନେ ମର୍ଯ୍ୟାଦା ଭକ୍ତ-। ମର୍ଯ୍ୟାଦା ଭକ୍ତମାନେ ପୁରୁଷୋତ୍ତମଙ୍କ ସହ ସାଯୂଜ୍ୟ ମୁକ୍ତି ମଧ୍ୟ ଲାଭ କରିପାରନ୍ତି । ମର୍ଯ୍ୟାଦା ଭକ୍ତ ଭକ୍ତିର ସୁବିଦିତ ନବଧାମାର୍ଗ ଅନୁସରଣ କରିଥାନ୍ତି । ଅନ୍ୟାନ୍ୟ ବୈଷ୍ଣବ ମତବାଦର ବୈଧୀଭକ୍ତି ସହ ମର୍ଯ୍ୟାଦାଭକ୍ତି ତୁଳନୀୟ; କିନ୍ତୁ ସର୍ବଶ୍ରେଷ୍ଠ ଭକ୍ତି, ଯାହାକୁ ବଲ୍ଲଭାଚାର୍ଯ୍ୟ ପୁଷ୍ଟ ଭକ୍ତି ନାମରେ ଅଭିହିତ କରନ୍ତି; ତାହା ପୁରୁଷୋତ୍ତମଙ୍କ କୃପାକଟାକ୍ଷ ବିନା ସମ୍ଭବ ହୁଏ ନାହିଁ । ‘‘ପୋଷଣଂ ତଦନୁଗ୍ରହମ୍’’ (ଭାଗବତ ୨-୧୦-୪) । ଜୀବର ଜ୍ଞାନ ଓ ଉଦ୍ୟମ ଦ୍ୱାରା ଯେଉଁ ଭକ୍ତି ମିଳେ, ତାହା ମର୍ଯ୍ୟାଦା ଭକ୍ତି । ଏହା ମର୍କଟନ୍ୟାୟରେ ଲଭ୍ୟ, ମର୍କଟ (ଜୀବ) ଶିଶୁ ତାହାର ମାତା (ଭଗବାନ)ଙ୍କ ସହ ରହିବା ଲାଗି ଉଦ୍ୟମ କରି ନିଜ ଗୋଡ଼ରେ ମାତାର ପେଟକୁ ଜାବୁଡ଼ି ଧରେ । ପୁରୁଷୋତ୍ତମଙ୍କ କୃପା ବଳରେ ଯେଉଁ ଭକ୍ତି ମିଳେ, ତାହା ପୁଷ୍ଟିଭକ୍ତି । ଏହା ମାର୍ଜାରନ୍ୟାୟରେ ଲଭ୍ୟ । ମାର୍ଜାର (ଜୀବ) ଶିଶୁକୁ ତାହାର ମାତା (ଭଗବାନ) ପାଟିରେ କାମୁଡ଼ି ଧରି ଯେଣେ ଇଚ୍ଛା ତେଣେ ନିଏ । ମର୍ଯ୍ୟାଦା ମାର୍ଗରେ ଜୀବ ଶ୍ରବଣାଦି ନବଧା ସାଧନ ଦ୍ୱାରା ଭକ୍ତି ଲାଭ କରେ, କିନ୍ତୁ ପୁଷ୍ଟିମାର୍ଗରେ ଭକ୍ତି ସ୍ୱତଃ ଆସିଯାଏ ଓ ତାହା ଭକ୍ତକୁ ନବଧ ମାର୍ଗରେ ଚାଳିତ କରିଥାଏ । ଏହି ଦୃଷ୍ଟିରୁ ପୁଷ୍ଟିମାର୍ଗର ସ୍ୱଭାବ ମର୍ଯ୍ୟାଦାମାର୍ଗର ବିପରୀତ । ଗୌଡ଼ୀୟ ବୈଷ୍ଣବମାନଙ୍କର ରାଗାନୁଗା ଭକ୍ତି ସହ ପୁଷ୍ଟିଭକ୍ତି ତୁଳନୀୟ ।

 

ଅନୁମେୟ ଯେ ବଲ୍ଲଭାଚାର୍ଯ୍ୟଙ୍କ ଉପରେ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ପୁରୁଷୋତ୍ତମଙ୍କ ପ୍ରଭାବ ବିଶେଷ ଥିଲା । ତାହାଙ୍କ ସଂପ୍ରଦାୟର ଭକ୍ତମାନେ ମଧ୍ୟ ଭାରତର ପ୍ରମୁଖ କ୍ଷେତ୍ର ଭାବରେ ନାଥଦ୍ୱାର ସହିତ ପୁରୀ ଓ ଦ୍ୱାରକାକୁ ଖୁବ୍‌ ସମ୍ମାନ ଦେଇଥାନ୍ତି ।

 

ପ୍ରାୟ ଖ୍ରୀ. ୧୫୧୮ ବେଳେ ବଲ୍ଲଭାଚାର୍ଯ୍ୟ ପୁରୀକୁ ଦ୍ୱିତୀୟବାର ଆଗମନ କରିଥିଲେ । ଏତେବେଳକୁ ଚୈତନ୍ୟ ପୁରୀରେ ଅବସ୍ଥାନ କରୁଥିଲେ । ଏହାର ତିନି ଚାରିବର୍ଷ ପୂର୍ବେ ଚୈତନ୍ୟଙ୍କର ବୃନ୍ଦାବନ ଯାତ୍ରା ବାହୁଡ଼ାଣି ପ୍ରୟାଗଠାରେ କିଛିକାଳ ଅବସ୍ଥାନ କଲାବେଳେ ବଲ୍ଲଭାଚାର୍ଯ୍ୟଙ୍କ ସହ ତାଙ୍କର ବିହ୍ନା ପରିଚୟ ହୋଇଥିଲା । ସେତେବେଳେ ବଲ୍ଲଭାଚାର୍ଯ୍ୟ ସପରିବାର ପ୍ରୟାଗ ନିକଟରେ ରହୁଥିଲେ ଓ ଚୈତନ୍ୟଙ୍କୁ ସ୍ୱଗୃହକୁ ଡାକି ନେଇ ଅତିଥି ଭାବରେ ଚର୍ଚ୍ଚା କରିଥିଲେ । ବଲ୍ଲଭାଚାର୍ଯ୍ୟ ପୁରୀ ଆସି ଚୈତନ୍ୟଙ୍କ ସହ ପୁନର୍ବାର ମିଳିତ ହୋଇଥିଲେ । ଏହି ମିଳନର ବିବରଣ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତର ଅନ୍ତଃଖଣ୍ଡର ସପ୍ତମ ପରିଚ୍ଛେଦରେ ପ୍ରଦାନ କରିଛନ୍ତି । କୃଷ୍ଣଦାସଙ୍କ ବର୍ଣ୍ଣନା ଅନୁସାରେ ବଲ୍ଲଭାଚାର୍ଯ୍ୟଙ୍କ ମନରେ ଗର୍ବ ଥିଲା ଯେ ସେ ବୈଷ୍ଣବ ସିଦ୍ଧାନ୍ତର ଓ ଭାଗବତରେ ଶ୍ରେଷ୍ଠ ବ୍ୟାଖାତା । ବଲ୍ଲଭାଚାର୍ଯ୍ୟ ସ୍ୱୀୟ ଭାଗବତ ଟୀକା ଚୈତନ୍ୟଙ୍କୁ ଶୁଣାଇବାକୁ ଇଚ୍ଛା ପ୍ରକାଶ କଲେ; କିନ୍ତୁ ଚୈତନ୍ୟ ତାହା ଶୁଣିବାକୁ ତାଙ୍କର ସମୟ ନାହିଁ ବୋଲି କହିଦେଲେ । ଏହା ପରେ ବଲ୍ଲଭାଚାର୍ଯ୍ୟଙ୍କୁ ଚୈତନ୍ୟ ଭର୍ତ୍ସନା କରିଥିବା କଥା ଓ ଗୌଡ଼ୀୟ ବୈଷ୍ଣବମାନେ ତାହାଙ୍କୁ ଅପମାନିତ କରିଥିବା କଥା ମଧ୍ୟ କୃଷ୍ଣଦାସ କବିରାଜ ବର୍ଣ୍ଣନା କରିଛନ୍ତି । ଚୈତନ୍ୟ ବଲ୍ଲଭାଚାର୍ଯ୍ୟଙ୍କୁ ଭର୍ତ୍ସନା କରିବାର କାରଣ ହେଲା ଯେ ସେ ଶ୍ରୀଧର ସ୍ୱାମୀଙ୍କ ଟୀକା ଥାଉ ଥାଉ ନିଜେ ଭିନ୍ନ ଟୀକା କରିଛନ୍ତି । ସଂକୀର୍ଣ୍ଣମନା ଗୌଡ଼ୀୟ ବୈଷ୍ଣମାନଙ୍କର ଭିନ୍ନ ମତାବଲମ୍ବୀମାନଙ୍କ ପ୍ରତି ସ୍ୱାଭାବିକ ଅସହିଷ୍ଣୁତା ଓ କ୍ରୋଧ କୃଷ୍ଣଦାସଙ୍କ ରଚନାରେ ଛତ୍ରେ ଛତ୍ରେ ପ୍ରକାଶ ପାଇଛି । ଅନ୍ୟଥା ଜଣେ ପ୍ରସିଦ୍ଧ ବୈଷ୍ଣବ ପଣ୍ଡିତଙ୍କୁ ଏପରି ଅକାରଣ ଭର୍ତ୍ସନା କରିବାର ଅନ୍ୟ କାରଣ ଜଣାଯାଉନାହିଁ ।

 

ବଲ୍ଲଭାଚାର୍ଯ୍ୟ ୫୨ ବର୍ଷ ବୟସରେ ନିଜର ପର୍ଣ୍ଣଶାଳା ପୋଡ଼ିଦେଇ ସନ୍ନ୍ୟାସ ଦୀକ୍ଷା ଗ୍ରହଣାନ୍ତର କାଶୀରେ ବାସ କଲେ । ସନ୍ନ୍ୟାସ ଦୀକ୍ଷା ଗ୍ରହଣର ଅଳ୍ପ କେତେଦିନ ପରେ ସେ ଦେହତ୍ୟାଗ କରିବା ସଂକଳ୍ପ କରି ପ୍ରାୟୋପବେଶନ କଲେ । ସେ ପାନାହାର ତ୍ୟାଗ କରି ଗଙ୍ଗା କୂଳରେ ପଡ଼ି ରହିଲେ । କିଛିଦିନ ପରେ ସେ ଅନଶନ ସାଙ୍ଗକୁ ମୌନବ୍ରତ ମଧ୍ୟ ଅବଲମ୍ବନ କଲେ-। ଶେଷରେ ଏକମାସ ଅନଶନ ଓ ଆଠଦିନ ମୌନ ରହିବା ପରେ ଶ୍ରୀ. ୧୫୩୦ର ଆଷାଢ଼ ଦ୍ୱିତୀୟା ତିଥିର ମଧ୍ୟାହ୍ନ ସମୟରେ ସେ ମରଶରୀର ତ୍ୟାଗ କଲେ । ଅନୁମାନ କରାଯାଇପାରେ ଯେ ବଲ୍ଲଭାଚାର୍ଯ୍ୟ ନିଜର ତିରୋଧାନ ସମୟ ନିଜେ ନିର୍ବାଚନ କରିଥିଲେ । ଆଷାଢ଼ ଶୁକ୍ଳ ଦ୍ୱିତୀୟାର ମଧ୍ୟାହ୍ନ ବେଳେ ଜଗନ୍ନାଥ ସ୍ୱଦେବାଳୟ ଛାଡ଼ି ବଡ଼ଦାଣ୍ଡକୁ ବାହାରନ୍ତି । ଦେହ ହେଉଛି ଦେବାଳୟ, ଦହୋ ଦେବାଳୟମ୍। ଠିକ ସେତିକି ବେଳକୁ ବଲ୍ଲଭାଚାର୍ଯ୍ୟ ଦେହତ୍ୟାଗ କରି ମହାଯାତ୍ରା କଲେ ।

 

ବଲ୍ଲଭାଚାର୍ଯ୍ୟଙ୍କ ସଂପ୍ରଦାୟରେ ତିନୋଟି ତିଥିର ଖୁବ୍ ପାଳନା ହୁଏ - ଗୋଟିଏ ରଥଯାତ୍ରା, ଦ୍ୱିତୀୟ ହେଲା ଜନ୍ମାଷ୍ଟମୀ ଓ ତୃତୀୟ ରାସପୂର୍ଣ୍ଣିମା । ଜନ୍ମାଷ୍ଟମୀ ଓ ରାସପୂର୍ଣ୍ଣିମା କୃଷ୍ଣଙ୍କର ତିଥି, ରଥଯାତ୍ରା ଜଗନ୍ନାଥଙ୍କର । ଏଥିରୁ ସେହି ସଂପ୍ରଦାୟ ମଧ୍ୟରେ ଜଗନ୍ନାଥଙ୍କର ପ୍ରାଧାନ୍ୟ ଅନୁମେୟ । ବୈଷ୍ଣବମାନେ ସଚରାଚର ଏକାଦଶୀରେ ଉପବାସ ପାଳନ କରିଥାନ୍ତି; କିନ୍ତୁ ବଲ୍ଲଭ ସଂପ୍ରଦାୟରେ ଉପବାସ କରନ୍ତି ନାହିଁ । ଉଲ୍ଲେଖନୀୟ ଯେ ପୁରୀ ବୈଷ୍ଣବକ୍ଷେତ୍ର ହେଲେ ହେଁ ସେଠାରେ ଏକାଦଶୀରେ ଉପବାସ ପାଳନା ନାହିଁ । କୁହାଯାଏ ଯେଏକାଦଶୀ-ପୁରୁଷକୁ ପୁରୁଷୋତ୍ତମ ବାନ୍ଧି ପକାଇ ଶ୍ରୀମନ୍ଦିରର ପଛକାନ୍ଥ ଠଣାରେ ରଖିଦେଇଛନ୍ତି ! କାଶୀରେ ବଲ୍ଲଭ ସଂପ୍ରଦାୟର ଦୁଇଟି ମନ୍ଦିର ରହିଛି; ଗୋଟିଏ ଲାଲ୍‌ଜୀ ମନ୍ଦିର ଓ ଅନ୍ୟଟି ପୁରୁଷୋତ୍ତମ ମନ୍ଦିର ।

 

ବଲ୍ଲଭାଚାର୍ଯ୍ୟଙ୍କ ଜ୍ୟେଷ୍ଠପୁତ୍ର ଗୋପୀନାଥ ମଧ୍ୟ ଜଗନ୍ନାଥଙ୍କ ଭକ୍ତ ଥିଲେ । ସେ ଅନେକବାର ପୁରୀ ଆସିଛନ୍ତି ଓ ତାହାଙ୍କର ଦେହାନ୍ତ ମଧ୍ୟ ପୁରୀଠାରେ ଅବସ୍ଥାନ କାଳରେ ହିଁ ହୋଇଥିବା ଶୁଣାଯାଏ ।

 

ଡେପୁଟି ସେକ୍ରେଟେରି

ଆଇନ ବିଭାଗ

ସଚିବାଳୟ

ଭୁବନେଶ୍ୱର- ୧

***

 

ସାମ୍ବାଦିକ ଗୋପବନ୍ଧୁ

ଶ୍ରୀ ଚିନ୍ତାମଣି ମହାପାତ୍ର

 

ସେଦିନ କୃଶକାୟ ସ୍କୁଲ ଇନ୍‌ସପେକ୍ଟରଙ୍କ ନିଶ ହଳକ ରାଗରେ ଫୁଲି ଫୁଲି ଉଠିଥିବ । ଷୋହଳ ସତର ବର୍ଷର ପିଲାଟା - ଆଜିଠାରୁ ଯଦି ଓଡ଼ିଶାର ଜଣେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଥଟ୍ଟା ଟାପରା କରି ଏମିତି ଲେଖି ପାରିଲା - ବଡ଼ ହେଲେ ସେ ଆଉ କ’ଣ ନ କରିବ ? ନା - ତା’ର ଶାସ୍ତି ପାଇବା ଦରକାର । ସେତେବେଳେ ଖବରକାଗଜରେ ବିବାଦ ଚାଲିଥାଏ - ଭଞ୍ଜ ବଡ଼ ନା ରାଥାନାଥ ରାୟ ବଡ଼ ଏବଂ ଏହି ସମ୍ପର୍କରେ ଭଞ୍ଜଙ୍କୁ ସମର୍ଥନ କରି କଟକର ‘ଇନ୍ଦ୍ରଧନୁ’ କାଗଜରେ ଲେଖା ଯାଇଥାଏ ଏକ କବିତା - ସେଥି ଭିତରୁ ଦୁଇଟି ଧାଡ଼ି -

 

‘‘ଧଡ଼ିଆ ପଣ୍ଡିତମ୍ମନ୍ୟ

ବାଉରୀ ସାହିରେ ଶୃଗାଳ କେଶରୀ ପରି ହେଉଥାନ୍ତି ଗଣ୍ୟ’’

 

ଧାଡ଼ି ଦୁଇଟି ଲେଖା ହୋଇଥାଏ ଖୋଦ୍‍ ରାଧାନାଥ ରାୟଙ୍କୁ ଲକ୍ଷ୍ୟ କରି । କେତେକ ବୋଧହୁଏ ଭାବିଥିଲେ ଯେ ତାକୁ ଇନ୍‌ସପେକ୍ଟର ଜାଣି ପାରିବେ ନାହିଁ । କିନ୍ତୁ ଇନ୍‌ସପେକ୍ଟର କବି ରାଧାନାଥ ରାୟଙ୍କୁ ସେତକ ଅଛପା ରହିଲା ନାହିଁ । ସେ କିଶୋର ଗୋପବନ୍ଧୁଙ୍କୁ ଜୋରିମାନା କଲେ ଦଶଟଙ୍କା - ତାହା ଛଡ଼ା ଗୋପବନ୍ଧୁ ସ୍କୁଲରେ ଯେଉଁ ପୁରସ୍କାର ପାଇଥାନ୍ତେ, ତାହା ତାଙ୍କୁ ହରାଇବାକୁ ପଡ଼ିଲା ।

 

ଷୋହଳ ସତର ବର୍ଷର ଗୋପବନ୍ଧୁ ସେତେବେଳେ ପଢ଼ୁଥାନ୍ତି ଅଷ୍ଟମ ଶ୍ରେଣୀରେ । ପଣ୍ଡିତ ସୂର୍ଯ୍ୟନାରାୟଣଙ୍କ ଲେଖାରୁ ଯାହା ମନେହୁଏ, ତାହା ବୋଧହୁଏ ସମ୍ବାଦ ପତ୍ରରେ ଗୋପବନ୍ଧୁଙ୍କର ପ୍ରଥମ ଲେଖା ଏବଂ ତାହା ମଧ୍ୟ ସମ୍ବାଦପତ୍ରରେ ‘ଉତ୍କଳ ଦୀପିକା’ରେ ହୋଇଥିଲା ଏକ ଆଲୋଚ୍ୟ ବିଷୟ ।

 

କବି ରାଧାନାଥ ରାୟଙ୍କ ଆଶଙ୍କା ଥିଲା ଭୁଲ୍ । ସେଦିନର ସେହି କିଶୋର ପରର୍ବତ୍ତୀ ଜୀବନରେ ନିଜର କଲମକୁ ଉତ୍ସର୍ଗ କରିଥିଲେ ସମାଜର କଲ୍ୟାଣ ପାଇଁ । ଯେଉଁ ଭାଷାର ସଂଯୋଜନପଟୁତା କବିଙ୍କୁ ବିଚଳିତ କରିଥିଲା, ତାହା ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ନିର୍ଦ୍ଦେଶ ଦେଇଥିଲା ଏକ ନୂତନ ପନ୍ଥା । ଯେଉଁ ସମାଜବୋଧରୁ ସେହି ଆପତ୍ତିଜନକ ପଂକ୍ତି ଜନ୍ମ ନେଇଥିଲା, ତାହା ପରର୍ବତ୍ତୀ କାଳରେ ଜନ୍ମ ଦେଇଥିଲା-ସୁଲଭ ସୁପାଠ୍ୟ ଦାୟିତ୍ୱବୋଧପୂର୍ଣ୍ଣ ଏକ ସମ୍ବାଦପତ୍ରକୁ - ଯାହା ଆଜି ଓଡ଼ିଶାର ସର୍ବାଧିକ ପାଠକ ପଢ଼ିଥାନ୍ତି ।

 

କିପରି ଏହା ସମ୍ଭବ ହେଲା ? ରାଜନୀତି ବା ଶିକ୍ଷକତା ପରି ସାମ୍ବାଦିକତା ବା ସମ୍ବାଦପତ୍ର ଗୋପବନ୍ଧୁଙ୍କ ନିକଟରେ ଥିଲା - ଜନସେବାର ମାଧ୍ୟମ । ଦରିଦ୍ର, ଅବହେଳିତ, ଅଜ୍ଞାନ ଅନ୍ଧକାରଗ୍ରସ୍ତ ଓଡ଼ିଶାକୁ ଜାଗ୍ରତ କରିବାକୁ ହେଲେ ଏ ଗୁଡ଼ିକର ଆବଶ୍ୟକତା ସେ ସମ୍ପୂର୍ଣ୍ଣ ରୂପେ ବୁଝିପାରିଥିଲେ । ଏବଂ ଏ ଦିଗରେ ତାଙ୍କୁ ବିଶେଷ ଭାବେ ସାହାଯ୍ୟ କରିଥିଲା ତାଙ୍କର ସହଜାତ ଏକ ମର୍ମସ୍ପର୍ଶୀ ଭାଷା ଏବଂ ନ୍ୟାୟ ଓ ଦାୟିତ୍ୱବୋଧ ।

 

କୋଡ଼ିଏ ବର୍ଷ ବୟସରେ ସେ ଯେତେବେଳେ ଜନସାଧାରଣଙ୍କ ସେବା କ୍ଷେତ୍ରରେ ଆଗେଇ ଆସିଥିଲେ, ସେତେବେଳେ କେନ୍ଦ୍ରାପଡ଼ା ଓ ଯାଜପୁରରେ ବନ୍ୟା ବିଷୟରେ ‘ଉତ୍କଳ ଦୀପିକା’କୁ ୧୯୦୭ ସେପ୍ଟେମ୍ବରରେ ସେ ଯେଉଁ ପତ୍ର ଦେଇଥିଲେ, ସେଥିରୁ ତାଙ୍କର ସ୍ୱାଭାବିକତାର ଭାଷା ସହଜରେ ବାରିହବ ।

 

‘‘ଆମେ ଲୋକଙ୍କ ମୁଖରୁ ଶୁଣି, ମାନଚିତ୍ର ଏବଂ ଚଉଦିକାରୀ ୟୁନିୟନ ବହି ସାହାଯ୍ୟରେ ପ୍ଲାବିତ ପ୍ରଦେଶର ସୀମା ଯେତେଦୂର ସ୍ଥିର କରିଛୁ, ତହିଁରୁ ଜଣାଯାଏ ଯେ ୧୦୦୦ କି ୧୨୦୦ ବର୍ଗ ମାଇଲ ବର୍ତ୍ତମାନ ଜଳମଗ୍ନ । ଏକା କେନ୍ଦ୍ରାପଡ଼ା ସବ୍ଡ଼ିଭିଜନର ଲକ୍ଷାଧିକ ଲୋକ ବିପନ୍ନ ହୋଇଛନ୍ତି । ଯାଜପୁର ସବ୍ଡ଼ିଭିଜନରେ ଏଥିରୁ ଊଣା ନୁହେଁ । ଭଦ୍ରଖ ବିଷୟରେ ଆମ୍ଭେମାନେ ଜାଣୁନାହିଁ । ସ୍ଥୂଳରେ ୨ ଲକ୍ଷାଧିକ ଲୋକ ବର୍ତ୍ତମାନ ଗୃହଶୂନ୍ୟ, ଅନ୍ନବସ୍ତ୍ରହୀନ ହୋଇ ଆକାଶକୁ ଚାହିଁ ରହିଛନ୍ତି । ନଅଙ୍କ ଦୁର୍ଭିକ୍ଷ ବାଦ ଦେଲେ ଏ ଦାରୁଣ ଦୁର୍ଘଟଣା ଓଡ଼ିଶାରେ ପ୍ରଥମ । ଏଣେ ପ୍ରଳୟକାଣ୍ଡ - ତଳେ ପାଣି, ଉପରେ ପାଣି, ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ, ଖାଇବାକୁ ଦାନା ନାହିଁ, ପିନ୍ଧିବାକୁ କନା ନାହିଁ, ଆହା ବୋଲିବାକୁ ସାହା ନାହିଁ, ତା’ ଉପରେ ପୁଣି ମାରୀଭୟ । ଭଗବାନଙ୍କର ଏ ସୁକଠିନ ଶାସନ କାହିଁକି ସେ ଜାଣନ୍ତି ! ଏହି ଶତ ଶତ ବିପନ୍ନ ଲୋକଙ୍କ ପ୍ରତି ସମାଜର କି କର୍ତ୍ତବ୍ୟ ଜନସାଧାରଣ ତାହା ବିଚାର କରିବେ ।’’ ଏହି ପତ୍ର ପ୍ରକାଶ ପରେ ଛାତ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁ ଗଢ଼ା ଯାଇଥିଲା ।

 

ପରବର୍ତ୍ତୀ ବର୍ଷ ଗୋପବନ୍ଧୁ ନୀଳାଚଳ ସମାଚାରରେ ଲେଖିଥିଲେ ‘ସମ୍ମିଳନୀ ସମ୍ବନ୍ଧରେ ଦୁଇକଥା ।’ ସେଥିରେ ସେ ମଧୁବାବୁଙ୍କୁ ସମ୍ମିଳନୀର ସଭାପତି କରାଇବାକୁ ପ୍ରବର୍ତ୍ତାଇଥିଲେ । ଏହା ପରେ ସେ ପ୍ରକାଶ କରିଥିଲେ ଖଣ୍ଡିଏ ପୁସ୍ତିକା - ‘‘ସମ୍ମିଳନୀ ଓ ତହିଁର ଉଦ୍ଦେଶ୍ୟକୁ ଲୋକରେ ପରିଚିତ ଓ ପ୍ରିୟ କରିବାର ତିନୋଟି ସହଜ ଉପାୟ ।’’ ସେଥିରୁ ଗୋଟିଏ ଉପାୟ ରୂପେ ସେ ସୂଚାଇ ଥିଲେ ଏକ ସୁଲଭ ସାପ୍ତାହିକ ପତ୍ରିକା । ଅନ୍ୟ ଦୁଇଟି ହେଲା - ଦୁର୍ଭିକ୍ଷ ସାହାଯ୍ୟ ଓ ଛାତ୍ର ସମାଜ ।

 

ସେ ଲେଖିଥିଲେ, ‘‘ଓଡ଼ିଶାରେ ବର୍ତ୍ତମାନ କେତେଖଣ୍ଡି ସାପ୍ତାହିକ ପତ୍ରିକା ଅଛି ସତ୍ୟ, କିନ୍ତୁ ଭାଷା, ଭାବ, ବିଷୟ ନିର୍ବାଚନ ଓ ମୂଲ୍ୟ ପରିମାଣ ଦୃଷ୍ଟିରେ ସେ ସବୁ ନିମ୍ନଶ୍ରେଣୀ ଲୋକଙ୍କ ଉପଯୋଗୀ ନୁହେଁ । ନିମ୍ନଶ୍ରେଣୀ ଲୋକ-ସାଧାରଣଙ୍କ ପାଠୋପଯୋଗୀ କରିବା ନିମନ୍ତେ ପତ୍ରିକାର ଭାଷା ଅତ୍ୟନ୍ତ ସରଳ, ସହଜ, ଭାବସବୁ, ସୁବୋଧ୍ୟ, ବିଷୟ ସୁଖକର, ପ୍ରୟୋଜନୀୟ ଏବଂ ମୂଲ୍ୟ ସୁଲଭ ହେବା ଆବଶ୍ୟକ । ଏହିପରି ଖଣ୍ଡିଏ ପତ୍ରିକା ପ୍ରକାଶ କରିବାର କଳ୍ପନା କରାଯାଉଅଛି । ପତ୍ରିକାରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସମାଜ, ଓ ଧର୍ମପ୍ରଭୃତି ନାନା ପ୍ରୟୋଜନୀୟ ପ୍ରସଙ୍ଗରେ ଅତି ପ୍ରାଥମିକ ବିଷୟମାନ ସହଜ ସାଧାରଣବୋଧ୍ୟ ଭାଷାରେ ଲେଖାହେବ; ଯେପରିକି ସମ୍ପୂର୍ଣ୍ଣ ଅଶିକ୍ଷିତ ଲୋକମାନେ ଅନ୍ୟ ପଢ଼ିବାରୁ ଶୁଣି ଅନାୟାସରେ ବୁଝି ପାରିବେ । ଏହି କାଗଜ ପ୍ରତ୍ୟେକ ଖଣ୍ଡର ମୂଲ୍ୟ ଏକ ପଇସା ହେବ ।’’

 

‘‘......ଏହି କାଗଜ ଏକବର୍ଷ ଚଳାଇବା ନିମନ୍ତେ ପନ୍ଦରଶହ ଟଙ୍କା ଆବଶ୍ୟକ । ଏକ ସହସ୍ର ଲୋକ ପ୍ରତ୍ୟେକ ଏକକାଳୀନ ଦାନ ସ୍ୱରୂପ ନ୍ୟୂନ ପକ୍ଷେ ଏକ ଟଙ୍କା ଲେଖାଏଁ ଏବଂ ଅଗ୍ରୀମ ମୂଲ୍ୟ ସ୍ୱରୂପ ଆଠଅଣା ଲେଖାଏଁ ଦେଲେ ଏ ଶୁଭ ଅନୁଷ୍ଠାନର ଆରମ୍ଭ ହୋଇ ପାରିବ । ଏହି ଦାତାମାନେ ଏକବର୍ଷ ଖଣ୍ଡିଏ ଖଣ୍ଡିଏ ପତ୍ରିକା ପାଇବେ ।’’

 

ଉତ୍କଳ ସମ୍ମିଳନୀର ଏକ ମୁଖପତ୍ର ପ୍ରକାଶ କରିବା ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ବିଶେଷ କିଛି ଫଳ ହେଲା ନାହିଁ । ତେବେ ଗୋପବନ୍ଧୁଙ୍କ ଉକ୍ତ ଲେଖାରୁ ଏକ ନୂତନ ସମ୍ବାଦପତ୍ରର ଆବଶ୍ୟକତା ସେ ୧୯୦୮ରୁ ଯେ ବିଶେଷ ଅନୁଭବ କରୁଥିଲେ, ତାହା ସୂଚିତ ହେଉଅଛି । ଏଭଳି ପଇସିକିଆ ସାପ୍ତାହିକ କାଗଜ ବଙ୍ଗଳାରେ ୧୮୭୦ରେ ପ୍ରକାଶ ପାଇଥିଲା । କେଶବ ଚନ୍ଦ୍ର ସେନ ଇଣ୍ଡିଆନ୍ ରିଫର୍ମ ଆସୋସିଏସନ୍‍ର ମୁଖପତ୍ର ରୂପେ କାଗଜଟିକୁ ବାହାର କରି ତାହାର ନାମ ଦେଇଥିଲେ ‘ସୁଲଭ ସମାଚାର’ । ଗରିବ ଅଥଚ ସାକ୍ଷର ଲୋକେ ଏହାକୁ କିଣି ପାରୁଥିଲେ । ପ୍ରତି ସପ୍ତାହରେ ଏହାର ବିକ୍ରୀ ସଂଖ୍ୟା ଥିଲା ୩୫୦୦ ଏବଂ ପରେ ହେଲା ୪୦୦୦ । ସେତେବେଳେ ଏହାର ବିକ୍ରୀ ସର୍ବାଧିକ ବୋଲି କୁହାଯାଉଥିଲା ।

 

ସାହିତ୍ୟିକ ବିବାଦ, ବନ୍ୟା, ଉତ୍କଳ ସମ୍ମିଳନୀ ବ୍ୟତୀତ ଆଉ ଏକ ବିଷୟରେ ଗୋପବନ୍ଧୁ ଖବର କାଗଜରେ ଲେଖିଥିଲେ । ତାହା ହେଉଛି - ଓଡ଼ିଆ-ବଙ୍ଗାଳୀ ବିବାଦ । ସେତେବେଳେ ନୀଳାଚଳ ସମାଚାର ଓ ବାଲେଶ୍ୱର ‘ଓଡ଼ିଆ ଓ ନବସମ୍ବାଦ’ ପତ୍ରିକାରେ ୧୯୦୯ରେ ଓଡ଼ିଆ-ବଙ୍ଗାଳୀ ଭେଦଭାବକୁ ତେଜେଇ ଦିଆଯାଉଥିଲା । ସୁତରାଂ ଗୋପବନ୍ଧୁ ଉତ୍କଳ ଦୀପିକାରେ ‘ନ ବୁଦ୍ଧି ଭେଦଂ ଜନୟେତ୍’ ଶୀର୍ଷକ ଏକ ଲେଖା ପ୍ରକାଶ କରିଥିଲେ । କଟକର ‘ଷ୍ଟାର ଅଫ୍ଓଡ଼ିଶା’ ମଧ୍ୟ ତାଙ୍କ ସମାଲୋଚନାରୁ ବାଦ୍ ଯାଇ ନ ଥିଲା ।

 

ସେତେବେଳେ ପ୍ରସିଦ୍ଧି ପତ୍ରିକା ଥିଲା ‘ଉତ୍କଳ ଦୀପିକା’ । ଏହାର ସମାଲୋଚନା ମୃଦୁ ଥିବା ଦୃଷ୍ଟିରୁ ଗୋପବନ୍ଧୁ ଏବଂ ତାଙ୍କର ସହଯୋଗୀଗଣ ଏହା ଫଳରେ ସେମାନଙ୍କର ଆଶା ପୂରଣ ହେବ ବୋଲି ଭାବୁ ନଥିଲେ । ସେଥିପାଇଁ ସେ ବ୍ରହ୍ମପୁରରୁ ଗୋଟିଏ ପତ୍ରିକା ପ୍ରକାଶ କରିବା ପାଇଁ ଶଶୀଭୂଷଣ ରଥଙ୍କ ପରାମର୍ଶ ଓ ଉତ୍ସାହ ଦେଇଥିଲେ । ୧୯୧୩ରେ ‘ଆଶା’ ନାମରେ ଏହି ପତ୍ରିକା ପାଇଥିଲା । ୧୯୧୯ ପର୍ଯ୍ୟନ୍ତ ଗୋପବନ୍ଧୁ ସାକ୍ଷୀଗୋପାଳରୁ ଏହି କାଗଜଟିର ସମ୍ପାଦନା କରୁଥିଲେ ବୋଲି ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଲେଖିଛନ୍ତି । ଗୋପବନ୍ଧୁ ଅନେକ ସମୟରେ ପାଟଣା, କଟକ ଓ ସତ୍ୟବାଦୀରେ ରହୁଥିଲେ ହେଁ ‘ଆଶା’ ପାଇଁ ସମ୍ପାଦକୀୟ ଲେଖୁଥିଲେ ଏବଂ ସମ୍ବାଦ ଆଦି ସମ୍ପାଦନା କରି ପଠାଉଥିଲେ ।

କିନ୍ତୁ ‘ଆଶା’ ଉପରେ ଯେ ତାଙ୍କର ନିୟନ୍ତ୍ରଣ ନଥିଲା, ତାହା ୧୯୧୫ ଜୁନ୍‍ରେ ଲିଖିତ ଏକ ଚିଠିରୁ ସ୍ପଷ୍ଟ । ସମ୍ପାଦକଙ୍କ ପ୍ରତି ସେ ଲେଖିଥିଲେ, ‘‘ମହାଶୟ, ଆପଣଙ୍କ ‘ଆଶା’ର ପ୍ରାପ୍ତ ସ୍ତମ୍ଭରେ ଗତ କେତେମାସ ହେଲା ଯେ କେତେଖଣ୍ଡ ପ୍ରେରିତ ପତ୍ର ବାହାରିଛି, ତହିଁ ମଧ୍ୟରୁ ଦୁଇ ଚାରିଖଣ୍ଡ ବଡ଼ ସୁରୁଚିସଙ୍ଗତ ବୋଲି ମୋତେ ବୋଧ ହେଉନାହିଁ । ମୁଁ ‘ଆଶା’ର ଜଣେ ନିୟମିତ ପାଠକ । ରାଜନୈତିକ ଭାବେ ଓଡ଼ିଶାରୁ ବିଚ୍ଛିନ୍ନ ଅଥଚ ମିଳିବା ପାଇଁ ସର୍ବଦା ବ୍ୟାକୁଳ । ଗଞ୍ଜାମରୁ ଏହା ବାହାରେ ବୋଲି ମୋର ଏଥିପ୍ରତି ବିଶେଷ ଆଦର ଓ ଆସ୍ଥା ଥାଏ । ସାପ୍ତାହିକ, ସାମାଜିକ, ରାଜନୈତିକ ପ୍ରଭୃତି ନାନା ସୂତ୍ରରେ ସମଗ୍ର ଓଡ଼ିଆ ଜାତିର ମିଳନ ନିମନ୍ତେ ‘ଆଶା’ ଆରମ୍ଭରୁ ଆଜିଯାଏ ଯାହା କରି ଆସିଅଛି, ତାହା ବାସ୍ତବିକ ପ୍ରଶଂସନୀୟ । କିନ୍ତୁ ଓଡ଼ିଆ ଜାତିକୁ ଉଠାଇବାକୁ ହେଲେ ଅନ୍ୟ କୌଣସି ପ୍ରତିବେଶୀ ବା ସହଯୋଗୀ ଜାତି ବା ସମାଜ ପ୍ରତି ଅନାସ୍ଥା, ଘୃଣା, ତାତ୍ସଲ୍ୟ, ବ୍ୟଙ୍ଗ, ବିଦ୍ୱେଷ ଦ୍ୱାରା ତାହା କଦାପି ହେବନାହିଁ । ପ୍ରତିଦ୍ୱନ୍ଦ୍ୱିତା ପ୍ରତିଯୋଗିତା ନୁହେଁ, କି ଦ୍ୱେଷରେ ଦେଶ-ହିତୈଷିତା ଆସେନାହିଁ ... କଠୋର ନିରପେକ୍ଷ ସମାଲୋଚନା ସଙ୍ଗେ ସଙ୍ଗେ ଗଭୀର ସହାନୁଭୂତି ସବୁବେଳେ ଥିବା ଆବଶ୍ୟକ । ...‘‘ପ୍ରେରିତ ପତ୍ରର ମତାମତ ନିମନ୍ତେ ଲେଖକମାନେ ଦାୟୀ’ - ଖାଲି ଏତିକି ଲେଖିଦେଲେ ସମ୍ପାଦକୀୟ ଦାୟିତ୍ୱ ଶେଷ ହେଲା ନାହିଁ । ...ଆପଣଙ୍କ ପତ୍ରିକା ପ୍ରତି ମୋର ବିଶେଷ ଆସ୍ଥା ଓ ମମତା ଥାଏ ବୋଲି ଏହିପତ୍ର ଲେଖିଲି ।’’... ଚିଠିଟିରୁ ଗୋପବନ୍ଧୁଙ୍କର ସମାଜ କଲ୍ୟାଣମୂଳକ ସାମ୍ପାଦିକତାର ମଧ୍ୟ ଯଥେଷ୍ଟ ସୂଚନା ମିଳିଥାଏ ।

୧୯୧୫ରେ ସେ ନିଜେ ଏକ ମାସିକ ପତ୍ରିକା ଆରମ୍ଭ କଲେ । ଏହାର ନାମ ରଖାଗଲା ସତ୍ୟବାଦୀ ପତ୍ରିକା ଏବଂ ଏହା ଶଶୀଭୂଷଣ ରଥଙ୍କ ଦ୍ୱାରା ‘ଆଶା’ ପ୍ରେସ୍‍ ବ୍ରହ୍ମପୁରରୁ ପ୍ରକାଶିତ ହେଲା । ମ୍ୟାନେଜର ହେଲେ ଶଶୀଭୂଷଣ ଏବଂ ସମ୍ପାଦକ ଗୋପବନ୍ଧୁ । ବାର୍ଷିକ ମୂଲ୍ୟ ଦୁଇଟଙ୍କା-ପ୍ରତି ଖଣ୍ଡକର ଦାମ ତିନିଅଣା । ଲେଖାଲେଖି ସାକ୍ଷୀଗୋପାଳରେ ହୋଇ ଡାକରେ ବ୍ରହ୍ମପୁରକୁ ପଠାଯାଉଥିଲା । କିନ୍ତୁ ପ୍ରୁଫ୍‌ ଦେଖିବା ଓ ସମ୍ପାଦନାରେ ଅସୁବିଧା ହେଲା । ସେଥିପାଇଁ ୧୯୧୭ରେ ଏହା ପୁରୀରୁ ବାହାରିଲା ।

ପରେ ଟ ୧୬୦୦ଙ୍କାରେ ପୁରୀ ଏମାରମଠାର ମହନ୍ତ ଗଦାଧର ରାମାନୁଜ ଦାସଙ୍କ ମଦନ ମୋହନ ପ୍ରେସ (ଏକ ହାଣ୍ଡ୍‌ ପ୍ରେସ)କୁ କିଣି ସତ୍ୟବାଦୀ ପ୍ରେସ ଆରମ୍ଭ ହେଲା । ଶ୍ରୀ ସତ୍ୟବାଦୀ ତ୍ରିପାଠୀ ଥିଲେ ପ୍ରଥମ ମ୍ୟାନେଜର ।

ସତ୍ୟବାଦୀ ପତ୍ରିକାଟିର ଶିରୋଭୂଷଣ ଥିଲା - ‘‘ସତ୍ୟଂ ବଦିଷ୍ୟାମି, ଋତଂ ବଦିଷ୍ୟାମି, ସତ୍ୟମେବ ଜୟତେ ନାଽନୃତଂ’’ ଓଡ଼ିଆ ପତ୍ରିକା କ୍ଷେତ୍ରରେ ଉଚ୍ଚକୋଟୀର ଚିନ୍ତା, ଶୈଳୀ ଓ ଆଦର୍ଶ ଦୃଷ୍ଟିରୁ ସତ୍ୟବାଦୀ ଉଚ୍ଚସ୍ଥାନ ଅଧିକାର କରିଥିଲା । ଏଥିରେ ଲେଖୁଥିଲେ ସେକାଳର ଚିନ୍ତାନାୟକ ନୀଳକଣ୍ଠ, ଗୋଦାବରୀଶ, ଜଗବନ୍ଧୁ ସିଂହ, ଲିଙ୍ଗରାଜ ମିଶ୍ର, ଗୋପୀନାଥ ନନ୍ଦ, ଫକୀର ମୋହନ ସେନାପତି, କୃପାସିନ୍ଧୁ ମିଶ୍ର ପ୍ରଭୃତି । ସୂର୍ଯ୍ୟନାରାୟଣ ଦାଶଙ୍କ ଭାଷାରେ ‘‘ପ୍ରଥମେ ଗୋପବନ୍ଧୁ ଭାବିଥିଲେ ଯେ ପତ୍ରିକାଟିକୁ ‘ଉଚ୍ଚାଙ୍ଗର’ କରିପାରିଲେ ଶିକ୍ଷିତ ଲୋକଙ୍କର ଆଦର ଲାଭ କରିବା ସଙ୍ଗେ ସଙ୍ଗେ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇବ । ସେତେବେଳେ ‘ବିଜ୍ଞାପନ’ ପାଇବା ମଧ୍ୟ ସହଜ ନଥିଲା । ଗ୍ରାହକ ଓ ବିଜ୍ଞାପନରୁ ଯାହା ମିଳିବ, ସେଥିରେ ପତ୍ରିକାଟି ସ୍ୱଚ୍ଛନ୍ଦରେ ଚଳାଇ ହୋଇପାରିବ ଓ ତାହାର ଉନ୍ନତି କରାଯାଇ ପାରିବ - ଏହା ସ୍ୱତାଧିକାରୀ ଆଶା କରିଥିଲେ । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହା ସେତେ ଉତ୍ସାହଜନକ ହେଲାନାହିଁ । ଯେଉଁ ଲକ୍ଷ୍ୟରେ ପତ୍ରିକାଟି ପ୍ରଥମେ ପ୍ରକାଶ ପାଇଥିଲା ସେ ଲକ୍ଷ୍ୟକୁ ଆଉ ଟିକିଏ ବ୍ୟାପକ ନ କଲେ ପତ୍ରିକାର ମର୍ଯ୍ୟାଦା ଓ ଆର୍ଥିକ ସ୍ଥିତିର ସମ୍ୟକ୍ ଉନ୍ନତି ହୋଇପାରିବ ନାହିଁ । ଏହା ଗୋପବନ୍ଧୁ ଉପଲବ୍ଧି କରିଥିଲେ ।’’

୧୯୨୧ରେ ଷଷ୍ଠଖଣ୍ଡ ୧ମ ସଂଖ୍ୟାରେ ଗୋପବନ୍ଧୁ ଲେଖିଥିଲେ ଯେ ସମାଲୋଚନା ସାହିତ୍ୟର ବିଶିଷ୍ଟ ଅଙ୍ଗ - ‘‘ସମାଲୋଚନା କହିଲେ କେବଳ ପୁସ୍ତକ ସମାଲୋଚନା ନୁହେଁ । ପୁସ୍ତକ, ଶିଳ୍ପ, ସଭ୍ୟତା ନୀତି ପ୍ରଭୃତିର ବିଭାଗ ପ୍ରଭୃତି ବିଶ୍ଲେଷଣ କରି ତୁଳନ, ଆଦାନ, ବର୍ଜ୍ଜନର ଇଙ୍ଗିତାଦି ସହିତ ଯେଉଁ ଆଲୋଚନା କରାଯାଏ, ସେସବୁ ସମାଲୋଚନା ।’’

 

‘‘...ଆମ୍ଭେମାନେ ସାହିତ୍ୟରେ ଏହି ବିଭାଗ ଜାଗ୍ରତ କରିବା ଉଦ୍ଦେଶ୍ୟରେ ପ୍ରଥମେ ‘ସତ୍ୟବାଦୀ’ ଆରମ୍ଭ କରିଥିଲୁ । ମୁଖ୍ୟତଃ ‘ସତ୍ୟବାଦୀ’ରେ ତାହାହିଁ ପ୍ରକାଶ କରିଥିଲୁ । କିନ୍ତୁ କେତେକ ବଚ୍ଛା ଲୋକଙ୍କ ଛଡ଼ା ଅନ୍ୟମାନେ ତାହାର ସମ୍ମାନ କଲେ, ମାତ୍ର ଆସ୍ୱାଦନ କଲେ ନାହିଁ । କାଗଜ ଚଳିବା ଏଥିରେ ଦୁଷ୍କର । ସେଥିପାଇଁ ଆମ୍ଭେମାନେ ଏହି ଷଷ୍ଠ ବର୍ଷରେ ନୂତନ ପ୍ରସ୍ଥ ଆରମ୍ଭ କରୁଅଛୁ ।’’ ପତ୍ରିକାରେ ଗଳ୍ପ ଉପନ୍ୟାସ ସ୍ଥାନ ପାଇବ ବୋଲି ସେ ଲେଖିଥିଲେ । ଭାବବିରହିତ ପଦ୍ୟ-ପ୍ରବାହର ଗତିରୋଧ କରି ସାହିତ୍ୟିକ ଚିନ୍ତାସ୍ରୋତକୁ ଫେରାଇବା ଆବଶ୍ୟକ ବୋଲି ସୂଚାଇଥିଲେ । କିନ୍ତୁ ‘‘ସାହିତ୍ୟିକ ଚିନ୍ତାସ୍ରୋତକୁ ଅନ୍ୟଆଡ଼େ ଫେରାଇବା ପାଇଁ ‘ସତ୍ୟବାଦୀ’ ଯଥେଷ୍ଟ ଭାବରେ ପ୍ରାରମ୍ଭିକ ଆୟୋଜନ କରିପାରିବା ପୂର୍ବରୁ ତାହାର ଅକାଳ ବିୟୋଗ ଘଟିଲା ।’’

 

ବହୁକାଳ ପରେ ଗୋପବନ୍ଧୁଙ୍କର ସୁଲଭ ସାପ୍ତାହିକ କାଗଜର ସ୍ୱପ୍ନ ସଫଳ ହେଲା । ୧୯୧୯ ଅକ୍ଟୋବର ଚାରି ତାରିଖରେ ବିଜୟାଦଶମୀ ତିଥିରେ ‘ସମାଜ’ ପତ୍ରିକା ଜନ୍ମନେଲା ସେହି ସତ୍ୟବାଦୀ ପ୍ରେସ୍‌ରେ ।

 

ଏଥିରେ ଗୋପବନ୍ଧୁ ଲେଖିଥିଲେ, ‘‘ସମାଜ’ ପ୍ରତି ସପ୍ତାହ ଶନିବାର ସତ୍ୟବାଦୀ ପ୍ରେସ୍‍ରୁ ପ୍ରକାଶିତ ହୁଏ । ଏଥିରେ ଦେଶର ପ୍ରକୃତ ଅବସ୍ଥାର ଆଲୋଚନା ହୁଏ । ପଲ୍ଲୀବାସୀମାନଙ୍କ ଦୁଃଖ ଗୁହାରି ବିଶେଷ ଭାବରେ ଲେଖାଯାଏ । ଲୋକମାନଙ୍କର ଯେଉଁ ଅଭାବ ଅଭିଯୋଗମାନ ସରକାରଙ୍କର ଜାଣିବା ଉଚିତ ଓ ଆବଶ୍ୟକ, ତାହା ସବୁ ନିରପେକ୍ଷ ଭାବରେ କୁହାଯାଏ । ଆହୁରି ମଧ୍ୟ ସରକାରଙ୍କ କ୍ରିୟାକଳାପ, ଉଦ୍ଦେଶ୍ୟ, ଅଭିପ୍ରାୟମାନ ଲୋକ ସାଧାରଣଙ୍କୁ ବୁଝାଇଦିଆଯାଏ । ପଲ୍ଲୀର ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା, ଧର୍ମ ଚର୍ଚ୍ଚା, ଗ୍ରାମ ପଞ୍ଚାୟତ, ସମବାୟ ସମିତି, ସାମାଜିକ ଅବସ୍ଥା, କୃଷି, ଗ୍ରାମ ଶିଳ୍ପ ପ୍ରଭୃତି ପଲ୍ଲୀବାସୀଙ୍କର ପ୍ରୟୋଜନୀୟ ପ୍ରସଙ୍ଗମାନଙ୍କ ପ୍ରତି ଏଥିରେ ବିଶେଷ ଦୃଷ୍ଟି ଦିଆଯାଏ । ‘ସମାଜ’ର ଭାଷା ଅତି ସରଳ ଓ ସହଜ । ଯେ ଖାଲି ଅକ୍ଷର ଚିହ୍ନିଥିବେ, ସେ ପଢ଼ିଲେ ବୁଝିପାରିବେ । ଏପରିକି ଅକ୍ଷର ନ ଚିହ୍ନିବା ଲୋକେ ସୁଦ୍ଧା ଶୁଣି ବୁଝିପାରିବେ ।’’

 

‘ସମାଜ’ ବାହାର କରିବାର ତିନୋଟି କାରଣ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଉଲ୍ଲେଖ କରିଛନ୍ତି-। ୧-ପୁରୀରେ ଦୁର୍ଭିକ୍ଷ, ୨-ଜାଲିଓ୍ୱାନାଓ୍ୱାଲାବାଗ ହତ୍ୟାକାଣ୍ଡ ଏବଂ ୩-ଓଡ଼ିଶାର ଅଭାବ ଅଭିଯୋଗ ଶୁଣିବା ପାଇଁ ଥିଲା ପାଟଣା-୫୦୦ ମାଇଲ ଦୂରରେ । ସ୍ତୁଳତଃ, ସେତେବେଳର ସ୍ଥାନୀୟ ଆଞ୍ଚଳିକ ତଥା ଦେଶର ଖବର ଲୋକଙ୍କ ଓ କର୍ତ୍ତୃପକ୍ଷଙ୍କ ନିକଟରେ ପହୁଞ୍ଚାଇବା ପାଇଁ ଗୋପବନ୍ଧୁ ଅତ୍ୟନ୍ତ ଜରୁରୀ ମନେ କଲେ ।

 

ସେତେବେଳେ ସାପ୍ତାହିକ ‘ସମାଜ’ ଥିଲା ୨୦'' ଲମ୍ବ ୧୫'' ଓସାର କ୍ରାଉନ୍ ଆକାରର, ଚାରି ପୃଷ୍ଠାବିଶିଷ୍ଟ । ଏହାର ବାର୍ଷିକ ମୂଲ୍ୟ ଥିଲା ଦେଢ଼ ଟଙ୍କା । ପ୍ରତିଖଣ୍ଡ ଦୁଇ ପଇସା । ପ୍ରଥମ ପୃଷ୍ଠାରେ ‘ସମ୍ବାଦ ଓ ସଂକେତ’ ତିନି ସ୍ତମ୍ଭରେ ଦିଆଯାଉଥିଲା । ପରେ ସମ୍ପାଦକୀୟ ଲେଖା ପ୍ରକାଶ ପାଉଥିଲା । ସମ୍ବାଦ ଥିଲା ସଂକ୍ଷିପ୍ତ । ତାହା ସହିତ ଟିପ୍‌ପଣୀ ବା ମତାମତ ପ୍ରକାଶ ପାଉଥିଲା । ଜାତୀୟ ଓ ଆନ୍ତର୍ଜାତିକ ସମ୍ବାଦ ଓ ଟିପ୍‌ପଣୀ ମଧ୍ୟ ରହୁଥିଲା । ସପ୍ତମ ସଂଖ୍ୟାରୁ ଏହା ୬ପୃଷ୍ଠା ହେଲା ଓ ବିଜ୍ଞାପନ ଛପାଇବା ଆରମ୍ଭ ହେଲା ।

 

ପ୍ରଥମ ବର୍ଷର ଶେଷବେଳକୁ ସମାଜର ପୃଷ୍ଠା ସଂଖ୍ୟା ହେଲା ଆଠ । ଆକାର ୨୨’’ X ୧୮’’ ଏବଂ ବାର୍ଷିକ ମୂଲ୍ୟ ହେଲା ଦୁଇଟଙ୍କା ଚାରିଅଣା । ପ୍ରତିଖଣ୍ଡ ଦୁଇ ପଇସା (ତିନି ନୂଆ ପଇସା) । ୧୯୨୦ରେ ଦାମ୍‌ ହେଲା ତିନି ପଇସା (ପାଞ୍ଚ ନୂଆ ପଇସା) ଓ ଆକାର ହେଲା ୩୦’’ X ୨୦’’ - ପ୍ରତ୍ୟେକ ପୃଷ୍ଠାରେ ରହିଲା ୫ଟି ସ୍ତମ୍ଭ ।
 

୧୯୨୧ ଅଗଷ୍ଟ ୧୩ରେ ‘ସମାଜ’ ରେ ‘‘ସତ୍ୟ ହେଲେ ସାଘାଂତିକ’’ ଶୀର୍ଷକ ଏକ ସମ୍ବାଦରେ ପ୍ରକାଶ ପାଇଥିଲା ଯେ ଦୁଇଜଣ କନଷ୍ଟେବଲ୍‌ ଜଣେ ନାରୀ ପ୍ରତି ଅତ୍ୟାଚାର କରିଥିଲେ ବେଗୁନିଆ ଥାନାର ବଜାର ଅଞ୍ଚଳରେ । ପ୍ରାୟ ଦେଢ଼ ମାସ ପରେ ସେପ୍ଟେମ୍ବର ୨୪ରେ ଗୋପବନ୍ଧୁ ସମ୍ବାଦ ଠିକ୍‌ ନୁହେଁ ବୋଲି ନିଜ କାଗଜରେ ଜଣାଇଥିଲେ ସୁଦ୍ଧା ତାଙ୍କ ବିରୋଧରେ ମକଦ୍ଦମା ହୋଇଥିଲା । ବିଚାରକ ରୂପେ ନେତାଜୀ ସୁବାଷ ବୋଷଙ୍କ ଭାଇ ସୁରେଶ ବୋଷ ତାଙ୍କୁ ଖଲାସ କରିବା ପୂର୍ବରୁ ଗୋପବନ୍ଧୁଙ୍କୁ ଜେଲ ହାଜତରେ ୧୯୧୧ ଅକ୍ଟୋବର ୨୮ରୁ ୧୯୨୧ ନଭେମ୍ବର ୨୯ ପର୍ଯ୍ୟନ୍ତ କଟାଇବାକୁ ପଡ଼ିଥିଲା ।

 

ଏହାପରେ ସମାଜ ଠାରୁ ଦୁଇ ହଜାର ଟଙ୍କା ସିକ୍ୟୁରିଟି ମଗାଯାଇଥିଲା । କିନ୍ତୁ ଗୋପବନ୍ଧୁ ଅନୁପସ୍ଥିତ ଥିବାରୁ ତାଙ୍କୁ ନୋଟିସ୍‌ ଦିଆ ଯାଇପାରି ନଥିଲା କିମ୍ବା ଅର୍ଥ ଆଦାୟ କରାଯାଇ ପାରିନଥିଲା । ୧୯୨୨ ମେ ୩୧ରେ ୧୪୪ ଧାରା ଲଙ୍ଘନ କରିଥିବା ଅପରାଧରେ ଗୋପବନ୍ଧୁଙ୍କୁ ଗିରଫ୍ ଓ ବନ୍ଦୀ କରାଯାଇଥିଲା । ସେତେବେଳେ ଆଚାର୍ଯ୍ୟ ହରିହର ଦାସ ‘ସମାଜ’ର ସମ୍ପାଦକ ଦାୟିତ୍ୱ ନେଇଥିଲେ ।

 

୧୯୨୪ରେ ଗୋପବନ୍ଧୁ ମୁକ୍ତି ଲାଭ କରି ପୁଣି ସମ୍ପାଦକ ହେଲେ, ହରିହର ଦାସ ମୁଦ୍ରାକର ଓ ପ୍ରକାଶକ ହେଲେ । ସତ୍ୟବାଦୀ ସ୍କୁଲ ବନ୍ଦ ହେଲା ୧୯୨୬ରେ ଏବଂ ତାହା ପୂର୍ବରୁ ୧୯୨୫ରେ ‘ସମାଜ’ ଘୁଞ୍ଚି ଆସିଲା ପୁରୀ ପଥୁରିଆ ସାହିକୁ । ସେହି ବର୍ଷ ‘ସମାଜ’କୁ ସପ୍ତାହରେ ଦୁଇଥର ପ୍ରକାଶ କରିବା ପାଇଁ ଏକ ପ୍ରସ୍ତାବ ବନ୍ଦ ହେଲା - କାରଣ ସେତେବେଳେ ମଫସଲରେ ସପ୍ତାହକୁ ଥରେ ମାତ୍ର ଡାକ ବଣ୍ଟା ଯାଉଥିଲା ।

 

୧୯୨୭ରେ ଦ୍ୱିତୀୟ ପୃଷ୍ଠାରେ ସମ୍ପାଦକୀୟ ଲେଖା ଆରମ୍ଭ ହେଲା ଏବଂ ‘ସମ୍ବାଦ’ ଓ ସଂକେତ’ ତାହାରି ତଳେ ଦିଆଗଲା । ସେହିବର୍ଷ ଜୁଲାଇରେ, କଟକ ଓଡ଼ିଶାର ପ୍ରଧାନ ରାଜନୈତିକ କେନ୍ଦ୍ର ହୋଇଥିବା ହେତୁ ଏହି ସ୍ଥାନ ଅଧିକ ଅନୁକୂଳ ହେବା ଆଶାରେ, ସମାଜକୁ କଟକୁ ଘୁଞ୍ଚା ହେଲା - ନିମଚୌଡ଼ି ଅଞ୍ଚଳକୁ । ସେତେବେଳେ ଲିଙ୍ଗରାଜ ମିଶ୍ର ଏହାର ମୁଦ୍ରାକର ଓ ପ୍ରକାଶକ ହେଲେ ।

 

୧୯୨୮ ମେ’ରେ ପାରିକୁଦରେ ପୋଲିସ ଅତ୍ୟାଚାର ସମ୍ପର୍କରେ ଏକ ଖବର ପ୍ରକାଶିତ ହେଲା । ସମ୍ବାଦଦାତାଙ୍କ ନାମ ପୋଲିସ ଜାଣିବାକୁ ଚାହିଁଲେ । କିନ୍ତୁ ଗୋପବନ୍ଧୁ ସେହି ଅନୁରୋଧ ପ୍ରତ୍ୟାଖ୍ୟାନ କରି କହିଲେ - ସମ୍ବାଦଦାତାଙ୍କ ନାମ ପ୍ରକାଶ କରିବା କିମ୍ବା ତାଙ୍କର ପତ୍ର ଦର୍ଶାଇବାକୁ ଆମେ ବାଧ୍ୟ ନୋହୁଁ । ଏହାଦ୍ୱାରା ସମ୍ପାଦକଙ୍କର ସମ୍ମାନ ହାନି ହେବ ଏବଂ ସମ୍ବାଦଦାତାଙ୍କ ପ୍ରତି ବିଶ୍ୱାସଘାତକତା ହେବ ।’’ ଏହା ଫଳରେ ସମାଜ ଅଫିସ୍‌ ଖାନତଲାସ କରାଗଲା । ଏବଂ ମୁଦ୍ରାକର ଓ ପ୍ରକାଶକଙ୍କୁ ଶହେ ଟଙ୍କା ଜୋରିମାନା ଦେବାକୁ ପଡ଼ିଲା । କିନ୍ତୁ ସମ୍ପାଦକ ଗୋପବନ୍ଧୁ ଦଣ୍ଡ ପାଇନାହାନ୍ତି । ରାୟ ପୂର୍ବରୁ ସେ ପ୍ରାଣତ୍ୟାଗ କରିଥିଲେ ।

 

ମୃତ୍ୟୁ ପୂର୍ବରୁ ସେ ‘ସମାଜ’ ଓ ସତ୍ୟବାଦୀ ପ୍ରେସ୍‌କୁ ଲୋକସେବକ ସମାଜ (People's Service Society) ହାତରେ, ଦେଇ ଦେଇଥିଲେ । ସମାଜର ସ୍ଥାୟିତ୍ୱ ସକାଶେ ହିଁ ସେ ‘ସମାଜ’କୁ ‘ସମାଜ’ ହାତରେ ଦେଇଛନ୍ତି ବୋଲି ସେ କହିଥିଲେ ।

 

୧୯୩୦ ଅପ୍ରେଲ ୬ରେ ‘ସମାଜ’ ପଇସିକିଆ ଦୈନିକ କାଗଜ ହୋଇ ବାହାରିଲା । ସେତେବେଳେ ଏହା ଡବଲ କ୍ରାଉନର ୨ଟି ପତ୍ର ଥିଲା । ୧୯୩୧ରେ ଏହା ରୀତିମତ ଦୈନିକ କାଗଜ ରୂପେ ଡବଲ୍‌ ଡିମେଇ ଆକାରରେ ବାହାରିଲା ଏବଂ ୧୯୩୩ରୁ ବର୍ତ୍ତମାନ ବାହାରୁଥିବା ଆକାରରେ ବାହାରିଲା । ଆଦି ଯେ ‘ସମାଜ’ ବଞ୍ଚିରହି ଓଡ଼ିଶାର ଜନସାଧାରଣଙ୍କୁ ସେବା କରି ଲାଗିଛି, ତାହା ଗୋପବନ୍ଧୁଙ୍କ ଦୂରଦୃଷ୍ଟିର ପରିମାଣ ।

 

ଗୋପବନ୍ଧୁଙ୍କ ‘ସମାଜ’ ଏଭଳି ଲୋକପ୍ରିୟ ହୋଇ ଉଠିଥିଲା ଯେ ଏବେ ମଧ୍ୟ ମଫସଲ ଅଞ୍ଚଳରେ ଅନେକେ ଯେକୌଣସି ଖବରକାଗଜକୁ ‘ସମାଜ’ ବୋଲି କହିଥାନ୍ତି । ଏହାର ଦୁଇଟି ପ୍ରଧାନ କାରଣ ହୋଇପାରେ ଗୋଟିଏ ହେଉଛି ‘ସମାଜ’ ର ବଳିଷ୍ଠ ଅଥଚ ସରଳ ଭାଷା ଏବଂ ଅନ୍ୟଟି ହେଉଛି ସେହି କାଗଜରେ ଲୋକଙ୍କ ଆଶା, ଆଶଙ୍କା ଓ ଆକାଂକ୍ଷାର ପ୍ରତିଫଳନ । ତାହା କେବଳ ଦୁର୍ଭିକ୍ଷ ବା ବନ୍ୟାର ସମସ୍ୟା ସମ୍ପର୍କରେ ନୁହେଁ ବା ଉତ୍କଳ ସମ୍ମିଳନୀ ସମ୍ପର୍କରେ ନୁହେଁ-ଓଡ଼ିଶାର ଜାତୀୟ ଭାବଧାରାର ସୁଅ ଛୁଟାଇବା ଦିଗରେ ଏବଂ କଂଗ୍ରେସ ଆନ୍ଦୋଳନରେ ଏହା ଏକ ମୁଖ୍ୟ ମାଧ୍ୟମ ରୂପେ କାର୍ଯ୍ୟ କରିଥିବା ଦିଗରେ ମଧ୍ୟ ।

 

ଡକ୍ଟର ମାୟାଧର ମାନସିଂହ ଲେଖିଛନ୍ତି-‘ସତ୍ୟବାଦୀ’ ଓ ‘ସମାଜ’ରେ ଗୋପବନ୍ଧୁ ଯେଉଁ ଗଦ୍ୟ ବ୍ୟବହାର କଲେ, ଶିଷ୍ଟ ଓ ଗ୍ରାମ୍ୟ ଭାଷାର ମଧୁର ମିଶ୍ରଣରେ ଓ ମଞ୍ଜୁଳ ଧ୍ୱନିବତ୍ତା ଓ ଛନ୍ଦୋମୟତା ଘେନି, ତାହା ଏକ ମହାପ୍ରାଣର ସ୍ପର୍ଶରେ ମାନବର ବାଣୀ କି ଉଦାର ସୁନ୍ଦର ହୋଇପାରେ, ତାହା ଦେଖାଇଦେବା ସଙ୍ଗେ ସଙ୍ଗେ, ଆମକୁ ସ୍ମରଣ କରାଇ ଦେଉଛି, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ବାଇବୀଲିୟ ମାଧୁରୀ ।’’

 

ଗୋପବନ୍ଧୁ ସହଜବୋଧ୍ୟ ଭାଷାର ଉଦାହରଣ । ୧୯୧୯ ଦୁର୍ଭିକ୍ଷ ସମ୍ବନ୍ଧରେ ସେ ଲେଖିଥିଲେ –

 

‘‘ଅନେକ ସ୍ଥାନରେ ଲୋକଙ୍କର ଅବସ୍ଥା ଶେଷ । ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା । ପୁଅଠାରୁ ଛ’ଭାଇ ମା’ ଖାଇବାର ଦେଖାଗଲା । କିଆ କନ୍ଦା ଗଛର ମୂଳ, ବିଛୁଆତି ପତ୍ର ଆଦି ଖାଦ୍ୟ ପେଟ ବିକଳରେ ଲୋକେ ଖାଇଲେ । ସେ ଆଉ ମିଳୁନାହିଁ । ମଫସଲରେ ଅନେକ ସ୍ଥାନରେ, ବିଶେଷତଃ ଧୋଇଆ ମୂଲକରେ ରାସ୍ତା ବାଟଘାଟ ସବୁଠାରେ କଙ୍କାଳ ଘେନି ଲୋକେ ଟଳଟଳ ହେଉଛନ୍ତି । ସେମାନଙ୍କୁ ଦେଖିଲେ ଡର ମାଡ଼ୁଛି । ଜଣେ ଜଣେ ପଡ଼ି ମରି ଯାଉଛନ୍ତି । ବାଟ ପାଖରେ ଏପରି କେତେ ମଡ଼ା ଦେଖା ଯାଉଛନ୍ତି । ଜେଲଖାନାକୁ ଗଲେ ଖାଇବାକୁ ପାଇ ପ୍ରାଣ ବଞ୍ଚାଇବେ ବୋଲି ଜାଣିଶୁଣି ଅନେକେ ଚୋରି କରୁଛନ୍ତି । କିଣିବାକୁ ଧାନ ଚାଉଳ ମିଳୁନାହିଁ-। ମଜୁରି ଲାଗିବାକୁ ଯାହାଙ୍କର ସାମାନ୍ୟ ଟିକିଏ ବଳ ଅଛି, ତାଙ୍କୁ ମଜୁରି ମିଳୁନାହିଁ । ଛୋଟ ପିଲାକୁ ମା’ ଛାଡ଼ିଦେଇ ସ୍ତ୍ରୀକୁ ସ୍ୱାମୀ ଛାଡ଼ି ଦେଇ କିଏ କେଉଁଆଡ଼େ ଜୀବନ ବିକଳରେ ପଳାଇଲେଣି । କେତେ ଅନାଥ ପିଲା ଏଠି ପଡ଼ି ଛଟପଟ ହେଉଛନ୍ତି । ଆଉ ଅବସ୍ଥା ଅଧିକ କ’ଣ ହୁଅନ୍ତା ? ନଅଙ୍କର ଦୃଶ୍ୟ ସ୍ଥାନେ ସ୍ଥାନେ ଲୋକ ଦେଖିଲେ ।’’

 

‘ବନ୍ଦୀର ଆତ୍ମକଥା’ର କବି ଏହି ଗଦ୍ୟ ଭିତରେ ଯେମିତି ଝରାଇଛନ୍ତି ଏକ କରୁଣ କବିତା-!

ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଲେଖିଛନ୍ତି ଯେ ଗୋପବନ୍ଧୁ ଓଡ଼ିଶାର ସାମ୍ବାଦିକତାର ଜନକ ଏବଂ ଦର୍ଶାଇଛନ୍ତି ଯେ ଗୋପବନ୍ଧୁ ଛଅ ବର୍ଷ କାଳ ଦୈନିକ ‘ଆଶା’ର ସମ୍ପାଦକୀୟ ଲେଖୁଥିଲେ । ଏହି ପ୍ରକାର ଉକ୍ତି କିନ୍ତୁ ମୂଳରୁ ସମ୍ବାଦପତ୍ର ଆରମ୍ଭ କରିଥିବା ସାଧୁସୁନ୍ଦର ଦାସ, ରେଭେରେଣ୍ଡ ଲେସି ବା ଗୌରୀଶଙ୍କର ରାୟଙ୍କ ଠାରୁ ଆରମ୍ଭ କରି ଏହି ଶତାବ୍ଦୀର ଶଶୀଭୂଷଣ ରଥଙ୍କ କୃତିତ୍ୱକୁ ବାଦ ଦେଉଛି । ତେବେ ଶଶୀଭୂଷଣ ରଥ ଏବଂ ଗୋପବନ୍ଧୁ ଦାସ ଆକର୍ଷଣକାରୀ ତୁଳନୀୟ ଦୁଇଟି ଚରିତ୍ର । ଉଭୟେ ଥିଲେ ରାଜନୈତିକ ସାମ୍ବାଦିକ । ଜଣେ ଥିଲେ ଯୋଦ୍ଧା ଗଦ୍ୟମୟ, ଅନ୍ୟ ଜଣକ ଦରଦୀ କବି । ଉଭୟେ ଅଭାବଗ୍ରସ୍ତ - ଜଣେ ଥିଲେ କୁଶଳୀ ପରିଚାଳକ; ଅନ୍ୟ ଜଣଙ୍କର ନିବେଦନ ଥିଲା ପ୍ରାଣସ୍ପର୍ଶୀ । ଉଭୟେ ଦୁଇଟି ଲୋକପ୍ରିୟ ପତ୍ରିକା ବାହାର କରିଥିଲେ ଏବଂ ଉଭୟେ ନିଜ ନିଜ ପତ୍ରିକାକୁ ନେଇ ପହଞ୍ଚିଥିଲେ କଟରେ । ଜଣକର ଉଦ୍ୟମ ତାଙ୍କ ଅନ୍ତେ ଆଜି ଇତିହାସରେ ଲୁଚି ଯାଇଛି - ଅନ୍ୟ ଜଣକର ଉଦ୍ୟମର ସ୍ମାରକୀ ଆଜି ମଧ୍ୟ ଆପଣଙ୍କ ନିକଟରେ ।

 

ପ୍ରଫେସର, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର-୭ ।। ଗଂଜାମ

***

 

ପ୍ରାପ୍ତେଷୁ, ସଂକ୍ରାନ୍ତରେ ଏବଂ ଅନ୍ୟାନ୍ୟ

ଶ୍ରୀ ବେଣୁଧର ରାଉତ

 

ସରକାରୀ ଭାଷା ରୂପେ ଓଡ଼ିଆ ଭାଷାର ପ୍ରଚଳନ କରିବା ପ୍ରୟାସ କରିଥିଲେ, ପ୍ରାୟ ୨୮/୨୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ । ତାହା ସଫଳ ହେଲାନାହିଁ । ସୁଖର କଥା, ଏବେ ତାହା ସମ୍ଭବ ହୋଇଛି । ଆମ ସରକାରଙ୍କ ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ଯଥୋଚିତ ଓ ସମରୂପ ବ୍ୟବହାର ହେବାପାଇଁ ଦୁଇଟି ପୁସ୍ତକ ଦିଗ୍‌ଦର୍ଶକ ଆଦର୍ଶ ରୂପେ ପ୍ରକାଶ କରିଛନ୍ତି ବିଧିବିଭାଗ, ଓଡ଼ିଶା ସଚିବାଳୟ - ସରକାରୀ ଭାଷା ସହଚର ଓ ପ୍ରଶାସନ ଶବ୍ଦକୋଷ ।

 

ଉଲ୍ଲିଖିତ, କ୍ଷୁଦ୍ରତର, ପ୍ରଥମ ପୁସ୍ତକର ଭୂମିକାରେ ସଂପୃକ୍ତ ମନ୍ତ୍ରୀ ମହୋଦୟ କହିଛନ୍ତି, ‘‘ଓଡ଼ିଆ ଭାଷାର ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ପାଇଁ ପୁସ୍ତକଟି ବିଶେଷ ଉପଯୋଗୀ ହେବ ବୋଲି ଆଶା କରାଯାଉଅଛି । ପାଠକମାନେ ଏହାର ସଂଶୋଧନ ପାଇଁ ପରାମର୍ଶ ଦେଲେ ତାହାକୁ ସାଦରେ ଗ୍ରହଣ କରାଯିବ ଓ ପରବର୍ତ୍ତୀ ସଂସ୍କରଣରେ ଦୋଷତ୍ରୁଟି ସୁଧାରିବା ଲାଗି ଯତ୍ନ କରାଯିବ-।’’ ପୁନଶ୍ଚ ଏ ପୁସ୍ତକରେ ସାମାନ୍ୟ କଥନରେ ଅନୁରୂପ ସ୍ପଷ୍ଟୀକରଣ ଭିତରେ କୁହାଯାଇଛି, ‘‘....ଇଂରେଜୀ ଭାଷାର ମାନକୁ ଦୃଷ୍ଟିରେ ରଖି... କାର୍ଯ୍ୟାଳୟରେ ବ୍ୟବହାରପଯୋଗୀ କତିପୟ ଟିପ୍‌ପଣୀ ଓ ଚିଠାର ନମୁନା ଯୋଗାଇବା ଉଦ୍ଦେଶ୍ୟରେ ଏହି ପ୍ରକରଣ ପୁସ୍ତିକାଟି ପ୍ରସ୍ତୁତ ହୋଇଛି-।’’ ପୁଣି କୁହାଯାଇଛି, ‘‘ଏହି ପ୍ରକରଣ ପୁସ୍ତିକାଟି ଏକ ପ୍ରାରମ୍ଭିକ ଉଦ୍ୟମର ଫଳ । ବିଭିନ୍ନ କାର୍ଯ୍ୟାଳୟରେ ବ୍ୟବହୃତ ବିବିଧ ଚିଠା ଓ ଟିପ୍‌ପଣୀ ସଂଗୃହୀତ ହେବାପରେ ଏକ ପୂର୍ଣ୍ଣାଙ୍ଗ ପ୍ରକରଣ ପୁସ୍ତିକା ରଚିତ ହେବ ।’’

 

ଏଣିକି ଏଇ ଆଲୋଚ୍ୟ ପୁସ୍ତିକାଟି ନିଜ ନିଜ ଦପ୍ତରରେ ଅଧିକାରୀ ଓ କର୍ମଚାରୀମାନଙ୍କର ସରକାରୀ କର୍ମସଙ୍ଗିନୀ, ଅର୍ଦ୍ଧାଙ୍ଗୀ ଭଳି ହେବ-କାନରେ କହିବ, ଆଖିରେ ଦେଖାଇବ, ପାଖରେ ଶୋହିବ, ଏମନ୍ତ ମନେ ହେବା ସ୍ୱାଭାବିକ ।

 

ସେଥିପାଇଁ ତହିଁରେ ଥିବା କେତେକ ତ୍ରୁଟିବିଚ୍ୟୁତି ପ୍ରତି ଅଧିକାରୀ, କର୍ମଚାରୀ ତଥା ଅନ୍ୟାନଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେହେତୁ ଏଇ ଭାଷାଗତ ଦୋଷତ୍ରୁଟି ଥରେ ଅଭ୍ୟାସରେ ପଡ଼ିଗଲେ ସେଥିରୁ ନିଜକୁ ସୁଧାରିବା ଦୁଷ୍କର । ଶବ୍ଦର ଅସାବଧାନ, ଯଥେଚ୍ଛ ବା ଦୂଷିତ ବ୍ୟବହାର କରିବା ବ୍ୟକ୍ତି ଯଥାର୍ଥ ସଭ୍ୟ ନୁହେଁ ବୋଲି ବିଶିଷ୍ଟ କବି ଓ ସମାଲୋଚକ ସିସିଲ ଡେ ଲୁଇ ଯେ ବିରକ୍ତି ପ୍ରକାଶ କରିଛନ୍ତି, ସେପରି ପରିସ୍ଥିତିରୁ ଆମ ଲୋକେ କ’ଣ ମୁକ୍ତି ଚିନ୍ତା କରିବା ଉଚିତ ନୁହେଁ-? ଏଇ କାରଣରୁ ଆମ ଭାଷାର ମର୍ଯ୍ୟାଦା କଳ୍ପେ ସରକାରୀ ଭାଷା ସହଚରର ମାର୍ଜନା ତଥା ଯଥୋଚିତ ସଂଶୋଧନ ପତ୍ର ସଂପ୍ତୃକ୍ତ କାର୍ଯ୍ୟାଳୟ ବା ଦପ୍ତରମାନଙ୍କୁ ପ୍ରେରିତ ହେବା ଚାହୁଁଛି । (ତା’ ନହେଲେ ଭୟ - ସରକାରୀ ‘ଭାଷା-ସହଚର’ ହୋଇଯିବ ‘ସରକାରୀ ଭାଷା’ ସହଚର ।)

 

ଦେଖନ୍ତୁ ଅଧ୍ୟାୟ 1ର (କ) ମାର୍ଗଦର୍ଶନ । ‘3. ଯଦି ଅନ୍ୟ କାର୍ଯ୍ୟାଳୟର ବା ଉପରିସ୍ଥ ଅଧିକାରୀଙ୍କର ।’ ଏଥିରେ ଉପରିସ୍ଥ ପ୍ରୟୋଗ ବିଲ୍‌ କୁଲ୍‌ ଠିକ୍‌ । ଅଥଚ ତଳେ (ଚ) ଟିପ୍‌ପଣୀ ପର୍ଯ୍ୟାୟରେ, ଇଂରେଜୀରୁ ଓଡ଼ିଆ ରୂପାନ୍ତରରେ ‘ଉପରି’ର ହବୁତ ଭୁଲ୍‌ ପ୍ରୟୋଗ ରହି ଯାଇଛି । ଯଥା : - ଦୟାକରି ଉପର ଲିଖିତ ଟିପ୍‌ପଣୀ ପାଠ କରନ୍ତୁ/ଉପର ଲିଖିତ ଟିପ୍‌ପଣୀରେ ପରିସ୍ଥିତି .../ ଉପର ଲିଖିତ ତଥ୍ୟାବଳୀ ଦୃଷ୍ଟିରୁ .../ (ପୃ-୪୬)...ଉପର ଲିଖିତ ରିଟର୍ଣ୍ଣ ଶୂନ୍ୟ ଅଟେ । ପୁଣି ହେଲା Query above - ଉପରୋକ୍ତ ପ୍ରଶ୍ନ ।

 

ଅଥଚ ପୃ - 48 ରେ ଅଶୁଦ୍ଧ ଶବ୍ଦ ପର୍ଯ୍ୟାୟରେ ‘ଉପରୋକ୍ତ’ର ଶୁଦ୍ଧ ରୂପ ଯଥାର୍ଥ ରୂପେ ଦିଆଯାଇଛି - ଉପର୍ଯ୍ୟୁକ୍ତ (ଉପରି+ଉକ୍ତ) । ତେବେ ଉଚ୍ଚାରଣ ସୌକର୍ଯ୍ୟରୁ ଉପର୍ଯ୍ୟୁକ୍ତ ସହିତ କିମ୍ବା ପରିବର୍ତ୍ତେ ଉପରିକଥିତ କୁହାଯାଇ ପାରେ । ଉପର ଲିଖିତ ଯେମିତି ଉପରଲିଖିତ ହୁଅନ୍ତା ।

 

 

ଏଇ ଅଧ୍ୟାୟର (ଗ) ତାରିଖ । ପ୍ରଥମ ବାକ୍ୟଟି ଦେଖନ୍ତୁ - ‘ସମସ୍ତ ସରକାରୀ କାର୍ଯ୍ୟରେ ତାରିଖ ଲେଖିଲାବେଳେ ପ୍ରଥମେ ତାରିଖ ସୂଚକ ‘ତା’ ଚିହ୍ନ.. ।’ ପୁଣି ଅଶୁଦ୍ଧି ପରିହାର (ପୃ-47) ସମ୍ପର୍କରେ ବି ସେଇପରି ଲେଖାଯାଇଛି ପ୍ରଥମ ବାକ୍ୟରେ -‘ଓଡ଼ିଆରେ ଲେଖିଲାବେଳେ...’ ‘ଲେଖିଲା’ ହେଉଛି ଅତୀତ କାଳ ‘ଲେଖିବା’ କ୍ରିୟାପଦର । ତା’ ସାଙ୍ଗକୁ ‘ବେଳେ’ ମିଶାଇ ଲେଖିବାରେ କାର୍ଯ୍ୟର ବା କର୍ମର ନିରବିଚ୍ଛିନ୍ନ ବୁଝାଉଛି । ତେଣୁ ଲେଖିଲାବେଳେ ସ୍ଥାନରେ ଲେଖିଲାବେଳେ, କଲାବେଳେ ସ୍ଥାନରେ କରିବାବେଳେ, ଗଲାବେଳେ ସ୍ଥାନରେ ଯିବାବେଳେ ଇତ୍ୟାଦି ସଂଗତ । (ଏଇ ସଂଶୋଧିତ ରୂପଟି ମୁଁ ଶିଖିଥିଲି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ିବା କାଳରୁ (ପଢ଼ିଲା କାଳରୁ କଲେଜରେ ପୂଜନୀୟ ଅଧ୍ୟାପକ ରାମଚନ୍ଦ୍ର ମହାପାତ୍ରଙ୍କ ଠାରୁ । ନବେ ବର୍ଷରୁ ଅଧିକ ବୟସର ପ୍ରଥମ ଗୁରୁଦେବ ଏବେ ବି ଜୀବିତ ।) ଉଲ୍ଲିଖିତ ଦୂଷିତ ପ୍ରୟୋଗ ଆମେ ଚିନ୍ତା ନ କରି, ଅଭ୍ୟାସବଶରୁ କରିଥାଉଁ ବୋଲି ଏବେ ଅଭ୍ୟସ୍ତ ଭୂଲ୍‌ ଟା ବି ଠିକ୍‌ ଲାଗୁଥିବ ।

 

 

ସେମିତି ଅନ୍ୟ ଗୋଟାଏ ଅଭ୍ୟସ୍ତ ଦୃଷ୍ଟ ପ୍ରୟୋଗ ହେଉଛି - ସଂକ୍ରାନ୍ତରେ । ଏଇ ବିଶେଷଣ ପଦଟି ବିଶେଷ୍ୟ ପଦ ରୂପେ ପ୍ରଚଳିତ ହୋଇ ଆସୁଛି । (ଯେମିତି ଜଣେ ପ୍ରଧାନମନ୍ତ୍ରୀଙ୍କ ପୁଅ ପ୍ରଧାନମନ୍ତ୍ରୀ ପରି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପୁଅ ମୁଖ୍ୟମନ୍ତ୍ରୀ ପରି ଚଳପ୍ରଚଳ କଲେ ଗ୍ରହଣୀୟ ପରି ହୋଇଯାଇ ପାରେ ।) ସଂକ୍ରାନ୍ତର ବିଶେଷ୍ୟ ପଦ ରୂପଟି ହେଉଛି-ସଂକ୍ରମ ।

 

 

(ଚ) ଟିପ୍‌ପଣୀ ପର୍ଯ୍ୟାୟରେ ଅଛି - In this Connection it my be pointed out that - ଏ ସଂକ୍ରାନ୍ତରେ ଦର୍ଶାଇ ଦିଆଯାଇ ପାରେ ଯେ । ଏ ସଂକ୍ରମରେ ଅଖାଡ଼ୁଆ ? ଏ ପ୍ରସଙ୍ଗରେ ଅନୁରୂପ ଦୃଷ୍ଟାନ୍ତ ଦିଆଯାଉ :- ମହାବୀର ଖାରବେଳ ପରାକ୍ରମରେ/ବିକ୍ରମରେ ଅପ୍ରତିନ୍ଦ୍ୱନ୍ଦୀ ଥିଲେ; ପ୍ରବନ୍ଧର ଉପକ୍ରମରେ ସୂଚନା ଦିଆଯାଇଛି ଯେ- ଇତ୍ୟାଦି । ଯଦି କୁହାଯାଏ, ଖାରବେଳ ପରାକ୍ରାନ୍ତରେ/ବିକ୍ରାନ୍ତରେ ...କିମ୍ବା, ପ୍ରବନ୍ଧର ଉପକ୍ରାନ୍ତରେ....ଠିକ ଲାଗିବ କି ?

 

 

ମୁଁ ଗୋଟିଏ ବୟସ୍କ (ମଧ୍ୟ ଠିକ୍‌) ଏବଂ ବିଶିଷ୍ଟ ଖବରକାଗଜର ପୁରୁଣା ପାଠକ । ସେଥିରେ ପ୍ରତିଦିନ ଦେଖେଁ - ବିଶେଷ୍ୟ ପଦ ରୂପରେ ‘ବହବଃ’ ‘ସଂକ୍ରାନ୍ତରେ’ ପ୍ରୟୋଗ । ଥରେ ଦେଖିଥିଲି ଦଶ କି ଏଗାର ବାର ପୁନରାବୃତ୍ତି । ଆଉ ଥରେ କି ଦି’ ଥର ହୋଇଥିଲେ ହୋଇଥାନ୍ତା ବା’ର ବାର । ବାରମ୍ବାର ତ ସହଜେ । ତହିଁକି ପୁଣି ‘ସଂକ୍ରାନ୍ତ’ର ବିଶେଷଣ ପଦ ରୂପେ ବେଳେ ବେଳେ ସେଇ କାଗଜରେ ନୟନପଥାରୂଢ଼ ହୋଇଥାଏ ସଂକ୍ରାନ୍ତୀୟ । ଏଇ ଦୁଇଟା ଶବ୍ଦର ଅବିକଳ ଇଂରାଜୀ ବ୍ୟବହାର ଏଇ ରୀତିରେ କଲେ କେମିତିକା ମଜା, ଦେଖନ୍ତୁ - ଏ ସଂକ୍ରାନ୍ତରେ ଦର୍ଶାଇ ଦିଆଯାଇପାରେ କି - In this Connected it may be pointed out that କିମ୍ବା, ସେଇ ଘଟଣା ସଂକ୍ରାନ୍ତୀୟ ଆପଣଙ୍କ ରିପୋର୍ଟ - Your report connectedic with that incident.... ବିଦେଶୀ ଇଂରେଜୀ ଭାଷାର ଏମନ୍ତ ରୂପ ଦେଖି ଆପଣ କେତେ ସରି (Sorry ? ନା ପୁଣି ହଁ) ହେଉଥିବେ, ଭାଙ୍ଗି ପଡ଼ୁଥିବେ । ମାତ୍ର ଦେଶୀ ତ ଦେଶୀ, ସର୍ବୋପରି ମାତୃଭାଷାରେ ଅନୁରୂପ ବିକଳବିକୃତ ଅବସ୍ଥାରେ ନିର୍ବିକାର କାହିଁକି ? ଏ ପ୍ରସଙ୍ଗ ଅବାନ୍ତର ଲାଗୁଥିଲେ ଏହାକୁ ଗୋଟାଏ ଦରକାରୀ ଅବାନ୍ତର ବିଷୟ ଭାବରେ ଘେନିବାକୁ ଅନୁରୋଧ ।

 

 

ଏବେ ‘ସଂକ୍ରାନ୍ତରେ’ ସଂକ୍ରାନ୍ତ ଉପକ୍ରମ ଭାଗକୁ ଆସନ୍ତୁ । ମନେହୁଏ, ଏହା ପରିବର୍ତ୍ତେ ‘ସଂକ୍ରମରେ’ ବ୍ୟବହାର ଅଖାଡ଼ୁଆ ପୁଣି ଅଚିହ୍ନା ଭଳି ଲାଗିବ । ତା ହେଲେ ଅଶୁଦ୍ଧ ‘ସଂକ୍ରାନ୍ତରେ’ ବ୍ୟବହାର ନ କରି ‘ସମ୍ପର୍କରେ’ ‘ସମ୍ବନ୍ଧରେ’ ‘ପ୍ରସଙ୍ଗରେ’ ପରି ବିକଳ୍ପ ଶବ୍ଦ, ବିଶେଷ୍ୟ ପଦମାନଙ୍କ ମଧ୍ୟରୁ ଯଥାର୍ଥ ଶବ୍ଦଟି ବାଛି ବ୍ୟବହାର କରିବା ଉଚିତ ହେବ । ଏ କ୍ଷେତ୍ରରେ, ହିନ୍ଦୀବାଲାଏ ବିଶେଷ ବ୍ୟବହାର କରୁଛନ୍ତି-ସମ୍ବନ୍ଧରେ । ପୁନଶ୍ଚ ଏଇ ଶବ୍ଦଗୁଡ଼ିକର ପ୍ରଚଳିତ ବିଶେଷଣ ରୂପର ବ୍ୟବହାର ବା ପ୍ରୟୋଗ ସ୍ଥଳରେ ମଧ୍ୟ ଅନୁରୂପ ଆଚରଣ କାମ୍ୟ; ତାହାସବୁ - ସଂକ୍ରାନ୍ତ, ସଂପୃକ୍ତ, ସମ୍ପର୍କିତ, ସମ୍ପର୍କୀୟ, ସମ୍ବନ୍ଧୀୟ, ସମ୍ବନ୍ଧିତ ।

 

 

୪ । (ଛ) ଆଦେଶ ପର୍ଯ୍ୟାୟରେ As proposedର ରୂପାନ୍ତରରେ ‘ପ୍ରସ୍ତାବ ପ୍ରକାରେ’ ଆପାତତଃ ଠିକ୍‌ ଥିଲେ ବି ଟିକିଏ କେମିତି କେମିତି ଲାଗୁଛି । ଦୃଷ୍ଟାନ୍ତ ଦେଖନ୍ତୁ - ପ୍ରସ୍ତାବ ପ୍ରକାରେ (ବିଷୟ ପ୍ରକାରେ) ତହିଁରେ ନଥାଇ ମଧ୍ୟ ‘ବିଷୟ ପ୍ରକାରେ’ ଧ୍ୱନିତ ହେଉନାହିଁ କି ? ତା ଅର୍ଥ - ପ୍ରସ୍ତାବ ଗୋଟାଏ ପ୍ରକାର ହୋଇଛି, (ଗ୍ରାହ୍ୟ ହୋଇ ନପାରେ) । ଏପରି ସମ୍ଭାବନାସ୍ଥଳେ ଅଧିକ ପରିଚ୍ଛନ୍ନତା ଦୃଷ୍ଟିରୁ ବିକଳ୍ପ - ପ୍ରସ୍ତାବ ମୁତାବକ, ପ୍ରସ୍ତାବ ଅନୁଯାୟୀ, ପ୍ରସ୍ତାବ ଅନୁସାରେ, ପ୍ରସ୍ତାବ ଗ୍ରାହ୍ୟ - ଏଥିରୁ କେଉଁଟା ଠିକ୍‌ ଲାଗନ୍ତା ? ମୋର ଇଏ ଗୋଟାଏ ପ୍ରସ୍ତାବ ମାତ୍ର ।

 

 

ଆଉ ବି, ଏଇ ପ୍ରସଙ୍ଗରେ ତାହାର ବିକଳ୍ପ ‘ତଥାସ୍ତୁ’ ମଧ୍ୟ କେମିତି ଲାଗୁଛି । ଠାକୁରିଆ । ଅର୍ଥାତ୍‌ ଠାକୁରଙ୍କ ଠାକୁର ମହାଦେବ ଅଥବା ଭଗବାନ ବୁଦ୍ଧ ବରାଭୟଦାୟୀ କରମୁଦ୍ର । ପ୍ରଦର୍ଶନପୂର୍ବକ ତଥାସ୍ତୁ କହିବାଭଳି । ଅବଶ୍ୟ ହିନ୍ଦୀବାଲାଙ୍କର ଅଭ୍ୟାସରେ ପଡ଼ିଗଲାଣି ଏ ଧରଣର ପ୍ରୟୋଗ; ଯେମିତି - ଅସ୍ତୁ, ଅନ୍ତିମ ତଥି (ବାହାଘର ସମ୍ପର୍କରେ ନୁହେଁ, ଏ ହେଲା Last date; ଆମର - ଶେଷ ତାରିଖ/ଦିନ ।)

 

 

ଦେଖନ୍ତୁ ଅଧ୍ୟାୟ - ୨ ଚିଠା (Drafting) ପ୍ରସଙ୍ଗ । ନମୁନାରେ ଲେଖାଯାଇଛି Form ସ୍ଥାନରେ ପ୍ରେଷକ ଏବଂ To ସ୍ଥାନରେ ପ୍ରାପ୍ତେଷୁ ।

 

 

ଏ କ୍ଷେତ୍ରରେ, ଓଡ଼ିଆ ଚିଠିପତ୍ର ଦିଆନିଆରେ ତହିଁର ଯଥାସ୍ଥାନରେ ଲେଖାଯାଉଛି- ପ୍ରେରକ । ଏଇ ସାଧାରଣ ପ୍ରଚଳନର ପ୍ରେରକ ପରିବର୍ତ୍ତେ ପ୍ରେଷକ ଚଳାଇବାର କି ପ୍ରୟୋଜନ ଥିଲା ? ଅବଶ୍ୟ ଉଭୟ ଶବ୍ଦ ସମାନ ଅର୍ଥବାଚକ । ଏଇ ଅବସ୍ଥାରେ, ପାଦଟୀକାରେ ଦୁଇଟିଯାକ ପ୍ରଚଳିତ ଓ ଅପ୍ରଚଳିତ/କ୍ୱଚିତ୍‌ ପ୍ରଚଳିତ ଶବ୍ଦ - ପ୍ରେରକ ଓ ପ୍ରେଷକ ଦିଆଯାଇଥାନ୍ତା । ବିଭିନ୍ନ କାର୍ଯ୍ୟାଳୟରେ ବ୍ୟବହୃତ ବିବିଧ ଚିଠା, ଚିଠିପତ୍ର ଓ ଟିପ୍‌ଣୀ ଆଦି ସଂଗୃହୀତ ହେବାପରେ ଦେଖାଯାଇଥାନ୍ତା ଏଥିରୁ କେଉଁଟିର ଅଧିକ ବ୍ୟବହାର ହେଉଛି ବା ହୋଇଛି । କେବଳ ପ୍ରେଷକ ଉପରେ କାହିଁକି ଏତେ/ଏକତରଫା ‘ପ୍ରେସର’ ଦିଆଗଲା, ବୁଝି ହେଉନାହିଁ । ମୋର ମନେହୁଏ, ପ୍ରେଷକ (ପ୍ର-ଇଷ୍‌+ଅକ) ଅପେକ୍ଷା ପ୍ରେକ (ପ୍ର-ଈର+ଅକ) ଅଧିକ ଗ୍ରହଣୀୟ - ଯେମିତି ଊଣିଶ୍‌ଠାରୁ ବିଶ୍‌ କିମ୍ବା ବିଶ୍‌ଠାରୁ ବାଇଶ । କାରଣ, ସମାନ ମୂଳଜାତ ପ୍ରେଷ (ପ୍ର-ଇଷ୍‌+ଅ)ର ଅର୍ଥ କ୍ଲେଶ, ଦୁଃଖ । ଅନୁରୂପ ଶବ୍ଦ ପ୍ରେଷ୍ୟ/ପ୍ରୈଷ୍ୟ ହେଉଛି ଦାସ, ଭୃତ୍ୟ । ପ୍ରେଷ୍ୟା ଅର୍ଥ ଦାସୀ । ଦାସ ବା ଭୃତ୍ୟକୁ ଯୁଆଡ଼େ ପଠାଇବେ, ଦୁଃଖପାଉ-କ୍ଲେଶ ସହୁ ସେ ଯିବ । ଦାସୀକୁ ବି ଯୁଆଡ଼େ ପ୍ରେଷଣ କରିବେ ସେ ମାନିବାକୁ ବାଧ୍ୟ - ଦାସୀ ସୈରିନ୍ଧ୍ରୀ ଦୁଃଖ, ଅନିଚ୍ଛା ଓ ଭୟ ସତ୍ତ୍ୱେ କୀଚକପାଖକୁ ଯିବାପରି । ପ୍ରେଷକ ଶବ୍ଦରେ ପ୍ରଭୁତ୍ୱ/ହାକିମାତି, ଜବରଦସ୍ତ ଆଜ୍ଞାପାଳକ କରାଇବା ଏବଂ ତଜ୍ଜନିତ କ୍ଲେଶ ଧ୍ୱନିତ । ଅଧସ୍ତନ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀ ଚାକିରୀରୁ ନିଲଂବନ (Suspension) କରିବା, କୈଫିୟତ ତଲବ କରିବା ଭଳି ଚିଠିପତ୍ରରେ ପ୍ରେଷକ ବ୍ୟବହାର ‘ଧ୍ୱନି’ (Suggestiveness) ଦୃଷ୍ଟିରୁ ଯଥାର୍ଥ ହେବ । (ଏଇ କ୍ଷେତ୍ରରେ ପ୍ରେରକ ପ୍ରେଷକର ସମକଚ୍ଛ ହେବନାହିଁ ।) ଅଧସ୍ତନମାନେ ଉପରିସ୍ଥଙ୍କୁ ଚିଠିପତ୍ରରେ ସ୍ମାରକପତ୍ରରେ ପ୍ରେଷକ ଲେଖିବାବେଳେ ଦାବୀ ପେଶ୍‌ କରିବା, ଧର୍ମଘଟର ଧମକ ଦେବା, ବେଖାତିର ଭାବ ଦେଖାଇବା (ଯଥା-ଆମେ ହେଳାର୍ଥେ ଆ ପ୍ରତ୍ୟୟ ଯୋଗରେ ସାନ ଚାକିରିଆ ହେଲେ ବି ତୁମେଆପଣ ବଡ଼ଚାକର) ଆଦି ଧ୍ୱନିତ ହୋଇପାରେ । କାଳିଦାସ, ଗଙ୍ଗାଧରଙ୍କ ପରି କବିଙ୍କ କାବ୍ୟରେ ପଦସ୍ୱାରସ୍ୟର ବୁଝାମୁଣାରୁ ଏପରି ସମ୍ଭାବନା କରାଯାଇପାରେ । ମାତ୍ର ଦାପ୍ତରିକ ଭାଷା ତ କାବ୍ୟକବିତାର ଭାଷାନୁହେଁ । ସେଥିପାଇଁ କୌଣସି ଭାବନା କି ସମ୍ଭାବନା ନ କଲେ କିଛି ଯାଏଆସେ ନାହିଁ । ଚଳେଇନେଲେ ତ ସବୁ ଚଳିବ ରକ୍ଷିତା ସ୍ତ୍ରୀ ପରି ।

 

 

ତେବେ ଉଭୟ ଶବ୍ଦକୁ ଭିନ୍ନ ଭିନ୍ନ ରୂପରେ ଶୁଣନ୍ତୁ - ପ୍ରେରକ ପ୍ରେଷକ, ପ୍ରେରଣ ପ୍ରେଷଣ, ପ୍ରେରିତ ପ୍ରେଷିତ, ପ୍ରେଷଣୀୟ ପ୍ରେରଣୀୟ-ବାକ୍ୟରେ ପ୍ରତ୍ୟେକର ପ୍ରୟୋଗ କରି ମଧ୍ୟ ଶୁଣନ୍ତୁ କିପରି ଲାଗୁଛି । ମୋର ବିଶ୍ୱାସ, ପ୍ରେରକ ପରିବାର ଲାଗିବ ଅଧିକ ଭଦ୍ର ଓ ମଧୁର ଏବଂ ପ୍ରେଷକ ପରିବାର ଗନ୍ଧାଇବ ପଣ୍ଡିତିଆ-ନାକକୁ ନୁହେଁ, କାନକୁ । ପ୍ରେଷକକୁ କାମଚଳା (Adhoc ?) ପ୍ରୟୋଗ ରୂପେ ଘେନାଯାଇପାରେ । ଏହା ବାଧ୍ୟତାମୂଳକ ବି ନୁହେଁ । ଯେହେତୁ ‘ଭୂମିକା’ ରେ କୌଣସି ମାର୍ଜନା ସକାଶେ ପରାମର୍ଶ ଦେବାକୁ କୁହାଯାଇଛି-। ‘ସାମାନ୍ୟ କଥନ’ରେ ମଧ୍ୟ ସୂଚିତ ହୋଇଛି ଯେ ବିଭିନ୍ନ କାର୍ଯ୍ୟାଳୟରେ ନମୁନା ଶବ୍ଦଗୁଡ଼ିକର ବ୍ୟବହାରମାନ ସଂଗୃହୀତ ହେବାପରେ ପୂର୍ଣ୍ଣାଙ୍ଗ ପ୍ରକରଣ ପୁସ୍ତିକା ପ୍ରଣୟନ କରାଯିବ । ତା ହେଲେ ଯେଉଁ ଶବ୍ଦ ଅଧିକ ଭଲ ତାହା ବ୍ୟବହାର କରିବାକୁ ପରୋକ୍ଷରେ କୁହାଯାଇଛି । ମନା କରାଯାଇ ନାହିଁ । ବେଶ୍‌ ଭଲକଥା ।

 

 

ମାତ୍ର To ସ୍ଥାନରେ ‘ପ୍ରାପ୍ତେଷୁ’ ବ୍ୟବହାର କିପରି ସଙ୍ଗତ ହେବ ? ପ୍ରେରକ ବା ପ୍ରେଷକ ହେଉ, ତହିଁରେ ଅଂଶସ୍ୱରୂପ ଅକ ପ୍ରତ୍ୟୟର ସୁଷମତା (balance) ରକ୍ଷା ଦୃଷ୍ଟିରୁ ଏହା ହୁଅନ୍ତା ପ୍ରାପକ (ପ୍ର-ଆପ୍‌+ଅକ/ପ୍ର-ଆପି+ଅକ) ଯେ ପାଏ, ଯେ ନିଏ । ଏହାର ସଙ୍ଗୀ ଶବ୍ଦମାନ ହେଉଛି ପ୍ରାପିତ, ପ୍ରାପ୍ତ, ପ୍ରାପ୍ୟ, ପ୍ରାପଣୀୟ । ପ୍ରାପ୍ତେଷୁ ହେଲା ସଂସ୍କୃତରେ ପ୍ରାପ୍ତର ବହୁବଚନ ସପ୍ତମୀ ବିଭକ୍ତି ରୂପ । ପ୍ରାପକର ଅର୍ଥ, ଯେ ପାଏ; ବିଶେଷଣ ପଦ ‘ପ୍ରାପ୍ତ’ ର ଅର୍ଥ, ଯାହା ପ୍ରାପିତ ହୋଇଛି ବା ମିଳିଛି; ପ୍ରାପ୍ତେଷୁ ବୋଲନ୍ତେ ପ୍ରାପ୍ତ ବା ପ୍ରାପିତ ବିଷୟଗୁଡ଼ିକରେ । ‘ପ୍ରାପ୍ତେଷୁ ଫଳେଷୁ’ କହିଲେ ବା ମିଳିଛି; ପ୍ରାପ୍ତେଷୁ ବୋଲନ୍ତେ ପ୍ରାପ୍ତ ବା ପ୍ରାପିତ ବିଷୟଗୁଡ଼ିକରେ । ‘ପ୍ରାପ୍ତେଷୁ ଫଳେଷୁ’ କହିଲେ ବୁଝାଯିବ ପ୍ରାପ୍ତ/ମିଳିଥିବା ଫଳଗୁଡ଼ିକରେ । ଯେମିତି, ....ମା ଫଳେଷୁ କଦାଚନ - ପ୍ରୟୋଗ । ମନେକରନ୍ତୁ, ଆପଣଙ୍କ ପାଖକୁ ଚିଠିଟିଏ ପଠାଇଲି । ଆପଣ ହେବେ ପ୍ରାପକ (ପ୍ରାପ୍ତିକାରୀ, ଗ୍ରହଣକାରୀ), ଚିଠିଟି ହେବ ପ୍ରାପ୍ତ । କିନ୍ତୁ ଆପଣ ପ୍ରାପ୍ତେଷୁ ହେବେ କିପରି ? (ଏ ପ୍ରସଙ୍ଗରେ ଯେତେଦୂର ମନେ ହେଉଛି, କେତେବର୍ଷ ହେଲା ଶାନ୍ତିନିକେତନ ଆଡ଼ୁ ଏଇ ଫେସନପ୍ରବଣ ପ୍ରୟୋଗଟି ଚିଟାଉ ସାହିତ୍ୟ ସୂତ୍ରରେ ଆମ ଦେଖାଶିଖା ଓଡ଼ିଶା ଭିତରକୁ ପଶିଆସିଛି । ଉଷୁମ ବୟସର ବନ୍ଧୁ ବାନ୍ଧବୀଙ୍କ ମଧ୍ୟରେ ଯେଉଁ ପତ୍ରବିନିମୟ ଘଟେ, ତହିଁରେ ଠିକଣା ସ୍ଥାନରେ ସେମାନେ କେବଳ ଫେସନରୁ ପ୍ରାପ୍ତେଷୁ ଲେଖିଥାନ୍ତି, ବୁଝିଶୁଛି ନୁହେଁ । ଏ ପରମ୍ପରାଟା ଗୋଟାଏ ସାଧାରଣ କଥା । ତରୁଣ ବୟସକୁ, ତ୍ରୁଟି ହେଉ କି ଫେସନ ହେଉ, ଏହା ସାଜେ । ଥରେ ଜଣେ ତରୁଣ ଅଧ୍ୟାପକ ବନ୍ଧୁ ଏହାର ଅର୍ଥ କରୁଥିଲେ, ‘ସାର୍‌, ଆପଣ ଏଇ ଶବ୍ଦ ବ୍ୟବହାରରେ ବିରକ୍ତ ହେଉଛନ୍ତି ସିନା, ଏଥିରେ ବ୍ୟାସକୂଟ ପରି ଗୂଢ଼ାର୍ଥ ଅଛି । ପ୍ରେମର ଠାକୁର ପଞ୍ଚେଷୁ (ପଞ୍ଚଶର)ଙ୍କୁ ଆଶ୍ରାକରି ଯେଉଁ ତରୁଣ ବନ୍ଧୁବାନ୍ଧବୀ ଜଣେ ଅନ୍ୟଜଣକୁ ପତ୍ରଦିଏ, ତହିଁରେ ଠିକଣା ସ୍ଥାନରେ ପ୍ରାପକ ନ ଲେଖି, ଲେଖେ ପ୍ରାପ୍ତେଷୁ । କାରଣ ତା’ଦ୍ୱାରା ପ୍ରେରିତ ଠାକୁରଙ୍କ ‘ଏକତମ ଇଷୁ ଅନ୍ୟ ଜଣକ ଦ୍ୱାରା ପ୍ରାପ୍ତ ହେବ - ଅର୍ଥାତ୍‌ ପ୍ରେମର ଗୋଟାଏ ଆବେଦନ, କି ନିବେଦନ, କି ବାର୍ତ୍ତା - ଯାହା ହେଉ ଇଷୁଟି ହେବ ତା’ର ସଂକେତ, ମାନେ - କୋଡ଼୍‌ । ସୁପ୍ରଦଣ୍ଟ, ଅଧ୍ୟକ୍ଷ, କୁଳପତି, ନିଜ ମୁରବୀ - କେହି ବୁଝିପାରିବେ ନାହିଁ । ଦୁର୍ଭେଦ୍ୟ ବ୍ୟବସ୍ଥା । ତା’ ନ ହେଲେ ତ ପ୍ରାପ୍ତଶର ଲେଖାଯାଇ ପାରନ୍ତା ।’ ସେଇ ବନ୍ଧୁଙ୍କ ନାମ କହୁ ନାହିଁ । ପୁଣି ବିନାନୁମତିରେ ? ତା’ ଛଡ଼ା ସେ ନିଜେ ଇଷୁ ପଠାଉଥିଲେ ଯେମିତି, ପ୍ରତୀଷୁ ପ୍ରାପ୍ତିରେ ପୀଡ଼ା ପାଉଥିଲେ ସେମିତି । ଏଇ ବନ୍ଧୁ - ଉପଖ୍ୟାନଟି ସତ, କିନ୍ତୁ ଆପଣା ମିଛ କି ବିତର୍କ ଭାବିଲେ ବି କିଛି ଯାଏ ଆସେ ନାହିଁ । ତେବେ ଏ ପ୍ରାପ୍ତେଷୁ କାରବାରରୁ ସମସ୍ତ ଦପ୍ତର ଯେ ମୁକ୍ତ ରହିବ - ଏଇ ବିଶ୍ୱାସ ମୁଁ ପୋଷଣ କରୁଛି ।)

 

 

ଛାଡ଼ନ୍ତୁ, ଏବେ ପ୍ରସଙ୍ଗ ଉପରକୁ ଆସିବା । ଯଦି ପ୍ରାପ୍ତେଷରୁ ବ୍ୟବହାରକୁ ସମର୍ଥନ କରିବେ, ତା’ ହେଲେ ସୁଷମତା ବା ଭାରସାମ୍ୟ ଦୃଷ୍ଟିରୁ ପ୍ରେରକ/ପ୍ରେଷକ ପରିବର୍ତ୍ତେ ରଖାଯିବା ଉଚିତ - ପ୍ରେରିତେଷୁ/ପ୍ରେଷିତେଷୁ । ମନ୍ଦ କ’ଣ ? ଯଦି କୁହାଯାଏ ମାନ୍ୟାର୍ଥରେ ବହୁବଚନ ହେବ ପ୍ରାପ୍ତେଷୁ । ତେବେ ପ୍ରେଷକ କାହିଁକି ଅମାନ୍ୟାର୍ଥରେ ଏକଚବନ ହୋଇ ରହିଲା ? ପ୍ରେଷକ ଆଉ ପ୍ରାପ୍ତେଷୁ ଯୋଡ଼ିଟା ହେଉଛି a square peg in a round hole ପରି ପୁରାପୁରି ବେଖାପ୍‌ । ଆଲୋଚ୍ୟ କ୍ଷେତ୍ରରେ ପ୍ରାପ୍ତେଷୁ ହେଉଛି ଶହେରୁ ଶହେ ନିରର୍ଥକ । ଏ ଗୋଟାଏ ଅନୁକୃତ ଓ ଅଭ୍ୟସ୍ତ ଦୋଷ । ଜଣେ ଯୁବତୀର ଗୋଟାଏ କାନରେ କାନପାଶା ଓ ଅନ୍ୟ କାନରେ କାନଫୁଲ କି ପେଣ୍ଡି ଝୁଲାଇ ଦେଖନ୍ତୁ, କିପରି ଦିଶିବ । (ଅଧିକାରୀ) ଓ କର୍ମଚାରୀଙ୍କ ମଧ୍ୟରେ କେହି ରସିକ ବନ୍ଧୁ ଥିଲେ ତାଙ୍କୁ ମୋର ହାର୍ଦ୍ଦିକ ଅନୁରୋଧ - ସେ ତାଙ୍କ ଗୃହଲକ୍ଷ୍ମୀ ଓରଫ୍‌ ପତ୍ନୀ ଦେବୀଙ୍କଠାରେ ଏଇ ବିଷମ କର୍ଣ୍ଣାଳଙ୍କାର ଫେସନ୍‌ର ପ୍ରୟୋଗ ପରୀକ୍ଷା କରନ୍ତୁ, ସେଇଠୁ ଆମ ଆଲୋଚ୍ୟ ବିଷୟର ସମାଧାନ ମିଳିଯିବ । ଫଳ କ’ଣ ହେଲା, ଦୟାକରି ସେ ଜଣାଇବେ ।

 

 

ଓଡ଼ିଆରେ ଚିଠିପତ୍ର ଦେଲେ ମୁଁ ଠାବ/ଠିକଣା ଜାଗାରେ ପ୍ରେରକ ଓ ପ୍ରାପକ ଲେଖିଥାଏଁ ବୋଲି ନୁହେଁ, ଓଡ଼ିଶା ସାହିତ୍ୟ ଆକାଡ଼େମୀ ଭଳି ଅନୁଷ୍ଠାନର କାର୍ଯ୍ୟାଳୟରେ ବି ଏଇ ଯଥୋଚିତ୍ ପ୍ରୟୋଗ ହୋଇଆସୁଛି । ଓଡ଼ିଶା ବାହାରୁ ମୁଁ ପାଇଥିବା ବହୁ ଚିଠିପତ୍ର ହିନ୍ଦୀରେ ଲିଖିତ, ମାତ୍ର କୌଣସି ଠାରେ ମୋ’ ନାମ ପୂର୍ବରୁ ପ୍ରାପ୍ତେଷୁ ଦେଖିନାହିଁ; ଦେଖିଛି ପ୍ରାପକ, ପ୍ରାପ୍ତିକାରୀ, ପ୍ରାପ୍ତକାରୀ ମଧ୍ୟ । ଏ ସ୍ଥଳରେ ପ୍ରାପକ (ତଥା ପ୍ରେରକ) ଶବ୍ଦର ବ୍ୟବହାର ସମୀଚୀନ ହେବ । ଗୋଟିଏ ଦୃଷ୍ଟାନ୍ତ ନିଅନ୍ତୁ - receiving-house ଏହାର ଅର୍ଥ ଦିଆଯାଇଛି, ‘ପ୍ରାପକେର ନିକଟ ପ୍ରେରଣାର୍ଥ ଚିଠିପତ୍ରାଦି ଜମା ଦିବାର ଦଫ୍‌ତର୍‌ - (Sansad English - Bengali Dictionary : ସଂକଳୟିତା ଶୈଳନ୍ଦ୍ର ବିଶ୍ୱାସ ଓ ପରିମାର୍ଜକ/ସଂଶୋଧକ ପ୍ରଫେସର ସୁବୋଧ ଚନ୍ଦ୍ର ସେନଗୁପ୍ତ ଏବଂ ପ୍ରଫେସର ସୁଧାଂଶୁ କୁମାର ସେନଗୁପ୍ତ ।) ଏଠି ପ୍ରାପକ ଓ ପ୍ରେରଣ ଶବ୍ଦ ଦୁଇଟିର ପ୍ରୟୋଗ ଏକତ୍ର ଥିବାର ଦେଖି ଉଲ୍ଲେଖ କଲି ।

 

 

ପ୍ରଶଂସନୀୟ ଉଦ୍ୟମର ଏକତମ ଫଳସ୍ୱରୂପ ଆଲୋଚିତ ପୁସ୍ତିକାରେ କେତୋଟି ତ୍ରୁଟିବିଚ୍ୟୁତି ରହିଯାଇଛି, ଏଥିରେ ଅସ୍ୱାଭାବିକତା କିଛି ନାହିଁ । କମିଟି ଦ୍ୱାରା ସମ୍ପାଦିତ କୌଣସି କାର୍ଯ୍ୟର ଏଇ ଦିଗଟା ସମ୍ପର୍କରେ କ୍ଲେୟାର ଷ୍ଟାର୍ଲିଂ ଗୋଟିଏ ପ୍ରବାଦର ଉଦ୍ଧାର କରିଛନ୍ତି, Camel is said to look like a horse drawn by a committee. କଥା ହେଲା ଆଲୋଚିତ ‘ପ୍ରାପ୍ତେଷୁ’ ଓ ‘ସଂକ୍ରାନ୍ତ’ରେ ପରି ଶବ୍ଦ ଓଟ ହେବା ସ୍ଥଳେ ଘୋଡ଼ା ଭଳି ଦିଶିଲେ; ସାଧାରଣତଃ ଦୃଶ୍ୟମାନ ଏକକୁଜିଆ ଓଟ ପ୍ରେଷକ ଅଧିକ ମୂଲ୍ୟର ଦୁଇକୁଜିଆ ଓଟ ପ୍ରେରକ ହୋଇ ପାରିଥାନ୍ତା; ଉପରଲିଖିତ ଶବ୍ଦ ବେଶି ଓଟ ଓଟ, ଅଳ୍ପ ଘୋଡ଼ା ଘୋଡ଼ା ଦିଶୁଛି ।

 

 

ଅଧ୍ୟାୟର - ୩ର ଅଶୁଦ୍ଧି ପରିହାର ପ୍ରସଙ୍ଗରେ କିଛି ପ୍ରସ୍ତାବ ଉପସ୍ଥାପନା କରି ଏ ସମୀକ୍ଷାର ଉପସଂହାର କରୁଛି ।

 

 

ଅଶୁଦ୍ଧ ଶବ୍ଦର ଶୁଦ୍ଧ ରୂପ ଦେବାବେଳେ ନିରୋଗି ଓ ଯାଂଚ୍‌ ଜାଂଚ୍‌ (ଜାଞ୍ଚ୍‌) ହୋଇଥାନ୍ତା; ଜାଂଚ୍‌ରେ ଆ-କାର ପରେ ଅନୁସ୍ୱାର ରହିବାବେଳେ ତା’ ଆଗକୁ ରହିଯାଇଛି । ଏହା ମୁଦ୍ରଣଗତ ତ୍ରୁଟି ବୋଲି ବିଶ୍ୱାସ । ପ୍ରଦତ୍ତ ଶୁଦ୍ଧ ରୂପ ଆକାଂକ୍ଷା ଶୁଚିବାଦୀ ପଣ୍ଡିତଙ୍କ ମତରେ ଅଶୁଦ୍ଧ ରୂପେ ଧରାଯାଉଥିଲେ ବି ବର୍ଗସ୍ଥ (ଅନୁନାସିକ ବର୍ଣ୍ଣଯୋଗରେ) ଯୁକ୍ତାକ୍ଷର କ୍ଷେତ୍ରରେ ଅନୁସ୍ୱାର ପ୍ରୟୋଗର ବିକଳ୍ପ ବ୍ୟବସ୍ଥା ଯୋଗୁଁ ଏହା ଠିକ୍‌ ହେବ ।

 

 

ପଶ୍ୱାଧମ ପଶ୍ୱଧମ, ପ୍ରାଣୀବର୍ଗ-୧ ପ୍ରାଣିବର୍ଗ, ଅହର୍ନିଶି ଅହର୍ନିଶ, ଚତୁଃଷଷ୍ଠି ଚତୁଃଷଷ୍ଟି, ସାମ୍ରାଜ୍ଞୀ ସମ୍ରାଜୀ ହେବାପରି କ୍ୱଚିତ୍ ବ୍ୟବହୃତ ବହୁ ଅଶୁଦ୍ଧ ଶବ୍ଦର ଦୃଷ୍ଟାନ୍ତ ଦିଆଯାଇଥିଲେହେଁ ସାଧାରଣତଃ ପ୍ରଚଳିତ ବହୁ ଅକ୍ଷମଣୀୟ ଅଶୁଦ୍ଧ ଶବ୍ଦର ଶୁବ୍ଦ ରୂପ ଦିଆଯାଇନାହିଁ - ମାତ୍ର ଦିଆଯାଇଥିଲେ କାର୍ଯ୍ୟାଳୟମାନଙ୍କରେ ବିଶେଷ ସହାୟକ ହୋଇଥାନ୍ତା । ତଳେ କେତୋଟି ଦୃଷ୍ଟାନ୍ତ ଦିଆଯାଉଛି ।

 

 

ଅଶୁଦ୍ଧ ‘ସକ୍ଷମ’ର ଶୁଦ୍ଧ ରୂପ ‘କ୍ଷମ’-୨ ସହିତ ଏ ଶ୍ରେଣୀର ଅନ୍ୟ କେତେକ ଶବ୍ଦର ଅନୁରୂପ ସଂଶୋଧନ ଥା’ନ୍ତା, ଯଥା - ସଠିକ (ଠିକ) ସଜାଗ (ଜାଗ୍ରତ-୩), ସାନନ୍ଦିତ (ଆନନ୍ଦିତ/ସାନନ୍ଦ) ଇତ୍ୟାଦି ।

 

ସେମିତି ରହିଥାନ୍ତା ଉତ୍କର୍ଷତାର ଶୁଦ୍ଧରୂପ ପରି ସଂଯମତା, କପଟତା ଆଦିର ଶୁଦ୍ଧ ରୂପ ।

 

୧.

କିନ୍ତୁ ଶବ୍ଦକୋଷରେ ରହିଗଲା, Zoography - ପ୍ରାଣୀ ବର୍ଣ୍ଣନ; Zoology- ପ୍ରାଣୀତତ୍ତ୍ୱ ଇତ୍ୟାଦି ।

୨.

କ୍ଷମ ସହିତ ସମାର୍ଥକ ସମର୍ଥ ରହିପାରେ; କ୍ଷମ ବ୍ୟବହାରରେ ଅନଭ୍ୟସ୍ତ ଲୋକଙ୍କ ପାଇଁ ଏହା ସୁବିଧାଜନକ (ଯଦି କ୍ଷମ ତାଙ୍କୁ ନଣ୍ଡା ନଣ୍ଡା ଲାଗେ)

୩.

ଗାଁ ଗହଳିର ପୁରୁଖା ଲୋକଙ୍କର, ବିଶେଷତଃ ଗଞ୍ଜାମର ଲୋକଙ୍କ ପକ୍ଷରେ ଜାଗ୍ରତ ବ୍ୟବହାର ସାଧାରଣ ଓ ଯଥୋଚିତ । ଏହା ସହିତ ଜାଗତିଆର ଦିଆଯାଇପାରେ । ଆବଶ୍ୟକୀୟ ପରି ବହୁ ପ୍ରଚଳିତ ସଂକ୍ରାନ୍ତୀୟ ଶବ୍ଦର ଶୁଦ୍ଧ ରୂପ ସଂକ୍ରାନ୍ତ ଦିଆଯାଇଥାନ୍ତା । ସେହିପରି ଦିଆଯାଇଥାନ୍ତା ଅପରାହ୍ନ, ପୂର୍ବାହ୍ନ ପାଇଁ ଯଥାକ୍ରମେ ଅପରାହ୍‌ଣ, ପୂର୍ବାହଣ ।

 

‘ଅଶୁଦ୍ଧ ବାକ୍ୟ’ ପର୍ଯ୍ୟାୟରେ ପାଟବତା, ସଂକ୍ଷିପ୍ତରେ ଆଦି ଅଶୁଦ୍ଧ ରୂପଗୁଡ଼ିକର ଶୁଦ୍ଧ ପ୍ରୟୋଗ ପରି ସଂକ୍ରାନ୍ତରେ, ବିରୁଦ୍ଧରେ, ଅଧୀନରେ ଭଳି ଅକ୍ଷମଣୀୟ ଅଶୁଦ୍ଧ ରୂପର ଯଥୋଚିତ ବ୍ୟବହାର ବାକ୍ୟରେ ଦେଖାଇ ଦେଇଥିଲେ କାର୍ଯ୍ୟାଳୟ ତଥା ଅନ୍ୟମାନଙ୍କପାଇଁ ସହାୟକ ହୋଇଥାନ୍ତା ।

 

ଅଧିକନ୍ତୁ, ‘ଅଶୁଦ୍ଧ ବାକ୍ୟ’ ପର୍ଯ୍ୟାୟରେ ଉଦାହୃତ ଅଶୁଦ୍ଧ ଶବ୍ଦଗୁଡ଼ିକ ‘ଅଶୁଦ୍ଧ ଶବ୍ଦ’ ପର୍ଯ୍ୟାୟରେ ଅନୁରୂପ ସ୍ଥାନ ପାଇବା ଉଚିତ । ଯେହେତୁ ତାହା ପୁନରୁକ୍ତି-ଦୂଷିତ ନ ହୋଇ ବରଂ ତୁରନ୍ତ ଦୃଷ୍ଟି ଆକର୍ଷଣ ଏବଂ ସହାୟକ ହେବ ।

 

ଏ ପୁସ୍ତିକାର ପୂର୍ଣ୍ଣାଙ୍ଗ ସଂସ୍କରଣ ବେଳକୁ ପ୍ରଦର୍ଶିତ ଭୁଲଗୁଡ଼ିକ ଅଧିକାରୀ, କର୍ମଚାରୀ ଏବଂ ଅନ୍ୟ ବ୍ୟବହାରମାନଙ୍କର ଅଭ୍ୟାସଗତ ହୋଇଯିବା ସ୍ୱାଭାବିକ । ତେଣୁ ସରକାର ଯଥାଶୀଘ୍ର ଏ ଭୁଲ୍‌ ଗୁଡ଼ିକର ସଂଶୋଧନପତ୍ର ପ୍ରସ୍ତୁତ କରି ତାଙ୍କର ସମସ୍ତ କାର୍ଯ୍ୟାଳୟ ବା ଦପ୍ତରକୁ ତାହା ପ୍ରେରଣ କରିବା ଉଚିତ ହେବ ।

 

ଶେଷରେ ଏତିକି କୁହାଯାଇପାରିବ ଯେ ସଂକଳନ କମିଟିଙ୍କଦ୍ୱାରା ପ୍ରସ୍ତୁତ ପୁସ୍ତକ ପୁସ୍ତିକା ଯୁଗଳମୂର୍ତ୍ତି (ପୁସ୍ତକ ଦମ୍ପତି କହିପାରନ୍ତି) ପ୍ରଶଂସନୀୟ । କୋଷ ପୁସ୍ତକର ଅନେକାନେକ ସ୍ଥଳରେ ପାରିଭାଷିକ ଶବ୍ଦମାନ ଖୁବ୍‌ ଭଲ ହୋଇଛି ଦି’କୁଜିଆ ଓଟପରି, ବହୁ ସ୍ଥାନରେ ସାଧାରଣ ଏକକୁଜିଆ ଓଟ ଏବଂ କେତେକସ୍ଥଳେ ଊଣା ଅଧିକେ ଲାଗୁଛି ଘୋଡ଼ାଘୋଡ଼ା । ପରିଭାଷା ପ୍ରସ୍ତୁତିରେ ଏପରି ହେବା ବୋଧହୁଏ ଅନିବାର୍ଯ୍ୟ । ମନେପଡ଼ୁଛି ତିରିଶ୍‌ ବର୍ଷ ତଳର କଥା । ରାଜେନ୍ଦ୍ର କଲେଜ, ବଲାଙ୍ଗୀରରେ ସଂସ୍କୃତ ଅଧ୍ୟାପକ ଥିଲେ କୁଶାଗ୍ରବୁଦ୍ଧି ସମ୍ପନ୍ନ ବିଦ୍ୱାନ, ପ୍ରସିଦ୍ଧ ପଣ୍ଡିତ ସଦାଶିବ ଦାସ ଶର୍ମା । ମୁଁ ଥିଲି ତାଙ୍କର ଶିଷ୍ୟପ୍ରାୟ ଭାଗ୍ୟବାନ ସହକର୍ମୀ । ସେତେବେଳେ ଆମର ଗୋଟାଏ ବିନୋଦନ ଥିଲା - ଡକ୍ଟର ରଘୁବୀରଙ୍କ ପ୍ରଖ୍ୟାତ ଶବ୍ଦକୋଷରୁ * ବହୁ ପରିଭାଷିତ ଶବ୍ଦର ଆଲୋଚନା କରିବା । ସେଥିମଧ୍ୟରେ ଅନେକ ଶବ୍ଦ ଥିଲା ଅଖାଡ଼ୁଆ - ଏତେ ଅଖାଡ଼ୁଆ ଯେ ଘୋଡ଼ା ତ ଘୋଡ଼ା, ସେସବୁ ଜଣା ଯାଉଥିଲେ ଓଟଠାରୁ ଆହୁରି ଦୂର ଗଧ କି ଗୟଳ ପରି । ଉତ୍କଟ ଓ ହାସ୍ୟକର ।

 

ଏକାଡ଼େମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କ ଭାଷଣ ପ୍ରସଙ୍ଗରେ ସାରଳା ଦାସଙ୍କ ସାହିତ୍ୟ ଓଡ଼ିଆ ଭାଷାର ଭିତ୍ତିଭୂମି ବୋଲି ପ୍ରକାଶ କରିଥିଲେ । ଓଡ଼ିଆ ଭାଷା ତଥା ଓଡ଼ିଆ ଜାତି ପ୍ରତି ସାରଳା ଦାସଙ୍କ ଦାନ ଅତୁଳନୀୟ ବୋଲି ସେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସାରଳା ଦାସଙ୍କ ସାହିତ୍ୟ ଓଡ଼ିଶାର ଜାତୀୟ-ସଂହତି ତଥା ସଂସ୍କୃତିକୁ ବହନ କରିଆସିଛି ବୋଲି ସେ କହୁଥିଲେ । ସରକାରୀ ପ୍ରୋତ୍ସାହନ ଥିଲେ ସୁଦ୍ଧା ଅମଲାତାନ୍ତ୍ରିକ ପ୍ରତିବନ୍ଧକ ଯୋଗୁଁ ସ୍ୱୟଂଶାସିତ ସାହିତ୍ୟ ଏକାଡ଼େମୀ ରାଜ୍ୟ ସରକାରଙ୍କର ଏକ ତଳିଆ ଅଫିସ ଭାବେ ପରିଗଣିତ ହେଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଏଥିପ୍ରତି ଦୃଷ୍ଟି ଏହାର ଲକ୍ଷ୍ୟ ପୂରଣ କରିବା ପାଇଁ ସେ ସରକାରଙ୍କୁ ଭାଷଣ ପ୍ରସଙ୍ଗରେ ନିବେଦନ କରିଥିଲେ । ସଭା ଶେଷରେ ଏକାଡ଼େମୀର ସମ୍ପାଦକ ଶ୍ରୀ ବେହେରା ସାଧୁବାଦ ଅର୍ପଣ କରିବା ପରେ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା ।

 

 

ବରିଷ୍ଠ ସାହିତ୍ୟ ସାଧକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

୨୧-୨-୮୫ ତାରିଖ ସଂଧ୍ୟା ୬ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏକାଡ଼େମୀ ପକ୍ଷରୁ ଓଡ଼ିଶାର ୬ ଜଣ ବରିଷ୍ଠ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

 

ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱମ୍ବର ନାଥ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମ୍ମାନିତ ଲେଖକମାନଙ୍କୁ ତାମ୍ରଲେଖ ଓ ଉପଢୌକନ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ୬ଜଣ ସାହିତ୍ୟକଙ୍କର ସାରସ୍ୱତ କୃତି ଓ କୃତିତ୍ୱ ପାଇଁ ଓଡ଼ିଆ ଜାତି ଗୌରବାନ୍ୱିତ୍ୱ ହୋଇଛି ବୋଲି ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱମ୍ଭର ନାଥ ପାଣ୍ଡେ ତାଙ୍କ ଭାଷଣ ପ୍ରସଙ୍ଗରେ ମତ ବ୍ୟକ୍ତ କରିଥିଲେ । ଏକାଡ଼େମୀର ସମ୍ପାଦକ ଅଧ୍ୟାପକ ଚିନ୍ତାମଣି ବେହେରା ଏହି ଅନୁଷ୍ଠାନ ଆରମ୍ଭରେ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ, ସମ୍ବର୍ଦ୍ଧିତ ଲେଖକମାନେ ନିଜ ନିଜର ଅଭିଜ୍ଞତା ଓ ଜୀବନାଦର୍ଶ ସମ୍ପର୍କରେ ସଭାରେ ସଂକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ନବକିଶୋର ଦାସ ବାର୍ଦ୍ଧକ୍ୟଜନିତ ଅସୁସ୍ଥିତା ହେତୁ ଏହି ଉତ୍ସବରେ ଯୋଗଦାନ କରିପାରିନଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ପୁରୀରେ ଓଡ଼ିଆ ପତ୍ରପତ୍ରିକା ପ୍ରଦର୍ଶନୀ

ଚଳିତମାସ ୧୪ ଓ ୧୫ ତାରିଖରେ ପୁରୀସ୍ଥିତ ‘‘ସତ୍‌ସଙ୍ଗ ଭବନ’’ ଠାରେ ଓଡ଼ିଆ ପତ୍ର-ପତ୍ରିକାର ଏକ ପ୍ରଦର୍ଶନୀ ସ୍ଥାନୀୟ କେତେକ ତରୁଣ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷାରେ ପ୍ରକାଶିତ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକା ପ୍ରଦର୍ଶନ ପାଇଁ ସ୍ଥାନ ପାଇଥିଲା । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଅଧୁନା ଲୁପ୍ତ ବହୁ ଦୁଷ୍ପ୍ରାପ୍ୟ ପତ୍ରିକାର ଫଟୋ କପି ଏହି ପ୍ରଦର୍ଶନୀ ମଣ୍ଡପରେ ପ୍ରଦର୍ଶନ କରାଯାଇଥିଲା । ଏକାଡ଼େମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ଏବଂ ମୁଖ୍ୟ ପରିଦର୍ଶକ ଭାବେ ଏକାଡ଼େମୀର ସମ୍ପାଦକ ଅଧ୍ୟାପକ ଚିନ୍ତାମଣି ବେହେରା ଏହି ପ୍ରଦର୍ଶନୀରେ ଯୋଗଦାନ କରିଥିଲେ । ପ୍ରଦର୍ଶନୀଟି ଜନସାଧାରଣଙ୍କ ଦ୍ୱାରା ବିଶେଷ ଭାବେ ସମାଦୃତ ଓ ଉପଭୋଗ୍ୟ ହୋଇଥିଲା ଏବଂ ଓଡ଼ିଆ ପତ୍ର-ପତ୍ରିକାର ବିକାଶଧାରା ସମ୍ପର୍କରେ ଏହି ପ୍ରଦର୍ଶନୀ ଜନସାଧାରଣ, ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନଙ୍କୁ ଏକ ସାମଗ୍ରିକ ଧାରଣା ପ୍ରଦାନ କରିବାରେ ସହାୟକ ହୋଇଥିଲା ।

 

ସମାପ୍ତ